ଓଡିଶା ନ୍ୟୁଜ/ Odisha News
ସାକ୍ଷାତକାର

ଉନ୍ନୟନ ମୂଳକ କାର୍ଯ୍ୟ, ଭିତ୍ତିଭୂମି ଗଠନ ଓ ପର୍ଯ୍ୟଟନ ଓଡ଼ିଶା ବିକାଶର ଚାବି କାଠି

ନୂଆଦିଲ୍ଲୀ,ଜାନୁୟାରୀ ୨୯ (ଓଡିଶା ଡ଼ଟ୍ କମ୍), ଓଡ଼ିଶା ର ବ୍ରହ୍ମପୁର ଅଞ୍ଚଳର ୩୮ବର୍ଷ ବୟସ୍କ ଧନଞୟ ମହାପାତ୍ର ଜଣେ ଆଇନ ସ୍ନାତକ । ୧୯୮୮-୯୦ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଟରନ୍ୟାସନାଲ୍ ଲ’ରେ ଆନ୍ତର୍ଜାତିକ ଆଇନ ବିଷୟରେ ଦୁଇ ବର୍ଷିୟା ସ୍ପେସିଆଲାଇଜେସନ୍ କୋର୍ସ କଲାପରେ ସାମ୍ବାଦିକତା ପାଠ୍ୟକ୍ରମରେ ପିଜି ଡ଼ିପ୍ଲୋମା ।

ତା’ପରେ ସେ ନିଜର କ୍ୟାରିୟର ଆରମ୍ଭ କରନ୍ତି ୧୯୯୧ ମସିହାରେ ଦକ୍ଷିଣ ଏସିଆର ଅତ୍ୟନ୍ତ ସମ୍ମାନଜନକ ଓ ବୃହତ୍ତମ ନ୍ୟୁଜ୍ ଏଜେନ୍ସୀ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ(ପିଟିଆଇ)ରେ ।

ରିପୋର୍ଟିଂ ପାଇଁ ଅଫିସ ବାହାରକୁ ଯିବା ପୂର୍ବରୁ ଚାରି ବର୍ଷ ଡ଼େସ୍କ୍ ରେ କାର୍ଯ୍ୟ କରିଛନ୍ତି । ଏହି ଅବସରରେ ସେ ପ୍ରସ୍ତୁତ କରିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ଖବର ମଧ୍ୟରେ ରହିଛି ପ୍ରସିଦ୍ଧ ହାୱାଲା ସ୍କାମ, ଜେଏମ୍ଏମ୍ ଲାଞ୍ଚ ମାମଲା, ବିରାପ୍ପାନ୍ ମାମଲା, କାବେରୀ ଜଳବଣ୍ଟନ ବିବାଦ ତଥା , ଶଙ୍କରାଚାର୍ଯ୍ୟ ଗିରଫ ମାମଲା ।

ଏହା ବ୍ୟତୀତ ସେ ପ୍ରସ୍ତୁତ କରିଛନ୍ତି ଆଫଗାନିସ୍ତାନରେ ତାଲିବାନ୍ ସରକାର ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ କାଳରେ ହୋଇଥିବା ଆତଙ୍କବାଦୀ ବିରୋଧୀ ସଂଗ୍ରାମ, ଗୁଜୁରାଟର ଭୁଜ୍ ଭୂମିକମ୍ପ, କାରଗିଲ ଯୁଦ୍ଧ,ତିବତରୁ ଉଗ୍ୟେନ୍ ତ୍ରିନଲୀ ଦୋର୍ଜୀଙ୍କ ଭାରତ ଆଗମନ ସଂପର୍କିିିତ ଖବର ସହ କିଛି ବର୍ଷ ପୂର୍ବେ ଭାରତୀୟ କ୍ରିକେଟରେ ଚହଳ ସୃଷ୍ଟି କରିଥିବା ମ୍ୟାଚ ଫିକ୍ସିଂ ଖବର ।

ଏହାବ୍ୟତିତ ଜର୍ମାନୀରେ ୧୯୯୬ ମସିହାରେ ସ୍କୋଡା ଅକ୍ଟାଭିଆ ମହାକାଶଯାନର ଉତ୍କର୍ଷେପଣ ସଂପର୍କୀତ ବିବରଣୀ , ୧୯୯୯ରେ ଉପରାଷ୍ଟ୍ରପତିଙ୍କ ସାତଟି ଦେଶ ଗସ୍ତ ଏବଂ ଟୋକିଓରେ ୨୦୦୩ ମସିହାରେ ଡ଼ବ୍ଲ୍ୟୁଟିଓ’ର ଅନୁଷ୍ଠିତ କ୍ଷୁଦ୍ର ମନ୍ତ୍ରୀ ସ୍ତରୀୟ ବୈଠକର ବୀବରଣୀ ମଧ୍ୟ ତାଙ୍କର ସାମ୍ବାଦିକତା ଜୀବନର ଶ୍ରେଷ୍ଠତା ପ୍ରତିପାଦିତ କରିଥାଏ ।

୧୩ ବର୍ଷ ତଳେ ମଣିପୁରରେ ବିବାହ କରିଥିବା ଧନଞୟଙ୍କର ଦଶ ଓ ଛଅ ବର୍ଷର ଦୁଇ ପୁଅ ଅଛନ୍ତି । ତାଙ୍କ ପତ୍ନୀ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ପ୍ରଡ଼କ୍ସନ ମ୍ୟାନେଜର ।
ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସେ କହନ୍ତି “୧୯୮୮ ମସିହାରୁ ମୁଁ ଓଡ଼ିଶା ଛାଡ଼ିଛି ।ମୋର ପିତାମାତାଙ୍କୁ ଭେଟିବା ଲାଗି ମୁଖ୍ୟତଃ ମୁଁ ବର୍ଷରେ ଥରଟିଏ ଓଡ଼ିଶା ଯାଇଥାଏ ”।

ଓଡ଼ିଶା ମୋର ମାତୃଭୂମି ଏବଂ ଏହାର ପଛୁଆପଣ ସର୍ବଦା ଗଭୀର ଆଘାତ ଦେଇଥାଏ । ମାତ୍ର ଓଡ଼ିଶାରେ ଯୁବ ସଂପ୍ରଦାୟ ମଧ୍ୟରେ ଉତ୍ସାହର ଅଭାବ ଅଧିକ ଆଘାତ ଦେଇଥାଏ ।

କେବଳ ଅଳ୍ପ କେତେକ ଯୁବ ପ୍ରତିଭା ଉଚ୍ଚ ସୋପାନକୁ ଉଠିପାରିଛନ୍ତି କିମ୍ବା ଏହା ହାସଲ କରିବା ସ୍ଥିତିରେ ଅଛନ୍ତି ।

ଏହିଠାରେ ରହି ଓଡ଼ିଶାର ବିକାଶ ପାଇଁ ଯୋଗଦାନ ଦେବାର ମାର୍ଗ ହେଲା ଯୁବ ସଂପ୍ରଦାୟକୁ ପଥ ପ୍ରଦର୍ଶନ ଯେଉଁମାନେ କ୍ୟାରିୟର ଗଠନ ଲକ୍ଷ୍ୟ ରଖି ଆସୁଛନ୍ତି । ଏମାନେ ସଚ୍ଚୋଟ ଏବଂ ଯାହା କରିବେ ସେଥିରେ ଶତପ୍ରତିଶତ ଏକାଗ୍ରତା ରଖିବେ ।

ଓଡ଼ିଶାର ବର୍ତ୍ତମାନର ସ୍ଥିତି ସଂପର୍କରେ ଆପଣଙ୍କର ମତ କଣ ଏବଂ ଆପଣ ସେଥିପାଇଁ କାହାକୁ ଦୋଷ ଦେବାକୁ ଚାହାନ୍ତି ?

“ଓଡ଼ିଶାକୁ ଗସ୍ତ କରି ଲୋକଙ୍କ ସହ କଥାବାର୍ତ୍ତା ହେଲାବେଳେ ସେମାନଙ୍କର ଗଭୀର ମାନସିକ ଅଶାନ୍ତି ବାବଦରେ ମୁ ଜାଣିବାକୁ ପାଇଥାଏ । ତେବେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏଭଳି ଜନଅଶାନ୍ତି ରହିଛି । ମାତ୍ର ଏହା ସହିତ ମୁ ସକାରାତ୍ମକ ବିଶ୍ୱାସର ସ୍ୱର ମଧ୍ୟ ଶୁଣିଥାଏ ।”

ନିର୍ଦ୍ଧିଷ୍ଟ ଜନମତ ସୃଷ୍ଟି କରିବା ପାଇଁ ହେଲେ ଲୋକଙ୍କ ଆକାଂକ୍ଷାକୁ ସତ୍ ପ୍ରଶଂସା କରିବାର ଆବଶ୍ୟକତା ରହିଛି । ଏ ସଂପର୍କରେ ଶାସକ ଓ ବିରୋଧୀ ଦଳଗୁଡ଼ିକର ନେତାମାନେ ଯେଉଁ ମତ ଦିଅନ୍ତି ତାହା ଠିକ୍ ନୁହେଁ ।

ଓଡ଼ିଶାର ବିକାଶ ପାଇଁ କିଛି ଅବଦାନ ଦେବା ପାଇଁ ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି କରିଛନ୍ତି ତେବେ କେଉଁ ବିଷୟରେ ?

ଓଡ଼ିଶାର କୋଣସି ନିର୍ଦ୍ଧିଷ୍ଟ କ୍ଷେତ୍ରର ବିକାଶ ସହିତ ମୁଁ ପ୍ରତ୍ୟକ୍ଷ ଜଡ଼ିତ ନୁହେଁ । ମାତ୍ର ବିଭିନ୍ନ ପେଶାରେ ଲିପ୍ତ ଥିବା ମୋର ବନ୍ଧୁମାନଙ୍କୁ ଓଡ଼ିଶାର ବିବିଧତା ତଥା ପ୍ରାକୃତିକ ଶୋଭାରାଶି, ସ୍ଥାପତ୍ୟ କଳା କିମ୍ବା ସମୁଦ୍ର ଉପକୂଳ ହେଉ ସେସବୁ ଦେଖିବା ଲାଗି ମୁଁ ପ୍ରବର୍ତ୍ତାଇଥାଏ ।

ବିକାଶର ନୂତନ ପର୍ଯ୍ୟାୟକୁ ଓଡ଼ିଶାକୁ ନେଇଯିବା ପାଇଁ ଆପଣଙ୍କର ଚିନ୍ତାଧାରା କଣ ?

“ଯଦି ଲୋକମାନେ ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଜାଗ ରହିବେ ତେବେ କେହି ହେଲେ ଓଡ଼ିଶାର ଦୂର୍ଗତି କରି ପାରିବେ ନାହିଁ । ମୁ ବିଶ୍ୱାସ କରେ ଯେ ଓଡ଼ିଆ ଲୋକମାନଙ୍କୁ କୌଣସି ପ୍ରଶାସନ ହାଲୁକା ଭାବେ ଗ୍ରହଣ କରିପାରିବ ନାହିଁ । “

ହୋଇପାରେ ସାଂପ୍ରତିକ ପ୍ରଶାସନର ବିକାଶ ଲକ୍ଷ୍ୟ କମ୍ ଥିବ- ଏହା ପ୍ରାୟତଃ ଭାରତର ସବୁ ସରକାରରେ ସାଧାରଣ କଥା । ତେବେ ସେମାନେ ଯାହା ଆବଶ୍ୟକ କରନ୍ତି ତାହା ହେଲା ଉନ୍ନୟନ ମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ଗଠନକୁ ଅଗ୍ରାଧିକାର ଦେବା । ସମୟାନୁଯାୟୀ ବୃକ୍ଷରୋପଣ ବା ଶିଳ୍ପ କାରଖାନା କଥା ପରେ ।

ଅନ୍ୟ ଏକ କ୍ଷେତ୍ର ଉନ୍ନୟନ ମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ଗଠନ ପରେ ପରେ ବିଚାରକୁ ନିଆଯାଇ ପାରେ ତାହା ହେଲା ପର୍ଯ୍ୟଟନ ।ଏଥିପାଇଁ ବିପୁଳ ପାଣ୍ଠି ବିନିଯୋଗର ଆବଶ୍ୟକତା ନଥିଲେ ମଧ୍ୟ ପ୍ରଶିକ୍ଷିତ ଲୋକମାନଙ୍କୁ ଆହୁରି ଦକ୍ଷ କରିବା ଲାଗି ନିଶ୍ଚିତ ପାଣ୍ଠି ବିନିଯୋଗ ଜରୁରୀ ଅଟେ ।

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପଥରେ ମୁଖ୍ୟ ବାଧକ କଣ ?

“ଓଡ଼ିଶାର ବିକାଶରେ ପ୍ରତିବନ୍ଧକ ମୁଁ ଏବଂ ତୁମେ । ରାଜ୍ୟର ଉନ୍ନତି ପାଇଁ କିଛି ଆଖିଦୃଶିଆ କାର୍ଯ୍ୟ କରିବା ଲାଗି ଆମେ କେବେ ଚିନ୍ତା କରିଛୁ କି! ବ୍ୟକ୍ତିଗତ ସ୍ତରରେ ଏହାକୁ ନିଅନ୍ତୁନାହିଁ ।”

ଯେଉଁ ରାଜ୍ୟରେ ମୁଁ ଶିକ୍ଷାଲାଭ କରିଛି ଏବଂ ବଢ଼ିଛି ତାହା ପ୍ରତି ଥିବା ମୋର କର୍ତ୍ତବ୍ୟରେ ମୁଁ ଯଥେଷ୍ଟ ବିଫଳ ହୋଇଥିବା ମନେ କରୁଛି ।

ମୁଁ ପଢ଼ିଥିବା ସ୍କୁଲକୁ କଦବା କ୍ୱଚିତ ବୁଲିଯିବା ବା ଏହାର ଉନ୍ନତି ପାଇଁ କେତେବେଳେ କେମିତି କିଛି ଆର୍ଥିକ ସାହାଯ୍ୟ ଦେବା ଛଡ଼ା ଓଡ଼ିଶାର ବିକାଶ ଦିଗରେ କିଛି କରିପାରିନାହିଁ ।

ଯୁବକମାନଙ୍କୁ ମୁଁ ଯେଉଁ ପରାମର୍ଶ ଦେଉଛି ତାହା କେବଳ ଏକ ମାନବୀୟ କର୍ତ୍ତବ୍ୟ ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ? ଯଦି ହଁ, ତେବେ କାହିଁକି ସେମାନେ ଆଜିଯାଏ ବିଫଳ ହୋଇଛନ୍ତି ଏବଂ ସେ ଦିଗରେ ସୁଯୋଗ ଓ ସୁବିଧା ରହିଛି କି ?

ପ୍ରବାସୀ ଓଡ଼ିଆମାନେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ସେମାନଙ୍କର ବିଦ୍ୟାଳୟକୁ ଯାଇ ସେଗୁଡ଼ିକୁ ଆର୍ଥିକ ସହାୟତା ଦେଇ ଓଡ଼ିଶାର ବିକାଶ ଦିଗରେ କିଛି ନିର୍ଦ୍ଧିଷ୍ଟ ଅବଦାନ ଦେଇପାରିବେ ।

ହୁଏତ ସେମାନେ ସଂପୃକ୍ତ ବିଦ୍ୟାଳୟର ଲାଇବ୍ରେରୀ, କ୍ରୀଡ଼ା କିମ୍ବା ଖେଳ ପଡ଼ିଆ ଅଥବା ଏପରିକି ଏକ ଛୋଟ କମ୍ପୁଟର୍ ପାଇଁ ଅର୍ଥ ଯୋଗାଇ ଦେଇ ପାରନ୍ତି ।

ଦୃଶ୍ୟକୁ ଆସୁନଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାମାନେ କିଛି ଅଧିକ ସୁବିଧା ସୁଯୋଗ ପାଇବା ଦରକାର । ଏଭଳି ବିଦ୍ୟାଳୟଗୁଡ଼ିକରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ଲାଭ କରିଛନ୍ତି ।

ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ଜାଣିଛି ଯେ କଲେଜ ଅଧ୍ୟୟନ କାଳରେ ବିଶ୍ୱର ଅନ୍ୟ ଭାଗରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ ଆମ ଭିତରେ ଜାଣିବା ପାଇଁ ଅଧିକ ଉତ୍ସାହ ନଥିଲା । ମାତ୍ର ଏବେ ମୁଁ ଦେଖୁଛି କଲେଜ ଛାତ୍ରମାନେ ବିବିଧ ବିଷୟରେ ଯଥେଷ୍ଟ ଅଧିକ ଅବଗତ ଅଛନ୍ତି ।

ବର୍ତ୍ତମାନର ପ୍ରଶାସନ ଦ୍ୱାରା ଓଡ଼ିଶା ବିକାଶଶୀଳ ନା ପରିସ୍ଥିତି ଅଧିକ ଖରାପ ହେଉଛି – ଆପଣ କଣ ଭାବୁଛନ୍ତି ? ଏଥିରେ କିଛି ପରିବର୍ତ୍ତନ ଦରକାର କି ? ଓଡ଼ିଶା ଅବହେଳିତ କି! ହଁ କିମ୍ବା ନାଁ ।

ଓଡ଼ିଶା ଅବହେଳିତ ! ହଁଏବଂ ନୁହେଁ । ହଁ ଏଇ ହିସାବରେ ଯେ,ଆମର ରାଜନେତାମାନେ ଯେତେବେଳେ କ୍ଷମତାରେ ଥାଆନ୍ତି ସେତେବେଳେ ସେମାନେ କେନ୍ଦ୍ର ଆଡ଼କୁ ଅଧିକ ଦୃଷ୍ଟି ଦେଇଥାନ୍ତି । ମାତ୍ର କେନ୍ଦ୍ର ଅନ୍ୟ ରାଜ୍ୟର ନେତାମାନଙ୍କ ପ୍ରତି ବେଶୀ ଧ୍ୟାନ ଦେଇଥାଏ ।

ଏଭଳିକି ଦେଶର ଉତ୍ତର-ପୂର୍ବରେ ଥିବା ରାଜ୍ୟଗୁଡ଼ିକ କେନ୍ଦ୍ରଠାରୁ ବିଭିନ୍ନ ପ୍ରମୁଖ ପ୍ରକଳ୍ପଗୁଡ଼ିକ ପାଇଁ ବେଶ୍ ଭଲ ସହାୟତା ପାଉଛନ୍ତି ।

ନା ଏଇ ହିସାବରେ ଯେ ଆମେ ଓଡ଼ିଆ ମାନେ ବାହାରେ ଏକ ଭିନ୍ନ କର୍ମ ସଂସ୍କୃତିରେ ସଫଳ କାମ କରୁ । ଜଣେ ଅବହେଳିତ ବ୍ୟକ୍ତି ତାହା କେବେବି କରିପାରିବନାହିଁ ।

ଓଡିଶା ଡ଼ଟ୍ କମ୍

Leave a Reply

This site uses Akismet to reduce spam. Learn how your comment data is processed.