Site icon Odisha.com

ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବ : ବିଜୁ ପଟ୍ଟନାୟକ

ବିଜୁ ପଟ୍ଟନାୟକ – ଆବିର୍ଭାବ : ୫ ମାର୍ଚ୍ଚ, ୧୯୧୬ , ତିରୋଧାନ : ୧୭ ଅପ୍ରେଲ ୧୯୯୭

ଭୁବନେଶ୍ଵର,ଫ୍ରେବୁଆରୀ ୨୨(ଓଡ଼ିଶା ଡ଼ଟ୍ କମ୍) ସ୍ୱର୍ଗତ ବିଜୁ ପଟ୍ଟନାୟକ ନିଜ ଜୀବିତାବସ୍ଥାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ, ଭାରତର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା ବ୍ଲିଜ ର ଓଡ଼ିଶା ସମ୍ବାଦଦାତା ଥିବା ଯତୀନ୍ଦ୍ର ଦାଶ(ଏବେ ଓଡ଼ିଶା ଡ଼ଟ୍ କମ୍ ର ସଂପାଦକ)ଙ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ । ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କର କହିଥିବା କଥା ଗୁଡ଼ିକ ଆଜି ବି ସମୟୋପଯୋଗୀ । ତାଙ୍କର ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ଡ଼ଟ୍ କମ୍ ପାଠକ ପାଠିକା ମାନଙ୍କ ପାଇଁ ପ୍ରସ୍ତୁତ କରୁଛୁ ୪ ମାର୍ଚ୍ଚ ୧୯୯୫ରେ ଉକ୍ତ ପତ୍ରିକାରେ ପ୍ରକାଶିତ ଏହି ସାକ୍ଷାତକାରର ଓଡ଼ିଆ ଅନୁବାଦ ।

ପ୍ରଶ୍ନ : ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତିର ଆପଣ କିଭଳି ଆକଳନ କରୁଛନ୍ତି ?

ବିଜୁ ପଟ୍ଟନାୟକ : ସଂପୂର୍ଣ୍ଣ ଦେଶର ରାଜନୈତିକ ପରିସ୍ଥିତି ଖରାପ ଅଛି । ରାଜନୈତିକ ପାର୍ଟିମାନେ ଏହି ସମସ୍ୟା ଗୁଡ଼ିକ ପ୍ରତି ଧ୍ୟାନ ଦେବା ବଦଳରେ ଗୋଷ୍ଠୀ କନ୍ଦଳରେ ବ୍ୟସ୍ତ ଅଛନ୍ତି । ଏହାର କାରଣ ହେଲା ରାଜନୀତି ଉପରେ ନିହିତ ସ୍ୱାର୍ଥ ପ୍ରାଧାନ୍ୟ ବିସ୍ତାର କରିଛି ।

ଲୋକତନ୍ତ୍ରରେ ଶାସକପକ୍ଷ ଏବଂ ବିପକ୍ଷ ଉଭୟଙ୍କର ସ୍ଥିତି ମଜବୁତ ହେବା ଜରୁରୀ ଅଟେ । ମତଭେଦ ଲୋକତନ୍ତ୍ରର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆବଶ୍ୟକ ମାତ୍ର ରାଜନୈତିକ ପ୍ରତିଶୋଧ ଏବଂ ବିରୋଧୀ ପକ୍ଷକୁ ଲୋକ ଲୋଚନରେ ନିନ୍ଦିତ ଦେଖାଇବା ଲୋକତନ୍ତ୍ର ପାଇଁ ଘାତକ ଅଟେ । ସେଥିପାଇଁ ଦଳ ବଦଳ କରୁଥିବା ଲୋକମାନଙ୍କୁ କୌଣସି ପରିସ୍ଥିତିରେ ପ୍ରୋତ୍ସାହନ ମିଳିବା ଉଚିତ୍ ନୁହେଁ ।

କେନ୍ଦ୍ରରେ କଂଗ୍ରେସର କ’ଣ ହେଲା ? ଆକଣ୍ଠ ଭ୍ରଷ୍ଟାଚାରରେ ଡ଼ୁବି ରହି ଶୋଇଛି । ବିଶ୍ୱନାଥ ପ୍ରତାପ ସିଂହଙ୍କର ଭୁଲ କ’ଣ ଥିଲା ? ଏହା ନୁହେଁ କି ସେ ଭ୍ରଷ୍ଟାଚାରର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

କଂଗ୍ରେସରେ ତାଙ୍କର ସ୍ୱର ଶୁଣା ଗଲାନାହିଁ । ଫଳ ଏଇୟା ହେଲା ଯେ ଲୋକମାନେ କଂଗ୍ରେସକୁ ମୂଳରୁ ଉପାଡ଼ି ଫୋପାଡ଼ି ଦେଲେ । ଏହାପରେ ମଧ୍ୟ କଂଗ୍ରେସର ନେତାମାନେ ନିଜକୁ ସୁଧାରିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଆପଣ ଦେଖୁଛନ୍ତି କଂଗ୍ରେସର କ’ଣ ହେଉଛି ।

ଅର୍ଜ୍ଜୁନ ସିଂହଙ୍କୁ କେବଳ ସେଥିପାଇଁ ବାହାର କରି ଦିଆଗଲା କାରଣ ସେ ମଧ୍ୟ ଭ୍ରଷ୍ଟାଚାରର ବିରୋଧରେ ସ୍ୱର ଉତ୍ତୋଳନ କଲେ । ମାତ୍ର ଏଭଳି ବହିଷ୍କାର କୌଣସି ପ୍ରତିକାର ନୁହେଁ । ଭ୍ରଷ୍ଟାଚାରର ବିଷୟକୁ କଂଗ୍ରେସ ଦବାଇ ପାରିବ ନାହିଁ ।

କାରଣ ଫଇସଲା ତାର ହାତରେ ନୁହେଁ ଜନତାଙ୍କ ହାତରେ ରହିଛି ଏବଂ ଦେଶର ଜନତା ମନ ବଦଳାଇ ସାରିଲେଣି । ଏଥର କଂଗ୍ରେସକୁ ଉପଯୁକ୍ତ ଶାସ୍ତି ବିଧାନ କରି ହିଁ ରହିବେ ।

ଆପଣ ଦେଖିବେ ସମଗ୍ର ଦେଶରେ କଂଗ୍ରେସର ସତ୍ତା ଲୋପ ପାଇଯିବ । ଏହା ନିଶ୍ଚିତ । ଦକ୍ଷିଣରେ କଂଗ୍ରେସର ମୂଳପୋଛ ହୋଇସାରିଛି । ବାକି ଯେଉଁ ସ୍ଥାନମାନଙ୍କରେ ନିର୍ବାଚନ ହେବାର ଅଛି ସେଠାରେ କଂଗ୍ରେସର ଦୁର୍ଗତି ନିଶ୍ଚିତ ।

ପ୍ରଶ୍ନ : କ’ଣ ପୁଣି ଆପଣ ଓଡ଼ିଶାରେ ଶାସନ କ୍ଷମତାକୁ ଆସିପାରିବେ ?

ବିଜୁ ପଟ୍ଟନାୟକ : ଏଥିରେ କ’ଣ କିଛି ସନ୍ଦେହ ଅଛି ? ଆମେ ଏଥର ମଧ୍ୟ ସରକାର ଗଢିବୁ ଏବଂ ୧୯୯୦ ମସିହା ଠାରୁ ବେଶୀ ଜନମତ ହାସଲ କରିବୁ ।

ପ୍ରଶ୍ନ : ଆପଣଙ୍କର ଏହି ଆତ୍ମବିଶ୍ୱାସର ଆଧାର କଣ ?

ବିଜୁ ପଟ୍ଟନାୟକ : କାରଣ ଓଡ଼ିଶାର ସରକାର ସାଧାରଣ ଜନତାଙ୍କ ସରକାର । ୧୯୮୦ ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ ଏଠାରେ ଶାସନ କ୍ଷମତାରେ ଥିଲା ମାତ୍ର ସେ ସମୟରେ ସେ କ’ଣ କଲା ? ପଞ୍ଚାୟତ ନିର୍ବାଚନ ସୁଦ୍ଧା କରିପାରିଲା ନାହିଁ । ଏହାର କାରଣ କ’ଣ ଥିଲା ?

କାରଣ ଥିଲା ସେ ସାଧାରଣ ଲୋକଙ୍କ ପାଖକୁ ଶାସନ ପହଞ୍ଚୁ ତାହା ଚାହୁଁନଥିଲା ଏବଂ ଏହା ଉଦ୍ଦେଶ୍ୟ ଚରିତାର୍ଥ କରିବାର ଏକମାତ୍ର ରାସ୍ତା ଥିଲା, ତାହା ହେଲା ପଞ୍ଚାୟତ ସ୍ଥାନରେ ନଗର ନିର୍ବାଚନ ନକରିବା ।

ମାତ୍ର ଆମେ ଶାସନ କ୍ଷମତାକୁ ଆସିବା ପରେ ପଞ୍ଚାୟତ ଏବଂ ନଗରପାଳିକା ମାନଙ୍କର ନିର୍ବାଚନ କରାଇ ଲୋକଙ୍କୁ କ୍ଷମତା ଦେଲୁ । ଏଥିରେ ଲୋକ ଖୁସି ଅଛନ୍ତି , କାରଣ ରାଜ୍ୟର ବିକାଶରେ ସିଧାସଳଖ ଭାଗିଦାରୀ ପାଇପାରୁଛନ୍ତି ।

ଏହାବ୍ୟତୀତ ପ୍ରଶାସନକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଆମେ ନୂଆ ଜିଲ୍ଲାମାନ କଲୁ । ଲୋକେ ନିଜର ଛୋଟ ମୋଟ କାମ ପାଇଁ ବହୁତ ପଇସା ଏବଂ ସମୟ ଖର୍ଚ୍ଚ କରି ଜିଲ୍ଲା ମୁଖ୍ୟାଳୟକୁ ଯାଉଥିଲେ । ଏବେ ତାହା ତାଙ୍କ ନିଜ ସ୍ଥାନରେ ହୋଇଗଲା । ଜିଲ୍ଲା ହେବା ଦ୍ୱାରା ତାଙ୍କର ଏହି ସୁବିଧା ହେଲା ।

ଏହାବ୍ୟତୀତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପ୍ରଥମେ ବଡ଼ ବଡ଼ ଜିଲ୍ଲାମାନଙ୍କୁ ସମ୍ଭାଳିବାକୁ ପଡ଼ୁଥିଲା, ମାତ୍ର ଛୋଟଛୋଟ ଜିଲ୍ଲା ହେବା ଦ୍ୱାରା ସେମାନଙ୍କର କାମ ଆହୁରି ସହଜ ହୋଇଗଲା । ଲୋକଙ୍କ ସାଙ୍ଗରେ ସଂପର୍କ ସ୍ଥାପନ କରିବା ପାଇଁ ସେମାନଙ୍କୁ ଏବେ ସୁବିଧା ହେଉଛି ।

ଆପଣ ଆଶ୍ଚର୍ଯ୍ୟ ହେବେ କେତେକ ଗ୍ରାମର ଲୋକେ ତାଙ୍କ ଜିଲ୍ଲାପାଳଙ୍କୁ କେବେ ବି ଦେଖିବାକୁ ସୁଯୋଗ ପାଉନଥିଲେ । ଆଜି ସେହି ଜିଲ୍ଲାପାଳ ସେମାନଙ୍କ ପାଖରେ ଆସି ପହଞ୍ଚୁଛନ୍ତି ।

ଅନ୍ୟ ଏକ ମହତ୍ୱପୂର୍ଣ୍ଣ କଥା ହେଲା ମହିଳାଙ୍କୁ ସମ୍ମାନ ଦେଇଛୁ । ଯେପର୍ଯ୍ୟନ୍ତ ସମଗ୍ର ଦେଶରେ ମହିଳା ମାନଙ୍କର ବିକାଶ ହେବ ନାହିଁ ସେପର୍ଯ୍ୟନ୍ତ ଦେଶର ଠିକ୍ ବିକାଶ ହେବ ନାହିଁ ।

ଆପଣ ଜାଣିଛନ୍ତି ବିଶ୍ୱର ସବୁଠାରୁ ଧନୀ ବିକଶିତ ଦେଶ ନରୱେ । ଏହି ଦେଶ ଧନୀ ଓ ବିକଶିତ ହେବାର କାରଣ ସେଠାରେ ମହିଳାଙ୍କୁ ପୁରୁଷଙ୍କ ଭଳି ସମାଜରେ ସମାନ ଅଧିକାର ମିଳିଛି ।

ସେଠାକାର ପ୍ରଧାନମନ୍ତ୍ରୀ ବି ଜଣେ ମହିଳା । ତାଙ୍କ ମନ୍ତ୍ରୀମଣ୍ଡଳରେ ଅଧିକାଂଶ ସଦସ୍ୟ ମଧ୍ୟ ମହିଳା । ଆମେ ମଧ୍ୟ ଏଠାରେ ନାରୀ ଜାତିର ଉତ୍ଥାନ ପାଇଁ କାର୍ଯ୍ୟାରମ୍ଭ କରିଛୁ ।

ଏହି ପରିପ୍ରେକ୍ଷୀରେ ଚାକିରିରେ ତାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଠାରୁ ଆରମ୍ଭ କରି ଚାକିରି କରୁଥିବା ମହିଳାର ନିର୍ବାଚନ ଲଢିବାର ଅଧିକାର ଏବଂ ଯଦି ସେ ନିର୍ବାଚନରେ ହାରିଯାଏ ତେବେ ପୁନଃ ଚାକିରିରେ ଅବସ୍ଥାପିତ ହେବାର ଆମେ ସୁବିଧା କରିଛୁ ।

ଯଦି ମୋର ହାତରେ ଥାଆନ୍ତା ତେବେ ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ କରିଦିଅନ୍ତି ।

ଏହା ବ୍ୟତୀତ ଆମେ ଦେଶୀମଦ ଉପରେ ପ୍ରତିବନ୍ଧକ ଲଗାଇ ଲକ୍ଷଲକ୍ଷ ପରିବାରକୁ ଉଜୁଡ଼ିବାରୁ ବଞ୍ଚାଉଛୁ । ଆପଣ ଜାଣିଛନ୍ତି ଏହି ପ୍ରତିବନ୍ଧକ କେମିତି ହେଲା ? ଏହାକୁ ମା ଓ ଭଉଣୀ ମାନେ ଲାଗୁ କରାଇଛନ୍ତି ।

ରାଜ୍ୟର ମହିଳାମାନେ ଜାଗ୍ରତ ହୋଇଛନ୍ତି ଏବଂ ସପୂର୍ଣ୍ଣ ମଦ ବିକ୍ରି ବନ୍ଦ ଦାବି କରୁଛନ୍ତି । ମୁଁ ଆପଣଙ୍କୁ କହିରଖେ ଯଦି ଆମେ ଏଥର ସରକାରରେ ଆସୁ ତେବେ ସମଗ୍ର ରାଜ୍ୟରେ ସବୁ ପ୍ରକାର ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିଦେବୁ ।

ପ୍ରଶ୍ନ : ମାତ୍ର ୧୯୯୦ରେ ଆପଣ ଯେଉଁସବୁ ବିଷୟ କହି ନିର୍ବାଚନ ଜିତି କ୍ଷମତାକୁ ଆସିଥିଲେ ଯଥା ଦୁଇ ଟଙ୍କାରେ ଚାଉଳ ଓ ଇସ୍ପାତ କାରଖାନା ଆଦ ପ୍ରତିଶୃତି ସେ ସବୁତ ଆପଣ ପୁରଣ କରିପାରିଲେ ନାହିଁ ?

ବିଜୁ ପଟ୍ଟନାୟକ : ୧୯୯୦ରୁ ୧୯୯୨ ପର୍ଯ୍ୟନ୍ତ ଆମେ ଦେଇଥିବା ପ୍ରତିଶୃତି ମୁତାବକ ଲୋକଙ୍କୁ ଦୁଇ ଟଙ୍କାରେ କିଲେ ଚାଉଳ ଉପଲବ୍ଧ କରିଥିଲୁ । ମାତ୍ର ଏହାପରେ କେନ୍ଦ୍ର ସରକାର ଚାଉଳ ଉପରେ ରିହାତି ଦେବା ବନ୍ଦ କରିଦେଲେ ଏବଂ ତା’ର ଦର ବୃଦ୍ଧି କଲେ ।

ସେହି କାରଣରୁ ଆମେ କିଛି ଦିନ ପାଇଁ ସମସ୍ତଙ୍କୁ ଦୁଇ ଟଙ୍କାରେ ଚାଉଳ ଉପଲବ୍ଧ କରାଇପାରିଲୁ ନାହିଁ । ତେବେ ଏହା ସତ୍ୱେ ଆମେ ଗରିବ, ବୃଦ୍ଧ ଏବଂ ବିକଳାଙ୍ଗ ଆଦି ଲୋକଙ୍କୁ ଦୁଇ ଟଙ୍କାରେ ଚାଉଳ ଦେଇଆସୁଛୁ ।

ରହିଲା କଥା ଉସ୍ପାତ କାରଖାନାର ଆପଣ ଯାଇ ଦେଖନ୍ତୁ ଇସ୍ପାତ କାରଖାନା ସ୍ଥାପନ ହୋଇଛି କି ନାହିଁ । ଯଦ୍ୟପି କେନ୍ଦ୍ରର କଂଗ୍ରେସ ସରକାର ଏହିଭଳି ପ୍ରକଳ୍ପର ସ୍ଥାପନ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।

ଆପଣ ଓଡ଼ିଶାର ଅଧିବାସୀ । ଆପଣ ନିଜେ ଜାଣନ୍ତି ପରିବେଶ ସୁରକ୍ଷା ନାଁରେ କେମିତି ଏଭଳି ପ୍ରକଳ୍ପ ସ୍ଥାପନାରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ।

ପ୍ରଶ୍ନ : ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଆପଣ କାହାକୁ ପ୍ରାଥମିକତା ଦେବେ ?

ବିଜୁ ପଟ୍ଟନାୟକ : ଓଡ଼ିଶାର ନିଜର ସମ୍ୟକ ବିକାଶ ପାଇଁ ଯେଉଁ ମୂଳଭୂତ ଆବଶ୍ୟକତା ଦରକାର ସେଥିରେ ସେ ଆତ୍ମନିର୍ଭରଶୀଳ ନୁହେଁ । ମୁଁ ମୂଳରୁ ଏବିଷୟରେ ଚିନ୍ତା କରିଆସୁଅଛି ।

ଜାନକୀ ଦଶ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ମାତ୍ର ଏଦିଗପ୍ରତି ସେ ଧ୍ୟାନ ଦେଲା ନାହିଁ । ଔଦ୍ୟଗୀକ ବିକାଶ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ବିଦ୍ୟୁତ୍ ଶକ୍ତି । ଆମର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଦୁଇଶହ ମେଗାୱାଟ ବିଦ୍ୟୁତ୍ ଶକ୍ତିର ଉତ୍ପାଦନ ହେଉଛି । ଜୁନ ମାସରୁ ଆମକୁ ଅଧିକ ଦୁଇଶହ ମେଗାୱାଟ୍ ବିଜୁଳି ମିଳିବା ଆରମ୍ଭ ହେବ ।

ଇନ୍ଦ୍ରାବତୀ ଠାରେ ବିଦ୍ୟୁତ୍ ଉତ୍ପାଦନ କରିବାପାଇଁ ଆମେରିକାର ଏକ କମ୍ପାନୀ ସାଙ୍ଗରେ ବୁଝାମଣା ହୋଇଛି । ଏହା ବ୍ୟତୀତ ଆମେ ହୀରାକୁଦ ଠାରେ ଆଉ ଦୁଇଟି ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ କରିବାକୁ ଯୋଜନା କରିଛୁ । ସେଥିରୁ ଆମକୁ ଶହେ ମେଗାୱାଟ୍ ବିଜୁଳି ମିଳିବ ।

ଠିକ୍ ସେହିପରି ତାଳଚେରର ରାଷ୍ଟୀୟ ତାପଜ ନିଗମ,କଣିହାର ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟରୁ ଏକ ହଜାର ମେଗାୱାଟ୍ ବିଜୁଳି ଉତ୍ପାଦନ ହେବ ।

ଆମେ ଦଇତାରୀ ଠାରେ ଦୁଇଟି ଇସ୍ପାତ କାରଖାନାର ସ୍ଥାପନା କରାଇଛୁ । ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେଲେ ପ୍ରତି ବର୍ଷ ତିରିଶ ଲକ୍ଷ ମେଟ୍ରିକଟନ ଇସ୍ପାତର ଉତ୍ପାଦନ ହେବ । ଏହା ଟାଟାର ଇସ୍ପାତ କାରଖାନା ଠାରୁ ମଧ୍ୟ ବଡ଼ ହେବ ।ଏହି କାରଖାନା ମାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାରର ରାସ୍ତା ମିଳିବ ।

ପ୍ରଶ୍ନ : ଆପଣ ଜନତାକୁ ଭ୍ରଷ୍ଟାଚାରମୁକ୍ତ ସରକାର ଦେବାପାଇଁ ପ୍ରତିଶୃତି ଦେଇଥିଲେ ମାତ୍ର ଆପଣଙ୍କର ଅନେକ ବିଧାୟକଙ୍କ ବିରୋଧରେ ଏହିଭଳି ଗୁରୁତର ଅଭିଯୋଗମାନ ଅଛି ।

ଆପଣ ଲୋକପାଳ ଆଇନକୁ ମଧ୍ୟ ଉଠାଇ ଦେଲେ । ଏହାର ସିଧା ଅର୍ଥ ହେଲାନାହିଁ କି ଯେ ଆପଣ ଯେଉଁ ସବୁ ଅଭିଯୋଗ କଂଗ୍ରେସ ଉପରେ ଲଗାଇଛନ୍ତି ସେଥିରେ ନିଜେ ମଧ୍ୟ ଆକଣ୍ଠ ଡ଼ୁବି ରହିଛନ୍ତି ?

ବିଜୁ ପଟ୍ଟନାୟକ : ଲୋକପାଳ ପଦ ଉଠାଇବା ସଂପର୍କରେ ମୁଁ ଏତିକି କହିବି ଯେ,ତାଙ୍କ ପାଇଁ ସରକାରୀ ରାଜକୋଷରୁ ଟଙ୍କା ଖର୍ଚ୍ଚ ହେଉଥିଲା । ଯେଉଁ ସବୁ କାମ ପାଇଁ ଲୋକପାଳ ପଦ ତିଆରି କରାଯାଇଥିଲା ସେଭଳି କୌଣସି କାମ ସେଠାରେ ହେଉନଥିଲା ।

ସେମିତି ଦେଖିବାକୁଗଲେ ଆମ ପାଖରେ ନିୟମ କାନୁନର କମି ନାହିଁ । କୌଣସି ବ୍ୟକ୍ତି କାହାର ବି ବିରୁଦ୍ଧରେ ଅଦାଲତରେ ମାମଲା ଦାୟର କରିବାର ଅଧିକାର ଅଛି । କିଏ ମନା କରିଛି ! ମାତ୍ର ସତକଥା ହେଲା ଯେ ଅଭିଯୋଗ କରୁଥିବା ଲୋକମାନେ କେବଳ ମୁହଁରେ ଅଭିଯୋଗ କରନ୍ତି ।

ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ । କିଏ କାହାକୁ ଭ୍ରଷ୍ଟ କହିଦେଲେ ଲୋକ ଭ୍ରଷ୍ଟ ହୋଇଯାଏ ନାହିଁ । ଯଦି କିଏ ଭ୍ରଷ୍ଟ,ତେବେ ଜନତା ତାଙ୍କର ଫୈସଲା ନିଶ୍ଚୟ କରିବେ । ତେବେ ମୁଁ ଦାବି କରୁନାହିଁ ଯେ ମୋର ମନ୍ତ୍ରୀ ମଣ୍ଡଳରେ ସବୁ ସାଧୁ ଅଛନ୍ତି ।

ପ୍ରଶ୍ନ : ୧୯୯୦ ନିର୍ବାଚନରେ ଆପଣ ବାମପନ୍ଥୀ ଦଳ ସହ ବୁଝାମଣା କରି ନିର୍ବାଚନ ଲଢିଥିଲେ ମାତ୍ର ଏଥର ଆପଣ ଏକାକୀ ନିର୍ବାଚନ ଲଢୁଛନ୍ତି । ଏହା ବ୍ୟତୀତ କଂଗ୍ରେସ ବିରୋଧୀ ପାର୍ଟି ମାନଙ୍କ ମଧ୍ୟରେ ବି ବ୍ୟାପକ ମତଭେଦ ରହିଛି । ଆପଣଙ୍କୁ କଣ ଲାଗୁନାହିଁ କି ଏଥରର ନିର୍ବାଚନ ଜିତିବା ଆପଣଙ୍କ ପାଇଁ କଠିନ ହେବ ?

ବିଜୁ ପଟ୍ଟନାୟକ : ବାମପନ୍ଥୀ ଦଳ କିଏ ? ମୁଁ ନିଜେ ଜଣେ ବାମପନ୍ଥୀ । ମୋ ଠାରୁ ବଳି ବାମପନ୍ଥୀ ନକ୍ସଲ ଆଉ କିଏ ହୋଇପାରେ !

କେତେକ ଲୋକ ନିଜର ସ୍ୱାର୍ଥ ପାଇଁ ନୂଆନୂଆ ପାର୍ଟି ଗଠନ କରିଛନ୍ତି , ମାତ୍ର ସେମାନେ ସଫଳ ହେବେ ନାହିଁ । ତାଙ୍କ ପାଖରେ ଅଛି କଣ ? ସାମାଜିକ ନ୍ୟାୟ ଦେଉଥିବା ଜନତା ଦଳ ଅଛି ଏବଂ ରହିବ ମଧ୍ୟ ।

ଆମକୁ ଏମାନଙ୍କ ଠାରୁ କୌଣସି ବିପଦ ନାହିଁ । ଜନତା ଆମ ସାଙ୍ଗରେ ଅଛନ୍ତି ଓ ଆମେ ସରକାର ବନାଇବୁ ଏଥିରେ କୌଣସି ଦ୍ୱିମତ ନାହିଁ ।

ପ୍ରଶ୍ନ : ଆପଣ ଦେଶର ପୁରୁଣା ନେତା ମାନଙ୍କ ମଧ୍ୟରୁ ଜଣେ । ଗୋଟିଏ ସମୟ ଥିଲା ଯେତେବେଳେ ଆପଣଙ୍କୁ ଜବାହରଲାଲ ନେହେରୁଙ୍କର ଉତ୍ତରାଧିକାରୀ ରୂପେ ଦେଖାଯାଉଥିଲା ।

ମାତ୍ର ଆପଣ ନିଜକୁ ନିଜ ରାଜ୍ୟ ରାଜନୀତି ଭିତରେ ହିଁ ସିମୀତ ରଖିଲେ । କେନ୍ଦ୍ରରେ ରାଷ୍ଟ୍ରୀୟ ମୋର୍ଚ୍ଚା ଗଠନ କରାଇବା ଠାରୁ ଭି.ପି.ସିଂହଙ୍କୁ ପ୍ରଧାନମନ୍ତ୍ରୀ ବନାଇବାରେ ଆପଣଙ୍କର ପ୍ରମୁଖ ଭୂମିକା ଥିଲା ।

ଦେଶର ସାଂପ୍ରତିକ ପରିସ୍ଥିତିରେ ଆପଣଙ୍କୁ ଲାଗୁନାହିଁ କି ଆଜିର ଏହି ଜାତିବାଦୀ ରାଜନୀତିରେ ଆପଣଙ୍କ ପରି ବ୍ୟକ୍ତିଙ୍କର ରାଷ୍ଟ୍ରୀୟ ସ୍ତରରେ ଆବଶ୍ୟକତା ରହିଛି? କ’ଣ ଆପଣ ପୁଣିଥରେ ସଦ୍ଭାବ ସୃଷ୍ଟି କରିବା ପାଇଁ କାମ କରିବେ ନାହିଁ ?

ବିଜୁ ପଟ୍ଟନାୟକ : ପ୍ରଧାନମନ୍ତ୍ରୀ ହେବାପାଇଁ ମୋର ଇଚ୍ଛା କେବେ ହୋଇନାହିଁ । ମୋର ରାଜ୍ୟ ପଛୁଆ । ଏହାର ବିକାଶ ମୋର ପ୍ରଥମ ପ୍ରାଥମିକତା ‘ ଏହି କାରଣରୁ ମୁଁ ନିଜକୁ ସବୁବେଳେ ରାଜ୍ୟ ଭିତରେ ସୀମିତ ରଖି ଆସିଛି ।

ମୁଁ ସନ୍ତୁଷ୍ଟ ଯେ ,ମୋ ରାଜ୍ୟ ଦ୍ରୁତ ଗତିରେ ବିକାଶ ଦିଗରେ ଅଗ୍ରସର ହେଉଛି । ଦେଶର ବର୍ତ୍ତମାନ ପରିସ୍ଥିତି ସଂପର୍କରେ ଏତିକି କହିବି ଯେ ମୋତେ ସ୍ପଷ୍ଟ ଦେଖାଯାଉଛି କଂଗ୍ରେସର ପତନ ସୁନିଶ୍ଚିତ ।

ଏହି ରାଜନୈତିକ ଘଟଣାକ୍ରମ ଯାହା ସଂକେତ ଦେଉଛି ତାହା ହେଲା କେନ୍ଦ୍ରରେ ଆଗାମୀ ସରକାର ରାଷ୍ଟ୍ରୀୟ ମୋର୍ଚ୍ଚାର ହେବ । ନିଜ ତରଫରୁ ଏହି ମୋର୍ଚ୍ଚାକୁ ପୁନର୍ବାର ବଞ୍ଚାଇ ରଖିବାକୁ ମୁଁ ଚେଷ୍ଟା କରିବି ।

ଓଡ଼ିଶା ଡ଼ଟ୍ କମ୍

Exit mobile version