ସାକ୍ଷାତକାର

ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ରହିଛି: ଡ଼ଃ ପ୍ରଶାନ୍ତ ପାଣିଗ୍ରାହୀ (ସାକ୍ଷାତକାର)

ଫିଜିକାଲ ରିସର୍ଚ୍ଚ ଲେବରୋଟାରୀ,ଅହମଦାବାଦରେ ବରିଷ୍ଟ ବୈଜ୍ଞାନିକ ଭାବେ କାମ କରୁଥିବା ଓଡ଼ିଶାର ଡ଼ଃ ପ୍ରଶାନ୍ତ ପାଣିଗ୍ରାହୀଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର ।

ଅହମଦାବାଦ ୩ ମାର୍ଚ (ଓଡ଼ିଶା ଡ଼ଟ୍ କମ୍) ଆମେ ଏ ପର୍ଯ୍ୟନ୍ତ ନୂଆ ନୂଆ ଜ୍ଞାନ ଆଧାରିତ ଉଦ୍ୟୋଗ ଗୁଡ଼ିକୁ ଆକର୍ଷିତ କଲାଭଳି କିଛି କାମ କରିପାରିନାହୁଁ । ସେତକ ହୋଇଥିଲେ ରାଜ୍ୟର ପୁନଃରୁତ୍ଥାନ ହେବା ସଙ୍ଗେ ସଙ୍ଗେ ନୁତନ ପୀଢିକୁ ନୂଆ ଶକ୍ତି ମିଳିପାରିଥାଆନ୍ତା ବୋଲି ଅହମଦାବାଦରେ କାମ କରୁଥିବା ଓଡ଼ିଶାର ଡ଼ଃ ପ୍ରଶାନ୍ତ ପାଣିଗ୍ରାହୀ ଓଡ଼ିଶା ଡ଼ଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ।

କଟକର ରେଭେନ୍ସା କଲେଜରେ ଶିକ୍ଷା ପରେ ଭୁବନେଶ୍ୱର ଠାରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ । ତାପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚଶିକ୍ଷା ପରେ ୧୧ ବର୍ଷ ଧରି ଯୁକ୍ତରଷ୍ଟ୍ର ଆମେରିକା ଏବଂ ଶେଷରେ ମଣ୍ଟ୍ରିଲ ସମେତ କାନାଡ଼ର ବିଭିନ୍ନ ସହର ।

ଏହା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରି ହାଇଦ୍ରାବାଦର ସେଣ୍ଟ୍ରାଲ ୟୁନିଭରସିଟି ଓ ଏବେ ଫିଜିକାଲ ରିସର୍ଚ୍ଚ ଲେବରୋଟାରୀ, ଅହମଦାବାଦରେ କାର୍ଯ୍ୟରତ ପାଣିଗ୍ରାହୀ କହନ୍ତି “ଆମେ ନିଜେ ନିଜକୁ ଟିକିଏ ଅଧିକ ଉଦଯୋଗୀ କରିବା ଦରକାର । ସେଥିପାଇଁ ଆମର ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ରହିଛି ।

ସରକାରୀ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ସହଯୋଗ ଭିତ୍ତିରେ କାମ କରାଗଲେ ସ୍ଥିତିରେ ଅନେକ ପରିବର୍ତ୍ତନ ଘଟିପାରିବ ”ସେ କହନ୍ତି ।

ଆପଣ ଆମକୁ ଆପଣଙ୍କ ଗାଁ ବିଷୟରେ, ଓ ଆପଣ ଏଠାରେ ଛାଡ଼ି ଯାଇଥିବା ଗ୍ରାମ୍ୟ ଜୀବନ ବିଷୟରେ କିଛି କହନ୍ତୁ । ବିଶେଷ କରି ଆପଣଙ୍କର କିଛି ମଜାଦାର ଅଙ୍ଗେ ନିଭା ଘଟଣା ଯାହାକୁ କି ଆପଣ ଏ ପର୍ଯ୍ୟନ୍ତ ପାସୋରି ନାହାନ୍ତି ?

ଓଡ଼ିଶାର ସବୁ ଗ୍ରାମୀଣ ପିଲାଙ୍କ ପରି ମୋ ପିଲାଦିନ ମଧ୍ୟ ଗାଁଆରେ ମୋ ବୁଢାବାପା ଓ ବୁଢୀମାଆଙ୍କ ମେଳରେ ବେଶ ହସି ଖେଳି କଟିଥିଲା ।

ମତେ ମାତ୍ର ଛଅ ବର୍ଷ ବୟସ ହୋଇଥିବା ବେଳେ ମୋ ମାଅ ସ୍ୱର୍ଗାରୋହଣ କରିବା ତଥା ବାପା ଚାକିରୀ କରିବା ପାଇଁ କଲିକତା ଚାଲିଯିବା ପରେ ମୁଁ ଆମ ଘରର ଏକଛତ୍ରପତି ସମ୍ରାଟ ହୋଇଯାଇଥିଲି ।

ତେବେ ଆମ ଗାଁଆ ବିଦ୍ୟାଳୟର ଶିକ୍ଷକ ତଥା ବଡ଼ ମାନଙ୍କର ମୋ ଉପରେ ଥିବା ସଜାଗ ଦୃଷ୍ଟି ମତେ କେବେବି ମାର୍ଗଚ୍ୟୁତ ହେବାକୁ ଦେଇନଥିଲା ।

ପାଠ ପଢା ବେଳେ ଆମ ଗାଁ ଚାରିପଟରେ ଥିବା ବିଭିନ୍ନ ନୂଆ ନୂଆ ସ୍ଥାନ ଆବିଷ୍କାର କରିବା, ଖରାଛୁଟିରେ ସାଙ୍ଗମାନଙ୍କ ସହିତ ମିଶି ମଜାକରିବା, ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ତିନି ବର୍ଷ ପର୍ଯ୍ୟନ୍ତ ଏକ ପୁରୁଣା ଟ୍ରାକ୍ଟରର ମରାମତିରେ ଲାଗି ରହିବା ପରି କେତୋଟି ଘଟଣା ଏବେବି ମୋ ମନରେ ସ୍ମୃତି ହୋଇ ରହିଛି ।

ମୋ ଛାତ୍ର ଜୀବନର ପ୍ରାଥମିକ ସ୍ତରକୁ ଯେଉଁମାନେ ମତେ କଞ୍ଚା ମାଟିରୁ ମୂର୍ତ୍ତୀ ତିଆରି କରିବା ପରି ଗଢିଥିଲେ ସେହି ସବୁ ଶିକ୍ଷକ ଯେପରିକି, ଶ୍ରୀ ପିସି ରାଉତରାୟ, ଜିସି ବେହେରା, ଏବଂ ଡ଼ିଏନ ପ୍ରଧାନ ଆଦିଙ୍କୁ ମୁଁ ଭୂଲି ପାରିବି ନାହିଁ ।

କଲେଜ ଜୀବନ ମୋ ପାଇଁ ବେଶ ରୋମାଞ୍ଚକର ଏବଂ କମ ଶୃଙ୍ଖଳିତ ଥିଲା । ଏଠାରେ ମୁଁ ପଦାର୍ଥ ବିଜ୍ଞାନରେ ଥିବା ସମସ୍ୟା ସମାଧାନ କରିବାରେ ମୋର ସାମର୍ଥ୍ୟକୁ ଆବିଷ୍କାର କରିଥିଲି ଏମଆଇଆର ପ୍ରକାଶନର ବହିମାନଙ୍କ ମାଧ୍ୟମରେ କ୍ୱାଣ୍ଟମ ଫିଜିକ୍ସ ପ୍ରତି ମୋର ଭଲପାଇବା ସୃଷ୍ଟି ହୋଇଥିଲା ।

ରେଭେନ୍ସା କଲେଜର ଇଷ୍ଟ ହଷ୍ଟେଲରେ ଥିବା ବେଳେ କିଣିଥିବା ଏବିସିଜ ଅଫ କ୍ୱାଣ୍ଟମ ମେକାନିକକ୍ସ ଆଝ ପାୱାର ହାଉସ ଅଫ ଦି ଆଟମ ବହିଟିକୁ ମୁଁ ବେଶ ଆଦର କରୁଥିଲି । ୧୯୮୧ ମସିହାରେ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସରେ କଟିଥିବା ଗୋଟିଏ ବର୍ଷ ଗବେଷଣାର ବିସ୍ତୃତ ଦିଗନ୍ତ ଆଡ଼କୁ ମୋର ଆଖି ଖୋଲି ଦେଇଥିଲା ।

ବିଭାଗଗୁଡ଼ିକ ଅତି ଉକ୍ରୃଷ୍ଟମାନର ଥିଲା ତଥା ଏଠାକାର ବୈଜ୍ଞାନିକ ପରିବେଶ ଅତି ଉତ୍ତମ ଥିଲା । ଏବେ ଯେତେବେଳେ ମୁଁ ମୋର ସହପାଠୀମାନଙ୍କୁ ଫିଜିକ୍ସର ବିଭିନ୍ନ ଶାଖାରେ ନିଯୁକ୍ତ ରହି ବେଶ ଭଲ କାମ କରୁଥିବାର ଦେଖେ ମତେ ଭାରି ଗର୍ବ ଲାଗେ ।

୧୯୮୨ରେ ଯେତେବେଳେ ମୁଁ ଓଡ଼ିଶାଛାଡ଼ିଲି ସେବର୍ଷ ଖୁବ ଯୋରରେ ବନ୍ୟା ଆସିଥିଲା । ମୋର ଏବେ ବି ମନେ ଅଛି ଆମେ ସବୁ ଯେହେତୁ ବନ୍ୟା ଯୋଗୁଁ ଘରକୁ ଯିବା ଅବସ୍ଥାରେ ନଥିଲୁ ତେଣୁ ମୁଁ ରେଭେନ୍ସା କଲେଜର ଖୋଲା ପଡ଼ିଆରେ ହିଁ ଶୋଇଯାଇଥିଲି ।

ଆପଣ ତ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚଶିକ୍ଷା ଲାଭ କଲେ ଓ ସେଠାରେ ୧୦ ବର୍ଷରୁ ଅଧିକ ସମୟ ଧରି ରହି ସାରିଲେଣି । ଭାରତର ପ୍ରମୁଖ ସଂସ୍ଥା ତଥା ବିଶ୍ୱବିଦ୍ୟାଳୟ ମାନଙ୍କରେ କାମ କରିବା ପରେ ଆପଣ କ’ଣ ଭାବୁଛନ୍ତି ?

ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ଭାରତର ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଦରକାର ।

ମୁଁ ୧୯୮୨ ରୁ ୧୯୯୩ ପର୍ଯ୍ୟନ୍ତ ୧୧ ବର୍ଷ ଧରି ଯୁକ୍ତରଷ୍ଟ୍ର ଆମେରିକା ତଥା କାନାଡ଼ାରେ ରହିଲି । ଶେଷ ତିନି ବର୍ଷ ମଣ୍ଟ୍ରିଲ ଭଳି ଏକ ଉକ୍ରୃଷ୍ଟ ସହରରେ କଟିଥିଲା ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତରେ ଉଚ୍ଚଶିକ୍ଷାର ଏକ ଆମୂଳଚୁଳ ପରିବର୍ତ୍ତନର ଆବଶ୍ୟକତା ରହିଛି । ମୌଳିକ ସ୍ତରରେ ଆମେ ଆମ ବିଦ୍ୟାଳୟମାନଙ୍କରେ ପଢାପଢି କରିପାରିବା କିନ୍ତୁ ନିୟମିତ ହୋମୱାର୍କ୍ସ, ପରୀକ୍ଷାଖାତା ଗୁଡ଼ିକର ବ୍ୟବସ୍ଥିତ ମୂଲ୍ୟାୟନର ନିଶ୍ଚିତ ପ୍ରଚଳନ କରିବାକୁ ହେବ ।

ଶ୍ରେଣୀଗୃହରେ ନୂଆ ନୂଆ ପ୍ରକାରର ପ୍ରଦର୍ଶନ ତଥା ମୁକ୍ତ ଆଲୋଚନା ପାଇଁ ଅଧିକ ସ୍ୱାଧିନତା ଦିଆଯିବା ନିହାତି ଜରୁରୀ । ଏହିସବୁ ସରଳ ତଥା ଛୋଟ ଛୋଟ କଥାଗୁଡ଼ିକ ହିଁ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟମାନଙ୍କୁ ଏତେ ଉଚ୍ଚସ୍ତରରେ ସ୍ଥାପିତ କରିଛନ୍ତି ।

ଗବେଷଣାସଂସ୍ଥା ଗୁଡ଼ିକୁ ବିଶ୍ୱବିଦ୍ୟାଳୟମାନଙ୍କରୁ ଅଲଗା କରିବା ଘଟଣା ଉଭୟ ସଂସ୍ଥା ପ୍ରତି ଅନିଷ୍ଟକର ହୋଇଥାଏ ।

ଆମ ଛାତ୍ରମାନେ ଅନୁପ୍ରାଣୀତ ହେବା ଭଳି ଅନୁକରଣୀୟ ଉଚ୍ଚମାନର ବୈଜ୍ଞାନିକ ତଥା ଶିକ୍ଷକଙ୍କ ସାହଚର୍ଯ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି, ଆମ ସଂସ୍ଥାଗୁଡ଼ିକ ମଧ୍ୟ ଉତ୍ତମ-ଉଦ୍ଦେଶ୍ୟଧାରୀ ଛାତ୍ରମାନଙ୍କୁ ପାଇବାରେ ବିଫଳ ହେଉଛନ୍ତି ।

ଓଡ଼ିଶାର ବିଜ୍ଞାନଶିକ୍ଷା ସମ୍ବନ୍ଧରେ ଆପଣଙ୍କର ମତ କ’ଣ ? ଆପଣ କ’ଣ ଭାବୁଛନ୍ତି ଯେ ଓଡ଼ିଶାରେ ପ୍ରତିଭାସମ୍ପନ୍ନ ମାନବ ସମ୍ପଦର ଅଭାବ ନା ଅନ୍ୟ କିଛି କାରଣ ରହିଛି ?

ଓଡ଼ିଶାରେ ସେଭଳି କୌଣସି ନିର୍ଦ୍ଧିଷ୍ଟ ସମସ୍ୟା ଥିବା କଥା ମୁଁ ଦେଖି ପାରୁନାହିଁ । ତେବେ ଆପଣ ଯାହା କହୁଛନ୍ତି ତାହା ମୋଟାମୋଟି ଭାବରେ ଭାରତର ସବୁ ସ୍ଥାନରେ କିଛି ନା କିଛି ପରିମାଣରେ ରହିଛି । ତା ସତ୍ତ୍ୱେ ଭାରତରେ ତଥା ଭାରତ ବାହାରେ ବହୁ ବିଚକ୍ଷଣ ପ୍ରତିଭାଧାରୀ ଓଡ଼ିଆ ବୈଜ୍ଞାନିକ ଅଛନ୍ତି ।

ତେବେ ଓଡ଼ିଶାରେ ବାଙ୍ଗାଲୋରରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ପରି ଏକ ଉଚ୍ଚମାନର ବିଜ୍ଞାନ ଶିକ୍ଷା କେନ୍ଦ୍ର ଖୋଲାଯାଇ ପାରିଲେ ତାହା ପୁର୍ବାଞ୍ଚଳରେ ବହୁ ବୈଜ୍ଞାନିକ ମାନବ ସମ୍ବଳ ପ୍ରସ୍ତୁତ କରିବାରେ ସକ୍ଷମ ହୋଇ ପାରିବ ଓ ଏଥିରୁ ବହୁ କୃତବିଦ ବୈଜ୍ଞାନିକ ବାହାରି ପାରିବେ । ଆମେ ଜାଣିଛୁ ଯେ ଆପଣ ମଧ୍ୟ ଓଡ଼ିଶାରେ ଶିକ୍ଷାର ଗୁଣାତ୍ମକ ବିକାଶ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ ।

ଆପଣ ଛୋଟ ପିଲାଙ୍କ ପାଇଁ କେତୋଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ପ୍ରକଳ୍ପର ଏବେ ସ୍ଥିତି କ’ଣ ? ଆପଣ ସେଥିରୁ ବିରତ ରହିଗଲେ କାହିଁକି ?

ମୁଁ ଜାଣେ ,ଆପଣ ଯେଉଁ “ଶିକ୍ଷା” ପ୍ରକଳ୍ପ କଥା କହୁଛନ୍ତି ସେଥିରେ ଅଧିକ କିଛି ପ୍ରଗତି ହୋଇ ପାରି ନାହିଁ । କେବଳ ପ୍ରାଥମିକ ଭାବରେ ସ୍କୁଲ ଶିକ୍ଷକଙ୍କ ଆବଶ୍ୟକତା ଉପରେ ଯାହା ସର୍ବେକ୍ଷଣ କରାଯାଇଥିଲା ।

ଆମର ପ୍ରାଥମିକ ସ୍କୁଲ ମାନଙ୍କରେ ଯେଉଁ ପାଠ୍ୟ ପୁସ୍ତକ ପଢା ଯାଉଛି ତାକୁ ସହାୟତା କରିବାଭଳି ଏକ ସିଡ଼ି ରୋମ ପ୍ରସ୍ତୁତ କରିବାକୁ ଆମେ ଉଦ୍ୟମ କରିଥିଲୁ । ତେବେ ଏଭଳି ଉଦ୍ୟମ ପାଇଁ ପ୍ରଥମତଃ ଉପଯୁକ୍ତ ଲୋକ ତଥା ସମ୍ବଳର ଆବଶ୍ୟକତା ରହିଛି ।

ଆମେ ଏଥିରେ ସଫଳ ହୋଇନପାରିବା ଅଲଗା କଥା । ବର୍ତ୍ତମାନ ମୁଁ ବିଜ୍ଞାନର ପ୍ରମୁଖ ବିଷୟ ଗୁଡ଼ିକ ଉପରେ ଛୋଟ ଛୋଟ ପୁସ୍ତକ ପ୍ରକାଶ କରିବା ପାଇଁ ଉଦ୍ୟମ ଜାରୀ ରଖିଛି । ମୋର ମନେ ପଡ଼ୁଛି ଯେ ମୁଁ ପିଲାଦିନେ ଗୋଟିଏ ବହି ପଢିଥିଲି , “କଥା ତରଙ୍ଗ” ।

ସେ ବହିଟି ର୍ହି ମତେ ବିଜ୍ଞାନ ପ୍ରତି ଆକୃଷ୍ଟ କରିଥିଲା କ୍ୱାଣ୍ଟମ କମ୍ପ୍ୟୁଟର ଉପରେ ମୋ ଲିଖିତ ପ୍ରଥମ ସଚିତ୍ର ପୁସ୍ତକ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । ଏହାକୁ ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ।

ଆପଣ ଆପଣଙ୍କ ଜିବନରେ ଓଡ଼ିଆଲୋକଙ୍କୁ ବହୁ ବାଟରେ ଯେତେ ସମ୍ଭବ ସହାୟତା ଦେଇଆସିଛନ୍ତି । ଏଥିରୁ ଆପଣ କ’ଣ ଅନୁଭବ କରିଛନ୍ତି ?

ଭାରତର ଯେ କୌଣସି ପ୍ରାନ୍ତରେ ହେଉ ବା ବିଦେଶରେ ତୁଳନାତ୍ମକ ଭାବରେ ଖୁବ କମ ଓଡ଼ିଆ ଲୋକଙ୍କୁ ଦେଖିବାକୁ ମିଳିଥାଏ । ଆମେ ସମସ୍ତେ କୌଣସି ନା କୌଣସି ସମୟରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହୋଇଛୁ ଓ ସେଥିରେ ଆମକୁ ବରେଶରେ ଆଗରୁ ରହି ଆସିଥିବା କେହି ନା କେହି ସହାୟତା କରିଥାଆନ୍ତି । ମୁଁ ସବୁବେଳେ ମୋ ଜୀବନରେ ସହାୟତା ପାଇ ଆସିଛି ।

ଏକଥା ଅବଶ୍ୟ ଅଲଗା ଯେ ଯେତେବେଳେ ଦୁଇଜଣଓଡ଼ିଆ ଏକାଠି ହୋଇଯାଆନ୍ତି ସେମାନଙ୍କ ମଧ୍ୟରେ “ଡ଼ାଲମା” ପ୍ରସ୍ତୁତ କରିବାର ପ୍ରେରଣା ଦୃଢରୁ ଦୃଢତର ହୋଇଉଠେ ।

ବିଜ୍ଞାନରେ ପ୍ରଚୁର ଅନୁଭୂତି ଥିବା ଆପଣ ଜଣେ ବୈଜ୍ଞାନିକ । ଓଡ଼ିଶାରେ ବିଜ୍ଞାନର ଉନ୍ନତ୍ତି ପାଇଁ ଆପଣଙ୍କର କିଛି ନିର୍ଣିଷ୍ଟ ଯୋଜନା ଅଛି କି ?

ବର୍ତ୍ତମାନ ଅବସ୍ଥାରେ ମୁଁ ଯାହା କହିଲି ମୁଁ କେବଳ କେତେକ ବିଷୟ ସମ୍ବଳିତ ଛୋଟ ଛୋଟ ବହି ଲେଖିବାରେ ବ୍ୟସ୍ତ ଅଛି । ଏହା ମୁଖ୍ୟତଃ ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀଙ୍କ କାମରେ ଲାଗିବ ଓ ଏଥିରେ ସାମ୍ପ୍ରତିକ ଗବେଷଣା ଉପରେ ଅନେକ ନୂତନ ତଥ୍ୟ ଲୋକ ଲୋଚନକୁ ଆସିବ ।

ଆପଣ ଆମକୁ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କ ବିଷୟରେ କିଛି କହିବେ କି ?

ଓଡ଼ିଶା ସମେତ ଭାରତର ସବୁ ସ୍ଥାନରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ସମ୍ବଳର ଅଭାବ, ବାହାରର ପ୍ରଭାବ, ପ୍ରତିଭାବାନ ଯୁବ ବୈଜ୍ଞାନିକ ତଥା ଶିକ୍ଷାବିତମାନଙ୍କୁ ପଦୋନ୍ନତି ତଥା ପ୍ରୋତ୍ସାହନର ଅଭାବ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ନକାରାତ୍ମକ ବାତାବରଣ ସୃଷ୍ଟିକରୁଛି ଯାହାକି ଉତ୍ତମ ଶିକ୍ଷାଦାନ ତଥା ଗବେଷଣା ପାଇଁ ଅନୁକୂଳନୁହେଁ ।

ଆପଣ କ’ଣ ଭାବୁଛନ୍ତି ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଶାର ବିକାଶ ଘଟୁଛି ନା ଏହା ଆହୁରି ପଛକୁ ଯାଇଛି ? ଏଥିରେ କିଛି ପରିବର୍ତ୍ତନର ଆବଶ୍ୟକତାକୁ ଆପଣ ଅନୁଭବ କରୁଛନ୍ତି କି ?

ମୁଁ ଭାବୁଛି ଯେ ଆମେ ଏଯାବତ୍ ଶିକ୍ଷା ତଥା ବିଜ୍ଞାନ କ୍ଷେତ୍ରରେ ଯେଉଁ ନୀତି ଅବଲମ୍ବନ କରି ଅସିଛୁ ସେଥିରେ ପରିବର୍ତ୍ତନ ହେବା ନିହାତି ଦରକାର । ଆମେ କେବଳ ଭୁବନେଶ୍ୱରରେ ଥିବା କେତେକ ଗବେଷଣା ସଂସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ ନକରି ଯେମିତି ହେଉ ଆମ ବିଶଶ୍ୱବିଦ୍ୟାଳୟଗୁଡ଼ିକୁ ମଜବୁତ କରିବା ଆବଶ୍ୟକ ।

ଆପଣଙ୍କ ମତରେ ଓଡ଼ିଶାର ବିକାଶରେ ମୁଖ୍ୟ ପ୍ରତିବନ୍ଧକଗୁଡ଼ିକ କ’ଣ ?

ଆମେ ଏ ପର୍ଯ୍ୟନ୍ତ ନୂଆ ନୂଆ ଜ୍ଞାନ ଆଧାରିତ ଉଦ୍ୟୋଗ ଗୁଡ଼ିକୁ ଆକର୍ଷିତ କଲାଭଳି କିଛି କାମ କରିପାରିନାହୁଁ । ସେତକ ହୋଇଥିଲେ ରାଜ୍ୟର ପୁନଃରୁତ୍ଥାନହେବା ସଙ୍ଗେ ସଙ୍ଗେ ନୁତନ ପୀଢିକୁ ନୂଆ ଶକ୍ତି ମିଳିପାରିଥାଆନ୍ତା ।

ଆମେ ନିଜେ ନିଜକୁ ଟିକିଏ ଅଧିକ ଉଦଯୋଗୀ କରିବା ଦରକାର । ଅବଶ୍ୟ କରିବା ଠାରୁ କହିଦେବାଟା ସହଜ । ଆମେ ଆମପାଇଁ ଅଧିକ ପ୍ରଶିକ୍ଷିତ ମାନବ ସମ୍ବଳ ବିକାଶ କରିବା ନିହାତି ଆବଶ୍ୟକ ।

ସେଥିପାଇଁ ଆମର ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ରହିଛି । ସରକାରୀ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ସହଯୋଗ ଭିତ୍ତିରେ କାମ କରାଗଲେ ସ୍ଥିତିରେ ଅନେକ ପରିବର୍ତ୍ତନ ଘଟିପାରିବ ।

ଉଦାହରଣ ସ୍ୱରୂପ ପ୍ରାଣୀବିଜ୍ଞାନ ତଥା ଉଦ୍ଭିଦ ବିଜ୍ଞାନ ବିଭାଗ ସହିତ ସମ୍ପର୍କ ରକ୍ଷାକରି ଔଷଧ କମ୍ପାନୀମାନେ ଲାଭବାନ ହୋଇପାରିବେ ସେହିପରି ଘଟଣା ମଧ୍ୟ କମ୍ପ୍ୟୁଟର, ରସାୟନ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନକ୍ଷେତ୍ରରେ ଘଟିପାରେ ।

ହ୍ୟୁମାନୀଟି ବିଭାଗ ସହିତ ସମ୍ପର୍କ ରକ୍ଷା ଫଳରେ କଲ ସେଣ୍ଟରଗୁଡ଼ିକ ବହୁ ପରିମାଣରେ ଲାଭବାନ ହୋଇପାରିବେ । ବିଶ୍ୱବିଦ୍ୟାଳୟ ଦୃଷ୍ଟିରୁ ମଧ୍ୟ ଆମକୁ ଆମର ମନୋଭାବରେ ପରିବର୍ତ୍ତନ କରିବାକୁ ହେବ ଓ ଅଧିକ ବ୍ୟବହାରୀକ ହେବାକୁ ହେବ ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆ ମାନେ ରାଜ୍ୟରେ ବିକାଶର ନେତୃତ୍ୱ ନେବା ଆବଶ୍ୟକ, ଯଦି ହଁ ତେବେ ଆଜି ପର୍ଯ୍ୟନ୍ତ ସେମାନେ ଏଥିରେ ସଫଳ ହୋଇ ପାରିନାହାନ୍ତି କାହିଁକି ? କେଉଁ କେଉଁ ସ୍ଥାନରେ ଏଥିପାଇଁ ସମ୍ଭାବନା ରହିଛି ଓ କେଉଁ କେଉଁ କ୍ଷେତ୍ରରେ ସେମାନେ ସହଜରେ ଏହି କାର୍ଯ୍ୟଟିକୁ କରିପାରିବେ ବୋଲି ଆପଣ ଭାବୁଛନ୍ତି ?

ଓଡ଼ିଶାର ବିକାଶରେ ପ୍ରବାସୀ ଓଡ଼ିଆମାନେ ନିଶ୍ଚିତ ଭାବରେ ଏକ ସକାରାତ୍ମକ ଭୂମିକା ତୁଲାଇପାରିବେ । ସାମଗ୍ରୀକ ଭାବରେ ଓଡ଼ିଶା ଯେଉଁଠାରେ ପ୍ରବସୀ ଭାରତୀୟମାନଙ୍କ ସହିତ ସମ୍ପର୍କ ରକ୍ଷାକରି ଉଭୟ ନୂତନ ଜ୍ଞାନ ଆହରଣ ତଥା ଏହାର ଉତ୍ପାଦିତ ସାମଗ୍ରୀ ବିକ୍ରୀ କରିବାରେ ଲାଭବାନ ହୋଇଛି ତାହାକୁ ଦୋହରା ଯାଇପାରେ ।

ପ୍ରବାସୀମାନେ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରିଦର୍ଶନରେ ଯାଇ ସେଠାରେ ନିୟମିତ ଭାବରେ ଆଲୋଚନାଚକ୍ର ବା ବିଭିନ୍ନ ସମ୍ମିଳନୀ, କର୍ମଶାଳା କରି ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରିପାରିବେ । ଏଭଳି କାର୍ଯ୍ୟକ୍ରମ ଏବେ ଚାଲୁରହିଛି କିନ୍ତୁ ଏହା ଅଧିକରୁ ଅଧିକ ହେବା ଆବଶ୍ୟକ

ଆପଣ ଯେବେ ଓଡ଼ିଶା ଛାଡ଼ିଥିଲେ ସେତେବେଳର ଓଡ଼ିଶା ଓ ବର୍ତ୍ତମାନ ଯେତେବେଳେ ଆପଣ ଓଡ଼ିଶା ଆସୁଛନ୍ତି ତା ଭିତରେ ଆପଣ କି ପ୍ରଭେଦ ଦେଖୁଛନ୍ତି ?

ବସ୍ତୁଗତ ବିକାଶ ବା ମାଟେରିଆଲ ପ୍ରୋଗ୍ରେସ ଦୃଷ୍ଟିରୁ ଦେଖିଲେ ଗ୍ରାମାଞ୍ଚଳରେ ଲୋକଙ୍କର ଜୀବନଧାରଣର ମାନ ତଥା ରାସ୍ତାଘାଟର ସ୍ଥିତିରେ ନିଶ୍ଚିତ ଭାବରେ ବିକାଶ ଘଟିଛି । କିନ୍ତୁ ଶିକ୍ଷା ବା କାମଧନ୍ଦା କ୍ଷେତ୍ରରେ ମୁଁ ସେପରି କିଛି ବିକାଶ ଦେଖିପାରୁନାହିଁ ।

ନୂତନ ବିକାଶ ଦିଗରେ ଓଡ଼ିଶାକୁ ଆଗେଇ ନେବାପାଇଁ ଆପଣ କ’ଣ କଳ୍ପନା କରୁଛନ୍ତି ?

ମୁଁ ନିଷ୍ଠାର ସହିତ ଭାବୁଛି ଯେ ଅଧିକରୁ ଅଧିକ ପ୍ରଦୂଷଣ ବିହୀନ ଜ୍ଞାନ ଆଧାରିତ ଉଦ୍ୟୋଗମାନ ଓଡ଼ିଶାରେ ସ୍ଥାପିତ ହେବା ଆବଶ୍ୟକ । ଭୁବନେଶ୍ୱର ପରି ନଗରୀର ଚାରିପଟେ ଥିବା ମନୋରମ ସ୍ଥାନ ଗୁଡ଼ିକର ଉପଯୋଗ କରାଯାଇ ନିରବଚ୍ଛିନ୍ନ ଭାବରେ ସମସ୍ତଙ୍କ ପକ୍ଷରୁ ଉଦ୍ୟମ କରାଗଲେ ଅବସ୍ଥାରେ ନିଶ୍ଚିତ ପରିବର୍ତ୍ତନ ଘଟିବ ।

ଭଲ ତଥା ପ୍ରଥମ ଶ୍ରେଣୀର ଶିକ୍ଷାନୁଷ୍ଠାନ ଆମର ଯୁବକମାନଙ୍କୁ ବାୟୋଇନଫରମେଟିକ୍ସ, ଜେନେଟିକ୍ସ ଆଦି ନୁତନଦିଗଗୁଡ଼ିକ ଆଡ଼କୁ ପଥ ଉନ୍ମୁକ୍ତ କରିଦେବ । ମୋର ଇଚ୍ଛା ଯେ ଉଭୟ ଗବେଷଣା ଓ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା ଥାଇ ଓଡ଼ିଶାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଭଳି ଏକ ସଂସ୍ଥା ହୁଅନ୍ତା ।

ଆପଣ ଭାବୁଛନ୍ତି କି ଓଡ଼ିଶାକୁ କେଉଁ ପ୍ରକାରରେ ଅବହେଳା କରାଯାଇଛି ? ଯଦି ହଁ ତେବେ ସେଗୁଡ଼ିକ କ’ଣ ?

ଏକ ଛୋଟିଆ ତଥା ଅଧିକ ମୁଖର ହୋଇନଥିବା ରାଜ୍ୟ ହୋଇଥିବାଯେଗୁଁ ଓଡ଼ିଶା ଯାହା ପାଇବା କଥା ତାହା ପାଇ ପାରିନାହିଁ । ମୁଁ କେବଳ ଶିକ୍ଷା ବ୍ୟତୀତ ଅନ୍ୟ ବ୍ୟାପାରରେ ଏତେ ବିସ୍ତାରକୁ ଯିବା ପାଇଁ ନିଜକୁ ସମର୍ଥ ମନେ କରିପରୁ ନାହିଁ । ତେବେ ଓଡ଼ିଶାରେ ଗୋଟିଏ ଆଇଆଇଟି ନିହାତି ଖୋଲିବା କଥା ।

ଆଉ କିଛି ବିଷୟ ଉପରେ ଆପଣ ଆଲୋକପାତ କରିବାକୁ ଚାହିଁବେ ଯାହା ଏଥିରେ ଆଲୋଚିତ ହୋଇ ପାରିଲା ନାହିଁ ବୋଲି ଆପଣ ମନେ କରୁଛନ୍ତି ।

ମୁଁ ଆଶା କରିବି ଯେ ଆପଣଙ୍କ ପରି ଯୁବକମାନେ ଓଡ଼ିଶା.କମ ମାଧ୍ୟମରେ ବିଜ୍ଞାନ, ବୈଷୟିକ ଜ୍ଞାନ ତଥା ସାମାଜିକ ବିଜ୍ଞାନ ଉପରେ ଏଥିପାଇଁ ନିୟମିତ ସମ୍ମିଳନୀ, କର୍ମଶାଳା ଆଦି କରିବା ଉଚିତ

ଓଡ଼ିଶା ଡ଼ଟ୍ କମ

Leave a Reply

This site uses Akismet to reduce spam. Learn how your comment data is processed.