ପ୍ରତିଭାସମ୍ପନ୍ନ ଯୁବକ ମାନଙ୍କ ପାଇଁ ରାଜ୍ୟରେ ସୁଯୋଗ ସୃଷ୍ଟି କରାଯାଉ

ଚେନ୍ନାଇଠାରେ ସେଞ୍ଚୁରୀ ଆଗ୍ରୋଟେକ ଲିମିଟେଡ଼ର ବରିଷ୍ଠ ପ୍ରବନ୍ଧକ ତଥା ଆର ଏଣ୍ଡ ଡ଼ିର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ପୁରୀର ଡ଼ାକ୍ତର ସୁଦୀପ୍ତ କୁମାର ରଥଙ୍କ ସହ ସାକ୍ଷାତକାର ।

ପୁରୀ, ମାର୍ଚ ୩ (ଓଡ଼ିଶା ଡ଼ଟ୍ କମ୍), ଡ଼ାକ୍ତର ସୁଦୀପ୍ତ କୁମାର ରଥ । ଘର ଜଗନ୍ନାଥ ଧାମ,ପୁରୀରେ । ପିତା ପ୍ରଫେସର ଶୁକଦେବ ରଥ,ଗଣିତର ଜଣେ ସେବାନିବୃତ୍ତ ପ୍ରଫେସର । ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ସ୍ନାତ୍ତକରେ ଉତୀର୍ଣ୍ଣ ହେବା ପରେ ରାଜସ୍ଥାନର ଜୟପୁରଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦରୁ ସ୍ନାତକୋତ୍ତର ।

ସଫେଦ ମୁଷଲୀ ଉପରେ ସେ ଲେଖିଥିଲେ ଏକ ସନ୍ଦର୍ଭ ଯାହାପାଇଁ ତାଙ୍କୁ ବିଶ୍ୱବିଦ୍ୟାଳୟରେ ମିଳିଥିଲା ସ୍ୱର୍ଣ୍ଣ ପଦକ । ତାଙ୍କ ମାଆ ଓଡ଼ିଆରେ ସ୍ନାତକୋତ୍ତର ହୋଇ ମଧ୍ୟ ଜଣେ ସୁଗୃହିଣୀ ହେବାପାଇଁ ଚାକିରୀରୁ ତ୍ୟାଗପତ୍ର ଦେଇଦେଇଥିଲେ ।

ତାଙ୍କ ବଡ଼ଭାଇ ଓଡ଼ିଶା ସରକାରଙ୍କର ଜଣେ କୃଷି ଅଧିକାରୀ ଭାବରେ ଓ ସାନ ଭାଇ ଓରାକଲ ଇଣ୍ଡିଆରେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି । ସୁଦୀପ୍ତ ଏବେ ସମ୍ପ୍ରତି ଚେନ୍ନାଇଠାରେ ସେଞ୍ଚୁରୀ ଆଗ୍ରୋଟେକ ଲିମିଟେଡ଼ର ବରିଷ୍ଠ ପ୍ରବନ୍ଧକ ତଥା ଆର ଏଣ୍ଡ ଡ଼ି ର ମୁଖ୍ୟ ଭାବରେ କାର୍ଯ୍ୟକରୁଛନ୍ତି ।

ଏହି କମ୍ପାନୀ ମୁଖ୍ୟତଃ ଔଷଧୀୟ ବୃକ୍ଷର କୃଷି, ମାନକ ନିର୍ଣ୍ଣୟ, ଏବଂ ମୂଲ୍ୟ ସଂଯୋଗୀକରଣ କାର୍ଯ୍ୟ କରେ । ଏହା ବ୍ୟତିତ ଜାଟ୍ରୋଫା(ବାଇଗବା) ପରି ଜୈବ-ଡ଼ିଜେଲ ପ୍ରସ୍ତୁତ କରୁଥିବା ଗଛକୁ କୃଷିକ୍ଷେତ୍ରରୁ ନେଇ କାରଖାନା ପର୍ଯ୍ୟନ୍ତ ପହୁଞ୍ଚାଇବା କାର୍ଯ୍ୟ ମଧ୍ୟ ସମ୍ପାଦିତ କରେ ।

ଓଡ଼ିଶା ଡ଼ଟ୍ କମ୍ କୁ ସେ ଦେଇଥିବା ଏକ ଦୀର୍ଘ ସାକ୍ଷାତକାରର ମୁଖ୍ୟ ଅଂଶ ।

ଆପଣ କେତେ ବର୍ଷ ହେଲା ଓଡ଼ିଶା ଛାଡ଼ିଲେଣି ଓ ବର୍ଷରେ କେତେଥର ଓଡ଼ିଶା ଆସିଥାଆନ୍ତି ? ଆପଣ ଯେତେବେଳେ ବି ଓଡ଼ିଶା ଆସନ୍ତି କ’ଣ ପାଇଁ ଆସିଥାଆନ୍ତି?

ମୁଁ ଉଚ୍ଚତର ଶିକ୍ଷା ହାସଲ କରିବା ପାଇଁ ୧୯୯୯ରେ ଓଡ଼ିଶା ଛାଡ଼ିଥିଲି କିନ୍ତୁ କୌଣସି ସୁଯୋଗ ନଥିବାରୁ ଆଉ ଓଡ଼ିଶା ଫେରି ପାରିନଥିଲି । ମୁଁ ମୁଖ୍ୟତଃ ମୋ ବାପା ମାଆଙ୍କୁ ଭେଟିବା ପାଇଁ ବର୍ଷକୁ ଦୁଇ ତିନିଥର ଓଡ଼ିଶା ଆସିଥାଏ ।

ଆପଣ ଓଡ଼ିଶାର ବିକାଶ ପାଇଁ କେତେବେଳେ କିଛି କରିବାକୁ ଚିନ୍ତା କରିଛନ୍ତି କି ? ଯଦି କରିଛନ୍ତି ତେବେ କି ଭାବରେ ଚିନ୍ତା କରିଛନ୍ତି?

ଓଡ଼ିଶାର ବିକାଶ କଥାଟି ସବୁବେଳେ ମୋ ଚିନ୍ତାରେ ରହି ଆସିଛି କାରଣ ମୁଁ ଭାବେ ଯେ ଓଡ଼ିଶାରେ ବହୁ ସୁଯୋଗ ସୁପ୍ତ ଅବସ୍ଥାରେ ରହିଛି ସେସବୁକୁ ପୁଣି ଜୀବନ୍ୟାସ ଦେଇ ନୂତନ ପିଢି ଯେପରି ଓଡ଼ିଶାରେ ରହି ଓଡ଼ିଶାର ବିକାଶରେ ଯୋଗଦାନ ଦେଇପାରିବେ ସେଥିପାଇଁ କାର୍ଯ୍ୟ କରାଯିବା ଆବଶ୍ୟକ ।

ମୋ ଦୃଷ୍ଟିରେ ଓଡ଼ିଶାର ବିକାଶ ଏହାର ବୌଦ୍ଧିକଶକ୍ତି ଭିତରେ ନିହିତ ଅଛି । ଏଠାରେ ଏଭଳି ଏକ ଗୋଷ୍ଠୀର ଲୋକ ଅଛନ୍ତି ଯେଉଁମାନେ ନିରବରେ ତାଙ୍କ କାର୍ଯ୍ୟ କରି ଚାଲିଥାଆନ୍ତି ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟରେ ଏହିସବୁ ଲୋକମାନଙ୍କ ପାଇଁ ଉପଯୁକ୍ତ ପରିବେଶ ତଥା ମଞ୍ଚ ନାହିଁ ଯେଉଁଠାରେ କି ସେମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରାଇପାରିବେ ।

ସେଥିପାଇଁ ମୁଁ ସବୁବେଳେ ଭାବେ ଯେ ଯଦି ଏହି ପ୍ରତିଭାକୁ ଏକ ନୂଆ ଢାଞ୍ଚାରେ ପକାଯାଇ ପାରନ୍ତା ତେବେ ଓଡ଼ିଶା ବୌଦ୍ଧିକତାର ଏକ ଅଗ୍ରଣୀ ପ୍ରାଣକେନ୍ଦ୍ର ଭାବେ ଛିଡ଼ା ହୋଇପାରନ୍ତା ।

ସେହିପରି ଓଡ଼ିଶାର କୃଷିକ୍ଷେତ୍ର ମଧ୍ୟ ପ୍ରାକୃତିକ ଦୂର୍ବିପାକ, ଉତ୍ତମ ଯୋଜନାର ଅଭାବ ତଥା ସବୁ ପକ୍ଷଙ୍କର ସହଜିଆ ମାର୍ଗରେ ଚାଲିବାର ଦୂର୍ବାର ଆକାଂକ୍ଷା ଯେଗୁଁ ବହୁ ପଛରେ ପଡ଼ି ରହିଛି ।

ଡ଼େରିରେ ହେଉପଛେ ସୌଭାଗ୍ୟବଶତଃ ମୁଁ କୃଷିକ୍ଷେତ୍ରରେ କେତେକ ଅଭିନବ ଯୋଜନା କରିଛି ଓ ମୋର ଦୃଢ ବିଶ୍ୱାସ ଯେ କେବଳ ପାରମ୍ପରିକ ଉପାୟରେ ପୁରୁଣା ଚାଷ ଓଡ଼ିଶା ଭଳି ଏକ ପ୍ରାକୃତିକ ଦୂର୍ବିପାକ ପ୍ରଭାବିତ ରାଜ୍ୟରେ କୃଷିରବିକାଶ କରି ପାରିବ ନାହିଁ ।

ସେଇଥିପାଇଁ ମୁଁ ସବୁବେଳେ ଓଡ଼ିଶାର ବିକାଶ ସକାଶେ ବିଶେଷ କରି କୃଷି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଏବଂ ବୌଦ୍ଧିକ ସେବା କ୍ଷେତ୍ରରେ କିଛି କରିବାକୁ ଚାହେଁ ।

ଓଡ଼ିଶାର ଦୁଃଖଦ ବର୍ତ୍ତମାନ ବିଷୟରେ ଆପଣ କିଛି କହିବେ କି ? ଆପଣ ରାଜ୍ୟର ଏହି ସ୍ଥିତି ପାଇଁ କାହାକୁ ଦାୟୀ କରିବେ ?

ହଁ ! ଏକଥା ସତ ଯେ ରାଜ୍ୟର ବିକାଶ ଦୃଷ୍ଟିରୁ ଆମେ ଏବେ ଏକ ଅସୁବିଧାଜନକ ସ୍ଥିତିରେ ଅଛୁ । ଆମର ଭଲ ଭଲ ଲୋକମାନେ ରାଜ୍ୟ ଛାଡ଼ି ଚାଲିଯାଉଛନ୍ତି । ଆମକୁ ଯେ କୌଣସି ମୂଲ୍ୟ ବିନିମୟରେ ଏହାକୁ ରୋକିବାକୁ ହେବ । ଏଥିପାଇଁ ଆମର ଏକ ଦୃଢ ସାମାଜିକ ଏବଂ ରାଜନୈତିକ ଇଛାଶକ୍ତି ତଥା ଦୂରଦୃଷ୍ଟିର ଆବଶ୍ୟକତା ରହିଛି ।

ମୋ ମତରେ ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଯେ ଏକ ଖୋଲା ତଥା ଉଦାର ମାନସିକତା ସହ ସବୁ ପକ୍ଷଙ୍କୁ ସାମିଲ କରି ଏକ ବିସ୍ତୃତ ଆଲେଚନା ହେବା ଦରକାର ।

ମୁଁ କାହାରି ଉପରେ ଦୋଷ ଲଦିଦେବାରେ ବିଶ୍ୱାସ କରେ ନାହିଁ । ଅବଶ୍ୟ ଏକଥା ସତ୍ୟ ଯେ ଆମର ଆଜିର ଏହି ଦୁସ୍ଥିତି ପାଇଁ କିଛି ଲୋକଙ୍କୁ ଦାୟୀ କରାଯିବା ଉଚିତ ।

କିନ୍ତୁ ମୁଁ ଭାବୁଛି ଏଥିପାଇଁ ଆମେ ସମସ୍ତେ ଅଳ୍ପେ ବହୁତେ ଦାୟୀ । ତେବେ ଯାହା ହୋଇ ଯାଇଛି ତାକୁ ତ ଆମେ ଆଉ କିଛି କରିପାରିବା ନାହିଁ, ବରଂ ଅତୀତରୁ ଶିକ୍ଷା ଗ୍ରହଣ କରି ଆମେ ଆଗକୁ ଅଗ୍ରସର ହେବା ଉଚିତ ।

ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଆପଣ କେବେ ସାମିଲ ହୋଇଥିଲେ? ଏହା କେତେଦୂର ଫଳପ୍ରଦ ହୋଇଥିଲା ?

ଦୁଇ ବର୍ଷ ତଳେ ମୁଁ ଔଷଧୀୟ ବୃକ୍ଷର କୃଷି କରିବା ପାଇଁ ଉଦ୍ୟମ କରିଥିଲି । କିନ୍ତୁ ଏହା ସେତେଟା ସଫଳ ହୋଇନଥିଲା ।

ଏଥିପାଇଁ ମୁଁ ଆବଶ୍ୟକ ସମୟ ଦେଇ ନପାରିବା ଯେତିକି ଦାୟୀ ଅଂଶୀଦାର ମାନଙ୍କର ବିରକ୍ତିକର ମନୋଭାବ ମଧ୍ୟ ସେତିକି ପରିମାଣରେ ଦାୟୀ । ତେବେ ମୋର ଦୁର୍ବଳତାକୁ ହିଁ ମୁଁ ମୁଖ୍ୟତଃ ଦାୟୀ କରିବି ।

ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଶା ବିକଶିତ ହେଉଛି ନାଁ ଏହାର ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଖରାପ ହେଉଛି ବୋଲି ଆପଣ ଅନୁଭବ କରୁଛନ୍ତି ? ଏଥିରେ କିଛି ପରିବର୍ତ୍ତନ ହେବା ଦରକାର ବୋଲି ଆପଣ ମନେ କରୁଛନ୍ତି କି?

ଓଡ଼ିଶା ନିଶ୍ଚିତ ଭାବରେ ବିକଶିତ ହେଉଛି କିନ୍ତୁ ମୁଁ ଭାବୁଛି ଯେ ଏହି ବିକାଶ ଦିଶାହୀନ ଭାବେ ଚାଲିଛି । କେବଳ ଏଇମିତି କେଉଁଠି କିଛି ବିକାଶ ହୋଇଯାଉଥିବା ପରି ଲାଗୁଛି । ଆମର ପ୍ରଥମେ ଏକ ଦୃଷ୍ଟିଭଙ୍ଗୀ ରହିବା ଆବଶ୍ୟକ ଏବଂ ଏହି ଦୃଷ୍ଟିଭଙ୍ଗୀରେ ବିକାଶର ସବୁ ଦିଗଗୁଡ଼ିକ ସାମ୍ରଗୀକ ଭାବରେ ସମାହିତ ହେବା ଉଚିତ ।

ଥରେ ଏହିଦୃଷ୍ଟିଭଙ୍ଗୀ ଆସିଗଲେ ତା ପରେ ଏହାକୁ କିପରି ଭାବରେ କାର୍ଯ୍ୟକାରୀ କରାଯାଇପାରିବ ଓ ସଂସ୍ଥାମାନେ କିପରି ଦକ୍ଷ ହୋଇପାରିବେ ତା ଉପରେ ବିଚାର କରାଯାଇପାରିବ ।

ଆପଣଙ୍କ ମତରେ କେଉଁ କଥାଗୁଡ଼ିକ ମୁଖ୍ୟତଃ ଓଡ଼ିଶାର ବିକାଶ ପଥରେ ଅନ୍ତରାୟ ସାଜୁଛନ୍ତି?

ମୁଁ ଭାବୁଛି ଯେ ଆମର ସବୁକଥା ସହଜରେ ପାଇଯିବାର ଦୃଷ୍ଟିଭଙ୍ଗୀ ତଥା କୌଣସି କଥାର ଯୋଜନା ନରହିବାଟା ହିଁ ଆମ ବିକାଶ ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆମାନେ ରାଜ୍ୟର ଉନ୍ନତି ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ ? ଯଦି ହଁ ତେବେ ସେମାନେ ଆଜି ପର୍ଯ୍ୟନ୍ତ ଏଥିରେ ବିଫଳ ହୋଇଛନ୍ତି କାହିଁକି ? ସେମାନେ କେଉଁ କ୍ଷେତ୍ରରେ ଓ କିପରି ରାଜ୍ୟର ବିକାଶ ପ୍ରକ୍ରିୟାରେ ସହଜରେ ସାମିଲ ହୋଇ ପାରିବେ ?

ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ବିକାଶରେ ସହଜରେ ସାମିଲ ହୋଇପାରିବେ କାରଣ ସେମାନଙ୍କର ବିଭିନ୍ନ ସ୍ଥାନରେ ଚାଲିଥିବା ବିକାଶ ପ୍ରକ୍ରିୟା ସମ୍ବନ୍ଧରେ ଏକ ପ୍ରତ୍ୟକ୍ଷ ଅନୁଭୂତି ରହୁଛି ।

କିନ୍ତୁ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ଓଡ଼ିଶାର ବିକାଶରେ ନିଜର ଯୋଗଦାନ ଦେବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି, ଏଥିରେ ଦ୍ୱିମତ ନାହିଁ ।

ପ୍ରବାସୀ ଓଡ଼ିଆମାେନେ ଓଡ଼ିଶାର ବିକାଶରେ ସାମିଲ ହେବାପାଇଁ ନିଷ୍ଠାପର ଭାବରେ ଏକ ମଞ୍ଚ ଗଠନ କରିବା ଆବଶ୍ୟକ ।

ଏହି ମଞ୍ଚ ଏକ ନିର୍ଦ୍ଧିଷ୍ଟ ସମୟରେ ଏକାଠି ହୋଇ, ବସି, ପରସ୍ପର ସହିତ ଆଲୋଚନା କରି ରାଜ୍ୟ ସରକାରକୁ ଆଗାମୀ କାର୍ଯ୍ୟ ଯୋଜନା ବିଷୟରେ ପରମର୍ଶ ଦେବା ଉଚିତ ଏଭଳି ଏକ ଉଦ୍ୟମରେ ସରକାର ନିଶ୍ଚିତ ସହଯୋଗ କରିବେ ବୋଲି ମୁଁ ଆଶା କରୁଛି ।

ଆମେ ପ୍ରଶାସନିକ କଳକୁ ଅଧିକ ସମସ୍ୟା କଥା ନକହି କିପରି ଏହି ସମସ୍ୟା ଗୁଡ଼ିକର ସମାଧାନ ହୋଇପାରିବ ସେଥିପାଇଁ ଅଧିକ ପରାମର୍ଶ ଦେବା ଉଚିତ ।

ଆପଣ ଯେତେବେଳେ ଓଡ଼ିଶା ଛାଡ଼ିଥିଲେ ସେତେବେଳର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ଭିତରେ ଆପଣ କି ଫରକ ଦେଖିପାରୁଛନ୍ତି ?

ଓଡ଼ିଶାରେ ନିଶ୍ଚିତ ଭାବେ କେତେକ ଆଖିଦୃଶିଆ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ତେବେ ମୁଁ ପୂର୍ବରୁ ଯେଭଳି କହିଥିଲି ଏହି ପରିବର୍ତ୍ତନର କୌଣସି ନିର୍ଦ୍ଧିଷ୍ଟ ଦିଶା ରହୁନାହିଁ ବା ଏହା ସାମଗ୍ରୀକ ଭାବରେ ହେଉନାହିଁ ।

ଆପଣଙ୍କ ମତରେ ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ କେଉଁ ଦିଗଟି ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ?

ବୌଦ୍ଧିକ କ୍ଷେତ୍ରରେ ଆମକୁ ସମ୍ପୂର୍ଣ୍ଣ ଭାବରେ ଏକ ଆମୂଳଚୁଳ ସଂଶୋଧନ କରିବାକୁ ହେବ । ପ୍ରକୃତ ସଂସ୍କାର ଆସିବା ଦରକାର କୃଷି କ୍ଷେତ୍ରରେ ।

ଓଡିଶାକୁ ଏହାର ବର୍ତ୍ତମାନର ଦୂରବସ୍ଥାରୁ ଉଦ୍ଧାର କରିବା ପାଇଁ ଯେଉଁମାନେ ଓଡ଼ିଶା ପାଇଁ ନୀତି ନୀର୍ଦ୍ଧାରଣ କରୁଛନ୍ତି ସେମାନଙ୍କୁ ତଥା ରାଜ୍ୟର ରାଜନୈତିକ ନେତୃବୃନ୍ଦଙ୍କୁ ଆପଣ କି ଉପଦେଶ ଦେବେ ?

ଓଡ଼ିଶା ପାଇଁ ନୀତି ନୀର୍ଦ୍ଧାରଣ କରୁଥିବା ସମସ୍ତଙ୍କୁ ମୋର ବିନମ୍ର ପରାମର୍ଶ ହେଉଛି ଯେ ସେମାନେ ଦୂରଦୃଷ୍ଟି ସମ୍ପନ୍ନ ହୁଅନ୍ତୁ ।

ନୀତି ନିର୍ଦ୍ଧାରଣ କରିବା ବେଳେ ସେମାନେ ସବୁ ପକ୍ଷକୁ ବିଶ୍ୱାସକୁ ନେଇ ନିଷ୍ଠାପର ଭାବରେ ତଥା ସାମଗ୍ରୀକ ଭାବରେ ସବୁକଥାକୁ ବିଚାର କରନ୍ତୁ ଓ ଯାହା ସମ୍ଭବ ତାହା ହିଁ କହନ୍ତୁ । ଏତିକି କଲେ ମୁଁ ଭାବୁଛି ରାଜ୍ୟରେ ଅନେକ ପରିବର୍ତ୍ତନ ଆସିବା ଆରମ୍ଭ କରିବ ।

ଆପଣଙ୍କ ଦୃଷ୍ଟିରେ ଓଡ଼ିଶାର ବିକାଶ ପାଇଁ ତତକ୍ଷଣାତ କ’ଣ କରାଯିବା ଜରୁରୀ ?

ଆମେ ଆମର ପ୍ରତିଭାସମ୍ପନ୍ନ ଯୁବକ ମାନଙ୍କୁ ରାଜ୍ୟ ଭିତରେ କାମ କରିବାର ସୁଯୋଗ ସୃଷ୍ଟି କରିବା ଉଚିତ ।

ବିକାଶର ନୂତନ ପର୍ଯ୍ୟାୟ ଆଡ଼କୁ ଓଡ଼ିଶାକୁ ଆଗେଇ ନେବା ପାଇଁ ଆପଣଙ୍କର ନିର୍ଦ୍ଧିଷ୍ଟ ଦୃଷ୍ଟିଭଙ୍ଗୀଟି କ’ଣ ?

ଆମେ ଆମ ବୌଦ୍ଧିକ କର୍ମକ୍ଷେତ୍ର ତଥା କୃଷି କ୍ଷେତ୍ରକୁ ଏକ ଅଭିନବ ଦୃଷ୍ଟିଭଙ୍ଗୀ ସହିତ ସଶକ୍ତ କରିବା ଦରକାର । ଓଡ଼ିଶା ସ୍ୱାସ୍ଥ୍ୟରକ୍ଷା-ପର୍ଯ୍ୟଟନର ଏକ ପ୍ରାଣକେନ୍ଦ୍ର ହୋଇପାରିବ ।

ଆମେ ଆଗାମୀ ୨୦ ବର୍ଷ ପାଇଁ ଏକ ଯୋଜନା କରି ପ୍ରତି ୫ ବର୍ଷରେ ଥରେ ଏହାକୁ ପୁନଃସମୀକ୍ଷା କରିବା ଆବଶ୍ୟକ ।

ଓଡ଼ିଶା କାହାଦ୍ୱାରା ଅଧିକ ଶୋଷିତ ହୋଇଛି ବୋଲି ଆପଣ ବିଚାର କରୁଛନ୍ତି ?

ଓଡ଼ିଶା ମୁଖ୍ୟତଃ ଭାରତ ସରକାର ଦ୍ୱାରା ଶୋଷିତ ହୋଇଛି । ବିଶେଷ କରି ଆମକୁ ସବୁବେଳେ ଏକ ଗରିବ, ଅଶିକ୍ଷିତ ତଥା କୁଶାସନର ଶୀକାର ହୋଇଥିବା ରାଜ୍ୟ ଭାବରେ ଚିତ୍ରଣ କରାଯାଇଛି ।

ଯାହାକି ସତ୍ୟ ଠାରୁ ଅନେକ ଦୂରରେ । ଆମେ ଗରିବ ହୋଇପାରୁ କିନ୍ତୁ ଅନ୍ୟ ଦୁଇଟି କ୍ଷେତ୍ରରେ ଆମେ ଅନ୍ୟ ବହୁ ତଥାକଥିତ ଉନ୍ନତ ରାଜ୍ୟଙ୍କ ଠାରୁ ବହୁ ଆଗରେ ରହିଛୁ ।

ଓଡ଼ିଶା ଡ଼ଟ୍ କମ୍

News Bureau :

This website uses cookies.