ବିଦ୍ୟୁତ ସେବାର ମାନ,ବିତରଣକାରୀମାନଙ୍କ ଆଚରଣରେ ଗ୍ରାହକ ଅସନ୍ତୁଷ୍ଟ

ବାଙ୍ଗାଲୋର ଇନଷ୍ଟିଚ୍ୟୁଟ ଫର ସୋସିଆଲ ଏଣ୍ଡ ଇକୋନୋମିକ ଚେଞ୍ଜ ରେ, ଓଡ଼ିଶାର ବିଦ୍ୟୁତ ସଂସ୍କାର ଉପରେ ଗବେଷଣା କରିଥିବା ବିକାଶ ଦାଶଙ୍କ ସହ, ଏହାର ବିଭିନ୍ନ ଦିଗ ଉପରେ ଓଡ଼ିଶା ଡ଼ଟ୍ କମ୍ ର ଏକ ବିଶେଷ ସାକ୍ଷାତକାର ।

ଭୁବନେଶ୍ଵର,ମଇ ୫ (ଓଡ଼ିଶା ଡ଼ଟ୍ କମ୍) ବିଜୁଳି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ହେଉଛି ସମଗ୍ର ଭାରତରେ ପ୍ରଥମ ରାଜ୍ୟ । ତେବେ ଏହାର ସଫଳତା ଓ ବିଫଳତା ସଂପର୍କରେ ଆରମ୍ଭ ହୋଇଥିବା ତର୍କବିତର୍କ ଏ ଯାଏଁ ଶେଷ ହୋଇନାହିଁ ।

ବାଙ୍ଗାଲୋର ଠାରେ ଥିବା ବାଙ୍ଗାଲୋର ଇନଷ୍ଟିଚ୍ୟୁଟ ଫର ସୋସିଆଲ ଏଣ୍ଡ ଇକୋନୋମିକ ଚେଞ୍ଜ ନାମକ ଏକ ସଂସ୍ଥାରେ କାମକରୁଥିବା ବିକାଶ ଦାଶ ଏହି ସଂସ୍କାର ଉପରେ ନିଜର ଡ଼କ୍ଟରେଟ ପାଇଁ ଗବେଷଣା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର କାଟଣା ଗ୍ରାମ ରେ ଜନ୍ମଗ୍ରହଣ କରିଥିବା ଦାଶ ରାଜନୀତି ବିଜ୍ଞାନରେ ତାଙ୍କର ମାଷ୍ଟର ଡିଗ୍ରୀ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ହାସଲ କରିବା ପରେ ଇନ୍ଦୋରର ଡି.ଏ. ବିଶ୍ୱବିଦ୍ୟାଳୟରୁ ଆପ୍ଲାଏଡ୍ ସୋସିଆଲ୍ ସାଇନ୍ସରେ ଏମ୍ଫିଲ୍ କରିଛନ୍ତି ।

ଓଡିଶାର ଶକ୍ତି ଉଦ୍ୟୋଗ କ୍ଷେତ୍ରରେ କାମ କରିବାକୁ କାହିଁକି ଆଗ୍ରହ ପ୍ରକାଶ କଲେ ?

ଶାସନ ସମସ୍ୟା ସମ୍ପର୍କିତ କାମ ପ୍ରଥମେ ହାତକୁ ନେଇଥିଲି । ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ ସମ୍ପାଦନ କରାନଗଲେ କୌଣସି ଉନ୍ନୟନ ପ୍ରକଳ୍ପ ଫଳପ୍ରସୂ ହେବାର ସମ୍ଭାବନା ଯଥେଷ୍ଟ କ୍ଷୀଣ । ଯେ କୌଣସି ଆର୍ଥିକ ସଂସ୍କାର ପ୍ରକ୍ରିୟାର ସଫଳତା ନିମିତ୍ତ ମଧ୍ୟ ଏକଥା ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ, ଆର୍ଥିକ ସଂସ୍କାରକୁ ଶାସନ ବ୍ୟବସ୍ଥା କିଭଳି ପ୍ରଭାବିତ କରୁଛି, ତାର ପ୍ରତ୍ୟକ୍ଷ ଜ୍ଞାନ ଆହରଣ ନିମନ୍ତେ ମୁଁ ଆଗ୍ରହୀ ହୋଇପଡିଲି । ତେଣୁ ଶକ୍ତି ଉଦ୍ୟୋଗକୁ ଅନୁଧ୍ୟାନ କରିବା ଲାଗି ନିଷ୍ପତ୍ତି ନେଲି ।

ପିଏଚ୍ଡି ଏବଂ ପ୍ରୋଜେକ୍ଟ କାମ ନେଇ ଓଡିଶାର ବିଭିନ୍ନ ଅଞ୍ଚଳକୁ ଆପଣ ବ୍ୟାପକ ଗସ୍ତ କରିଛନ୍ତି । ଓଡିଶାର ସର୍ଭିସ ଡେଲିଭେରି ସିଷ୍ଟମ୍ ସମ୍ପର୍କରେ ଆପଣ କଣ ଅନୁଧ୍ୟାନ କରିଛନ୍ତି?

ବାସ୍ତବରେ, ବିତରଣ କମ୍ପାନୀ ଭଳି ବିଭିନ୍ନ ସର୍ଭିସ ଡେଲିଭେରି ଏଜେନ୍ସି ଏବଂ ଉନ୍ନତମାନ, ଉପଯୁକ୍ତ ପରିଚାଳନା ଏବଂ ନୀତିନିୟମକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଗଠିତ “ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗକୁ ଅନୁଧ୍ୟାନ କରୁଛି ।

ସମୂଚିତ ଦେୟରେ ଉନ୍ନତ ଏବଂ ନିରବିଚ୍ଛିନ୍ନ ଶକ୍ତି ପାଇଁ ଯେଉଁ ଗ୍ରାହକମାନେ ଆଗ୍ରହୀ ସେମାନଙ୍କ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି । ଆଶ୍ଚର୍ଯ୍ୟର ବିଷୟ, ବର୍ତ୍ତମାନ ସେବାର ମାନ ଏବଂ ବିତରଣକାରୀମାନଙ୍କ ଆଚରଣରେ ଅଧିକାଂଶ ଗ୍ରାହକ ଅସନ୍ତୁଷ୍ଟ ଥିବା ଭଳି ମନେ ହେଉଛି ।

ମୋ’ର ଅନୁଧ୍ୟାନ ବେଳେ ବିଶେଷକରି ରାଜ୍ୟର ଗ୍ରାମାଞ୍ଚଳରେ ଘନ ଘନ ଏବଂ ଦୀର୍ଘ ସମୟଧରି ଅଘୋଷିତ ପାୱାରକଟ୍ ଅତ୍ୟନ୍ତ ବେଦାନଦାୟକ ହୋଇଥିବା ଜାଣି ପାରିଛି । ବାରମ୍ବାର ମେକାନିକାଲ୍ ବ୍ରେକ୍ ଡାଉନ୍ ହେଉଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନଥିବା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ।

ଏହାବ୍ୟତୀତ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱବୋଧର ଅଭାବ ରହିଛି । ମୋଟାମୋଟି ଭାବେ ଯଦିଓ ଭୋଲ୍ଟେଜ୍ ବୃଦ୍ଧି ପାଇଛି, ସାମଗ୍ରିକ ଭାବେ ଦେଖିବାକୁ ଗଲେ ସଂସ୍କାର ବ୍ୟବସ୍ଥାର ୭/୮ ବର୍ଷ ପରେ ମଧ୍ୟ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନାହିଁ ।

ସଂସ୍କାର ବ୍ୟବସ୍ଥା ଦ୍ୱାରା ଲୋକମାନେ ଉନ୍ନତମାନର ସେବା ପାଉଥିବାର ହୃଦବୋଧ ହେଉଛି କି?

ତୃଟିଥିବା ବିଲ୍ ଏବଂ ମିଟର ସମସ୍ୟାର ସମାଧାନରେ କର୍ତ୍ତୃପକ୍ଷ ବହୁ ବିଳମ୍ବ କରୁଥିବାର ଅସଂଖ୍ୟ ଗ୍ରାହକ ଅଭିଯୋଗ କରୁଛନ୍ତି । ଗୋଟିଏ ଉଦାହରଣ ଦେଉଛି । ନୟାଗଡ ରାଜସ୍ୱ ଜିଲ୍ଲାର ରଣପୁର ଇଲେକ୍ଟ୍ରିକ୍ ସେକ୍ସନ୍ ରେ (ଖୋର୍ଦ୍ଧା ଜିଲ୍ଲା) ଗ୍ରାହକମାନେ ଦୀର୍ଘ ଦିନରୁ କ୍ରମାଗତ ପାୱାରକଟ୍ ସମସ୍ୟାର ସମ୍ମୁଖିନ ହେଉଥିଲେ ।

ସମସ୍ୟାର ନିରାକରଣ ନିମିତ୍ତ ସେମାନେ ସେସ୍କୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାସହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସ୍ମାରକପତ୍ର ଜରିଆରେ ଅବଗତ କରାଇଥିଲେ । କିନ୍ତୁ ସବୁ ବୃଥାରେ ପରିଣତ ହୋଇଥିଲା ।

ପ୍ରାୟତଃ ସବୁଦିନେ ଆମେ ଖବର ପାଉଛେ ଏ ଗାଁ ନତୁବା ସେ ଗାଁରେ ପାୱାରକଟ୍ ଯୋଗୁଁ ଅନ୍ଧାରରେ ବୁଡି ରହିଛି । ବିଦ୍ୟୁତ ଚୋରି କରିବା ଲାଗି ଅସାଧୁ ଗ୍ରାହକମାନଙ୍କୁ ପ୍ରୋତ୍ସାହନ ଯୋଗାଇବାରେ କେତେକ ବିଭାଗୀୟ କର୍ମଚାରୀ ସହଯୋଗ କରୁଥିବାର ଅନେକ ରିପୋର୍ଟ ଆସୁଛି । ମୋଟା ଅଙ୍କର ବିଲ୍କୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରୁଛି ଏବଂ ଏଥିପାଇଁ ଗ୍ରାହକମାନଙ୍କୁ ହାତଗୁଞ୍ଜା ଦେଉଛନ୍ତି ।

ଅନ୍ୟପକ୍ଷରେ ବିଦ୍ୟୁତ ଶକ୍ତି ବିତରଣ ଦାୟିତ୍ୱରେ ଥିବା କମ୍ପାନୀମାନେ ଏହାଦ୍ୱାରା ପ୍ରଭୁତ କ୍ଷତିର ଶିକାର ହେଉଛନ୍ତି । ବାସ୍ତବ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ଏକ ଜଟିଳ ପଦ୍ଧତି । ସଂସ୍କାର ବ୍ୟବସ୍ଥା ଯୋଗୁଁ ଏହା କିମ୍ବା ତାହା ହେଲା ବୋଲି ଆମେ କହିପାରିବା ନାହିଁ । ତେବେ ମୁଁ ଏତିକି କହିବି ଯେ, ସଂସ୍କାର ବ୍ୟବସ୍ଥା ପରେ ମଧ୍ୟ କ୍ୱାଲିଟି ସର୍ଭିସ୍ ଡେଲିଭେରି ପଦ୍ଧତିରେ ବିଶେଷ କିଛି ଅଗ୍ରଗତି ହୋଇପାରିନାହିଁ ।

ସଂସ୍କାର ବ୍ୟବସ୍ଥାରେ କେଉଁମାନେ ବିଶେଷ ଉପକୃତ ହୋଇଛନ୍ତି?

ହସ୍ତଗତ ତଥ୍ୟ ଓ ସୂଚନା ମୁତାବକ, ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରେ ଛ’ଅ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି ହୋଇଛି । ଆଗାମୀ ଦିନରେ ଆଉଥରେ ବଡଧରଣର ଶୁଳ୍ପ ବୃଦ୍ଧି ପ୍ରସ୍ତାବ ବିଚାରାଧୀନ ରହିଛି । ଏହାଦ୍ୱାରା ସମାଜର ଗରିବ ଲୋକମାନେ ପ୍ରତ୍ୟକ୍ଷଭାବେ କ୍ଷତିଗ୍ରସ୍ତ ହେବେ ।

ବିଲ୍ ଦେୟ ପୈଠ କରିପାରୁନଥିବା କେତେକ ଗ୍ରାହକଙ୍କ ବିଦ୍ୟୁତ ସେବା ତାର ବିଚ୍ଛିନ୍ନ କରିଦିଆଯାଉଛି । ପାୱାରକଟ୍ ବେଳେ ବିକଳ୍ପ ବ୍ୟବସ୍ଥା ଲାଗି ଅଧିକ ବ୍ୟୟ କରୁଥିବା ଧନୀକ ଶ୍ରେଣୀର ଗ୍ରାହକମାନେ ଅଧିକ ଟଙ୍କା ଦେବାକୁ ଚାହୁଁଛନ୍ତି । ତେବେ ଗରିବ ଶ୍ରେଣୀର ଲୋକ, କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଉଦ୍ୟୋଗପତି ମାନଙ୍କ କ୍ଷେତ୍ରରେ ଏହା ହେଉନାହିଁ ।

ତା’ଛଡା ଧନୀକ ଗ୍ରାହକମାନେ ଅଧିକ ଶକ୍ତି ବ୍ୟବହାର କରୁଛନ୍ତି ଏବଂ ଅନ୍ୟମାନଙ୍କ ସବସିଡି ଅର୍ଥରାଶି ପ୍ରତି ଧ୍ୟାନ ଦେଉନାହାନ୍ତି । ଏହାଦ୍ୱାର ଧନୀକ ଗୋଷ୍ଠୀ ଲାଭବାନ ହେଉଥିବାବେଳେ ଗରିବ ସମ୍ପ୍ରଦାୟର ବ୍ୟକ୍ତିଗଣ କ୍ଷତିର ସମ୍ମୁଖିନ ହେଉଛନ୍ତି ।

ଓଡିଶାର ଶକ୍ତି ଉଦ୍ୟୋଗରେ ସବସିଡି ବ୍ୟବସ୍ଥା ସପକ୍ଷରେ ଆପଣ ଅଛନ୍ତି କି?

ଏହା ଏମିତି ଏକ ପ୍ରଶ୍ନ ଯାହା ଓଡିଶା ପାଇଁ ନୁହେଁ ସଂପୂର୍ଣ୍ଣ ଦେଶ ନିମନ୍ତେ ଉଦ୍ଧିଷ୍ଟ । ବିଦ୍ୟୁତ ଶକ୍ତି କେବଳ ଏକ ଘରୋଇ ଦ୍ରବ୍ୟ ନୁହଁ ବରଂ ଏହା ଦେଶର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ଲାଗି ଅପରିହାର୍ଯ୍ୟ । ସବୁ ଲୋକେ ୟୁଜର୍ସ ଫି’ ଦେବା ଅବସ୍ଥାରେ ନାହାନ୍ତି । ଗରିବଙ୍କ ପାଇଁ ସବ୍ସିଡି ବ୍ୟବସ୍ଥା ହେବା ଆବଶ୍ୟକ । ତେବେ ସିଏ ଯାହା ହେଉନା କାହିଁକି, ଗରିବମାନଙ୍କ ସବ୍ସିଡି ଅର୍ଥର ଧନୀକ ଗୋଷ୍ଠୀ ଅପବ୍ୟୟ କରୁଛନ୍ତି ।

ଗରିବମାନେ କିଭଳି ଉପକୃତ ହେବେ, ପ୍ରଶାସନିକ ଦଳ ତାହାକୁ ସୁନିଶ୍ଚିତ କରିବାର ଆବଶ୍ୟତକା ରହିଛି । ଏଭଳି ସ୍ଥଳେ ସରକାରଙ୍କର ଗୁରୁ ଦାୟିତ୍ୱ ରହିଛି ।

ଗ୍ରାମାଞ୍ଚଳରେ କାମ କରୁଥିବା ଗ୍ରାମ୍ୟ ବିଦ୍ୟୁତ କମିଟି ସମ୍ପର୍କରେ ଆପଣଙ୍କ ମତାମତ କଣ?

ଶକ୍ତି ଉଦ୍ୟୋଗରେ ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣର ନମୂନା ସ୍ୱରୁପ ଜନ୍ମ ନେଇଥିଲା ଗ୍ରାମ୍ୟ ବିଦ୍ୟୁତ କମିଟି । ଉପଭୋକ୍ତାମାନେ ପାଉଥିବା ସେବା ବ୍ୟବସ୍ଥାର ମାନ ବୃଦ୍ଧି ଲାଗି ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତଭାବେ ଅଭିନନ୍ଦନୀୟ ପଦକ୍ଷେପ ।

ଓଡିଶାର ଅନେକ କମିଟି ସେମାନଙ୍କର ଦାୟିତ୍ୱ ଠିକ୍ ଭାବେ ସମ୍ପାଦନ କରି ପାରୁନାହାନ୍ତି । ତେବେ ଅନ୍ୟ କେତେକ ଏ ଦିଗରେ ଉଦାହରଣ ସୃଷ୍ଟି କରିଥିବାର ମଧ୍ୟ ନଜିର ରହିଛି । ଏ କ୍ଷେତ୍ରରେ ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି । କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ସେକ୍ସନ୍ ଅଧିନରେ ଗାନ୍ଧିନଗର ନାମକ ଏକ ଗ୍ରାମ ରହିଛି ।

ଆମ ଅନୁଶୀଳନ ଅନୁସାରେ ଏଠାକାର ଗ୍ରାମ୍ୟ କମିଟି ସମଗ୍ର ରାଜ୍ୟ ପାଇଁ ଏକ ଉଦାହରଣ । ଗାଁର ଉପଭୋକ୍ତାମାନଙ୍କୁ ସାହାଯ୍ୟ କରିବା ଏବଂ ବିଭାଗୀୟ କର୍ମଚାରୀମାନଙ୍କୁ ଅର୍ଥ ଆଦାୟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ ଦେବାରେ ଏହି କମିଟିର ଭୂମିକା ଉଲ୍ଲେଖନୀୟ । ମନୋଜ କୁମାର ମହାପାତ୍ର ନାମକ ଜଣେ ଯୁବକ ଗ୍ରାମ୍ୟ କମିଟିର ସଭାପତି ଦାୟିତ୍ୱ ତୁଲାଉଛନ୍ତି । ପ୍ରତ୍ୟେକ କାର୍ଯ୍ୟରେ ମଣିଷ ମନର ସମର୍ପଣ ଭାବ ଗୁରୁତ୍ୱପୂର୍ଣ୍ଣ ।

ଓଡିଶାର ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଯଦି କୌଣସି ପ୍ରକାରର ଅସଫଳ ପରିବେଶ ସୃଷ୍ଟି ହୁଏ, ଆପଣ ଏଥିପାଇଁ କାହାକୁ ଦାୟୀ କରିବେ ।

ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆନଯିବା ହିଁ ଏହାର ମୁଖ୍ୟ କାରଣ ହୋଇପାରେ ଏବଂ ଏଥିପାଇଁ ମୁଁ ସାମ୍ପ୍ରତିକ ପରିଚାଳନା ବ୍ୟବସ୍ଥାକୁ ଦାୟୀ କରିବି । କାରଣ ଆମେ ସମସ୍ତେ ଜାଣୁ, ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ସ୍ୱାବଲମ୍ବୀ ରାଜ୍ୟ ।

ଦୁର୍ବଳ ଆଇନ ବ୍ୟବସ୍ଥା ଏବଂ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାନଯିବା ଏହାର ଦ୍ୱିତୀୟ କାରଣ । ଏଥିପାଇଁ ଅବଶ୍ୟ ମୁଁ ସରକାରଙ୍କୁ ହିଁ ଦାୟୀ କରିବି । ଦୁଇ ଜଣ ଅଫିସର ମୋତେ କହୁଥିଲେ ଯେ, ସେମାନେ ଗୋଟିଏ ଗାଁକୁ ଚୋରି ତନଖି କାର୍ଯ୍ୟରେ ଯାଇଥିବାବେଳେ ଗ୍ରାମବାସୀଙ୍କ ହାତରୁ ମାଡ ଖାଇଥିଲେ ।

ସେମାନେ ଯେତେବେଳେ ଏ ସମ୍ପର୍କରେ ନିକଟସ୍ଥ ପୋଲିସ ଥାନାକୁ ଅଭିଯୋଗ କରିବାକୁ ଗଲେ, ସେଠାରେ ଉପସ୍ଥିତ ଅଧିକାରୀମାନେ ଅଭିଯୋଗପତ୍ର ମଧ୍ୟ ରଖିଲେ ନାହିଁ । ମାଡ ମାରିଥିବା ଗ୍ରାମବାସୀମାନେ ସ୍ଥାନୀୟ ବିଧାୟକଙ୍କ ନିୟନ୍ତ୍ରଣରେ ଥିବାରୁ ପୋଲିସ ସେମାନଙ୍କର ଅଭିଯୋଗ ରଖିବାକୁ ମନା କରିଦେଇଥିବାର ପରେ ଜଣା ପଡିଥିଲା ।

ଆପଣ ଓଡିଶାରେ ବ୍ୟାପକଭାବେ କ୍ଷେତ୍ର କାର୍ଯ୍ୟ ସମ୍ପାଦନ କରିଛନ୍ତି । ପ୍ରଚଳିତ ସେବା ବ୍ୟବସ୍ଥାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ କୌଣସି ପ୍ରକାରର ଅସନ୍ତୋଷ ଲକ୍ଷ୍ୟ କରିଛନ୍ତି କି?

ଅଧିକାଂଶ ଉପଭୋକ୍ତା କହନ୍ତି, ଏଠାରେ କିଛି ହେଲେ ହୋଇପାରିବ ନାହିଁ । ସେମାନେ କ’ଣ କରୁଛନ୍ତି? ଅପଦାର୍ଥ…..ଇତ୍ୟାଦି…..ଇତ୍ୟାଦି ।

ଓଡିଶାର ଶକ୍ତି ଉଦ୍ୟୋଗରେ ମୁଖ୍ୟ ସମସ୍ୟା କଣ?

ଅନୁକୂଳ ପୁଞ୍ଜି ବିନିଯୋଗ ପରିବେଶକୁ ସୁନିଶ୍ଚିତ କରିବାରେ ସରକାରୀ କଳର ନିଷ୍କ୍ରିୟତା ରହିଛି । ଆମେରିକୀୟ କମ୍ପାନୀ ଏଇଏସ୍ କାର୍ଯ୍ୟରୁ ଦୂରେଇ ଗଲା । ଉପଯୁକ୍ତ ଆଇନ ବ୍ୟବସ୍ଥା ଏବଂ ନିର୍ଦ୍ଦେଶନାମା ବ୍ୟବସ୍ଥା ଅଦ୍ୟାବଧି ହୋଇପାରିଲା ନାହିଁ ।

ବିଦ୍ୟୁତ ଖୁଣ୍ଟ ଠିକା ଯୋଗାଣରେ ବ୍ୟାପକ ଦୁର୍ନୀତି ଚାଲିଥିବା ସମ୍ପର୍କରେ ନିକଟରେ “ଧରିତ୍ରୀ’ କାଗଜରେ ଏକ ସମ୍ବାଦ ପ୍ରକାଶ ପାଇଥିଲା । ଗ୍ରାମ୍ୟ ବିଦ୍ୟୁତକରଣ ପାଇଁ ଦାୟିତ୍ୱ ନେଇଥିବା ଠିକାଦାର ମାନଙ୍କ ବିଲ୍ ଉପରେ ଶକ୍ତିମନ୍ତ୍ରୀଙ୍କ ଦସ୍ତଖତ ଆବଶ୍ୟକ ହେଉଛି ଏବଂ ଖୋଦ୍ ମନ୍ତ୍ରୀ ଏ ବାବଦରେ କମିଶନ ନେଉଛନ୍ତି ।

ବିଧାନସଭାରେ ନିକଟରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା । କମ୍ପାନୀରେ କାମ କରୁଛନ୍ତି ବୋଲି ଅଫିସରମାନେ ବିଚାର କରୁ ନାହାନ୍ତି । ଓଡିଶା ସରକାର ଏବଂ କର୍ମଚାରୀ ସଂଘ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ସେମାନେ ଚାକିରି ଗ୍ୟାରେଣ୍ଟି ଉପଭୋଗ କରୁଛନ୍ତି । ଅଫିସରମାନଙ୍କ ଭିତରେ କର୍ମ ସଂସ୍କୃତି, ସେବା ମନୋବୃତ୍ତି ଏବଂ ସମର୍ପଣ ଭାବର ଅଭାବ ପରିଲକ୍ଷିତ ହେଉଛି ।

ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସଂସ୍କାର ବ୍ୟବସ୍ଥା କେତେଦୂର ବଳବତ୍ତର ରହିବ ବୋଲି ଆପଣ ବିଚାର କରୁଛନ୍ତି?

ବିଦ୍ୟୁତ ଟ୍ରାନ୍ସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ ଜନିତ କ୍ଷତି, ଚୋରି ଏବଂ ପରିଚାଳନା ଅବ୍ୟବସ୍ଥା ଲାଗି ରହିଲେ, ଏହି ପ୍ରକ୍ରିୟା ତିଷ୍ଠି ରହିଲା ଭଳି ହୃଦବୋଧ ହେଉନାହିଁ ।

ଓଡିଶା ଶକ୍ତି ଉଦ୍ୟେଗ ସଂସ୍କାର ପ୍ରକ୍ରିୟାକୁ ଆହୁରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ନିମନ୍ତେ ଆପଣଙ୍କ ମନରେ କୌଣସି ସ୍ୱତନ୍ତ୍ର ରଣ କୌଶଳ ରହିଛି କି?

ବିଦୁ୍ୟତ ସବ୍ସିଡି ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନିତ କରିବା ଲାଗି ଓଆର୍ସିକୁ ସଂପୂର୍ଣ୍ଣ ସ୍ୱାଧିନତା ଦିଆଯିବା, ରାଜନୈତିକ ହସ୍ତକ୍ଷେପର ସଂପୂର୍ଣ୍ଣ ବିଲୋପ ସାଧନ, ଟ୍ରାନସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ କ୍ଷତି ପରିମାଣକୁ ହ୍ରାସ କରିବା ଲାଗି ଦକ୍ଷ ପ୍ରଶାସନ, ଶତ ପ୍ରତିଶତ ମିଟର ରିଡିଂ, ଶତ ପ୍ରତିଶତ ଅର୍ଥ ଆଦାୟ, ବିଲିଂ ଏବଂ କୁଟୀର ଜ୍ୟୋତି କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ବ୍ୟକ୍ତି ଚୟନ, ଉପଯୁକ୍ତ ପରିଚାଳନା ବ୍ୟବସ୍ଥା, ତୃଣମୂଳ ସ୍ତରରେ ବିଭିନ୍ନ ଶ୍ରେଣୀର ଗ୍ରାହକମାନଙ୍କ ପ୍ରତିନିଧିତ୍ୱ ସର୍ବୋପରି ବିଦୁ୍ୟତ ଶୁଳ୍କ ନିର୍ଦ୍ଧାରଣ ସମୟରେ ସବୁ ଗ୍ରାହକକୁ ସୁହାଇଲା ଭଳି ନିଷ୍ପତ୍ତି ଦ୍ୱାରା ହିଁ ସଂସ୍କାର ବ୍ୟବସ୍ଥାକୁ ବଳବତ୍ତର ରଖାଯାଇପାରିବ ।

ଓଡ଼ିଶା ଡ଼ଟ୍ କମ୍

News Bureau :

This website uses cookies.