ସାକ୍ଷାତକାର

ଓଡିଶାର ଦାରିଦ୍ର୍ୟ ଦୂର କରିବା ପାଇଁ ପର୍ଯ୍ୟଟନ ଉଦ୍ୟୋଗର ବିକାଶ ଜରୁରୀ

ଓଡିଶାର ଦାରିଦ୍ର୍ୟ ଦୂର କରିବା ପାଇଁ ପର୍ଯ୍ୟଟନ ଉଦ୍ୟୋଗର ବିକାଶ ଅତ୍ୟନ୍ତ ଜରୁରୀ ବୋଲି କହନ୍ତି ତ୍ରିଭାନ୍ଦ୍ରମଠାରେ ଅବସ୍ଥାପିତ କେରଳ ରାଜ୍ୟ ସରକାରଙ୍କ ଜଣେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ଓଡ଼ିଶାର ପି.କେ.ମହାନ୍ତିଙ୍କ ସହ ଓଡିଶା ଡଟ୍ କମ୍ ର ବିଶେଷ ସାକ୍ଷାତକାର ।

ମଇ ୨୦(ଓଡିଶା ଡଟ୍ କମ୍), ପର୍ଯ୍ୟଟନ ଉଦ୍ୟୋଗର ବିକାଶ ସାଧନ ହେଲେ ସମାଜର ସଂଖ୍ୟାଧିକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବା ସଙ୍ଗେ ସଙ୍ଗେ ରାଜ୍ୟର ଉନ୍ନତି ପାଇଁ ପାଣ୍ଠି ମଧ୍ୟ ସଂଗ୍ରହ ହୋଇପାରିବ ।

ବୟୋଜେଷ୍ଠମାନଙ୍କ ଲାଗି ଆମୋଦପ୍ରମୋଦର ବ୍ୟବସ୍ଥା ହୋଇପାରିବ ଏବଂ ସମାଜର ଯୁବଗୋଷ୍ଠୀଙ୍କ ନିମନ୍ତେ ଶିକ୍ଷାଦାନର ଏକ ଉତ୍ତମ ମାଧ୍ୟମ ମଧ୍ୟ ସୃଷ୍ଟି କରାଯାଇପାରିବ ।

କେରଳରେ ବିଗତ ୧୦ ବର୍ଷ ମଧ୍ୟରେ ଏଭଳି ହୋଇଥିବାର ସ୍ୱଚକ୍ଷୁରେ ଦେଖିଛି । ଓଡିଶାରେ ଏହାର ସୁଫଳ କାହିଁକି ଆମେ ପାଇବା ନାହିଁ ମୁଁ ତାର କୌଣସି କାରଣ ଦେଖୁନାହିଁ ।

ଅନ୍ୟପକ୍ଷରେ ଏ କ୍ଷେତ୍ରରେ ପ୍ରବାସୀ ଓଡିଆମାନଙ୍କର ମଧ୍ୟ ଗୁରୁଦାୟିତ୍ୱ ରହିଛି । ପ୍ରତ୍ୟେକ ପ୍ରୋଜେକ୍ଟ ପାଇଁ ମାତ୍ର କେତେ କୋଟି ଟଙ୍କା ବ୍ୟୟ ହେବ । ପ୍ରବାସୀ ଓଡିଆମାନେ ଚାହିଁଲେ ଅକ୍ଲେଶରେ ଏହି ପାଣ୍ଠି ଯୋଗାଡ କରିପାରିବେ ।

ବିଭିନ୍ନ ସମୟରେ ସେମାନେ ଓଡିଶା ଆସିଲାବେଳେ ଏହି ପର୍ଯ୍ୟଟନ ଆଶ୍ରୟସ୍ଥଳୀ ଗୁଡିକୁ ନିଜର ବ୍ୟବହାରରେ ଲଗାଇ ପାରିବେ ।

ଏତଦବ୍ୟତୀତ ଅନ୍ୟ ପର୍ଯ୍ୟଟନ ଆଶ୍ରୟସ୍ଥଳୀ ଗୁଡିକୁ ନିଜର ବନ୍ଧୁ, ପରିବାର ଏବଂ ନିକଟ ସମ୍ପର୍କୀୟମାନଙ୍କ ଜରିଆରେ କାର୍ଯ୍ୟରେ ଲଗାଇ ପାରିବେ । କେରଳରେ ଏହାର ଦୃଷ୍ଟାନ୍ତ ରହିଛି ।

ଅତିକମ୍ ରେ ୨୫ଟି ପ୍ରବାସୀ ଭାରତୀୟ ଆଶ୍ରୟସ୍ଥଳୀ (ରିସୋର୍ଟ) କେବଳ କୋଭାଲମ୍ ରେ ରହିଥିବାବେଳେ ସମଗ୍ର ରାଜ୍ୟରେ ଏହି ସଂଖ୍ୟା ୫୦ରେ ସୀମାବଦ୍ଧ ରହିଛି ।

ମୋ’ ଧର୍ମପତ୍ନୀ ପ୍ରଣତୀ, ସୂଚନା ସେବା ବିଭାଗର ଜଣେ ଅଧିକାରୀ । ତାଙ୍କର ଅଭିଳାଷ ରହିଛି ଏମିତି ଏକ ସଂସ୍ଥା ସ୍ଥାପନ କରିବେ, ଯେଉଁ ସଂସ୍ଥା ଖରା ଦିନେ ଅନାହାର ମୃତ୍ୟୁ ରୋକିବା ପାଇଁ ଆଦିବାସୀ ଅଧ୍ୟୁସିତ ଇଲାକା ଗୁଡିକର ଆଦିବାସୀ ଏବଂ ଅନ୍ୟ ଗରିବ ଲୋକମାନଙ୍କ ମୁହଁରେ ମୁଠାଏ ଦାନା ଦେବାକୁ ସକ୍ଷମ ହେବ ।

ବଡପୁଅ ବର୍ତ୍ତମାନ ହୋଟେଲ ବ୍ୟବସାୟରେ ମନୋନିବେଶ କରିଛି ଏବଂ ଭବିଷ୍ୟତରେ ପର୍ଯ୍ୟଟନ ଉଦ୍ୟୋଗ କ୍ଷେତ୍ରକୁ ନିଜର ବ୍ୟବସାୟ ସଂପ୍ରସାରିତ କରିବା ପାଇଁ ଆଶାବାଦୀ । ଦ୍ୱିତୀୟ ପୁଅ ବର୍ତ୍ତମାନ ଆଇନ ଶିକ୍ଷା ଅଧ୍ୟୟନରେ ବ୍ୟସ୍ତ ଅଛି ।

ବିଗତ କେତେ ବର୍ଷ ହେଲା ଆପଣ ଛାଡିଲେଣି ଓଡିଶା ? ବର୍ଷକରେ ଓଡିଶାକୁ କେତେଥର ଆସନ୍ତି? ଯଦି ଆପଣ ଓଡିଶାକୁ ଫେରନ୍ତି ତେବେ ଏହାର କାରଣ କଣ?

ଦିଲ୍ଲୀ ଓ ବାଙ୍ଗାଲୋରରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଲାଗି ୧୯୭୨ରେ ମୁଁ ଓଡିଶା ଛାଡିଲି । ଆଇଏଏସ୍ ଚାକିରିରେ ଯୋଗ ଦେବା ପୂର୍ବରୁ ବାଙ୍ଗାଲୋରର ଏକ କଲେଜରେ ଅଧ୍ୟାପନା କରୁଥିଲି ଏବଂ ଦିଲ୍ଲୀର ସାହିତ୍ୟ ଏକାଡେମୀରେ ବର୍ଷକ ନିମନ୍ତେ କାମ କରୁଥିଲି ।

ସାମାଜିକ ବନ୍ଧନ ଦୃଷ୍ଟିରୁ ବିଶେଷତଃ କୌଣସି ଛୁଟି ଦିନରେ ବର୍ଷକରେ ଥରେ ଆମେ ଓଡିଶା ଗସ୍ତରେ ଆସିଥାଉ । ଅବଶ୍ୟ ୨୦୦୪ ଅଗଷ୍ଟ ମାସରୁ ପ୍ରାୟ ୬ ମାସ ଧରି ଭୁବନେଶ୍ୱରରେ ରହିଥିଲି । ଏହି ସମୟରେ ପୁଅକୁ ତା’ର ହୋଟେଲ ପ୍ରୋଜେକ୍ଟ କାମରେ ସାହାଯ୍ୟ କରୁଥିଲି ।

ଓଡିଶାର ବିକାଶ ପାଇଁ ଯେ କୌଣସି ପ୍ରକାରେ ଆପଣଙ୍କ ଅବଦାନ ସମ୍ପର୍କରେ ଚିନ୍ତା କରିଛନ୍ତି କି ଏବଂ ଏହା କେଉଁ କ୍ଷେତ୍ରରେ?

ଇଣ୍ଟର କ୍ୟାଡର୍ ଡେପୁଟେସନ୍ ରେ ଓଡିଶା ଯିବା ପାଇଁ ଦୁଇଥର ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରିନାହିଁ । ଅବସର ଗ୍ରହଣପରେ ମୋର ସମସ୍ତ ସମୟ ଓଡିଶା ପାଇଁ ଦେବା ନିମନ୍ତେ ସ୍ଥିର କରିଛି । ଏହି ସମୟରେ ରାଜ୍ୟର ପର୍ଯ୍ୟଟନର ବିକାଶ ସମ୍ପର୍କୀତ ବିଷୟ ପ୍ରତି ଧ୍ୟାନ ଦେବି ।

ସୌଭାଗ୍ୟବଶତଃ ମୋ’ ଚାକିରି ଜୀବନର ଅଧିକ ସମୟ ବିଗତ ୧୦ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଅତିବାହିତ କରିଛି । ପର୍ଯ୍ୟଟନ କ୍ଷେତ୍ରରେ ଜୀବନର ଅବସର ଇଂନିସ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।

ଓଡିଶାର ସାମ୍ପ୍ରତିକ ଦୁର୍ଦ୍ଧିନ ପରିସ୍ଥିତି ସମ୍ପର୍କରେ ଆପଣଙ୍କ କିଛି କହିବାର ଅଛି କି ? ଏହାଛଡା ଆଜିର ଏଭଳି ପରିସ୍ଥିତି ଲାଗି ଆପଣ କାହାକୁ ଦାୟୀ କରିବେ?

ରାଜନେତାମାନଙ୍କର ସଂକୀର୍ଣ୍ଣ ଚିନ୍ତାଧାରା ଏବଂ ବ୍ୟୁରୋକ୍ରାଟମାନଙ୍କର ବିଭ୍ରାନ୍ତିକର ନୀତିନିୟମ ମୁଖ୍ୟତଃ ଏଥିଲାଗି ଦାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପ୍ରଶାସନର ତୁଙ୍ଗ ମହଲରେ ଅବସ୍ଥାପିତ ବ୍ୟୁରୋକ୍ରାଟମାନେ ଯେତେବେଳେ ରାଜନେତାମାନଙ୍କ ହାତମୁଠାକୁ ଟାଣ କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ପଛଘୁଞ୍ଚା ଦିଅନ୍ତି ସେହି ରାଜନେତାମାନଙ୍କ କାମ ବାଧ୍ୟହୋଇ ପ୍ରଶାସନର ତଳସ୍ତରରେ ରହିଥିବା ବ୍ୟୁରୋକ୍ରାଟମାନେ ସମ୍ପାଦନ କରିଥାନ୍ତି । ଏହାଦ୍ୱାରା ତୁଙ୍ଗ ଅଧିକାରୀମାନଙ୍କ ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ ହୋଇଥାଏ ।

ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଏ କ୍ଷେତ୍ରରେ ବୁଦ୍ଧିଜିବୀ ଏବଂ ଶିକ୍ଷାବିତମାନେ ମୁହଁ ଖୋଲୁ ନାହାନ୍ତି । କିଛି ଦିନ ତଳେ ଲୁହାପଥର ଖଣି ମାମଲାକୁ କେନ୍ଦ୍ରକରି ସପକ୍ଷ ଏବଂ ବିପକ୍ଷବାଦୀ ମାନଙ୍କ ମଧ୍ୟରେ ଏକ ବଡଧରଣର ବିବାଦର ସୂତ୍ରପାତ ହୋଇଥିଲା ।

ଅର୍ଦ୍ଧାଧିକଙ୍କ ହୃଦବୋଧ ହୋଇଥିଲା ଯେ, ଏହା ଏକ ଜାତୀୟ ଭଣ୍ଡାର ଏବଂ ଗୋଟିଏ ପୀଢି ଏହି ଅମୂଲ୍ୟ ଭଣ୍ଡାରକୁ ନିଶେଷ କରିଦେବା ଠିକ୍ ହେବ ନାହିଁ ।

ଅନ୍ୟମାନଙ୍କର ମତ ଥିଲା, ଖଣିଜ ସମ୍ପଦକୁ ବିନା ଦ୍ୱିଧାରେ ଉତ୍ତୋଳନ କରାଯିବା ଜରୁରୀ ଏବଂ ଏ ବାବଦରୁ ସଂଗୃହିତ ଧନରାଶି ରାଜ୍ୟର ଆର୍ଥିକ ବିକାଶରେ ସଫଳତାର ସହ ବିନିଯୋଗ କରାଯିବା ଉଚିତ ।

ଅର୍ଥର ସଦୁପଯୋଗ ହୋଇପାରିଲେ ଅଧିକ ଅର୍ଥ ଆଗମନର ରାସ୍ତା ଖୋଲି ଯାଇଥାଏ । ସମ୍ପଦ ଆକାରରେ ମାଟି ତଳେ ଢାଙ୍କି ହୋଇ ରହିଥିବା ଅର୍ଥ କେବଳ ଦାରିଦ୍ର୍ୟତା ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ ।

ଓଡିଶାର ବିକାଶ ପ୍ରକ୍ରିୟାରେ ଆପଣ କେତେଦୂର ସଂଶ୍ଳିଷ୍ଟ ଏବଂ ଫଳପ୍ରଦ ହୋଇଛି କି?

ଇଷ୍ଟର୍ଣ୍ଣ ଜୋନାଲ୍ କଲଚୁରାଲ୍ ସେଣ୍ଟରର ନିର୍ଦ୍ଦେଶକ ପଦବୀରେ ଥିବାବେଳେ କିଛି ବର୍ଷ ପାଇଁ ସଫଳତାର ସହ ସାଂସ୍କୃତିକ କ୍ଷେତ୍ରରେ ଓଡିଶାର ବିକାଶ ପ୍ରକ୍ରୟା ସହ ଜଡିତ ରହିଥିଲି । ତେବେ ମୋର ପ୍ରକୃତ ଉଦ୍ଦେଶ୍ୟ ସାଧନରେ ସଫଳ ହୋଇପାରିନଥିଲି । କାରଣ ଓଡିଶା ସରକାରଙ୍କ ତରଫରୁ ମତେ ଆବଶ୍ୟକ ସାହାଯ୍ୟ ସହଯୋଗ ମିଳିନଥିଲା ।

ପ୍ରଚଳିତ ପ୍ରଶାସନିକ ବ୍ୟବସ୍ଥା ଦ୍ୱାରା ଓଡିଶାର ବିକାଶ ପଥରେ ଆଗେଇ ଚାଲିଛି ନା ପୂର୍ବାପେକ୍ଷା ଅଧୋଗତିର ମାର୍ଗରେ ଚାଲିଛି ? ଏ କ୍ଷେତ୍ରରେ ପ୍ରଶାସନିକ ବ୍ୟବସ୍ଥାର ପରିବର୍ତ୍ତନର ଆବଶ୍ୟକତା ରହିଛି କି?

ବିଭିନ୍ନ ତୃଟିବିଚ୍ୟୁତି ରହିଥିଲେ ମଧ୍ୟ ଓଡିଶାର ବିକାଶ ସାଧିତ ହୋଇଛି ଏହା ନିଃସନ୍ଦେହ ଭାବେ କୁହାଯାଇପାରିବ । କେନ୍ଦ୍ର ସରକାରଙ୍କ ଉଦାର ଅର୍ଥନୀତି ଯୋଜନା ଏବଂ କେତେକାଂଶରେ ଇସ୍ପାତ ଉତ୍ପାଦନ ପାଇଁ ପ୍ରଚଳନ କରାଯାଇଥିବା ନୂତନ କାରିଗରୀ କୌଶଳଏହାର ଅନ୍ୟତମ ପ୍ରମୁଖ କାରଣ ।

ସରକାରୀ ଚାକିରିର ସ୍ୱଳ୍ପତା ହେତୁ ବହୁସଂଖ୍ୟକ ମେଧାବୀ ବ୍ୟକ୍ତିମାନେ ବାଧ୍ୟହୋଇ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରକୁ ପ୍ରବେଶ କରିଛନ୍ତି । ଏହାଛଡା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦୁର୍ନୀତିର ମାତ୍ରା କେତେକାଂଶରେ ନିୟନ୍ତ୍ରଣ ହୋଇପାରିଛି ।

ବିକାଶ ପ୍ରକ୍ରିୟାରେ ଓଡିଶାର ରାସ୍ତାରେ କିଏ ପ୍ରତିବନ୍ଧକ ସାଜିଛି ?

ଅନେକ ପ୍ରତିବନ୍ଧକ ସମ୍ପର୍କରେ ତ ପୂର୍ବରୁ ଉଲ୍ଲେଖ କରିସାରିଛି । ଗୋଟିଏ ଶଦ୍ଧରେ କହିବାକୁ ଗଲେ ଅଭିଜ୍ଞତାସଂପନ୍ନ ଦକ୍ଷ ନେତୃତ୍ୱର ଅଭାବ ରହିଛି ।

ଓଡିଶାର ବିକାଶ ପ୍ରକ୍ରିୟାରେ ପ୍ରବାସୀ ଓଡିଆମାନେ ଅଗ୍ରଣୀ ଭୂମିକା ନେଇ ପାରିବେ କି?

କେରଳର “ନୋରକା’ ବିଭାଗ ଢାଞ୍ଚାରେ ପ୍ରବାସୀ ଓଡିଆ ବ୍ୟପାର ବୁଝାସୁଝା କରିବା ଲାଗି ଓଡିଶା ସରକାରଙ୍କ ତରଫରୁ ଏକ ସ୍ୱୟଂ ଶାସିତ ସଂସ୍ଥା କିମ୍ବା ସେହିଭଳି କୌଣସି ଏକ ବିଭାଗ ଖୋଲା ଯିବାର ଆବଶ୍ୟକତା ରହିଛି ।

ବିଭିନ୍ନ ଉଦ୍ୟୋଗର ବିକାଶ କ୍ଷେତ୍ରରେ ପ୍ରବାସୀମାନଙ୍କ ଉଦ୍ୟମକୁ ଏହି ବିଭାଗ ସହଯୋଗ କରିବ । ଆବଶ୍ୟକ ସହଯୋଗ ମିଳିଲେ ପ୍ରବାସୀ ଓଡିଆ ଏବଂ ଅନ୍ୟମାନଙ୍କ ମିଳିତ ଉଦ୍ୟମରେ ରାଜ୍ୟର ପର୍ଯ୍ୟଟନ ଉଦ୍ୟୋଗର ବିକାଶ ଲାଗି ଏକ ସୋସାଇଟି ଗଠନ କରିବାକୁ ମଧ୍ୟ ଚିନ୍ତା କରୁଛି ।

ଦୀର୍ଘ ଦିନର ବ୍ୟବଧାନରେ ଆପଣ ଓଡିଶା ଆସିଛନ୍ତି । ବର୍ତ୍ତମାନର ଓଡିଶା ଏବଂ ଆପଣ ଯିବାବେଳେ ଦେଖିଥିବା ଓଡିଶା ମଧ୍ୟରେ କି ପ୍ରକାରର ପାର୍ଥକ୍ୟ ଅନୁଭବ କରୁଛନ୍ତି?

ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ କ୍ଷୁଦ୍ର ଅନୁଷ୍ଠାନ ଗୁଡିକର କାର୍ଯ୍ୟପ୍ରଣାଳୀରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି । ସେଭଳି ପରିବହନ ଉଦ୍ୟୋଗରେ ସଂଶ୍ଲିଷ୍ଟ ବ୍ୟକ୍ତିବିଶେଷମାନେ ଖଣିଜ ଦ୍ରବ୍ୟ ପରିବହନ ପାଇଁ କଠିନ ଶ୍ରମ ସ୍ୱୀକାର କରୁଛନ୍ତି ।

ସରକାରୀ କାର୍ଯ୍ୟାଳୟ ଗୁଡିକରେ ପୂର୍ବାପେକ୍ଷା ଅଧିକ କାମ ହେଉଛି । ଏଭଳି ଅନୁକୂଳ ପରିସ୍ଥିତିକୁ ବଜାୟ ରଖିବାସହ ଆବଶ୍ୟକସ୍ଥଳେ ପ୍ରୋତ୍ସାହନ ଦିଆଯିବା ଉଚିତ ।

ଓଡିଶାର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆପଣଙ୍କ ଦୃଷ୍ଟିରେ କେଉଁ ବିଷୟଟି ଗୁରୁତ୍ୱପୂର୍ଣ୍ଣ ?

ଯେ କୌଣସି ରାଜ୍ୟର ପ୍ରଗତି ନିମିତ୍ତ ସେଠାକାର ନେତୃମଣ୍ଡଳୀ ପରିବେଶରେ ରହିଥିବା ସମସ୍ତ ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦିଆଯିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ରାଜ୍ୟର ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନଟ କରାଯିବା ଉଚିତ । ଅନ୍ୟଦିଗରେ ପରିବେଶ ପ୍ରତି ଥିବା ବିପଦକୁ ମଧ୍ୟ ଆଖି ଆଗରେ ରଖି ରାଜ୍ୟର ଦୋଷ ଦୁର୍ବଳତା ପ୍ରତି ଦୃଷ୍ଟି ଦିଆଯିବା ବିଧେୟ ।

ଯୋଜନା ପ୍ରସ୍ତୁତକାରୀ, ରାଜନେତା ଓ ଅନ୍ୟମାନଙ୍କ ପ୍ରତି ଆପଣଙ୍କର ବାର୍ତ୍ତା କଣ?

ଓଡିଶାର ବିକାଶ ଲାଗି ସ୍ୱତନ୍ତ୍ର ରଣ କୌଶଳ ସ୍ଥିର କରିବା ସକାଶେ ଏକ ସୁ-ସଙ୍ଗଠିତ ଆଲୋଚନା ହେବାର ଆବଶ୍ୟକତା ରହିଛି

ଆପଣଙ୍କ ଦୃଷ୍ଟିରେ ଓଡିଶାର ପ୍ରାଥମିକ ଆବଶ୍ୟକତା କଣ?

ଏଥିପୂର୍ବରୁ ସବୁ କଥା କହି ସାରିଛି ।

ବିକାଶର ନୂଆ ପର୍ଯ୍ୟାୟକୁ ଓଡିଶାକୁ ଟାଣି ନେବା ପାଇଁ ଆପଣଙ୍କ ଦୃଷ୍ଟିକୋଣ ସମ୍ପର୍କରେ କିଛି କୁହନ୍ତୁ ।

ଓପିଇସି ଦେଶ ଗୁଡିକ ନିଜର ଚାହିଦା ଓ ଯୋଗାଣକୁ ନିଜ ନିୟନ୍ତ୍ରଣ ରଖିଲାଭଳି ଆମେ ଆମ ନିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲୁହାପଥର ଓ ଏହାର ଖନନ କାର୍ଯ୍ୟ ହାତକୁ ନେବାଲାଗି ଆମର ଅଧିକାର ରହିଛି ।

ଏହାଛଡା କେବଳ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କ୍ଷେତ୍ରରେ ସଂଗୃହିତ ରାଜସ୍ୱର ପୂର୍ଣ୍ଣ ବିନିଯୋଗ କରାଯିବା ସଙ୍ଗେ ସଙ୍ଗେ କୃଷିର ବିକାଶ, ସେବା ଉଦ୍ୟୋଗ ପ୍ରତି ଦୃଷ୍ଟି ଦିଆଯିବା ଜରୁରୀ । କୌଣସି ଏକ ବ୍ୟାଙ୍କ କିମ୍ବା ଅନ୍ୟ ଅର୍ଥନୈତିକ ସଂସ୍ଥା ସ୍ଥାପନ କରି ଖଣିରୁ ସଂଗୃହିତ ଅର୍ଥ ବିନିଯୋଗକୁ ଅଗ୍ରାଧିକାର ତାଲିକାଭୁକ୍ତ କରାଯିବା ଆବଶ୍ୟକ ।

ଅନ୍ୟ କୌଣସି ବିଷୟରେ ଆପଣ କହିବାକୁ ଚାହୁଁଛନ୍ତି କି?

କୌଣସି ଆଶା ନରଖି ପ୍ରତ୍ୟେକ ଓଡିଆ ଅନ୍ୟ ଓଡିଆମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ଉଚିତ । ଅନ୍ୟ ଓଡିଆମାନେ ଉନ୍ନତି କଲେ ରାଜ୍ୟର ବିକାଶ ଅକ୍ଳେଶରେ ସମ୍ଭବ ହୋଇପାରିବ ।

ତାହାହେଲେ ଆମେ ପ୍ରତ୍ୟେକ ନିଜ ନିଜ ପ୍ରଗତିର ମାର୍ଗରେ ଆଗେଇ ଯିବାକୁ ସକ୍ଷମ ହେବା । ସୁଖର ବିଷୟ ଏହି ଯେ, ଆଜି ଆମ ରାଜ୍ୟରେ ଏଭଳି ଲୋକମାନଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି

ଓଡିଶା ଡ଼ଟ୍ କମ୍

Leave a Reply

This site uses Akismet to reduce spam. Learn how your comment data is processed.