ଜାପାନରେ ଶ୍ରୀକାନ୍ତଙ୍କ ସ୍ୱପ୍ନକୁ ସାକାର କରିଛି ସାନ୍ତ୍ୱନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଓସାକା,ଜାପାନ ମଇ ୨୨ (ଓଡିଶା ଡଟ୍ କମ୍) ଓଡିଶାର ପୁରୀ ସହରର ଜଣେ ସ୍ନାତକ ଡିଗ୍ରୀଧାରୀ ବ୍ରାହ୍ମଣ ଓଡିଆ ଯୁବକ ସୁଦୂର ଜାପାନରେ ପହଞ୍ଚି ମାତ୍ର ୧୦ ବର୍ଷ ମଧ୍ୟରେ ସେଠାରେ ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ ।

ଦୃଢ ଇଚ୍ଛାଶକ୍ତି, କଠୋର ଶ୍ରମ ଏବଂ ସମର୍ପଣଭାବକୁ ପାଥେୟକରି ଏହି ଯୁବକ ଜଣକ ବର୍ତ୍ତମାନ କେବଳ ନିଜ ପାଇଁ ନୁହେଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କିଭଳି ବୃଦ୍ଧି ପାଇବ ସେଥିଲାଗି ଚଳାଇଛନ୍ତି ଅହରହ ସଂଗ୍ରାମ । ତାଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ମୁଖ୍ୟ ସଂପାଦକ ଯତୀନ୍ଦ୍ର ଦାଶଙ୍କ ଦୀର୍ଘ ସାକ୍ଷାତକାର ।

ଠିକ୍ ଦଶ ବର୍ଷ ତଳେ ଶ୍ରୀକାନ୍ତ କୁମାର ଦାଶ (କୁନା) ଓଡିଶାର ଶ୍ରୀକ୍ଷେତ୍ର ରୂପେ ପରିଚିତ ପୁରୀ ସହରର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ । ତିନିଭାଇ, ଦୁଇ ଭଉଣୀ ଏବଂ ବାପା,ମାଙ୍କୁ ନେଇ ମଧ୍ୟମ କିସମର ଏକ ଛୋଟ ପରିବାର ।

ପରିବାରର ଦୈନିକ ଗୁଜୁରାଣ ମେଣ୍ଟାଇବା ଲାଗି ଘରର ମୁରବି ଚନ୍ଦ୍ରଶେଖର ଦାଶ ପ୍ରାୟ ଚାଳିଶି ବର୍ଷ ପଛରେ ସେହି ପବିତ୍ର ମାଟିରେ ସ୍ଥାପନ କରିଥିଲେ “ହୋଟେଲ୍ ସାନ୍ତ୍ୱନା” । ମନକୁ ଛୁଇଁଲାଭଳି ଆତିଥ୍ୟ, ପାଟିରୁ ଲାଳ ଗଡିଲା ଭଳି ସୁସ୍ୱାଦୁ ଖାଦ୍ୟ, ସର୍ବୋପରି ମନଲୋଭା ପରିବେଶ ଲାଗି ଖୁବ୍ କମ୍ ସମୟ ଭିତରେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଥିଲା ଏହି ଅନୁଷ୍ଠାନ ।

ମୋଟାମୋଟି କହିବାକୁ ଗଲେ, ସେହି ହୋଟେଲରେ ଏକ କ୍ଷୁଦ୍ର ବିଶ୍ୱର ଛବି ପ୍ରତିଫଳିତ ହେଉଥିଲା ପ୍ରାୟତଃ ସବୁଦିନ । ସମୟ ଗଡି ଚାଲିଥାଏ । ଦାଶ ପରିବାରର ମୁରବିଙ୍କଠାରୁ ଆରମ୍ଭକରି ପ୍ରତ୍ୟେକ ସଦସ୍ୟ ବିଶ୍ୱ ବାତାବରଣସହ ନିଜ ଅଜ୍ଞାତରେ ଜଡିତ ହୋଇପଡୁଥାନ୍ତି ।

ବିଶେଷକରି ଜାପାନର ପର୍ଯ୍ୟଟକମାନଙ୍କର ପଦ ସ୍ପର୍ଷରେ ହୋଟେଲର ପ୍ରତିଟି କକ୍ଷ ଅଧିକରୁ ଅଧିକ ଜୀବନ୍ତ ହୋଇ ଉଠୁଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବାରୁ ହିନ୍ଦୁମାନଙ୍କ ଜୀବନଶୈଳୀସହ ବେଶ୍ ଖାପ ଖାଉଥାଏ ।

ଅପରପକ୍ଷରେ ଏହି ପର୍ଯ୍ୟଟକମାନଙ୍କ ବିଷୟରେ ଜ୍ଞାନ ଆହରଣ ଲାଗି ଶ୍ରୀକାନ୍ତଙ୍କ ମନରେ ପ୍ରତିଦିନ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଥାଏ । ସେଥିପାଇଁ ସେ ଜାପାନୀ ଭାଷାକୁ ନିଜ ଦଖଲକୁ ନେବାପାଇଁ ଉଦ୍ୟମ ଆରମ୍ଭ କରନ୍ତି । ସ୍ୱଳ୍ପ ସମୟର ଅବଧି ମଧ୍ୟରେ ସଫଳତା ମଧ୍ୟ ପାଆନ୍ତି ।

ଶେଷରେ ଏହି ଯୁବକ ଜଣକର ଦୃଢ ଇଚ୍ଛାଶକ୍ତି ଏବଂ ଚଲାପଥରେ ପୁଷ୍ପ ବୃଷ୍ଟି କରିବାକୁ କଳାଠାକୁର କୃପା କରନ୍ତି ।

“ସେ ଦିନ ଥିଲା ୧୯୯୩ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ” । “ଜାପାନ ଯାତ୍ରାର ଅୟମାରମ୍ଭ” । “ସେତେବେଳେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର କହିଲେ ନିକଟରେ ଥାଏ ମାତ୍ର ଖଣ୍ଡିଏ ସ୍ନାତକ ଡିଗ୍ରୀ । ଭାରତରେ ଉଚ୍ଚଶିକ୍ଷାର ଡୋରି ବାନ୍ଧିଲି” । “ଜାପାନ ଯାତ୍ରା ପୂର୍ବରୁ ମୋ’ ମନ ଭିତରେ ଭରି ଯାଇଥାଏ ପ୍ରବଳ ଉନ୍ମାଦନା ଏବଂ ଅସୁମାରି ଉତ୍ସାହ” ବୋଲି ଓଡିଶା ଡଟ୍ କମ୍ କୁ କହନ୍ତି ଶ୍ରୀକାନ୍ତ ।

ପ୍ରଥମ ଦେଖାରେ ଜାପାନ ପ୍ରତି ମନରେ ପ୍ରେମିକାର ମଧୁର ଧାରଣା ସୃ୍ଷ୍ଟି ହୋଇଥିଲା । ତେଣୁ ସେହି ମାଟିର ମୋହରେ ପଡିଗଲି । ବଞ୍ଚିବାକୁ ଏବଂ ଘନିଷ୍ଠତା ବଢାଇବାକୁ ହେଲେ ଭାରତର କିଛି ନୂଆଁ ଜିନିଷ ଜାପାନରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି । ଶେଷରେ ପିତାଙ୍କ ପସନ୍ଦର ସେହି “ସାନ୍ତ୍ୱନା’ ନାଁକୁ ଆଶ୍ରାକରି ଓସକା ନଗରୀରେ ଆରମ୍ଭ କଲି ଏକ ରେସ୍ତୋରାଁ ବୋଲି ସେ କହନ୍ତି ।

ରେସ୍ତୋରାଁରେ ଜାପାନୀ ଗ୍ରାହକମାନଙ୍କୁ ସଂପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହେଲା । ଭାଗ୍ୟଦେବୀଙ୍କ କୃପାରୁ ହାତଗଣତି ଦିନ କେତୋଟି ମଧ୍ୟରେ ରେସ୍ତୋରାଁକୁ ଶହ ଶହ ଜାପାନୀଙ୍କ ଧାଡି ଲାଗିଲା । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ” ପେଟ ପୂଜା ଲାଗି ସାନ୍ତ୍ୱନାରେ ମିଳୁଛି ବଢିଆ ଖାଦ୍ୟ” ।

ପ୍ରଥମେ ଦେଢ ଶହ, ପରେ ଦୁଇ ଶହ ଏଭଳି ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଲା । ଅବଶ୍ୟ ଏହି ସଂଖ୍ୟା ସେତେବେଳେ ଥିଲା ଅତି ନଗଣ୍ୟ । ହେଲେ ଆଠ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଓସକା ନଗରୀରେ ସାନ୍ତ୍ୱନାର ନାମ ପ୍ରଚାର କରିବାରେ ଏହି ଗ୍ରାହକମାନେ ଜଣେ ଜଣେ ରାଷ୍ଟ୍ରଦୂତର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବୋଲି ଶ୍ରୀକାନ୍ତ କହିଛନ୍ତି ।

ଅନ୍ୟପକ୍ଷରେ ଦିନ ବିତିବାରେ ଲାଗିଲା ଏବଂ ସାନ୍ତ୍ୱନା ରେସ୍ତୋରାଁର ସଂପୂର୍ଣ୍ଣ ଭାରତୀୟ ଖାଦ୍ୟଦ୍ରବ୍ୟର ମହକରେ ବିମୋହିତ ଜାପାନୀମାନେ ଭାରତ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ଲାଗି ଉତ୍ସୁକତା ପ୍ରକାଶ କଲେ । ସେହି ଦିନଠାରୁ ଆରମ୍ଭ ହେଲା ଭାରତ-ଜାପାନ ମଧ୍ୟରେ ଅଣଆନୁଷ୍ଠାନିକ ସମ୍ପର୍କ ।

ଛୁଟି ବିତାଇବା ପାଇଁ ଭାରତକୁ ଧାଇଁଲେ ବହୁ ସଂଖ୍ୟକ ଜାପାନୀ ପର୍ଯ୍ୟଟକ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବଢିବାରେ ଲାଗିଲା । ଓସାକା ନଗରୀରେ ସମ୍ପ୍ରତି ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଓଡିଆମାନଙ୍କ ସଂଖ୍ୟା ହାତଗଣତି । ମାତ୍ର ପାଞ୍ଚଟି ଓଡିଆ ପରିବାର ସେଠାରେ ରହୁଛନ୍ତି ।

ବିଗତ ଦଶ ବର୍ଷର ରହଣୀ କାଳ ମଧ୍ୟରେ ଶ୍ରୀକାନ୍ତଙ୍କ ବନ୍ଧୁ ତାଲିକାରେ ନାଁ ଲେଖାଇଛନ୍ତି ଅସଂଖ୍ୟ ଭାରତୀୟ ଓ ଜାପାନୀ । ନିଜ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ନିମିତ୍ତ ୨୦୦୪ ଏପ୍ରିଲ୍ ପହିଲାରେ ଓସାକା ନଗରୀରେ ସେ ସ୍ଥାପନ କରିଛନ୍ତି ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ କ୍ଲବ ।

ଭାବର ଆଦାନପ୍ରଦାନ ନିମିତ୍ତ ଶିକ୍ଷାର ଗୁରୁତ୍ୱ ଏବେ ବେଶ ହୃଦୟଙ୍ଗମ କରିପାରିଛନ୍ତି ଶ୍ରୀକାନ୍ତ । ଦୁଇ ଦେଶର ସାଂସ୍କୃତିକ କାର୍ଯ୍ୟକଳାପର ସେତୁ ରୂପେ କାର୍ଯ୍ୟ କରୁଛି ତାଙ୍କ ଦ୍ୱାରା ପୁରୀରେ ସ୍ଥାପିତ ଚନ୍ଦ୍ରଶେଖର ଏକାଡେମୀ ।

ଜାପାନୀମାନଙ୍କ କଠୋର ପରିଶ୍ରମ ଏବଂ ଦେଶ ପ୍ରତି ସମର୍ପଣ ଭାବକୁ ଭୂୟସୀ ପ୍ରଶଂସା କରୁଥିବା ଶ୍ରୀକାନ୍ତ କହନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱର ଅନ୍ୟତମ ଧନଶାଳୀ ରାଷ୍ଟ୍ରର ମାନ୍ୟତା ତାଲିକାରେ ସ୍ଥାନ ପାଇଥିବା ଜାପାନୀମାନଙ୍କ ଦୂରଦୃଷ୍ଟି କୋଣର ବିକଳ୍ପ ନାହିଁ ।

ଅନୁରୂପ ଶ୍ରମ ଏବଂ ସମର୍ପଣଭାବ ଭାରତୀୟମାନଙ୍କ ହୃଦୟରେ କିଭଳି ଜାଗ୍ରତ ହେବ ସେଥିଲାଗି ବିଗତ କିଛି ବର୍ଷ ହେଲା ସେ ଉଦ୍ୟମ ଚଳାଇ ଆସୁଛନ୍ତି । ଉଦ୍ୟମର ପ୍ରଥମ ପାଦରେ ଜନ୍ମ ନେଇଛି ଗତ ୨୦୦୪ ମସିହା ଜୁଲାଇ ୪ ତାରିଖ ଦିନ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବାଲିଘାଇ ନିକଟରେ ଚନ୍ଦ୍ରଶେଖର ଏକାଡେମୀ ।

ଏହି ଅନୁଷ୍ଠାନକୁ ଯିବା ନିମନ୍ତେ ପୁରୀରୁ ମାତ୍ର ୧୫ ମିନିଟ୍ ତଥା ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ନିକଟରୁ କେବଳ ୪୫ ମିନିଟ୍ ବ୍ୟୟ କରିବାକୁ ପଡୁଛି ।

ଇଂରାଜୀ ଶିଖିବା ଲାଗି ଜାପାନୀମାନେ ମୁଖ୍ୟତଃ ପାଶ୍ଚାତ ରାଷ୍ଟ୍ର ଗୁଡିକ ଉପରେ ନିର୍ଭର କରିଥାନ୍ତି । ତେବେ ଏହି କାର୍ଯ୍ୟ ସକାଶେ ସେମାନଙ୍କୁ ପକେଟରୁ ଅଧିକ ଅର୍ଥ ଶ୍ରାଦ୍ଧ କରିବାକୁ ପଡିଥାଏ । ତେଣୁ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ କ୍ଲବ୍ ଜରିଆରେ ଇଂରାଜୀ ଶକ୍ଷା ନିମିତ୍ତ ଆଗ୍ରହୀ ଜାପାନୀମାନଙ୍କୁ ଗ୍ରୀଷ୍ମ ଓ ଶୀତ ଅବକାଶରେ ଏଠାକୁ ପ୍ରେରଣ କରାଯାଉଛି ।

ଅନ୍ୟପକ୍ଷରେ ଏହାଦ୍ୱାରା ଭାରତ-ଜାପାନ ମଧ୍ୟରେ ବିଦେଶୀ ମୁଦ୍ରାର ଅନୁପାତରେ ଅକ୍ଲେଶରେ ସମନ୍ୱୟ ରକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି କହନ୍ତି ସେ ।

ଏହାଛଡା ସି.ଏସ୍.ଏକାଡେମୀ ଜାପାନୀରେ ଭାଷା ସମ୍ପର୍କରେ ଶିକ୍ଷା ଦେବାପାଇଁ ଏହାର ପରିଚାଳନା ମଣ୍ଡଳୀ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆଗାମୀ ଦିନରେ ଭାରତରେ ଖୋଲିବାକୁ ଯାଉଥିବା ବିଭିନ୍ନ କମ୍ପାନୀମାନଙ୍କରେ ନିଯୁ୍କ୍ତି ପାଇବାର ସୁଯୋଗ ଲାଭ କରିବେ ଏଠାକାର ଶିକ୍ଷାର୍ଥୀଗଣ ।

ସେଭଳି ଜାପାନୀଭାଷା ଏବଂ ବୈଷୟିକ ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷାର୍ଥୀମାନଙ୍କୁ ଅଧିକ ଦକ୍ଷ କରାଇବା ଏବଂ ଉଜ୍ୱଳ ଭବିଷ୍ୟତ ଗଠନ ଲାଗି କିଭଳି ଜାପାନ ପଠା ଯିବାର ବନ୍ଦୋବସ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସି.ଏସ୍.ଏ.ର ସଭାପତି ପନ୍ଥା ଅନ୍ୱେଷଣରେ ଲାଗି ପଡିଛନ୍ତି ।

୫ ଏକର ପରିମିତ ଅଞ୍ଚଳକୁ ନେଇ ଇକୋ-ଫ୍ରେଣ୍ଡଲି ପରିବେଶ ମଧ୍ୟରେ ଗଠିତ ଏହି ଅନୁଷ୍ଠାନରେ ସବୁ ପ୍ରକାରର ଆଧୁନିକ ସୁଖସ୍ୱାଚ୍ଛନ୍ଦ୍ର ରହିଛି । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଅନୁପାତ ହାର ୧:୧୫ ଧାର୍ଯ୍ୟ କରାଯାଇଛି ।

“ପ୍ରତିବର୍ଷ ଥରେ କିମ୍ବା ଦୁଇଥର ଭାରତକୁ ଆସିଥାଏ” ।”ପରିବାରର ସଦସ୍ୟମାନଙ୍କ ସହ ଦିନ କାଟିବା ସହ ବ୍ୟବସାୟ ଏବଂ ଏକାଡେମୀର ଭଲମନ୍ଦ ବୁଝିଥାଏ ବୋଲି କହନ୍ତି ଶ୍ରୀକାନ୍ତ ।

ଗୁଜୁରାଟ ଭୂମିକମ୍ପବେଳେ ଜାପାନରୁ ବିଭିନ୍ନ କିସମର ଲୁଗାପଟା ସଂଗ୍ରହକରି ଭାରତକୁ ନିଜ ଭାଇ,ଭଉଣୀମାନଙ୍କ ଜରିଆରେ ପଠାଇଥିଲେ ସେ ।

ଶ୍ରୀକାନ୍ତଙ୍କ ମତରେ ଭାରତରେ ପ୍ରଚୁର ସମ୍ପଦ ରହିଛି । ଖଣି, ଜଙ୍ଗଲ, ନଦୀ, ନାଳ, ସାଗର ଏବଂ ଲୋକବଳର କୌଣସି ଅଭାବ ନାହିଁ । ତେବେ ଏ ସବୁ ସମ୍ପଦର ସଠିକ୍ ବିନିଯୋଗ ହୋଇପାରୁନାହିଁ । ସମ୍ବଳର ବିନିଯୋଗ ଲାଗି ଆମ ନିକଟରେ ଉଦ୍ୟୋଗ ମଧ୍ୟ ରହିଛି ।

ତେବେ ଏହି ସବୁ କିଭଳି ସଠିକ୍ ମାର୍ଗରେ କାର୍ଯ୍ୟକାରୀ ହେବ ସେଥିପ୍ରତି ଆମ୍ଭେମାନେ ସଚେତନ ହେବା ଏକାନ୍ତ ଜରୁରୀ । ତାଛଡା ଏକତା ହିଁ ପ୍ରତ୍ୟେକ ଶକ୍ତିର ମୂଳ ଆଧାର । ଭାରତକୁ ଧନୀ ଓ ସମୃଦ୍ଧିଶାଳୀ ରାଷ୍ଟ୍ରର ମାନ୍ୟତା ଦେବାପାଇଁ ସମସ୍ତ ଭାରତୀୟ ଗୋଟିଏ ଛାତ ତଳେ ଏକତ୍ରିତ ହେବାର ଆବଶ୍ୟକତା ରହିଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ :

This website uses cookies.