Site icon Odisha.com

ଓଡିଆ ସଂସ୍କୃତି ପ୍ରେମରେ ପଡିଛନ୍ତି ହଲାଣ୍ଡର ପ୍ରଫେସର

ଓଡିଶା ଡଟ୍ କମ୍ : ସ୍ୱସ୍ତି ରଂଜନ ସାହୁ

ଭୁବନେଶ୍ୱର, ଜୁନ୍ ୭ (ଓଡିଶା ଡଟ୍ କମ୍) ଓଡ଼ିଶାରେ ଓଡ଼ିଆ ଭାଷାର ଆଦର ଧିରେ ଧିରେ କମିଯାଉଥିବା ବେଳେ ସୁଦୂର ହଲାଣ୍ଡର ଜଣେ ପ୍ରଫେସର ଡ଼ଃ. ଆର୍ଲୋଗ୍ରୀଫିଥ୍ସ ଓଡ଼ିଆ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ବିଗତ ଛଅ ବର୍ଷ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାଇଁ ବୁଲୁଛନ୍ତି ।

ତାଙ୍କୁ ସାକ୍ଷାତ କରିଥିଲେ ଓଡ଼ିଶା ଡ଼ଟ୍ କମ୍ ର ସମ୍ବାଦଦାତା ସ୍ୱସ୍ତି ରଂଜନ ସାହୁ ।

ଆପଣ ଜଣେ ବିଦେଶୀ ହୋଇ ଓଡିଆ ସାହିତ୍ୟ, ସଂସ୍କୃତି ଉପରେ ଗବେଷଣା କରିବା ଲାଗି କାହିଁକି ସ୍ଥିର କଲେ?

ଓଡିଶା ସାହିତ୍ୟ ଓ ସଂସ୍କୃତିର କ୍ଷେତ୍ର ବ୍ୟାପକ । ତେବେ କୌଣସି ଅଜଣା କାରଣରୁ ବିଶ୍ୱର ଅନ୍ୟାନ୍ୟ ସ୍ଥାନର ଲୋକମାନେ ଭାରତର ଏହି ଅନ୍ୟତମ ସମୃଦ୍ଧ ଭାଷା ବିଷୟରେ ବିଶେଷଭାବେ ଜାଣନ୍ତି ନାହିଁ ।

ଅର୍ଥବ ବେଦ ଉପରେ ଗବେଷଣା କରୁଥିବାବେଳେ ଏହି ବେଦର ପୋଥି କେବଳ ଓଡିଶାରେ ମିଳିବ ବୋଲି ଅବଗତ ହେଲି ଏବଂ ଏହି ସମୟରେ ଏହି ଭାଷାର ଉକ୍ରର୍ଷତା ସମ୍ପର୍କରେ ପ୍ରମାଣ ପାଇ ଏହାର ମୋହରେ ପଡିଗଲି ।

ତେଣୁ ଅଗତ୍ୟା ଲିପିରୁ ଓଡିଆ ଅକ୍ଷର ଶିଖିଲି ଏବଂ ପରେ ପରେ ଏହାର ବ୍ୟାକରଣ ଓ ଜଣେ ଓଡିଆ ବ୍ୟକ୍ତି ଅଭିନ୍ନ ଚନ୍ଦ୍ର ସାହୁଙ୍କ ଠାରୁ ଏ ସମ୍ପର୍କରେ ଅଧିକ ତଥ୍ୟ ଆହରଣ କଲି ।

ବର୍ତ୍ତମାନ ଆପଣଙ୍କ ବିଷୟରେ କିଛି କୁହନ୍ତୁ?

ପେଶାରେ ମୁଁ ଜଣେ ପ୍ରଫେସର । ନାଁ ଡ଼ଃ. ଆର୍ଲୋ ଗ୍ରିଫିଥ୍ସ । ନିଉୟର୍କ ନଗରୀରେ ୧୯୭୬ ମସିହାରେ ଜନ୍ମ ନେଇଥିଲି । ଜନ୍ମ ହେବାର ମାତ୍ର ୬ମାସ ପରେ ଆମ ପରିବାର ସମ୍ପୂର୍ଣ୍ଣଭାବେ ହଲାଣ୍ଡକୁ ଉଠି ଆସିଲୁ ।

ଆପଣଙ୍କ ପରିବାର ବିଷୟରେ କିଛି କହିବେ କି?

ମୋ’ ବାପା ହଲାଣ୍ଡର ବିଶ୍ୱବିଦ୍ୟାଳୟରେ ଆଇନ ବିଷୟରେ ଅଧ୍ୟକ୍ଷତା କରନ୍ତି ଏବଂ ମା’ ଅଦାଲତରେ ବିଚାରପତି ଅଛନ୍ତି । ଦୁଇ ଭାଇ ଓକିଲାତି କରନ୍ତି । ଲାଇଡ଼େନ ବିଶ୍ୱବିଦ୍ୟାଳୟରେ ମୁଁ ସଂସ୍କୃତ ବିଭାଗରେ ପ୍ରଫେସର ଅଛି ।

ବେଦ ଉପରେ ଗବେଷଣା କରିବା ଲାଗି କାହିଁକି ସ୍ଥିର କଲେ?

ପ୍ରକୃତରେ ଅଥର୍ବ ବେଦ ଉପରେ ମୁଁ ଗବେଷଣା କରୁଛି । କାରଣ ସବୁ ବେଦ ଛପା ହୋଇଥିଲା ବେଳେ ଅଥର୍ବ ବେଦ ଛପା ହୋଇନି ।

ଆପଣ ଗବେଷଣା ପାଇଁ ଓଡ଼ିଶାକୁ କଣ ପାଇଁ ବାଛିଲେ?

ଅଥର୍ବ ବେଦ ସାଧାରଣତଃ ଦୁଇ ପ୍ରକାରର । ପଶ୍ଚିମ ଭାରତରେ ଶୌନାକା ଏବଂ ପୂର୍ବ ଭାରତରେ ପଇପଲ୍ଲାଦ ଏବଂ ଏହି ସବୁ ତଥ୍ୟ କେବଳ ଓଡ଼ିଶାରେ ହିଁ ମିଳିପାରିବ ।

ଆପଣ ଏଥିପୂର୍ବରୁ ଓଡ଼ିଶାକୁ କେବେ ଏବଂ କେତେଥର ଆସିଛନ୍ତି?

ପ୍ରଥମେ ୧୯୯୮ ମସିହାରେ ଓଡିଶାର ବାରିପଦା ନିକଟ ଗୋହିଆପାଳ ଗାଁକୁ ଆସିଥିଲି । ସେହି ଗାଁର ଶଶାଙ୍କ ଶେଖର ଉପାଧ୍ୟାୟ ମୋତେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । ଗବେଷଣା କାର୍ଯ୍ୟ ନିମନ୍ତେ ବର୍ତମାନକୁ ମିଶାଇ ମୁଁ ଅନ୍ୟୁନ ୭ରୁ ୮ଥର ଦେଶର ଏହି ପୂର୍ବ ରାଜ୍ୟକୁ ଆସିଅଛି ।

ଆପଣ କେଉଁ ସବୁ ପୁସ୍ତକର ସାହାଯ୍ୟ ନେଉଛନ୍ତି?

ବର୍ତ୍ତମାନ ସୁଦ୍ଧା ମୁଁ କର୍ମ ପଞ୍ଜିକା, ପହିପଲ୍ଲାଦ ସଂହିତା, ମହାଭାରତ, ଓଡ଼ିଆ ସାହିତ୍ୟର ଇତିହାସ ଆଦିର ସାହାଯ୍ୟ ନେଇଛି ।

ଓଡ଼ିଶାର କେଉଁ କେଉଁ ସ୍ଥାନ ବୁଲିଛନ୍ତି?

ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ମୁଁ ମୋର ଗବେଷଣା କରେ । ତେବେ ଓଡ଼ିଶାର ପୁରୀ, କଟକ, ନୟାଗଡ଼, ବାଲେଶ୍ୱର, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ବାରିପଦା ଆଦି ଅଞ୍ଚଳରେ ଆବଶ୍ୟକ ତଥ୍ୟ ସଂଗ୍ରହ ଲାଗି ବ୍ୟାପକଭାବେ ବୁଲିଛି ।

ଓଡିଶା ଡଟ୍ କମ୍

Exit mobile version