ସାଧୁସନ୍ଥଙ୍କ ରାଜନୀତି ପ୍ରୀତି ଦେଶପାଇଁ ଅଶୁଭଙ୍କର  (ସାକ୍ଷାତକାର)

ବଲାଙ୍ଗୀର, ଜୁନ୍ ୧୯ (ଓଡିଶା ଡଟ୍ କମ୍), ଛତିଶଗଡ ରାଜ୍ୟର ରାୟଗଡ ଜିଲ୍ଲା ଅନ୍ତର୍ଗତ ଲୁକାପଡା ଗ୍ରାମରେ ୧୯୫୬ ମସିହା ସେପ୍ଟେମ୍ବର ୧୦ଦିନ ଜନ୍ମଗ୍ରହଣ କରି ୧୯୮୦ରେ ଦେଶର ଅନ୍ୟତମ ଆଧ୍ୟାତ୍ମିକ ଗୁରୁ ପରମହଂସ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ଭାବେ ସେହିବର୍ଷ ମହାଶିବରାତ୍ରୀ ଦିନ ସନ୍ୟାସ ଦୀକ୍ଷା ନେଇଥିବା ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ଓଡ଼ିଶାର ପଛୁଆ ବଲାଙ୍ଗୀର ଜିଲ୍ଲା କୁ ନିଜର କର୍ମକ୍ଷେତ୍ର ଭାବେ ଗ୍ରହଣ କରି ସେଠାରେ ସୃଷ୍ଟି କରିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ସେବା ଓ ସାଧନାର ଏକ ନବଜାଗରଣ ।

ଆଦ୍ୟ ଯୌବନାବସ୍ଥାରେ ପାହାଡ ଜଙ୍ଗଲ ଘେରା ଛତିଶଗଡର ମନୋରମ କୈଳାସନାଥେଶ୍ୱର ଗୁମ୍ଫାରେ ରହି ସଂସ୍କୃତ ଶାସ୍ତ୍ର ଅଧ୍ୟୟନ କରିଥିବା ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ନିଜ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିହାରର ମୁଙ୍ଗେର ଯୋଗ ବିଦ୍ୟାଳୟରେ ଦୀଘ ପାଞ୍ଚ ବର୍ଷ କାଳ ଯୋଗ ସାଧନା କରିଥିଲେ । ଶେଷରେ ତାଙ୍କ ଆର୍ଶୀବାଦପାଇ ମୁଙ୍ଗେର ଛାଡି ଜଣେ ପରିବ୍ରାଜକ ରୂପେ ଭାରତର କୋଣ ଅନୁକୋଣ ଭ୍ରମଣ କରିଥିଲେ ।

ଭ୍ରମଣ ସଂପୂର୍ଣ୍ଣ କରିବାପରେ ବ୍ରହ୍ମାଣ୍ଡ ଠାକୁର ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଥିଲେ । ସେଠାରେ କିଛି ଦିନ ଅବସ୍ଥାନପରେ ଠାକୁର ଜଗନ୍ନାଥ ଏବଂ ମାତା ବିମଳାଙ୍କ ସ୍ୱର୍ଗୀୟ ପ୍ରେରଣା ପାଇ ସେ ଦେଶର ଅନ୍ୟତମ ଅନଗ୍ରସର ଓ ଗରିବ ଅଞ୍ଚଳର ମାନ୍ୟତା ପାଇଥିବା ବଲାଙ୍ଗୀରକୁ ନିଜର କର୍ମସ୍ଥଳୀ ରୂପେ ବାଛି ସେଠାରେ ସେ ୧୯୮୬ରେ ସ୍ଥାପନ କରିଥିଲେ “ବିଶ୍ୱାତ୍ମା ଚେତନା ପରିଷଦ” ।

ପ୍ରଥମେ ଏକ ଭଡ଼ା ଘରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଏବେ ବିସ୍ତାର କରିଛି ତାର ବିଶାଳ କାୟା । ସହରର ଉପକଣ୍ଠରେ ପ୍ରାୟ ୩୦ ଏକର ଜମିରେ ସୃଷ୍ଟି ହୋଇଛି ଆନନ୍ଦ ନିକେତନ ନାମରେ ଏକ ବିରାଟ ଆଶ୍ରମ । ବଲାଙ୍ଗୀର ଜିଲ୍ଲା ସମେତ ଏହାର ପଡ଼ୋଶୀ ପଛୁଆ ଜିଲ୍ଲା ମାନଙ୍କରେ ଶିକ୍ଷାଦାନ ପାଇଁ ସ୍କୁଲ,ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ମାଗଣା ଚିକିତ୍ସା ସମେତ ବିବିଧ କ୍ଷେତ୍ରରେ ନିଜର ପାରଦର୍ଶୀତା ଦେଖାଇ ଏହି ଅନୁଷ୍ଠାନ ସୃଷ୍ଟି କରିଛି ଏକ ନୂତନ ପରିଚୟ ।

ଏହି ଅନୁଷ୍ଠାନ ଗଠନ ପଛରେ ତାଙ୍କର ସ୍ୱପ୍ନ ଓ ବାସ୍ତବତା ତଥା ସମାଜର ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କ ମତାମତ ଜାଣିବା ପାଇଁ ନିକଟରେ ତାଙ୍କୁ ଭେଟିଥିଲେ ଓଡିଶା ଡଟ୍ କମ୍ ପ୍ରତିନିଧି ପ୍ରଶାନ୍ତ ପଣ୍ଡା । ଉକ୍ତ ସାକ୍ଷାତକାରର ମୁଖ୍ୟ ଅଂଶ ।

“ବିଶ୍ୱାତ୍ମା ଚେତନା ପରିଷଦ’ ସ୍ଥାପନ ପଛରେ କି ଉଦ୍ଦେଶ୍ୟ ଅଛି?

ଭାରତବର୍ଷରେ ଅନେକ ସଂସ୍ଥା ଓ ଅନୁଷ୍ଠାନ ଅଛି । କୌଣସି ବ୍ୟକ୍ତି ବିଶେଷ, ସାଧୁସନ୍ଥ ଅଥବା ବଦାନ୍ୟ ବ୍ୟକ୍ତି ଏସବୁ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି ଗଠନ କରିଛନ୍ତି । ତେବେ “ବିଶ୍ୱାତ୍ମା ଚେତନା ପରିଷଦ” ଗଠନ ପଛରେ ରହିଛି ଭାରତୀୟ ପରମ୍ପରା ।

ସଂକ୍ଷିପ୍ତରେ କହିବାକୁ ଗଲେ, ଭାରତୀୟ ଦର୍ଶନର ଆଧାର ହେଉଛନ୍ତି ପରମାତ୍ମା ଏବଂ ଏହି ପରମାତ୍ମା ହେଉଛନ୍ତି ବିଶ୍ୱାତ୍ମାର ସ୍ୱରୁପ । ବିଶ୍ୱାତ୍ମା ଅର୍ଥ ହେଲା ଯିଏ ସମଗ୍ର ବିଶ୍ୱର ଆତ୍ମା ବା ସମଗ୍ର ବିଶ୍ୱ ହେଉଛି ଯାହାର ଆତ୍ମା । ସେହି ପରମାତ୍ମାକୁ ଲକ୍ଷ୍ୟକରି ତତ୍ ସମ୍ବନ୍ଧୀୟ ଚେତନାର ବିକାଶ ଓ ବିସ୍ତାର ଦିଗରେ ପରିଷଦ ଅହରହ ପ୍ରୟାସ ଚଳାଇଛି ।

ବ୍ୟକ୍ତିବାଦୀ ଓ ବସ୍ତୁବାଦୀ ଚେତନା ଅପେକ୍ଷା ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱ ପାଇଁ ଭଗବତ ଚେତନାର ଉପାଦେୟତାକୁ ଲକ୍ଷ୍ୟକରି ଏଭଳି ନାମ କରଣ କରାଯାଇଛି । ଭାରତର ମୁନିଋଷି ମାନଙ୍କର ଚିନ୍ତନ ହେଲା, ସମଗ୍ର ବିଶ୍ୱ ହେଉଛି ଏକ କୁଟୁମ୍ବ,ଏକ ପରିବାର ।

ବିଶ୍ୱରେ ବିଶ୍ୱାତ୍ମା ଭାବ ସୃଷ୍ଟି ହେଲେ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଏବଂ ଦେଶ ଦେଶର ସୀମାରେଖାରୁ ଉଦ୍ଧ୍ୱର୍ରେ ଯାଇ ପରସ୍ପରକୁ ସ୍ନେହ, ପ୍ରେମ ଓ ସହଯୋଗର ହାତ ବଢାଇଲେ ସ୍ୱାର୍ଥର ସଂକୀର୍ଣ୍ଣ ସୀମାରୁ ଚେତନା ବ୍ୟାପକ ସ୍ତରକୁ ଉନ୍ନୀତ ହେବ ତଥା ସମଗ୍ର ବିଶ୍ୱ ଏକ ହେବ ।

ଅର୍ଥନୈତିକ, ସାମାଜିକ, ରାଜନୈତିକ ଆଦି ସମସ୍ୟାର ସମାଧାନ ଅକ୍ଲେଶରେ ହେବ । ବିଶ୍ୱର ମାନବ ସମାଜ ସୁଖ ଓ ସମୃଦ୍ଧି ମାର୍ଗରେ ଆଗେଇ ଯିବେ । ପରିଷଦ ଏ ଦିଗରେ ଉଦ୍ୟମ କରୁଛି । ଭୌତିକ ଓ ଆଧ୍ୟାତ୍ମିକ ଦିଗରେ ସମନ୍ୱୟ ଓ ସନ୍ତୁଳନ ରକ୍ଷା ନିମିତ୍ତ ଚେଷ୍ଟା ଚଳାଇଛି ।

ଗମନାଗମନ, ସେଚ, ସ୍ୱାସ୍ଥ୍ୟ ସର୍ବୋପରି ଶିକ୍ଷାର ବିଶେଷ ସୁବିଧା ସୁଯୋଗ ନଥିବା ବଲାଙ୍ଗିର ଭଳି ଏକ ଆଦିବାସୀ ବହୁଳ ଇଲାକାରେ ପରିଷଦ ଗଠନର ଆବଶ୍ୟକତା କଣ?

ସବୁ ବିଶିଷ୍ଟ ସଂସ୍ଥା ଏବଂ ପ୍ରମୁଖ ବ୍ୟକ୍ତି ବିଶେଷ ବର୍ତ୍ତମାନ ସେମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ଗୁଡିକ ବଡ ବଡ ସହର ଓ ତୀର୍ଥକ୍ଷେତ୍ରରେ ସ୍ଥାପନ କରୁଛନ୍ତି । ଫଳରେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳର ବିକାଶ ସାଧିତ ହେଉଛି । ଅନୁନ୍ନତ ଇଲାକା ଗୁଡିକ ପ୍ରତି ଦୃଷ୍ଟି ଦେବାକୁ ପ୍ରାୟତଃ ସମସ୍ତେ ପଛ ଘୁଞ୍ଚା ଦେଉଛନ୍ତି ।

ମୁନିଋଷିମାନେ ଅତୀତରେ ବଣ, ପାହାଡ ତଥା ଅନୁନ୍ନତ ଅଞ୍ଚଳରେ ରହୁଥିଲେ । ଓଡିଶା ଆସିବାପରେ ପୁରୀଧାମରେ କିଛି ସମୟ ଲାଗି ରହିଥିଲି । ବ୍ରହ୍ମାଣ୍ଡ ଠାକୁରଙ୍କ ପ୍ରେରଣାରେ ବଲାଙ୍ଗିରରେ ବିଶ୍ୱାତ୍ମା ଚେତନା ପରିଷଦର କେନ୍ଦ୍ର ସ୍ଥାପନକରି ତାଙ୍କ ବାଣୀ ପ୍ରଚାରରେ ଲାଗି ପଡିଛି ।

ମଣିଷକୁ ଯେଉଁଠି ତାର ବିକାଶର ସାଧନ ମିଳିଥାଏ, ସେହି ସ୍ଥାନମାନଙ୍କରେ ଆପେ ଆପେ ସୁଯୋଗ ସୃଷ୍ଟି ହୋଇଥାଏ । ଲୋକମାନେ ଖୋଜି ଖୋଜି ସେହି ସ୍ଥାନରେ ପହଞ୍ଚିଥାନ୍ତି । ଅବଶ୍ୟ ବିଶ୍ୱାତ୍ମା ଭାବଧାରାର ପ୍ରଚାର ପ୍ରସାର କରିବା ଲାଗି ବଲାଙ୍ଗିର ଭଳି ଏକ ଅନଗ୍ରସର ଅଞ୍ଚଳରେ ନାନା ସମସ୍ୟାର ସମ୍ମୁଖୀନ ହୋଇଛି ଏବଂ ହେଉଛି ମଧ୍ୟ ।

ବର୍ତ୍ତମାନ ଧିରେ ଧିରେ ଭଗବତ ପ୍ରେରଣାରୁ ଜନଚେତନାର ଆକର୍ଷଣ ସେ ଦିଗକୁ ହେଲାଣି ଏବଂ ଠାକୁରଙ୍କ ଦୟାରୁ ବଲାଙ୍ଗିର ଏକ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିବାକୁ ଯାଉଛି ।

ଭାରତକୁ ସୁଖ, ସମୃଦ୍ଧି ଦେବାଲାଗି ପ୍ରକୃତରେ ଏଭଳି ଅନଗ୍ରସର ଅଞ୍ଚଳମାନଙ୍କରେ ଆଧ୍ୟାତ୍ମିକ ଓ ବୈଷୟିକ ଉଭୟ ଶିକ୍ଷା ଇତ୍ୟାଦିର କେନ୍ଦ୍ର କରାଯିବା ଉଚିତ । ଏହାଦ୍ୱାରା ଗ୍ରାମ୍ୟ ଓ ସହରୀ ସଭ୍ୟତା ମଧ୍ୟରେ ସନ୍ତୁଳିତ ବିକାଶ ସମ୍ଭବ ହୋଇପାରିବ ।

ପରିଷଦ ବର୍ତ୍ତମାନ କ’ଣ ସବୁ କାମ କରୁଛି ଏବଂ ଏହାଦ୍ୱାରା କେଉଁମାନେ ଉପକୃତ ହେଉଛନ୍ତି?

ପରିଷଦ ଗୋଟିଏ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ । ଏହାର ପାଞ୍ଚଟି ମୁଖ୍ୟ ଆଭିମୁଖ୍ୟ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ସେବା ଓ ସାଧନା ।

ସଂସ୍ଥାର ଲକ୍ଷ୍ୟ ହେଲା ମଣିଷ ଶିକ୍ଷିତ ହେଉ, ସୁସ୍ଥ ରହୁ, ପରିଶ୍ରମୀ ହେଉ, କର୍ମଯୋଗୀ ହେଉ ଏବଂ ପରେ ନିଜ ପରିଶ୍ରମ ଦ୍ୱାରା ଉପାର୍ଜିତ ଅର୍ଥରୁ ଲୋକମାନଙ୍କ ସେବାରେ କିଛି ବିନିଯୋଗ କରୁ । ଏଠାରେ ଗୋଟିଏ କଥା ସ୍ପଷ୍ଟ କରି ଦେବାକୁ ଚାହେଁ ଶିକ୍ଷିତ ଅର୍ଥ କେବଳ ସାକ୍ଷର ହୋଇପାରେନା ଏବଂ ଏହାର ଅନେକ ଦିଗ ରହିଛି ।

ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବା ନିମିତ୍ତ ବିଶ୍ୱାତ୍ମା ବିଦ୍ୟା ମନ୍ଦିର ନାମରେ ଏକ ଶିକ୍ଷାନୁଷ୍ଠାନ ବଲାଙ୍ଗିରରେ ସ୍ଥାପନ କରାଯାଇଛି । ଭବିଷ୍ୟତରେ ଏହାକୁ ଆବାସିକ ଗୁରୁକୁଳରେ ରୂପାନ୍ତରିତ କରିବାକୁ ଯୋଜନା ରହିଛି । ଶିକ୍ଷାର୍ଥୀମାନେ ଏଠାରେ ପ୍ରାଚୀନ ବିଦ୍ୟାସହ ଆଧୁନିକ ବିଦ୍ୟା ଶିକ୍ଷା ଗ୍ରହଣ କରିପାରିବେ ।

ଏହାଛଡା ଜଣେ ଭଲ ମଣିଷ ଭାବରେ ନିଜ ନିଜ କ୍ଷେତ୍ରକୁ ଯାଇ ସମାଜରେ ଶିକ୍ଷା ଦେଇପାରିବେ । ସରଳ ଅର୍ଥରେ ଶିକ୍ଷାନୁଷ୍ଠାନର ଅନ୍ୟନାମ ହେଉଛି ମଣିଷ ତିଆରି କାରଖାନା । ପରିଷଦର ସୀମିତ ସମ୍ବଳକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।

ଶିବାନନ୍ଦ ଆରୋଗ୍ୟ ମନ୍ଦିର ନାମରେ ଏକ ହୋମିଓ ଡିସ୍ପେନ୍ସାରୀ କାମ କରୁଛି । ଆୟୁର୍ବେଦ ଚିକିତ୍ସା ବ୍ୟବସ୍ଥା ପ୍ରବର୍ତ୍ତନ ନିମନ୍ତେ ଉଦ୍ୟମ ଚାଲିଛି । ଆଶ୍ରମକୁ ଆସୁଥିବା ଅନ୍ତେବାସୀମାନେ ବିଭିନ୍ନ ସମାଜସେବା କାମ କରୁଛନ୍ତି । ଗୀତା, ଭାଗବତ, ରାମାୟଣ ଏବଂ ଯୋଗ ଶିକ୍ଷା ସାଙ୍ଗକୁ ପ୍ରବଚନ କାର୍ଯ୍ୟକ୍ରମ ଚାଲିଛି ।

ଓଡିଶାରେ ବର୍ତ୍ତମାନ ମୁଖ୍ୟ ସମସ୍ୟା କଣ ଏବଂ ଏହାକୁ କିଭଳି ଉପାୟରେ ଦୂର କରାଯାଇପାରିବ?

ଓଡିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱ ବନ୍ଧୁତ୍ୱର ଏକମାତ୍ର ପ୍ରତୀକ ଦେବତା । ଓଡିଶା ଦିନେ ତାର ସଂସ୍କାର, ସଂସ୍କୃତି, କଳା ଓ ସମୃଦ୍ଧି ଲାଗି ବିଶ୍ୱ ବିଖ୍ୟାତ ଥିଲା । ଆଜି ମଧ୍ୟ ଓଡିଶାରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ ।

ଓଡିଶାକୁ ଆଜି ଆବଶ୍ୟକ ସତଶିକ୍ଷା ସହିତ ସଦ୍ଭାବ । ଓଡିଶାକୁ ଆଧ୍ୟାତ୍ମିକ ଓ ଭୌତିକ ଦିଗରୁ ସମୃଦ୍ଧି କରିବାକୁ ହେଲେ ରାଜ୍ୟର ଯୁବକ ଯୁବତୀମାନେ ସତଶିକ୍ଷା ଦିଆଯିବାସହ ସେମାନଙ୍କ ଭିତରେ କିଭଳି ଅଧିକରୁ ଅଧିକ ଆତ୍ମବିଶ୍ୱାସ ଜାଗ୍ରତ କରାଯିବା ସେଥିପ୍ରତି ଦୃଷ୍ଟି ଦିଆଯିବା ବିଧେୟ ।

ଦେଶର କର୍ଣ୍ଣଧାର ଯୁବକମାନେ ପାଠ ପଢିବାପରେ ବେକାରୀ ସମସ୍ୟା ଯୋଗୁଁ ହତୋତ୍ସାହିତ ହୋଇପଡୁଛନ୍ତି । ଏହି ହୀନମନ୍ୟତାକୁ ତୁରନ୍ତ ଦୂରେଇବାକୁ ହେବ । ଏଥିନିମିତ୍ତ ଶିକ୍ଷାବିତ୍ ଓ ରାଜନେତାମାନଙ୍କୁ ସବୁମନ୍ତେ ପ୍ରୟାସ କରିବାକୁ ପଡିବ । ଆମ ରାଜ୍ୟରେ ସବୁ ଥାଇ ଆମେ ପଛୁଆ ବୋଲି ମାନ୍ୟତା ପାଇଛୁ । ଏଥିପାଇଁ ଆମ ଅଯୋଗ୍ୟତା ହିଁ ଦାୟୀ ।

ଓଡିଶାରେ ମାଓବାଦୀ ସମସ୍ୟାର ସମାଧାନର ପନ୍ଥା କ’ଣ ଓ ସରକାର ଏ ଦିଗରେ କି ପ୍ରକାର ଭୂମିକା ନେବା ଉଚିତ?

ମାଓବାଦୀ ସମସ୍ୟା ସଂପୂର୍ଣ୍ଣଭାବରେ ରାଜନେତାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏକ ରାଜନୈତିକ ସମସ୍ୟା । ବର୍ତ୍ତମାନର ରାଜନେତାମାନଙ୍କର କୁତ୍ସିତ ମନୋବୃତ୍ତି ଏହି ମାଓବାଦୀଙ୍କ ଦ୍ୱାରା ପ୍ରଘଟ ହେଉଛି । ମାଓବାଦୀ ବା ନକ୍ସଲ୍ ଗୋଟିଏ ପଟେ ଏବଂ ସ୍ୱାର୍ଥୀ ଓ ଅବସରବାଦୀ ରାଜନେତାମାନେ ଅପର ପଟେ ରହି ନିରୀହ ଲୋକମାନଙ୍କୁ ଶୋଷଣ କରୁଛନ୍ତି ।

ଏହା ଦେଶର ଦୁର୍ଭାଗ୍ୟ ବୋଲି କହିବାକୁ ହେବ । ଏହି ସମସ୍ୟାର ସମାଧାନ ନିମିତ୍ତ ସମାଜର ବିଚାରକ ଓ ବୁଦ୍ଧିଜୀବୀମାନେ ଆଗେଇ ଆସିବା ଉଚିତ । ତଥାକଥିତ ମାଓବାଦୀମାନେ ଚୀନ କିମ୍ବା ଋଷର ନୁହନ୍ତି । ଏମାନେ ସଂପୂର୍ଣ୍ଣ ଭାରତୀୟ । ତେଣୁ ସେମାନେ ଦେଶର ସାମୂହିକ ବିକାଶ ଲାଗି ସ୍ଥିର ଚିତ୍ତରେ ନିର୍ଣ୍ଣୟ କରିବା ଉଚିତ ।

ସମୟୋଚିତ ଓ ବ୍ୟବହାରିକ ଯୋଜନା ପ୍ରସ୍ତୁତକରି କାର୍ଯ୍ୟକାରୀ କଲେ ମାଓବାଦୀ ଏବଂ ରାଜନୈତିକ ସମସ୍ୟାର ସମାଧାନ ହୋଇପାରିବ ଏହା ନିଃସନ୍ଦେହ । ବର୍ତ୍ତମାନ ଏହା କେବଳ ଓଡିଶାର ସମସ୍ୟା ହୋଇ ରହିନାହିଁ ।

ଓଡିଶାର ସାମ୍ପ୍ରତିକ ଶାସନ ପଦ୍ଧତି ସମ୍ପର୍କରେ ଆପଣଙ୍କ ମତାମତ କଣ?

ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ସମ୍ପର୍କରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁ ନାହିଁ । ରାଜ୍ୟ ଓ ରାଜ୍ୟ ବାହାରେ ଗଣତନ୍ତ୍ର ନାମରେ ଚାଲିଥିବା ସ୍ୱାର୍ଥତନ୍ତ୍ରକୁ ପରମାର୍ଥ ତନ୍ତ୍ରରେ ରୂପାନ୍ତରିତ କରାଯାଇପାରିଲେ ଦେଶ ଓ ଦଶର କଲ୍ୟାଣ ସାଧିତ ହେବ ।

ଓଡିଶାର ସାଂସ୍କୃତିକ ଅବକ୍ଷୟ ପାଇଁ କେଉଁମାନେ ଦାୟୀ ଏବଂ ଏହି ସମସ୍ୟାର ସମାଧାନ କିଭଳି ଭାବେ ହେବ?

ଏହାର ମୂଳକାରଣ ହେଲା, ମଣିଷର ଆକାଂକ୍ଷା ବର୍ତ୍ତମାନ ସୀମାତୀତ ଭାବେ ବଢି ଯାଇଛି । ମଣିଷର ଆଶାକୁ ଉତ୍ତେଜିତ କରିବା ଲାଗି ମାନସିକ ଭାବେ ତା’ର ଅଭାବକୁ ବଢାଇବା ନିମିତ୍ତ ବିଭିନ୍ନ ପ୍ରକାରର ପ୍ରଚାର ମାଧ୍ୟମରେ ମଣିଷ ମନର ଅତୃପ୍ତିକୁ ବଢେଇ ଦିଆଯାଉଛି ।

ମଣିଷର ଅତୃପ୍ତ ବାସନା ବର୍ତ୍ତମାନ ହିଂସା, ମିଥ୍ୟାଚାର, ଧର୍ଷଣ ଓ ଆତ୍ମହତ୍ୟା ଇତ୍ୟାଦି ମାଧ୍ୟମରେ ପ୍ରଘଟ ହେଉଛି । ମଣିଷ ନିଜର ଦୃଷ୍ଟି ଓ ଶ୍ରବଣ ମାଧ୍ୟମରେ ବାହ୍ୟ ଜଗତରୁ ଅନେକ ସଂସ୍କାର ଆହରଣ କରିଥାଏ ।

ବର୍ତ୍ତମାନ ସମସ୍ତ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମ (ଖବରକାଗଜ, ଟେଲିଭିଜନ୍ ଓ ରେଡିଓ) ତଥା ସାହିତ୍ୟ ମାନଙ୍କରେ ଏପରି ସମ୍ବାଦ ଓ ବିଷୟବସ୍ତୁ ଉପସ୍ଥାପିତ କରାଯାଉଛି ଯାହା ଦେଖି, ଶୁଣି ଏବଂ ପଢି ମଣିଷ ସେହିଭଳି ଆଚରଣ ପ୍ରଦର୍ଶନ କରୁଛି । ତେଣୁ ତୁରନ୍ତ ଏସବୁର ନିୟନ୍ତ୍ରଣ ହେବା ଉଚିତ ।

ହିଂସା, ଦ୍ୱେଷ, ପରଶ୍ରୀକାତରତା ବର୍ତ୍ତମାନ ସମାଜରେ ବଢି ଚାଲିବାର କାରଣ କଣ?

ପାଶ୍ଚାତ ଜଗତର ପ୍ରଭାବରେ ପ୍ରଭାବିତ ହୋଇ ଆମେ ନିଜର ଗୌରବମୟୀ ପରମ୍ପରାକୁ ନଷ୍ଟ କରିବାରେ ଲାଗିଛୁ । ଏହାଦ୍ୱାରା ଭବିଷ୍ୟତରେ ମଣିଷ ସମାଜ ଭୟଙ୍କର ମାନସିକ ସମସ୍ୟାର ସମ୍ମୁଖୀନ ହେବ । ସ୍ନେହ, ପ୍ରେମ, ଶ୍ରଦ୍ଧା ଦେଖାଇବା ପାଇଁ ରହିଯିବ । ବ୍ୟକ୍ତି ଆତ୍ମକେନ୍ଦ୍ରିକ ହେବ । ଏଣୁ ଏହି ଦିଗକୁ ଅଗ୍ରସର ହେଉଥିବା ଭାରତବର୍ଷକୁ ସତର୍କତାର ସହ ରୋକିବାକୁ ପଡିବ ।

ବର୍ତ୍ତମାନ ସମାଜ ପାଇଁ ଯୁଗ୍ମ ନା ଏକକ ପରିବାରର ଆବଶ୍ୟକତା ରହିଛି?

ଭାରତୀୟ ପରମ୍ପରାରେ ବହୁ ପୂର୍ବରୁ ଯୌଥ ପରିବାର ବ୍ୟବସ୍ଥାକୁ ସ୍ୱୀକୃତି ମିଳିଛି । ବର୍ତ୍ତମାନ ପରିସ୍ଥିତିରେ ଆମେ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ । ତଦ୍ୱାରା ସମାଜରେ ପ୍ରେମ, ସ୍ନେହ, ସହୃଦୟତା ଏବଂ ପରସ୍ପର ମଧ୍ୟରେ ସହାନଭୂତି ବଢିବ ।

ବର୍ତ୍ତମାନ ସମାଜରେ ସାମାଜିକ ଅବକ୍ଷୟ କାହିଁକି ବଢି ଚାଲିଛି?

ବର୍ତ୍ତମାନ ସମାଜ ଅତି ଭୌତିକବାଦୀ ହୋଇ ମାନବୀୟ ମୂଲ୍ୟବୋଧଠାରୁ ଧିରେ ଧିରେ ଦୂରେଇ ଯିବାରେ ଲାଗିଛି । ଅର୍ଥ ଉପାର୍ଜନ, କ୍ଷମତା, କାମ ଏବଂ ଉପଭୋଗ ଲାଗି ଯେ କୌଣସି ଅନୈତିକ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉନାହିଁ । ବର୍ତ୍ତମାନର ମଣିଷକୁ ଭୌତିକ ସମୃଦ୍ଧି ସାଙ୍ଗକୁ ଆତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ବିକଶିତ ହେବା ପାଇଁ ଚେଷ୍ଟା କରିବା ଉଚିତ ।

ଅସନ୍ତୋଷ, ଅତୃପ୍ତି ସ୍ଥାନରେ ସନ୍ତୋଷ ଏବଂ ତୃପ୍ତି ଆଣିବା ଉଚିତ । ଯେହେତୁ ସମାଜରେ ଭୋଗବାଦର କୌଣସି ସୀମା ନାହିଁ । ନିଜକୁ ଭଗବାନଙ୍କର ଏକ ନିମିତ୍ତ ବିଚାରକରି ନିଜର ସମସ୍ତ ପ୍ରକାରର କର୍ମକୁ ଭଗବତ ପ୍ରେରଣାଭାବେ ଗ୍ରହଣକରି ନିଜ କଲ୍ୟାଣ, ନିଜ ପରିବାର ଓ ସମାଜର କଲ୍ୟାଣ ସହିତ ନିଜ ରାଷ୍ଟ୍ର ତଥା ସମଗ୍ର ବିଶ୍ୱର କଲ୍ୟାଣ ନିମିତ୍ତ କାର୍ଯ୍ୟ କରିବା ଉଚିତ ।

ପ୍ରେମ ବିବାହ ଓ ପ୍ରସ୍ତାବ ବିବାହ ମଧ୍ୟରୁ ବର୍ତ୍ତମାନ ସମାଜ ନିମନ୍ତେ କେଉଁ ଗୋଟିକ ଉପଯୁକ୍ତ?

ପ୍ରେମ ବିବାହ ଏବଂ ପ୍ରସ୍ତାବ ବିବାହ ଉଭୟର ଦୋଷଦୁର୍ଗୁଣ ରହିଛି । ଉଦାହରଣ ସ୍ୱରୁପ ପ୍ରେମ ବିବାହରେ ମାନସିକ ଆବେଗ, ଆର୍ଥିକ ଆବେଗ, ଦୈହିକ ଆବେଗ ଯଦି ରହିଥାଏ ତେବେ ଏହା ଗର୍ହିତ ଏବଂ ଅସଫଳ ହୋଇଥାଏ । ଏହାଛଡା ସମାଜ ନିମନ୍ତେ କଳଙ୍କର କାରଣ ହୋଇଥାଏ ।

ପ୍ରସ୍ତାବ ବିବାହ ପଛରେ ବାଳବିବାହ ଭଳି କୁପ୍ରଥା ଜଡିତ ରହିଛି । ଶିକ୍ଷିତ, ବୟସ୍କ ପୁଅ, ଝିଅଙ୍କୁ ପରସ୍ପରକୁ ବୁଝିବାର ସୁଯୋଗ ନଦେଇ ବିବାହ ନିମନ୍ତେ ବାଧ୍ୟ କରାଯିବା ଅନୁଚିତ । ତେଣୁ ଏ କ୍ଷେତ୍ରରେ ସମାଜ ସୁଧାରକମାନେ ବିଶେଷ ବ୍ୟବସ୍ଥା କରିବା ଆବଶ୍ୟକ ।

ଦେଶର ବିଭିନ୍ନ ଅଞ୍ଚଳରେ ସମ୍ପ୍ରତି ଦେଖାଦେଇଥିବା ଉଗ୍ରବାଦକୁ କିଭଳି ସମାଧାନ କରାଯାଇ ପାରିବ?

କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଉଗ୍ରବାଦ ଏବେ ମୁଖ୍ୟ ସମସ୍ୟା । ସବୁ ସ୍ଥାନରେ ଧର୍ମ ନାମରେ ବର୍ତ୍ତମାନ ଧର୍ମାନ୍ଧତା ଚାଲିଛି । ଯଦିଓ ସବୁ ଧର୍ମରେ ଇଶ୍ୱରଙ୍କ ସତ୍ତାକୁ ସମସ୍ତେ ସ୍ୱୀକାର କରନ୍ତି କିନ୍ତୁ ଧର୍ମ ସମ୍ବନ୍ଧୀୟ ଧାରଣାକୁ ଯେତେବେଳେ ଅର୍ଥ, କାମ ଓ ଅଧିକାର ପାଇଁ ପ୍ରୟୋଗ କରାଯାଏ ସେତେବେଳେ ଗୋଷ୍ଠୀ ଭିତରେ ସଂଘର୍ଷ ନିଶ୍ଚିତ ।

ଭାରତ ଏବଂ ଭାରତ ବାହାରେ ଅତୀତରେ ଧର୍ମକୁ ଆଧାରକରି ଶାସନ ବ୍ୟବସ୍ଥାର ବିସ୍ତାର ଲାଗି ଶାସକମାନେ ଉଦ୍ୟମ କରିଛନ୍ତି । ଆଜି ମଧ୍ୟ ଧର୍ମକୁ ଆଧାରକରି ସାମାଜ୍ର୍ୟବାଦୀ ଶକ୍ତି ଗୁଡିକ ନିଜ ସୀମାରେଖାକୁ ବଢାଇବାରେ ଲାଗିପଡିଛନ୍ତି । ଯେଉଁଥିପାଇଁ ଧର୍ମାନ୍ତକରଣ ଏକ ମୁଖ୍ୟ ଆୟୁଧ ହୋଇଛି ।

ସମଗ୍ର ବିଶ୍ୱ କେତେବେଳେ ହେଲେ ଗୋଟିଏ ଧର୍ମରେ ଦୀକ୍ଷିତ ହୋଇପାରିବ ନାହିଁ । ବିଭିନ୍ନତା ନିଶ୍ଚିତଭାବେ ରହିବ । ବିଭିନ୍ନତା ହେଉଛି ପ୍ରକୃତିର ବରଦାନ । ତେବେ ବ୍ୟବହାରରେ ଭିନ୍ନତା ରହିଥିଲେ ହେଁ ଆତ୍ମିୟତା ଦୃଷ୍ଟିରୁ ଏକ ହୋଇପାରିବା ଏବଂ ତାହା ସମ୍ଭବ ମଧ୍ୟ ।

ଗୋଷ୍ଠୀବାଦ, ସାମ୍ପ୍ରଦାୟିକବାଦ, ଧର୍ମାନ୍ଧତା ଓ ଧର୍ମାନ୍ତରୀକରଣ ବା ନାସ୍ତିବାଦର ବିଚାର ଦ୍ୱାରା ଆମେ ବର୍ତ୍ତମାନ ବିଶ୍ୱକୁ ସୁଖ, ଶାନ୍ତି, ସମୃଦ୍ଧି ଦେଇ ପାରିବା ନାହିଁ । ତେଣୁ ଯିଏ ଯେଉଁଠି ଥାଉନା କାହିଁକି ସମସ୍ତେ ଆଜି ସମଗ୍ର ବିଶ୍ୱକୁ ଆଖି ଆଗରେ ରଖି ଧର୍ମ ଓ ଆଧ୍ୟାତ୍ମର ବିଶ୍ଳେଷଣ କରିବା ଉଚିତ । ଅନ୍ୟପକ୍ଷରେ ଧର୍ମକୁ କଦାପି ରାଜନୈତିକ ଉଦ୍ଦେଶ୍ୟରେ ପ୍ରୟୋଗ କରିବା ଅନୁଚିତ ।

ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପି ସଭାପତି ଲାଲକୃଷ୍ଣ ଆଡଭାନୀ ପାକିସ୍ତାନର ମହମ୍ମଦ ଜିନ୍ନାଙ୍କୁ ଧର୍ମ ନିରପେକ୍ଷତାର ପ୍ରତୀକଭାବେ ବର୍ଣ୍ଣନା କରିବା ଆପଣଙ୍କ ମତରେ କେତେଦୂର ସମୀଚିନ?

ଭାରତୀୟ ରାଜନୀତି ଓ ରାଜନେତାମାନେ ବିଭିନ୍ନ ଅବସରକୁ ଦେଖି ସୁହାଇଲାଭଳି କଥା କହିବାରେ ସିଦ୍ଧହସ୍ତ । ଆଡଭାନୀ ନିକଟରେ ଯାହା ପାକିସ୍ତାନରେ କହିଲେ, ତାଙ୍କ ଦଳ ଅତୀତ କିମ୍ବା ବର୍ତ୍ତମାନ ସମୟରେ ତାହା କେଉଁଠି କହିନଥିଲା ।

ଅନ୍ୟପକ୍ଷରେ ଆଡଭାନୀ ନିଜେ କହୁଛନ୍ତି, ସେ ରଙ୍ଗନାଥାନନ୍ଦଜୀଙ୍କ ପୁସ୍ତକକୁ ପଢି ଏକଥା କହିଛନ୍ତି । ଯାହା ବୁଝା ପଡୁଛି ଏହା ଏକ ବିଭ୍ରାନ୍ତିକର ମନ୍ତବ୍ୟ । ଯାହାର ଅର୍ଥ ଦୁଇ ଦିଗରୁ ବାହାରି ପାରିବ ।

ସମାଜରେ ବର୍ତ୍ତମାନ ସାଧୁସନ୍ଥମାନଙ୍କର ଭାବମୂର୍ତ୍ତୀ କାହିଁକି ଖରାପ ହେବାରେ ଲାଗିଛି?

ସାଧୁସନ୍ଥମାନଙ୍କର ମୌଳିକ କର୍ତ୍ତବ୍ୟ ହେଲା ଭଗବତ୍ ଧର୍ମର ପ୍ରଚାର, ଆଧ୍ୟାତ୍ମିକତାର ପ୍ରଚାର, ଲୋକଙ୍କ ମନକୁ ସଜାଡିବା । ତେବେ ସାଧୁସନ୍ଥମାନେ ଯଦି ସ୍ୱେଚ୍ଛାସେବୀ ସଙ୍ଗଠନ କାର୍ଯ୍ୟରେ ମାତିବେ, ରାଜନୀତିରେ ପାଦ ଥାପିବେ, ଆତ୍ମକେନ୍ଦ୍ରିକ ହୋଇ ନିଜ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରିବେ, ବିଭିନ୍ନ ଗଣ ମାଧ୍ୟମକୁ ଉପଯୋଗ କରିବେ, ଅର୍ଥ ସଂଗ୍ରହରେ ମନୋନିବେଶ କରିବେ ତାହାହେଲେ ଆଧ୍ୟାତ୍ମିକ ଜଗତରେ ଫାଟ ସୃଷ୍ଟି ହେବ ।

ସାଧୁସନ୍ଥମାନେ ଦେଶର ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେବା ମୋ’ ଦୃଷ୍ଟିରେ ଠିକ୍ ନୁହେଁ । ବର୍ତ୍ତମାନ ସେମାନେ ରାଜ୍ୟସଭା ଓ ଲୋକସଭାରେ ବସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାଦ୍ୱାରା ସମାଜରେ ଭ୍ରଷ୍ଟାଚାର ଏବଂ ବ୍ୟଭିଚାର ବଢିବାରେ ଲାଗିଛି । ମୋଟାମୋଟି କହିବାକୁ ଗଲେ ଏହା ଆମ ଦେଶ ଲାଗି ଅଶୁଭଙ୍କର ।

ଆପଣଙ୍କ ସାଧନା ଏବଂ ବାର୍ତ୍ତାର ଲୋକମାନଙ୍କ ଉପରେ କିଛି ପ୍ରଭାବ ପଡୁଛି କି?

ନିଶ୍ଚିତଭାବେ ସୁଫଳ ମିଳୁଛି । ସମଗ୍ର ମାନବ ସମାଜର କଲ୍ୟାଣ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । କୌଣସି ବିଚାରଧାରାରେ ପ୍ରଭାବିତ ନହୋଇ ବାର୍ତ୍ତା ଦେଉଛି । ପ୍ରେମ ସାର୍ବଜନୀନ । ଭାରତୀୟ, ଆମେରିକୀୟ, ଜାପାନୀ ସମସ୍ତଙ୍କ ଲାଗି ପ୍ରେମର ସ୍ୱରୂପ ଏକ ।

ତେଣୁ ସତ୍ୟ, ନ୍ୟାୟ ଏବଂ ପାରସ୍ପରିକ ସହଯୋଗ ନିମିତ୍ତ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ଆମେରିକୀୟ, ଭାରତୀୟ ବ୍ୟବାହାରିକ କୋଣରୁ ଫରକ ରହିବା ସ୍ୱାଭାବିକ । ତେଣୁ ଏହି ଭିନ୍ନତାକୁ ଆମକୁ ସ୍ୱୀକାର କରିବାକୁ ହେବ ।

ମଣିଷ ମାତ୍ରକେ ମାନବୀୟ ଆବଶ୍ୟକତା ସବୁଠି ସମାନ ଏବଂ ସେହି ଆବଶ୍ୟକତାକୁ ପୂରଣ କରିବା ଲାଗି ବର୍ତ୍ତମାନ ସମଗ୍ର ବିଶ୍ୱକୁ ନିରପେକ୍ଷ ଓ ସର୍ବ କଲ୍ୟାଣକାରୀ ଦର୍ଶନ ବା ସିଦ୍ଧାନ୍ତ ନେବାକୁ ହେବ ।

ଭାରତର ଯାହା ଭଲ ଗୁଣ ରହିଛି ତାହାର ପ୍ରଚାର କରାଯିବାସହ ବିଦେଶୀମାନଙ୍କ ନିକଟରେ ରହିଥିବା ସୁଗୁଣ ସବୁକୁ ବିନା ଦ୍ୱିଧାରେ ଆହରଣ କରାଯିବା ଜରୁରୀ । ତାହାହେଲେ ଆଗାମୀ ଦିନରେ ସମଗ୍ର ବିଶ୍ୱରେ ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇପାରିବ ।

ଓଡିଶା ଡଟ୍ କମ୍