ଓଡିଶା ନ୍ୟୁଜ/ Odisha News
ସାକ୍ଷାତକାର

ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେଲେ ଓଡିଶାର ବିକାଶ ହେବ

ଭୁବନେଶ୍ଵର,ଜୁନ ୨୬ (ଓଡିଶା ଡଟ୍ କମ୍)ଚୀନର ସଂଘାଇ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଓ ଆମେରିକାର ଟ୍ରୟ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡ କଉଣ୍ଟ୍ରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଓଡ଼ିଶାର ଡ଼ଃ. କୁମାର ଦାସଙ୍କ ସହ ଏକ ସାକ୍ଷାତକାର

ଡ଼ଃ. କୁମାର ଦାସ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଜଣେ ବରିଷ୍ଠ ପ୍ରଫେସର । ସିନେଟ ସଦସ୍ୟ, ବୋର୍ଡ ଅଫ୍ ଷ୍ଟଡିଜ୍, ତଥା ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍ ଇକୋନମିକ୍ସ ବିଭାଗର ମୁଖ୍ୟ ପଦବୀରେ କାର୍ଯ୍ୟ କରି ଆସିଥିବା ଦାସ ବିଶ୍ୱବିଦ୍ୟାଳୟରୁ ସାମୟିକ ଛୁଟି ନେଇ ଚୀନର ସଂଘାଇ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଓ ଆମେରିକାର ଟ୍ରୟ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡ କଉଣ୍ଟ୍ରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍ କୁ ନିକଟରେ ଓଡ଼ିଶା ର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଦେଇଥିବା ଏକ ସାକ୍ଷାତକାର ର ମୁଖ୍ୟ ଅଂଶ ।

ଓଡିଶାର ଆର୍ଥିକ ଦୁର୍ଦ୍ଧଶା ସମ୍ପର୍କରେ ସମସ୍ତେ ଆଲୋଚନା କରୁଛନ୍ତି । ବାସ୍ତବରେ ଏହି ସମସ୍ୟାର ମୂଳ ମଞ୍ଜି କେଉଁଠି?

ଆର୍ଥିକ ଅନିୟମିତତା ଏବଂ ଅତୀତରେ ଉଚ୍ଚ ସ୍ତରରେ ହୋଇଥିବା ଦୁର୍ନୀତି ହିଁ ଆଜି ପ୍ରାକୃତିକ ସମ୍ପଦରେ ଭରା ଓଡିଶା ପାଇଁ ଦୁର୍ଦ୍ଧଶାର କାରଣ ବୋଲି ମୋର ଦୃଢ ବିଶ୍ୱାସ । ଦୂରଦୃଷ୍ଟି ଏବଂ ମୁଖ୍ୟ ସମସ୍ୟାକୁ ବୁଝିବାର ଦକ୍ଷତାର ଅଭାବ ମଧ୍ୟ ଆମ ଭିତରେ ରହିଛି ।

ଯେଉଁମାନେ ରାଜ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ସମ୍ବେଦନଶୀଳ ନୁହନ୍ତି । ଓଡିଶାବାସୀ ପ୍ରତିବାଦର ସ୍ୱର ଉତ୍ତୋଳନ କରନ୍ତିନି । ଏତିକି ନୁହେଁ ସେମାନେ ଆବଶ୍ୟକତାଠାରୁ ଅଧିକ ସରଳ ।

ରାଜ୍ୟର ଦୃତ ଆର୍ଥିକ ଅଭିବୃଦ୍ଧି ନିମିତ୍ତ ଆପଣଙ୍କ ମତରେ କେଉଁ ଉଦ୍ୟୋଗକୁ ଅଧିକ ପ୍ରାଧାନ୍ୟତା ଦିଆଯିବା ଆବଶ୍ୟକ?

ଖଣି, ସାମୁଦ୍ରିକ ଏବଂ ଜଙ୍ଗଲ ଭିତ୍ତିକ କାର୍ଯ୍ୟକଳାପ ସାଙ୍ଗକୁ କୃଷିକୁ ଅଧିକ ଗୁରୁତ୍ୱ ଦିଆଯିବା ନିହାତି ଜରୁରୀ । ଆଖିଦୃଶିଆ ବିକାଶ ସକାଶେ ଅର୍ଥପୂର୍ଣ୍ଣ ଶିକ୍ଷା ତଥା ସ୍ୱାସ୍ଥ୍ୟ ଉଦ୍ୟୋଗର ସଂସ୍କାର ଆବଶ୍ୟକ ।

ରାଜ୍ୟର ସାମ୍ପ୍ରତିକ ଆର୍ଥିକ ଦୁର୍ଦ୍ଧଶା ନିମନ୍ତେ ଆପଣ କାହାକୁ ଦାୟୀ କରିବେ ଏବଂ କାହିଁକି?

ଦାୟିତ୍ୱ ଦୃଷ୍ଟିରୁ, ତିନି ଶ୍ରେଣୀର ନାଗରିକଙ୍କୁ ଦାୟୀ କରିବି । ସବୁ ଜାଣି ବି କିଛି ନଜାଣିବାର ଅଭିନୟ କରୁଥିବା ବ୍ୟୁରୋକ୍ରାଟ ଗୋଷ୍ଠୀ ହେଲେ ପ୍ରଥମ, ସମ୍ବେଦନହୀନ ଜୀବ ଭାବେ ପରିଚିତ ରାଜନୀତିଜ୍ଞ ଦ୍ୱିତୀୟ ଏବଂ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେଉଥିବା ଶିକ୍ଷିତ ଓ ପେଶାଦାର ଗୋଷ୍ଠୀ ତୃତୀୟ ।

ଅନ୍ୟ ଦେଶ ଓ ରାଜ୍ୟର ଯୋଜନା ପ୍ରକ୍ରିୟାରେ ଶିକ୍ଷାବିତମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଏ କ୍ଷେତ୍ରରେ କାହିଁକି ପଛରେ ପଡିଛନ୍ତି ଓ ଏଥିଲାଗି ଦାୟୀ କିଏ?

ଅତୀତରେ ନିସ୍କ୍ରିୟତାର ପ୍ରଭାବ ବର୍ତ୍ତମାନ ସମଗ୍ର ରାଜ୍ୟରେ ଅନୁଭୂତ ହେଉଛି । ରାଜ୍ୟର ପ୍ରଶାସକ ଏବଂ ଶାସନ ବ୍ୟବସ୍ଥାକୁ ଦୁଷ୍କର୍ମ ଓ ସାମନ୍ତବାଦ ପ୍ରଥା ଏବେ ମଧ୍ୟ ଆଚ୍ଛାଦିତ କରି ରଖିଛି । ଇ-ଗଭର୍ଣ୍ଣାନ୍ସ ଆରମ୍ଭକରି ଆମେ ଅତ୍ୟନ୍ତ ବୁଦ୍ଧିଆ ବୋଲି ଦାବି କରୁଛୁ ।

ତେବେ ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କ ସମ୍ପୃକ୍ତିର ସ୍ୱପ୍ନ ଅଦ୍ୟାବଧି ସାକାର ହୋଇପାରିନାହିଁ । ଶିକ୍ଷାବିତମାନଙ୍କୁ ଗୋଟିଏ କାରଖାନାର କର୍ମଚାରୀ କିମ୍ବା ବେତନପ୍ରାପ୍ତ ଶିକ୍ଷକ ନତୁବା ସ୍ୱରହୀନ ଚାକର ବୋଲି ବିବେଚନା କରାଯାଉଛି ।

ବିଶ୍ୱବିଦ୍ୟାଳୟ ଗୁଡିକ ସଂକୁଚିତ ହୋଇ ଟିଉଟୋରିଆଲ୍ କଲେଜରେ ପରିଣତ ହୋଇଛି । ସ୍ୱୟଂ ଶାସିତ କଲେଜ ଓ ଡିମ୍ ବିଶ୍ୱବିଦ୍ୟାଳୟ ଗୁଡିକ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣଭାବେ ନଷ୍ଟ କରି ସାରିଲେଣି । ବୟସ୍କ, ଅବସରପ୍ରାପ୍ତ ପ୍ରଫେସର ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଅବହେଳା କରାଯାଉଛି ।

ଅଗ୍ରଣୀ ସମାଜରେ ପ୍ରଫେସରମାନଙ୍କୁ ସର୍ବୋଚ୍ଚ ଆସନ ମିଳିଥାଏ । ବୟସ ବିଚାରକୁ ନନେଇ ସେମାନଙ୍କ ଜ୍ଞାନ ଓ ଅଭଜ୍ଞତାକୁ ସରକାର ସମାଜ ବିକାଶ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ସମାଜ ସକାଶେ ଗୋଟିଏ ଡାକ୍ତରର ଭୂମିକା ଯାହା ସୂକ୍ଷ୍ମଭାବେ ବିଚାର କଲେ ଜଣେ ପ୍ରଫେସରର ଅବଦାନ ମଧ୍ୟ ତତୁଲ୍ୟ ।

ଶିକ୍ଷାବିତମାନଙ୍କୁ ଗଠନମୂଳକ କାର୍ଯ୍ୟରେ ବିନା ଦ୍ୱିଧାରେ ନିୟୋଜିତ କରାଯାଇପାରିବ । ତେବେ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଆମ ରାଜ୍ୟରେ ଏଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ ।

ଦେଶର ଏକ ନମ୍ବର ରାଜ୍ୟ ରୂପେ ଓଡିଶାକୁ ଗଢି ତୋଳିବା ଲାଗି ଆପଣଙ୍କର କୌଣସି ନିର୍ଦ୍ଧିଷ୍ଟ ଦୃଷ୍ଟିକୋଣ ଅଛି କି?

ଏ ଦିଗରେ ମୁଁ ବ୍ୟକ୍ତିଗତଭାବେ ସଂପୂର୍ଣ୍ଣ ଆଶାଶୂନ୍ୟ । ନିଜର ସକରାତ୍ମକ ଚିନ୍ତାଧାରା ରହିଛି ବୋଲି କଦାପି ଛଳନା କରିବି ନାହିଁ । ଜଣେ ରାଜନେତା କିମ୍ବା ବ୍ୟୁରୋକ୍ରାଟ ଭଳି କିଛି କହିବି ନାହିଁ । ବାସ୍ତବ କଥା ବିଚାର କରିବା । ଦେଶର ଏକ ନମ୍ବର ରାଜ୍ୟ ହୋଇଯିବୁ ଭାବିବା କେବଳ ମରୀଚିକା ତୁଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସରଳ ଭାଷାରେ କହିବାକୁ ଗଲେ, ଏଭଳି ଚିନ୍ତା କରିବା କେବଳ ଅତ୍ୟଧିକ ଆଶାବାଦୀ ବୋଲି କୁହାଯିବ ନାହିଁ ବରଂ ଲଜ୍ୟାକର ବିଷୟ ମଧ୍ୟ । ବର୍ତ୍ତମାନର ପରିସ୍ଥିତି ବଦଳାଇ ଦେବାପାଇଁ ଆମେ ରାଜ୍ୟବାସୀ ଯଦି ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେବା ତେବେ ପରିସ୍ଥିତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ପ୍ରଥମେ ଆମେ ଆମର ମୌଳିକ ସମସ୍ୟା ଗୁଡିକର ସମାଧାନ ନିମିତ୍ତ ଉଦ୍ୟମ କରିପାରିଲେ ରାଜ୍ୟର ଦାରିଦ୍ର୍ୟ ମାନଚିତ୍ର ଆସ୍ତେ ଆସ୍ତେ ବଦଳିବ । ଗ୍ରାମ୍ୟ ଅର୍ଥନୀତି, ଗ୍ରାମ୍ୟ ଜୀବିକା ପଦ୍ଧତି, ସେଚ, ଅଣ କୃଷି ଉଦ୍ୟୋଗର ବିକାଶ ସାଧିତ ହୋଇପାରିଲେ ଆମେ ଅନେକ ବାଟ ଅଗ୍ରସର ହୋଇପାରିବା ।

ନଚେତ ଉପରେ ସମୃଦ୍ଧିର ଲକ୍ଷଣ ଦିଶିଲେ ମଧ୍ୟ ଭିତରେ ଫମ୍ପା ହୋଇ ରହିଥିବା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ଓଡିଶା ଡଟ୍ କମ୍

Leave a Reply

This site uses Akismet to reduce spam. Learn how your comment data is processed.