ଆଦିବାସୀଙ୍କ ପେଟ ପୁରିଲେ ରହିବ ନାହିଁ ଜଙ୍ଗଲ ସମସ୍ୟା

ଭୁବନେଶ୍ଵର,ଜୁନ ୨୬ (ଓଡିଶା ଡଟ୍ କମ୍), ରାଉରକେଲା ଆର୍ଇସିରୁ ଇଲେକ୍ଟି୍ରକାଲ୍ ଇଂଜିନିୟରିଂରେ ଟପ୍ପର ହେବାପରେ ଦେଶର ସମ୍ମାନଜନକ ଆଇଆଇଏସ୍ ରୁ କୃତିତ୍ୱରେ ସହ ଏମଟେକ୍ ଡିଗ୍ରୀ ହାସଲ କରିଥିବା ଓଡିଶାର ଆଦିବାସୀ ଯୁବକ ବୈଦ୍ୟନାଥ ସିଂ ନିଜ ଗ୍ରାମବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ବିଷୟରେ ଆଧୁନିକ ଜ୍ଞାନକୌଶଳ ଯୋଗାଇ ଦେବାସହ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି । କେଉଁ ପରିସ୍ଥିତିରେ ଏବଂ କିଭଳି ସମାଜସେବା କ୍ଷେତ୍ରକୁ ବୈଦ୍ୟନାଥ ଆସିଲେ ତାହା ଜାଣିବା ଲାଗି ଉଦ୍ୟମ କରିଥିଲେ ଆମ ପ୍ରତିନିଧି ପ୍ରଶାନ୍ତ ପଣ୍ଡା ।

ଆପଣଙ୍କ ନିଜ ଭିଟାମାଟି, ଶିକ୍ଷା ଓ ପରିବାର ଆଦି ସମ୍ପର୍କରେ କିଛି କହିବେ କି ?

ମୟୁରଭଞ୍ଜର ବାରିପଦାଠାରୁ ପ୍ରାୟ ୭୫ କିଲୋମିଟର ଦୂର କପ୍ତିପଦା ନିକଟ ଶରତ ଗାଁରେ ୧୯୭୫ ମସିହା ଏପ୍ରିଲ୍ ମାସ ୧୬ ତାରିଖ ଦିନ ମୋର ଜନ୍ମ । ଗାଁ ପାଖ ଗୋଡିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପାଇଲି ।

ହାଇସ୍କୁଲ ଶିକ୍ଷା ଲାଗି ନିଜ ଜନ୍ମସ୍ଥାନଠାରୁ ଅନ୍ୟୁନ ୪୦ କିଲୋମିଟର ଦୂର କେନ୍ଦୁଝର ଜିଲ୍ଲାର କୁଆଁମରା ଗଲି ଏବଂ ହଷ୍ଟେଲରେ ରହିଲି । ଘରେ ଧାନ ଚାଉଳର ଅଭାବ ନଥିଲେ ହେଁ ଟଙ୍କାପଇସା କଥା ପଡିଲେ ବାପା ମାଙ୍କ ଦେହରୁ ପରସ୍ତେ ଝାଳ ବୋହି ପଡୁଥିଲା ।

ହଷ୍ଟେଲ୍ର ମେସ୍ ଖର୍ଚ୍ଚ ତୁଲାଇବା ଲାଗି ପ୍ରତି ରବିବାର ଦିନ ଉଦଳା ହାଟରୁ କିଛି ବିଭିନ୍ନ ସାମଗ୍ରୀ ଆଣି ଗାଁରେ ବିକ୍ରିବଟା କରୁଥିଲି । ବାପା ଜଣେ ଯକ୍ଷ୍ମାରୋଗୀ ଓ ମାଙ୍କୁ ପକ୍ଷାଘାତ ରୋଗ ହୋଇଥିବାରୁ ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିଥାଏ ।

କୌଣସିମତେ ହାଇସ୍କୁଲ୍ ଶିକ୍ଷା ସରିଲା, ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇବା ଲାଗି ଉଦଳା ପହଞ୍ଚିଲି । ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀ ପାଇଲି ।

ହାଇସ୍କୁଲ ଶିକ୍ଷାପରେ ବ୍ୟୟ ବହୁଳ ଇଞ୍ଜିନିୟରିଂ ଶିକ୍ଷା ପ୍ରତି କାହିଁକି ମନ ବଳାଇଲେ ଏବଂ ଏତେ ଟଙ୍କା କେଉଁ ସୂତ୍ରରୁ ପାଇଲେ?

ପିଲାଟି ବେଳରୁ ମନର ନିଭୃତ କୋଣରେ ଇଚ୍ଛା ଥାଏ ଭବିଷ୍ୟତରେ ଇଞ୍ଜିନିୟର ହେବି । ତେଣୁ ୧୯୯୫ ମସିହା ଓଡିଶା ମିଳିତ ପ୍ରବେଶିକା ପରୀକ୍ଷାରେ ବସିଲି । ସମଗ୍ର ରାଜ୍ୟରେ ପରୀକ୍ଷାରେ ଭଗବାନଙ୍କ କୃପାରୁ ଦଶମ ସ୍ଥାନରେ ରହିଲି ।

ହେଲେ ଆର୍ଇସିରେ ନାଁ ଲେଖାଇବା ପାଇଁ ସେତେବେଳେ ଫିସ୍ ଥିଲା ୧୦ହଜାର ୩ଶହ ଟଙ୍କା । ଏକସଙ୍ଗେ ଏତେ ଟଙ୍କା ସାହାଯ୍ୟ କରିବା ଲାଗି ପରିବାରରେ କେହି ନଥିଲେ । କୌଣସି ମତେ ଚାରି ହଜାର ଟଙ୍କା ଯୋଗାଡ କରି ଭୁବନେଶ୍ୱରରେ ପହଞ୍ଚିଲି ।

ଆହୁରି ୭ହଜାର ଟଙ୍କା ଦରକାର ପଡୁଥିବାରୁ ଇଂଜିନିୟରିଂରେ ନାଁ ଲେଖା ସମ୍ଭବ ହୋଇପାରିଲା ନାହିଁ । ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ଟଙ୍କା ଯୋଗାଡ କରିବା ସକାଶେ ୧୫ ଦିନ ସମୟ ଦେଲେ । ସ୍ୱଳ୍ପ ସମୟ ମଧ୍ୟରେ ଟଙ୍କା କେମିତି ଯୋଗାଡ କରିବି ଚିନ୍ତା ଲାଗିଲା ।

ଅନ୍ୟନୋପାୟ ହୋଇ ଭୁବନେଶ୍ୱରରେ ରହୁଥିବା କୋହ୍ଲ ସମ୍ପ୍ରଦାୟ ତଥା ଆମ ଅଞ୍ଚଳର ପ୍ରାୟ ୩୩୫ ଜଣ ଲୋକଙ୍କ ଘରକୁ ଘର ବୁଲିଲି । ଆଉ ୮୪୫ ଟଙ୍କା ମିଳିଲା । ଏଥର ଗାଁକୁ ପଳାଇ ଆସି ମା’ଙ୍କ କିଛି ଗହଣାଗାଣ୍ଠି ବିକ୍ରିରୁ ମିଳିଲା ୫ହଜାର ୨ଶହ ଟଙ୍କା ।

ବହୁ ଉଦ୍ୟମ ସତ୍ତ୍ୱେ ଅବଶିଷ୍ଟ ହଜାରେ ଟଙ୍କା ଯୋଗାଡ ହୋଇପାରିଲା ନାହିଁ । ନାମ ଲେଖା ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ ନିକଟରେ ଶେଷରେ କାନ୍ଦିଲି । ତାଙ୍କର ଦୟା ହେଲା ଏବଂ ରାଉରକେଲା ଆର୍ଇସି କଲେଜରେ ୧୯୯୫ ମସିହାରେ ନାମ ଲେଖାଇଲି ।

ନାଁ ଲେଖାଇବା ଲାଗି ଯଦି ଏତେ କଷ୍ଟ ଭୋଗିଲେ, ମେସ୍ ବହିପତ୍ର ଏବଂ ଆନୁସଙ୍ଗିକ ଖର୍ଚ୍ଚ ତୁଲାଇବାକୁ କିପରି ସକ୍ଷମ ହେଲେ?

ପାଠ ପଢା ଅନୁଭୂତି ଜୀବନସାରା ସ୍ମରଣୀୟ ହୋଇ ରହିବ । ବନ୍ଧୁମାନଙ୍କୁ ଜୀବନ ଥିବା ଯାଏଁ ଭୁଲି ପାରିବି ନାହିଁ । ନାଁ ଲେଖା ସରିବାପରେ ସମସ୍ୟାରେ ପଡିଗଲି । ନୂଆ ସ୍ଥାନ, କଥାଭାଷା ସର୍ବୋପରି ଆଦିବାସୀ ପିଲା ହିସାବରେ ଚାଲିଚଳନରେ ମଧ୍ୟ ଢେର ପଛରେ । ମେସ୍ ବିଲ୍ କେମିତି ଦେବି ଚଡକ ପଡିଲା ।

ଭୁବନେଶ୍ୱରର ବିଶ୍ୱରଞ୍ଜନଙ୍କ ନାମକ ବନ୍ଧୁଙ୍କ ସାମ୍ନାରେ ନିଜ ଦୁଃଖର କାହାଣୀ ବର୍ଣ୍ଣନା କଲାବେଳେ ଆଖିରୁ ଲୁହ ବୋହି ପଡିଲା । ସବୁ ଓଡିଆ ପିଲା ହଷ୍ଟେଲରେ ବୈଠକ କଲେ । ସମ୍ମିଳିତ ସ୍ୱରରେ ସେଠାରେ ସମସ୍ତେ କହିଲେ ମୋତେ ସାହାଯ୍ୟ କରିବେ । ପରେ କଲେଜର ଅନ୍ୟମାନେ ଏଥିପାଇଁ ଅଣ୍ଟା ଭିଡିଲେ ।

କଲେଜ ବନ୍ଧୁମାନଙ୍କ ସାହାଯ୍ୟରେ ନିଜ ଖର୍ଚ୍ଚ ଭରଣା କରିବାସହ ଘରର ସୁବିଧା ଅସୁବିଧାବେଳେ ମଧ୍ୟ ଟଙ୍କା ପଠାଇବାରେ କୌଣସି ସମସ୍ୟା ରହିଲା ନାହିଁ । ଇଂଜିନିୟରିଂ ବିଟେକ୍ ପରୀକ୍ଷାରେ (ଇଲେକ୍ଟି୍ରକାଲ୍ ସେକ୍ସନ୍) ଟପ୍ପର ହେଲି ।

ଏଣିକି ଏମ୍ଟେକ୍ ଶିକ୍ଷା ପାଇଁ ବାହାରକୁ ଯିବାକୁ ମନ ବଳିଲା । ବିଟେକ୍ ପରୀକ୍ଷା ଭଲ ହୋଇଥିବାରୁ ବାଙ୍ଗାଲୋରର ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ନାଁ ଲେଖାଇବାରେ ପୂର୍ବଭଳି କୌଣସି ଅସୁବିଧା ଉପୁଜିଲା ନାହିଁ ବରଂ ସେହି ଶିକ୍ଷାନୁଷ୍ଠାନରୁ ପ୍ରତି ମାସରେ ୫ହଜାର ଟଙ୍କା ବୃତ୍ତି ପାଇଲି । ପାଠ ପଢୁଥିବାବେଳେ ଜର୍ମାନୀରୁ ଡକ୍ଟରେଟ୍ ଲାଗି ଏକ ପ୍ରସ୍ତାବ ମଧ୍ୟ ପାଇଥିଲି ।

କୃତିତ୍ୱର ସହ ଉଚ୍ଚ ଶିକ୍ଷାପରେ ଆଇଏଏସ୍ କିମ୍ବା ଅନ୍ୟ ପଦପଦବୀ ପାଇଁ ପ୍ରଲୋଭିତ ନହୋଇ ଆପଣଙ୍କ ଭଳି ଜଣେ ମେଧାବୀ ଯୁବକ ଜନତାଙ୍କ ସେବା କରିବାର ମୂଳ ଉଦ୍ଦେଶ୍ୟ କଣ?

ରାଉରକେଲାରେ ନାଁ ଲେଖାଇବା ପୂର୍ବ ବର୍ଷ (୧୯୯୪)ଗାଁର ଯୁବକମାନେ ମିଶି ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରିଥିଲୁ । ଗାଁ ଲୋକମାନଙ୍କୁ ଜଙ୍ଗଲ ବିନାଶର କୁ ପରିଣାମ ସମ୍ପର୍କରେ ସଚେତନ କରାଉଥିଲୁ ।

ଅଶି ଏବଂ ନବେ ଦଶକର ପ୍ରଥମାର୍ଦ୍ଧରେ ଆମ ଅଞ୍ଚଳରେ କାଠ ମାଫିଆଙ୍କ ରାଜୁତି ଚାଲିଥାଏ । ସେମାନଙ୍କ ସହ କେତେକ ଅସାଧୁ ଅଫିସର ମିଶି ଜଙ୍ଗଲ ସମ୍ପଦ ଲୁଣ୍ଠନ କରିବାରେ ଲାଗିଥାନ୍ତି ।

ଲୁଣ୍ଠନକାରୀମାନେ ନିଜର ଫାଇଦା ଲାଗି ଗ୍ରାମବାସୀଙ୍କୁ ନିୟୋଜିତ କରୁଥାନ୍ତି । ଚାଷ କାମରେ ଲାଭ ବିଶେଷ ଲାଭ ପାଉନଥିବାରୁ ସେମାନେ ମଧ୍ୟ ଜଙ୍ଗଲରୁ କାଠ କାଟି ଅଧିକ ଉପାର୍ଜନ କରିବାକୁ ଆଗ୍ରହ ପ୍ରକାଶ କରୁଥାନ୍ତି ।

ତେବେ ଗାଁରେ କମିଟି ଗଠନ ହେବାପରେ ଏହି ସମସ୍ୟା ଦୂର ହେବାରେ ଲାଗିଲା । ଲୋକମାନେ ନିଜର ଭୁଲ୍ ବୁଝିପାରି ନିଜ ଜଙ୍ଗଲର ସୁରକ୍ଷା ଲାଗି ନିଜେ ହାତରେ ଠେଙ୍ଗା ଧରି ଜଙ୍ଗଲରେ ବୁଲିବା ଆରମ୍ଭ କଲେ ।

ସହରକୁ ଯିବାବେଳେ ଗାଁ ଲୋକମାନଙ୍କର ସେହି ଛବି ସବୁବେଳେ ମୋ’ ମନରେ ନାଚି ଉଠୁଥିଲା । ସେମାନେ କେମିତି ଆହୁରି ଅଧିକ ଶିକ୍ଷିତ ହେବେ ଏବଂ ଗାଁର ଅନ୍ୟାନ୍ୟ ସମସ୍ୟା ଦୂର ହେବ ସେହି ଚିନ୍ତାରେ ଘାରି ହେଉଥାଏ । ଅଗତ୍ୟା ନିଜ କଥା ଚିନ୍ତା ନକରି ଗାଁ ଲୋକଙ୍କ ବିଷୟରେ ଅଧିକ ଭାବୁଥାଏ ।

ସ୍ୱପ୍ନକୁ ସାକାର କରିବାକୁ ହେଲେ ସରକାରୀ ଚାକିରି ପ୍ରତିବନ୍ଧକ ସାଜିବ ଏକଥା ଜାଣିଥିଲି । ସୌଭାଗ୍ୟ କି ଦୁର୍ଭାଗ୍ୟ ଜାଣିନାହିଁ ଏହି ସମୟରେ ଗାଁରେ ଆମ ଘର ପୋଡିଗଲା, ବାଧ୍ୟହୋଇ ଘରକୁ ଫେରି ଆସିଲି । ପରେ ଦୈନିକ ଗୁଜରାଣ ମେଣ୍ଟାଇବା ପାଇଁ ଏକ ଘରୋଇ କଲେଜରେ ଅଧ୍ୟାପନା ଆରମ୍ଭ କଲି ।

ଜଙ୍ଗଲ ଆନ୍ଦୋଳନ ଚଳାଇବା ପାଇଁ ଅର୍ଥ କେଉଁଠୁ ଆସୁଛି?

ମୁଁ ବଡ ଚାକିରୀ ନକଲେ କଣ ହେଲା, ଆର୍ଇସିର ସବୁ ବନ୍ଧୁ ବର୍ତ୍ତମାନ ଦେଶ ବିଦେଶର ବହୁ ନାମୀଦାମୀ କମ୍ପାନୀରେ କାମ କରୁଛନ୍ତି । ଅନେକ ନିଜସ୍ୱ ଉଦ୍ୟମରେ ବଡ ବଡ ସଂସ୍ଥା ଗଠନ କରି ନିଯୁକ୍ତି ଦେଇଛନ୍ତି । ସେମାନେ ମୋ ସମ୍ପର୍କରେ ଏବଂ କାର୍ଯ୍ୟକଳାପ ବିଷୟରେ ଖବର ରଖିଛନ୍ତି ।

ଶିଙ୍ଗାପୁରରେ ରହୁଥିବା ସନ୍ତୋଷ ଦାଶ ନାମକ ଜଣେ ବନ୍ଧୁଙ୍କ ବଦାନ୍ୟରୁ ମୁମ୍ବାଇର ପିପୁଲସ୍ ଫାଉଣ୍ଡେସନ୍ ଫର୍ ସାଇଣ୍ଟିଫିକ୍ ଆଣ୍ଡ ସୋସିଓ ଇକୋନମିକ୍ ଡେଭଲପମେଣ୍ଟ (ପେପ୍ସେଡ୍)ସାହାଯ୍ୟ ଯୋଗାଇ ଦେଉଛି ।

ବର୍ତ୍ତମାନ ଅଧ୍ୟାପନା ଚାକିରୀ ଛାଡି, ଜଙ୍ଗଲ ସୁରକ୍ଷା ଆନ୍ଦୋଳନ ସହ ଗ୍ରାମବାସୀମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସମ୍ପର୍କରେ ସଚେତନ କରାଇବାରେ ଅଧିକ ସମୟ ଦେଉଛି । ଏହାଛଡା ଗାଁରେ ଗୋଟିଏ ଅଫିସ କରିଛି । ରେଜିଷ୍ଟି୍ରଭୁକ୍ତ ଲାକବଦ୍ରା ୟୁଥ୍ କ୍ଲବ (ହୁଡି ସାହି)ଯୋଗୁଁ ଆମ ଅଞ୍ଚଳକୁ କାଠମାଫିଆମାନେ ପାଦ ପକାଇବାକୁ ଡରୁଛନ୍ତି ।

ରାଜ୍ୟ ଜଙ୍ଗଲ ବିଭାଗ ଆମ ଗାଁ ନାଁରେ ପ୍ରାୟ ୮ହଜାର ଏକର ଜମି ଚିହ୍ନଟ କରିଛି । ଏହି ଜଙ୍ଗଲରେ ଶାଳ, ପିଆଶାଳ, ଶାଗୁଆନ୍ ଓ ଶିଶୁ ଆଦି ମୂଲ୍ୟବାନ ଗଛ ରହିଛି । ଆଖପାଖ ଅଞ୍ଚଳର କୌଣସି ଲୋକଙ୍କ ଜଙ୍ଗଲ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ।

ନିଜ ଘର କାମ ପାଇଁ କାଠ ନେବାରେ ବାରଣ କରୁନାହୁଁ ତେବେ ବ୍ୟବସାୟ କାର୍ଯ୍ୟ ଉପରେ ସଂପୂର୍ଣ୍ଣ କଟକଣା ଜାରୀ କରିଛୁ । ଆମର କାମରେ ସନ୍ତୋଷ ପ୍ରକାଶ କରି ବିଗତ ଦୁଇ ବର୍ଷ ମଧ୍ୟରେ ସରକାର ଗାଁର ଉନ୍ନତି ଲାଗି ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା ସାହାଯ୍ୟ ଦେଇଛନ୍ତି ।

ପେପ୍ସେଡ୍ ସଙ୍ଗଠନର ଆର୍ଥିକ ସହାୟତାରେ ଗ୍ରାମବାସୀମାନଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରାଇବାକୁ ଉଦ୍ୟମ ଜାରୀ ରଖିଛୁ । ଧାନ ବ୍ୟତୀତ ବର୍ଷ ତମାମ ସେମାନେ କିଭଳି ବିଭିନ୍ନ ତୈଳବୀଜ, ପନିପରିବା ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରିବେ ସେ ବିଷୟରେ ତାଲିମ ଶିକ୍ଷା ଦେଉଛୁ ।

ବର୍ଷ ତମାମ କୃଷି କାର୍ଯ୍ୟରେ ଲିପ୍ତ ରହିଲେ ଗ୍ରାମବାସୀମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ସ୍ୱଚ୍ଛଳ ହୋଇପାରିବେ । ପେଟ ସମସ୍ୟା ଦୂର ହେଲେ ପିଲାଙ୍କ ପାଠ ଏବଂ ପୋଷାକ କଥା ସେମାନଙ୍କ ମୁଣ୍ଡକୁ ଆସିବ ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ଜଙ୍ଗଲ ଆନ୍ଦୋଳନର ସୁଫଳ ପାଇବାକୁ ସକ୍ଷମ ହୋଇଛନ୍ତି କି?

ଆମ ଗାଁରେ ଏବେ ରାତିରେ ସୋଲାର ଲାଇଟ୍ ଜଳୁଛି । ସନ୍ଧ୍ୟାବେଳେ କ୍ଲବଘରେ ଗାଁର ଯୁବକମାନେ ପରସ୍ପର ମଧ୍ୟରେ ଭାବବିନିମୟର ସୁଯୋଗ ପାଉଛନ୍ତି । ଡଙ୍ଗାଡିଆ, ଶୁକୁନ୍ଦୁ, ପତ୍ରପଡା, କାଜବାହାଳି, ବୁରୁଗୁଡା, ଖଟୁଆପଡା ଏବଂ ଜାମୁବଣି ଆଦି ଅଞ୍ଚଳର ଚାଷୀମାନେ ଶିକ୍ଷାର ସୁଫଳ ପାଇବା ଆରମ୍ଭ କରିଛନ୍ତି ।

ପୂର୍ବରୁ ଗାଁ ଗାଁରେ ତାସ ଖେଳ ହେଉଥିଲା । ଏବେ ପିଲା ପାଠ ପଢୁଛନ୍ତି । ପିଲାମାନଙ୍କୁ ପାଠ ପଢାଇବା ଲାଗି ପ୍ରଥମେ ବିଭିନ୍ନ ଉପାୟରେ ଆକୃଷ୍ଟ କରାଯାଉଥିଲା । ବର୍ତ୍ତମାନ ଶିକ୍ଷକ କେତେବେଳେ ଆସିବେ ବୋଲି ପିଲା ଚାହିଁ ରହୁଛନ୍ତି । ବିଗତ ବର୍ଷକ ମଧ୍ୟରେ ଆମ ଗାଁ କାହିଁକି ଆଖପାଖ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପ୍ରଭୁତ ବିକାଶ ସାଧିତ ହୋଇଛି ।

ଭବିଷ୍ୟତରେ ରାଜନୀତିରେ ଝାସ ଦେବାର କୌଣସି କାର୍ଯ୍ୟକ୍ରମ ରଖିଛନ୍ତି କି?

ସମାଜସେବା ପାଇଁ ରାଜନୀତି ଯଦିଓ ସର୍ବଶ୍ରେଷ୍ଠ କ୍ଷେତ୍ର ତଥାପି ଏ କ୍ଷେତ୍ରରୁ ମୁଁ ଦୂରେଇ ରହିବାକୁ ଚାହୁଁଛି । ଲୋକମାନେ ରାଜନୀତିଜ୍ଞମାନଙ୍କଠାରୁ ଅଧିକ ପାଇବାକୁ ମତଲବ ରଖୁଛନ୍ତି । ବର୍ତ୍ତମାନ ରାଜନୀତି ଟଙ୍କା ଉପାର୍ଜନର ସହଜ ଓ ସର୍ବଶ୍ରେଷ୍ଠ ଉପାୟ ହୋଇଛି ।

ଅନ୍ୟପକ୍ଷରେ ସମାଜସେବୀମାନଙ୍କୁ ରାଜନେତାମାନେ ଭଲ ଦୃଷ୍ଟିରେ ଦେଖି ପାରୁନାହାନ୍ତି । କିଛି ଦିନ ତଳେ ଆମ ଅଞ୍ଚଳର ଧର୍ଷିତାର ସାହାଯ୍ୟ କରିବାକୁ ଯାଇ ଆମ କ୍ଲବର ସଦସ୍ୟମାନେ ଜଣେ ସ୍ଥାନୀୟ ରାଜନେତା ପ୍ରରୋଚନାରେ ପୋଲିସର ବିଷ ଦୃଷ୍ଟିରେ ପଡିଛୁ । ମୋ’ ସମେତ କ୍ଲବର ବହୁ ସଦସ୍ୟଙ୍କ ବିରୋଧରେ ଗୁରୁତର ଦଫା ଲଗା ଯାଇଛି ।

ଓଡ଼ିଶା ଡ଼ଟ୍ କମ୍