Site icon Odisha.com

ସଙ୍ଗୀତ ନିର୍ମାତା ଚାହିଁଲେ ବନ୍ଦ ହେବ ଅଶ୍ଳୀଳ ସଙ୍ଗୀତ

“ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ରମେଶ କୁମାର

ଓଡ଼ିଶା ଡ଼ଟ୍ କମ୍: ବବିତା ସାହୁ

ଭୁବନେଶ୍ୱର, ଜୁଲାଇ ୧୭ (ଓଡ଼ିଶା ଡ଼ଟ୍ କମ୍) ଓଡିଶା ସଙ୍ଗୀତ ସାମ୍ରାଜ୍ୟସହ ଜଡିତ ଗାୟକ, ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ତଥା ନିର୍ମାତାମାନେ ଚାହିଁଲେ ରାଜ୍ୟରେ ସମ୍ପ୍ରତି ସୃଷ୍ଟି ହୋଇଥିବା ଅଶ୍ଳୀଳ ସଙ୍ଗୀତର ବନ୍ୟାକୁ ଅକ୍ଲେଶରେ ରୋକି ଦିଆ ଯାଇପାରିବ ବୋଲି ଜଣେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ କହିଛନ୍ତି ।

ଓଡିଶାରେ ବର୍ତ୍ତମାନ ଅନ୍ୟୁନ ତିନି ଶହ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି । ଅଶ୍ଳୀଳ ସଙ୍ଗୀତର ପ୍ରଚାର ଓ ପ୍ରସାରକୁ ମହତ୍ୱ ନ ଦେଇ ସଂଗୀତ ନିର୍ମାତା ଓ ଗଣମାଧ୍ୟମ, କ୍ୱାଲିଟି ମ୍ୟୁଜିକକୁ ପ୍ରାଧାନ୍ୟ ଦେଲେ ଶ୍ରୋତାମାନଙ୍କର ସ୍ୱାଦ ବଦଳି ପାରେ ବୋଲି ଅଶି ଦଶକରେ ରାଜ୍ୟ ଓ ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ସମ୍ବଲପୁରୀ ଲୋକଗୀତ “ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ରମେଶ କୁମାର ଓଡିଶା ଡଟ୍ କମ୍ କୁ କହିଛନ୍ତି ।

“ବର୍ତ୍ତମାନ ଓଡିଆ ସଙ୍ଗୀତରେ ପୂର୍ବର ଶ୍ରୁତିମଧୁରତା ଏବଂ ଗାମ୍ଭୀର୍ଯ୍ୟ (କ୍ୱାଲିଟି) ନାହିଁ ଏବଂ ପ୍ରକୃତ ସଙ୍ଗୀତ ପ୍ରେମୀଙ୍କ ନିକଟରେ ସମୟର ଅଭାବ ରହିଛି ତଥା ନିୟମିତ ସଙ୍ଗୀତ ଶୁଣୁଥିବା ଶ୍ରୋତାମାନଙ୍କର ପସନ୍ଦର ମାନ ଦିନକୁ ଦିନ କ୍ଷୁର୍ଣ୍ଣ ହେବାରେ ଲାଗିଛି” ବୋଲି ସେ କହିଛନ୍ତି ।

“ତେବେ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଶ୍ରୋତାଙ୍କ ସ୍ୱାଦ ବଦଳି ଯିବ” ।

ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଶ୍ରୋତାଙ୍କ ମନକୁ ଜାବୁଡି ଧରିଥିବା “ରଙ୍ଗବତୀ” ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରମେଶ ବିଗତ ୨୫ ବର୍ଷ ଭିତରେ ୧୦୦ରୁ ଉର୍ଦ୍ଧ୍ଵ ଆଲବମ୍, ସିନେମା ଓ ସିରିଏଲ୍ ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।

“ରଙ୍ଗବତୀ ଲୋ, ରଙ୍ଗବତୀ” ଅନନ୍ୟ ଶ୍ରୁତିମଧୁର ସମ୍ବଲପୁରୀ ଲୋକଗୀତ ସର୍ବପ୍ରଥମେ ସମ୍ବଲପୁର ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ୧୯୮୦ ମସିହାରେ ଝଙ୍କୃତ ହୋଇ ଉଠିଥିଲା । ଗୀତଟିକୁ ଲେଖିଥିଲେ ମିତ୍ରଭାନୁ ଗୌନ୍ତିଆ ଏବଂ ଗାଇଥିଲେ ଜିତେନ୍ଦ୍ର ହରିପାଲ୍ ।

୧୯୫୫ରେ ବଲାଙ୍ଗିରର ପାଟନାଗଡ଼ରେ ଜନ୍ମିତ ରମେଶ ୧୯୭୫ରେ ଆଲ୍ଲାହାବାଦର ପ୍ରୟାଗ ସଂଗୀତ ସମିତିରୁ ହିନ୍ଦୁସ୍ତାନୀ ସଂଗୀତ ଶିକ୍ଷା କରିଥିଲେ । ୧୯୭୮ରେ ପାଶ୍ଚାତ୍ୟ ସଂଗୀତ ଶିଖିଥିଲେ କଲିକତାରୁ ।

ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ଓଡ଼ିଆ ଚଳଚ୍ଚିତ୍ର “ଭୁଖା” ର ସଂଗୀତ ନିର୍ଦ୍ଦେଶନାସହ ସେ “ବୋଉ” ଫିଲ୍ମ ପାଇଁ ସିନେ କ୍ରିଟିକ୍ ତରଫରୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି । ଆଦିବାସୀ ଭାଷାରେ “ଝିଲି” ତାଙ୍କର ଅନ୍ୟ ଏକ ଅନବଦ୍ୟ ଅବଦାନ ।

ଘଣ୍ଟେଶ୍ୱର ଗୁରୁଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିବାକୁ ଯାଉଥିବା “କହିବାକୁ ଅଛି, ଆଇ ଆମ୍ ସରି”ରେ ତାଙ୍କର ସଂଗୀତ ଶୁଣିବାକୁ ମିଳିବ ।

ବର୍ତ୍ତମାନ ମହାନନ୍ଦ “ମନର ମଣିଷ”ର ନିର୍ଦ୍ଦେଶକ ଶୈଳେନ୍ଦ୍ର ମିଶ୍ରଙ୍କ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଇଟିଭି “ଆମରି ଓଡ଼ିଶା” କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶନାର ଅଫର୍ ମଧ୍ୟ ତାଙ୍କୁ ମିଳିଛି ବୋଲି ସେ କହନ୍ତି ।

ତାଙ୍କର ବହୁଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍ ମଧ୍ୟରେ କିଆଝରନ୍, ଡ଼ାଇଭରପିଲା, ମୁଇଁ ନାଇଁ ମରେ ଓ ଗୀତିନାଟ୍ୟ ନାବକେଲି ଅନ୍ୟତମ । ଓଡ଼ିଆ ବ୍ୟତୀତ ହିନ୍ଦୀ ଓ ଛତିଶଗଡ଼ି ଗୀତଗୁଡ଼ିକରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି ।

ଛତିଶଗଡ଼ିରେ ଛୁଇମୁଇ, ରସଗୁଲ୍ଲା, ଗାଡ଼ିବାଲା ଆଦି ବେଶ୍ ଲୋକପ୍ରିୟତା ହାସଲ କରିଛି । ନ୍ୟାସନାଲ୍ ଚ୍ୟାନେଲର ହିନ୍ଦୀ ସିରିଏଲ ସବଲା, ସୂର୍ଯ୍ୟମୁଖୀ, ପାୱେଲି ଓ ପ୍ରତିଶୋଧରେ ରମେଶ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ବମ୍ବେର ପ୍ଲାଟିନମ୍ ଷ୍ଟୁଡ଼ିଓ, ସରସ୍ୱତୀ, ଟି. ସିରିଜର ଗୋଲ୍ଡ଼େନ୍ ଚ୍ୟାରିୟଟ୍ ଆଦି ଷ୍ଟୁଡ଼ିଓରେ ସେ ମ୍ୟୁଜିକ ରେକର୍ଡ଼ିଂ କରିଛନ୍ତି । ଏଚ୍.ଏମ୍.ଭି., ଗାଥାନି, ଏନରିକୋ ଆଦି ଅଡ଼ିଓ କମ୍ପାନୀ ପାଇଁର୍ ସେ କାମ କରିଛନ୍ତି ।

ସଂଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରମେଶ କୁମାରଙ୍କର ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସାନ ଝିଅ ଅମ୍ରିତା ମଧ୍ୟ ଓଡ଼ିଆ ଆଲବମ୍ ରେ ଗାଇବା ଆରମ୍ଭ କରିଦେଲେଣି ।

(ଓଡିଶା ଡଟ୍ କମ୍)

Exit mobile version