ମୁଖ୍ୟ ଖବରସାକ୍ଷାତକାର

ଆର୍ଥିକ ଅସମାନତା ଓଡ଼ିଶା ବିକାଶର ପ୍ରତିବନ୍ଧକ

ରାଉରକେଲା,ଜୁଲାଇ ୨୫(ଓଡିଶା ଡ଼ଟ୍ କମ୍), ଶାରୀରିକ ଅକ୍ଷମତା ସତ୍ତ୍ୱେ ଆମେରିକାରେ ଏକ ଉଚ୍ଚ ପଦବୀ ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ପାର୍ଥସାରଥୀ ମହାପାତ୍ର

୩୪ ବର୍ଷ ବୟସ୍କ ଡଃ. ପାର୍ଥ ସାରଥୀ ମହାପାତ୍ର । ଜନ୍ମସ୍ଥାନ ଓଡିଶାର ଇସ୍ପାତ ନଗରୀ ରାଉରକେଲା ସହର । ପିଲାଟି ବେଳରୁ ପୋଲିଓରେ ତାଙ୍କର ଡାହାଣ ଗୋଡଟି ହୋଇଯାଇଛି ସଂପୂର୍ଣ୍ଣ ଅକାମୀ । ତେବେ ତାଙ୍କର ଅନ୍ତଃର୍ନିହିତ ପ୍ରତିଭା ଆଗରେ ମୁଣ୍ଡ ନୁଆଁଇଛି ଶାରିରୀକ ଅକ୍ଷମତା ।

ଅଦମ୍ୟ ଇଚ୍ଛାଶକ୍ତି ଏବଂ ଅସୁମାରୀ ଦୁଃସାହାସକୁ ପାଥେୟ କରି ଅତିକ୍ରମ କରିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛାତ୍ର ଜୀବନରୁ ବିଭିନ୍ନ ଶ୍ରେଣୀରେ କୃତିତ୍ୱର ସହ ପାସ୍ କରି ଆସିଛନ୍ତି ଗୌରବର୍ଣ୍ଣର ଏହି ଯୁବକ ଜଣକ ।

ସହରର ଦୀପା ଇଂରାଜୀ ମିଡିଅମ୍ ସ୍କୁଲ୍ରୁ ଯୁକ୍ତ ଦୁଇ ଶିକ୍ଷା ସାରିବା ପରେ ରିଜିଓନାଲ ଇଂଜିନିୟରିଂ କଲେଜରୁ ଧାତବ ବିଜ୍ଞାନରେ ଡିଗ୍ରୀ ଏବଂ ପରେ ଭୁବନେଶ୍ୱର ଜାଭିଅର୍ ଇନଷ୍ଟିଚ୍ୟୁଟ ରୁ ହାସଲ କରିଥିଲେ ଫାଇନାନ୍ସ ଏଣ୍ଡ ଇନଫରମେସନ୍ ସିଷ୍ଟମ୍ ରେ ଏମ୍ବିଏ ଡିଗ୍ରୀ ।

କୋଲକତାସ୍ଥିତ ପ୍ରାଇସ୍ୱାଟର୍ ହାଉସ୍ (କୁପର୍)ରେ ଏସୋସିଏଟ୍ କନ୍ସଲ୍ଟାଣ୍ଠଭାବେ ପ୍ରଥମ ଚାକିରୀ । କିଛି ଦିନ ପରେ ହାଇଦ୍ରାବାଦର ଆଇସିଏଫ୍ଏଆଇ ଅନୁଷ୍ଠାନରେ ଅଧ୍ୟାପନା ।

ଆମେରିକାର କେଣ୍ଟୁକି ରାଜ୍ୟର ଲେକ୍ସିଙ୍ଗ୍ଟନ୍ ସହରରେ ଥିବା କେଂଣ୍ଟୁକି ବିଶ୍ୱବିଦ୍ୟାଳୟରେ ବିଜନେସ୍ ଏଡମିନିଷ୍ଟ୍ରେସନରେ ଡକ୍ଟରେଟ୍ କରି ସାରିବାପରେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରେ ସହକାରୀ ପ୍ରଫେସର ଭାବେ ଆମେରିକାର ମ୍ୟାରୀଲ୍ୟାଣ୍ଡ ରାଜ୍ୟର ବାଲ୍ଟିମୋରରେ ମୋରଗାନ୍ ଷ୍ଟେଟ୍ ୟୁନିଭରସିଟିରେ ଯୋଗ ଦେବେ ।

“ଶାରିରୀକ ଅକ୍ଷମତା ମୋ’ଜୀବନରେ ନାନା ପ୍ରତିବନ୍ଧକ ସୃଷ୍ଟି କରିଛି, ହେଲେ ତାହା ମୋତେ ଲକ୍ଷ୍ୟପଥରୁ ଭ୍ରଷ୍ଟ କରିବାକୁ ସକ୍ଷମ ହୋଇନାହିଁ” ଓଡିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ମହାପାତ୍ର ।

ଅବିବାହିତ ମହାପାତ୍ରଙ୍କ ପିତା ଜଗନ୍ନାଥ ମହାପାତ୍ର ଜଣେ କଷ୍ଟ୍ ଏକାଉଣ୍ଟେଣ୍ଟ ଓ ମା ମନୋରମା ମହାପାତ୍ର ଗୃହିଣୀ । ତିନି ଭାଇ ଓ ଚାରି ଉଭଣୀ । ବଡଭାଇ ଦେବାଶିଷ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ବିଭାଗରେ କାମ କରନ୍ତି । ଦ୍ୱିତୀୟ ଭାଇ ସିଦ୍ଧାର୍ଥ ଜଣେ ରାଜନେତା ଓ ବ୍ୟବସାୟୀ ଏବଂ ପାର୍ଥ ସବା ସାନ ।

ଚାରି ଭଉଣୀ ହେଲେ ଯଥାକ୍ରମେ ମିନତୀ, ଆରତୀ, ସୁଜାତା ଓ ସବିତା । ସେମାନଙ୍କ ମଧ୍ୟରୁ ମିନତୀ, ଅତୀତରେ ସାଇକେଲ ଚାଳନା ଲାଗି ମର୍ଯ୍ୟଦାଜନକ ଅର୍ଜୁନ ପୁରସ୍କାର ପାଇଛନ୍ତି ।

“ଯୁକ୍ତ ଦୁଇ ପଢିବା ପର୍ଯ୍ୟନ୍ତ ଯେଉଁ ସ୍କୁଲରେ ପଢୁଥିଲି ସେଠାରେ ସବୁ ଶ୍ରେଣୀ ତଳ ମହଲାରେ ହେଉଥିଲା ତେଣୁ କୌଣସି ବିଶେଷ ଅସୁବିଧାର ସମ୍ମୁଖୀନ ମୁଁ ହେଉ ନଥିଲି । ତେବେ ପରବର୍ତ୍ତୀ ସମୟ ଗୁଡିକରେ ସମସ୍ୟା କଷ୍ଟକର ହୋଇପଡିଥିଲା” ବୋଲି କହନ୍ତି ସଙ୍ଗୀତ ସମେତ ବହୁବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ମହାପାତ୍ର ।

ଇଂଜିନିୟରିଂ ଶ୍ରେଣୀ ଗୁଡିକ ଚତୁର୍ଥ ମହଲାରେ ହେଉଥିଲା ଓ ଏହା ମୋ ନିମନ୍ତେ ଅତ୍ୟନ୍ତ ପୀଡାଦାୟୀ ଥିଲା । ମୁଁ ଚାହେଁ କୌଣସି ବ୍ୟକ୍ତି ଶାରିରୀକ ଅକ୍ଷମ ନ ହୁଅନ୍ତୁ । ଯଦି ବି କୌଣସି କାରଣରୁ ହୁଅନ୍ତି ତେବେ ସେମାନେ ମୋ ଭଳି କୌଣସି ସମସ୍ୟା ନ ଭୋଗନ୍ତୁ ।

ଦେଶ ଏବଂ ଦେଶ ବାହାରେ ଛାତ୍ର ଜୀବନରେ ବହୁ ପୁରସ୍କାର ଏବଂ ସମ୍ମାନ ଲାଭ କରିଥିବା ମହାପାତ୍ରଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ଅନ୍ତରଙ୍ଗ ସାକ୍ଷାତକାରର କିୟଦଂଶ………………..

ଶାରୀରିକ ଅକ୍ଷମତା ସତ୍ତ୍ୱେ ଆପଣ ଭାରତ ଛାଡ଼ି ଆମେରିକା କାହିଁକି ଗଲେ?

୧୯୯୪ ମସିହାରେ ଇଂଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ମୁଁ ଚାକିରୀ ଲାଗି ବିଭିନ୍ନ ସାକ୍ଷାତକାର ଦେଇଥିଲି । ଏପରିକି ସେଲ୍ ରେ କାର୍ଯ୍ୟ କରିବା ଲାଗି ମୋର ଚୟନ ମଧ୍ୟ ହୋଇଥିଲା । ତେବେ ଶାରିରୀକ ଅକ୍ଷମତା ଦୃଷ୍ଟିରୁ ସୁଯୋଗ ପାଇବାରୁ ବଞ୍ଚିତ ହେଲି ।

ଅବଶ୍ୟ ଏବେ ସେଲ୍ ସମେତ ବିଭିନ୍ନ ସଂସ୍ଥାରେ ଶାରିରୀକ ଅକ୍ଷମମାନଙ୍କୁ ନିଯୁକ୍ତି ଦିଆାଯାଉଛି । ସେତେବେଳେ ଦୁର୍ଭାଗ୍ୟବଶତଃ ସେହି ସୁବିଧା ନଥିଲା । ମୁଁ ଚିନ୍ତା କଲି ମତେ ଇଂଜିନିୟରିଂରେ ଚାକିରୀ ମିଳିବ ନାହିଁ । ତେଣୁ ଜାଭିୟରରେ ନାଁ ଲେଖାଇଥିଲି ।

୧୯୯୫-୯୭ ମଧ୍ୟରେ ଫାଇନାନ୍ସ ଓ ଇନଫରମେସନ୍ ସିଷ୍ଟମ୍ ରେ ଏମ୍ବିଏ କରି ସାରିବାପରେ ମତେ କ୍ୟାମ୍ପସ ରିକ୍ରୁଟମେଣ୍ଟ ଜରିଆରେ ପ୍ରାଇସ୍ ୱାଟର୍ ହାଉସ୍ ରେ ଆସୋସିଏଟ୍ କନସଲ୍ଟାଣ୍ଟଭାବେ ଚାକିରୀ ମିଳିଗଲା ।

୧୯୯୮ କୋଲକତା ଛାଡି ହାଇଦ୍ରାବାଦର ଆଇସିଏଫ୍ଏଆଇ ବିଜିନେସ ସ୍କୁଲରେ ଅଧ୍ୟାପନା ଦାୟିତ୍ୱ ନେଇ ୨୦୦୦ ମସିହା ପର୍ଯ୍ୟନ୍ତ ସେଠାରେ ରହିଥିଲି । ତେବେ ସେତେବେଳକୁ ମୋ ଭିତରେ ଆହୁରି ଉଚ୍ଚଶିକ୍ଷା ଲାଗି ଆଶା ଜାଗ୍ରତ ହୋଇଥିଲା ।

ୟୁନିଭରସିଟି ଅଫ କେଣ୍ଟ କୀରେ ବିଜିନେସ୍ ଆଡ୍ମିନିଷ୍ଟ୍ରେସନରେ ଡକ୍ଟରେଟ୍ କରିବା ପାଇଁ ମୋତେ ସମସ୍ତ ପ୍ରକାର ଆର୍ଥିକ ସହାୟତା ମିଳିଥିଲା । ସେଥିପାଇଁ ମୁଁ ଆମେରିକାର ଲେକ୍ସିଙ୍ଗ୍ଟନ୍ ଆସିଲି । ବୋଧ ହୁଏ ଏହା ମୋ ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ ।

ଡକ୍ଟରେଟ୍ ସଂପୂର୍ଣ୍ଣ କରିବା ପରେ ଏବେ ଆମେରିକାର ମ୍ୟାରିଲ୍ୟାଣ୍ଡ ପ୍ରୋଭିନ୍ସର ବାଲ୍ଟିମୋରରେ ଥିବା ମୋର୍ଗାନ ଷ୍ଟେଟ୍ ୟୁନିଭରସିଟିରେ ଆସିଷ୍ଟାଣ୍ଟ ପ୍ରଫେସରଭାବେ ନିଯୁକ୍ତି ମିଳିଛି ।

ଶାରୀରିକ ଅକ୍ଷମତା ଆପଣଙ୍କ ବ୍ୟକ୍ତିଗତ ବିକାଶରେ କି ପ୍ରତିବନ୍ଧକ ସୃଷ୍ଠି କରିଛି?

ଯଦି ଆପଣ ଶାରିରୀକ ଅକ୍ଷମ ତେବେ ନିଜେ ହିଁ ନିଜ ପାଇଁ ବ୍ୟବସ୍ଥା କରିବାକୁ ହେବ । ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ୱତନ୍ତ୍ର ସିଢି କିମ୍ବା ଲିଫ୍ଟ ବ୍ୟବସ୍ଥା ନାହିଁ । ମୋ ପାଇଁ ଏଥିନିମନ୍ତ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା । ସ୍କୁଲ ଏବଂ କଲେଜରେ ପାଠ ପଢିବାବେଳେ ମୁଁ ଏକମାତ୍ର ଶାରୀରିକ ଅକ୍ଷମ ଛାତ୍ର ଥିଲି ।

ମୁଁ ଅନୁଭବ କରିଛି ଏହା କେତେ ବେଦନା ଦାୟକ ।

ତେବେ ଆମେରିକାରେ ରହୁଥିବା ଶାରିରୀକ ଅକ୍ଷମମାନେ ଏଭଳି ସମସ୍ୟାର ସମ୍ମୁଖିନ ହୋଇନଥାନ୍ତି । ସେମାନଙ୍କ ନିମନ୍ତେ ସେଠାକାର ଶିକ୍ଷାୟତମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଟାମୋଟି କହିବାକୁ ଗଲେ ଆମେରିକାଠାରୁ ଭାରତ ୪୦ବର୍ଷ ପଛରେ ରହିଛି ।

ଆମ ଦେଶରେ ଜଣେ ଶାରିରୀକ ଅକ୍ଷମ ଯେ କୌଣସି ସ୍ଥାନକୁ ଗଲେ ତାକୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ବସ୍ ରେ ସେମାନଙ୍କ ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଏପରିକି ଆପଣ ସାଥିରେ ହ୍ୱିଲ୍ ଚେୟାର ନେଇପାରିବେ ନାହିଁ ।

ରେଳରେ ଯାତ୍ରାବେଳେ ଶାରିରୀକ ଅକ୍ଷମମାନେ ଅନୁରୂପ ବାଧାବିଘ୍ନର ସମ୍ମୁଖିନ ହୋଇଥାନ୍ତି । ଅଫିସ, ପ୍ଲାଟ୍ଫର୍ମ, ଏୟାରପୋର୍ଟ ଯେଉଁଠିକୁ ଗଲେ ବି ସେମାନଙ୍କ ନିମନ୍ତେ ଗୋଟିଏ ଇଞ୍ଚ ଯାଗାର ବ୍ୟବସ୍ଥା ନାହିଁ । ଅବଶ୍ୟ ନୂଆଦିଲ୍ଲୀ ଏବଂ ମୁମ୍ବାଇ ଆଦି କେତେକ ସ୍ଥାନର ବିମାନ ବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ସରକାରୀ କଳର କୌଣସି ଉଦ୍ୟମ ନାହିଁ କିମ୍ବା ସ୍ୱତନ୍ତ୍ର ଥଇଥାନ କେନ୍ଦ୍ରମାନ ମଧ୍ୟ ସ୍ୱାଧିନତାର ପାଞ୍ଚ ଦଶନ୍ଧିପରେ ସ୍ଥାପନ ହୋଇପାରିନି ।

ଶାରୀରିକ ଅକ୍ଷମ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର କି ଯୋଗଦାନ ରହିବ?

ମୁଁ ୟୁ.ଏସ.ରେ ଅନେକ କନଫରେନ୍ସରେ ଯୋଗଦାନ କରିଛି । ସେଠାରେ ଶାରୀରିକ ଅକ୍ଷମମାନଙ୍କୁ ବସ୍ ଯାତାୟତ, ଶିକ୍ଷାନୁଷ୍ଠାନ, ଶିକ୍ଷାଗତ ବୃତ୍ତି ଆଦି କ୍ଷେତ୍ରରେ ମିଳୁଥିବା ସୁବିଧା ସୁଯୋଗ ଭଳି ଆମ ରାଜ୍ୟରେ ମୁଁ ସେମାନଙ୍କ ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ବସ୍ ସୁବିଧାର ବ୍ୟବସ୍ଥା କରିବା ଯୋଜନା କରିଛି ।

ଏଠାକାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶାରୀରିକ ଅକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଉଚିତ ।

ଓଡିଶାର ମୁଖ୍ୟ ସମସ୍ୟା କ’ଣ ବୋଲି ଆପଣ ଭାବନ୍ତି?

ଓଡିଶା ଆର୍ଥିକ ଦୃଷ୍ଟିକୋଣରୁ ଯେଉଁଭଳି ଭାବେ ବିକାଶସାଧନ କରିବା କଥା ତାହା ବସ୍ତୁତଃ ହୋଇପାରୁନାହିଁ । ଜନସଂଖ୍ୟା ବିସ୍ଫୋରଣ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛି ।

ରାଜ୍ୟର ଅର୍ଥନୀତି କୃଷି ଉପରେ ନିର୍ଭର କରୁଥିଲେ ହେଁ ଚାଷ ଜମିକୁ ଆଶାନୁରୂପକ ସେଚନ ସୁବିଧା ଯୋଗାଇ ଦିଆଯାଇନାହିଁ । ସୁଚିନ୍ତିତ ଜଳ ଅମଳ ପ୍ରକଳ୍ପ ଅଭାବରୁ କୃଷକମାନେ ଆଜି ମଧ୍ୟ ଚାଷବାସ ଲାଗି ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଅବହେଳାରୁ ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇପାରିଲା ନାହିଁ । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ଶିକ୍ଷା କ୍ଷେତ୍ରରେ ବିଶେଷ ଅଗ୍ରଗତି କରିବାକୁ ସକ୍ଷମ ହୋଇନାହିଁ ।

ରାଜନେତାମାନେ ଏଥିପ୍ରତି ସଚେତନ ନୁହନ୍ତି । ତେଣୁ ରାଜ୍ୟବାସୀ ବିଭିନ୍ନ ଯୋଜନାରୁ ଯେଭଳି ସୁଫଳ ପାଇବା କଥା ତାହା ପାଇବାକୁ ସକ୍ଷମ ହେଉନାହାନ୍ତି ।

ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ରାଜ୍ୟରେ ବହୁ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ।

ଆପଣଙ୍କ ମତରେ ଏହିସବୁ ସମସ୍ୟାର ସମାଧାନ କ’ଣ ହୋଇପାରେ ?

ଧନୀ, ଗରିବ ଏବଂ ସାଧାରଣ ଲୋକ ତଥା ବୃତ୍ତିଜୀବିମାନଙ୍କ ମଧ୍ୟରେ ବେଶୀ ପାର୍ଥକ୍ୟ ନ ରହିଲେ ରାଜ୍ୟର ଅର୍ଥନୈତିକ ଉନ୍ନତିର ପଥ ସୁଗମ ହେବ ।

ବିଶେଷ କରି ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନଶିପ ସମୟରେ ଗ୍ରାମାଞ୍ଚଳକୁ ପଠାଯିବା ଉଚିତ । ଏହାଦ୍ୱାରା କୃଷି, ସ୍ୱାସ୍ଥ୍ୟ,ପରିମଳ, ଶିକ୍ଷା ଆଦି କ୍ଷେତ୍ରରେ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ପାଇବାରେ ଯୁବବିଢ଼ୀ ସକ୍ଷମ ହେବେ ।

ବିଦେଶରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ତଥା ହସ୍ତଶିଳ୍ପର ଆଶାନୁରୂପ ପ୍ରସାର ହୋଇନାହିଁ । ସେ ଦିଗରେ ରାଜ୍ୟ ସରକାର ବ୍ୟବସାୟିକ ପ୍ରଚେଷ୍ଟା କଲେ ରାଜ୍ୟକୁ ଯଥେଷ୍ଟ ରାଜସ୍ୱ ମିଳିବ ।

ଓଡିଶା ଡ଼ଟ୍ କମ୍

Leave a Reply

This site uses Akismet to reduce spam. Learn how your comment data is processed.