ପରିବେଶ

ଚାରି ଉଚ୍ଚ ଶିକ୍ଷିତ ଯୁବକ ପାଲଟିଛନ୍ତି ଆଧୁନିକ ସାପୁଆକେଳା

ଓଡ଼ିଶା ଡ଼ଟ୍ କମ୍ : ବବିତା ସାହୁ

ଭୁବନେଶ୍ୱର, ଅଗଷ୍ଟ ୧୨(ଓଡ଼ିଶା ଡ଼ଟ୍ କମ୍) ପାରମ୍ପରିକ ସାପୁଆକେଳା ଧରନ୍ତି ବିଷଧର ସାପ । ସେମାନଙ୍କ ସଂଖ୍ୟା ଏବେ କମିଯାଉଥିବାବେଳେ ଓଡ଼ିଶାର ଚାରିଜଣ ଶିକ୍ଷିତ ଯୁବକ ଏହି ପନ୍ଥାକୁ ଏକ ସଉକିଭାବେ ଗ୍ରହଣ କରି ପାଲଟିଛନ୍ତି ଆଧୁନିକ ସାପୁଆକେଳା ।

କୌଣସି ଏକ ପାହାଡ ତଳି ବସ୍ତିର ମଳିମୁଣ୍ଡିଆ, ଲୁଙ୍ଗି ପିନ୍ଧା ଲୋକଟିଏ । ହାତରେ ଡ଼ମ୍ବରୁ, ପାଟିରେ ଅନର୍ଗଳ ମନ୍ତ୍ର । ଡ଼ମ୍ ଡ଼ମ୍ ଡ଼ମ୍ବରୁର ଶବ୍ଦ ସାଙ୍ଗକୁ ପଦ୍ମତୋଳା ମନ୍ତ୍ରର ଉଚ୍ଚାରଣରେ ବଶୀଭୂତ ସାପଟି ଅଙ୍କେଇ ବଙ୍କେଇ ଆସି ପେଡ଼ିରେ ମୁଣ୍ଡ ଗୁଞ୍ଜି ଦିଏ ।

କେଳା ପେଡିର ଢାଙ୍କୁଣି ଭଲ ଭାବରେ ପକାଇ ଦିଏ । ସାପୁଆ କେଳାକୁ ନେଇ ସାଧାରଣତଃ ଆମ ସମସ୍ତଙ୍କ ମନରେ କେଉଁ କାଳରୁ ରହି ଆସିଛି ଏମିତି ଏକ ଧାରଣା ।

ତେବେ ଭୁବନେଶ୍ୱରରେ ରହୁଥିବା ଶୁଭେନ୍ଦୁ ମଲ୍ଲିକ, ପ୍ରତ୍ୟୁଷ୍ ମହାପାତ୍ର, ଶିବ ପ୍ରସାଦ ପରିଡ଼ା ଓ ଅଶୋକ ମଲ୍ଲିକ, ୨୮ରୁ ୩୫ ବୟସ ଭିତରେ ଥିବା ଏହି ଚାରିଜଣ ଯୁବକ ସାପମାନଙ୍କ ବିଷୟରେ ଲୋକମାନଙ୍କର ମନରେ ଥିବା ଅନ୍ଧବିଶ୍ୱାସ ଏବଂ ଅହେତୁକ ଭୟକୁ ଦୂର କରିବା ତଥା ସାପ କାମୁଡ଼ିଥିବା ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ନିକଟରେ ଭୁବନେଶ୍ୱରରେ ଖୋଲିଛନ୍ତି ସାପ ହେଲ୍ପ ଲାଇନ୍ । ସେମାନେ ନା ପଢ଼ନ୍ତି ମନ୍ତ୍ର ନା ବଜାନ୍ତି ଡ଼ମ୍ବରୁ ।

ଶୁଭେନ୍ଦୁ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓ.ୟୁ.ଏ.ଟି ) ରୁ କୃଷି ବିଭାଗରୁ ସ୍ନାତକୋତ୍ତର ଉପାଧି ପାଇଛନ୍ତି । ପ୍ରତ୍ୟୁଷ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଅଧୀନରେ ଏବଂ ଶିବ ପ୍ରସାଦ ଉକôଳ ବିଶ୍ୱ ବିଦ୍ୟାଳୟ ଅଧିନରେ ପ୍ରାଣୀ ବିଜ୍ଞାନରେ ପି.ଏଚ୍.ଡ଼ି କରୁଛନ୍ତି ଏବଂ ଅଶୋକ ମଲ୍ଲିକ ଉକôଳ ବିଶ୍ୱବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ଏମ୍.ଫିଲ୍ ସଂପୂର୍ଣ କରିଛନ୍ତି ।

ସେମାନଙ୍କର ଫୋନ୍ ନମ୍ବର ଗୁଡ଼ିକ ହେଲା ଯଥାକ୍ରମେ ୦୯୩୩୭୨୯୫୧୪୨,୦୯୪୩୭୧୭୧୭୧୨, ୦୯୮୬୧୨୩୯୦୮୯ ଓ ୦୯୮୬୧୨୩୯୩୧୨ ଯେକୌଣସି ଲୋକ ତାଙ୍କୁ ଫୋନ୍ କରି ସାପ ହେଲ୍ପ ଲାଇନର ସାହାଯ୍ୟ ନେଇ ପାରିବେ ।

ଆମେ କେବଳ ଭୁବନେଶ୍ୱର ନୁହେଁ ଦୂର ଜାଗାକୁ ମଧ୍ୟ ଏହି ସବୁ ସହାୟତା ଦେବାପାଇଁ ଯାଇଥାଉ । ସାପ ଧରିବା ପାଇଁ ଯାତ୍ରା ଖର୍ଚ୍ଚ ବ୍ୟତୀତ ଅନ୍ୟ କିଛି ପାରିଶ୍ରମିକ ଆମେ ଦାବି କରି ନ ଥାଉ । ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଆମେ ମାଗଣା ସାପ ଧରିଥାଉ,ଓଡିଶା ଡଟ୍ କମ୍ କୁ କହିଛନ୍ତି ଦଳର ସକ୍ରିୟ ସଭ୍ୟ ଶୁଭେନ୍ଦୁ ।

“ସାପମାନଙ୍କ ମଧ୍ୟରୁ ଶତକଡ଼ା ନବେ ଭାଗ ବିଷାକ୍ତ ନୁହନ୍ତି । ଅଧିକାଂଶ ସ୍ଥଳରେ ଲୋକମାନଙ୍କ ମନରେ ସାପ ପ୍ରତି ଥିବା ଭୟ ଯୋଗୁଁ ସେମାନେ ନିଜେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି ।”

ଯଦି ଏହିପରି ନିରଙ୍କୁଶ ଭାବରେ ସାପମାନଙ୍କୁ ମାରି ଦିଆଯାଏ ତେବେ ବହୁ ବିରଳ ଜାତିର ସାପ ଅବିଳମ୍ବେ ନିଶ୍ଚିହ୍ନ ହୋଇଯିବେ ବୋଲି ସେ କହିଛନ୍ତି ।

ସାପ କାମୁଡିଥିବା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି, ନିକଟସ୍ଥ ହସ୍ପିଟାଲର ଅବସ୍ଥିତି ଓ ସେଠାରେ ମିଳୁଥିବା ସୁବିଧା ସୁଯୋଗ, ସଂପୃକ୍ତ ବ୍ୟକ୍ତି ଶରୀରରେ ଖେଳିଥିବା ବିଷର ମାତ୍ରା ଏବଂ ପରିଶେଷରେ ସାପର ବିଷ କେତେ ମାତା୍ରରେ କ୍ଷତିକାରକ , ପ୍ରଭୃତି କାରଣ ଗୁଡ଼ିକ ସାପ କାମୁଡ଼ା ଜନିତ ମୃତ୍ୟୁକୁ ପ୍ରଭାବିତ କରିଥାଏ ।

ଆମ ରାଜ୍ୟରେ ଦେଖାଯାଉଥିବା ସାପମାନଙ୍କ ମଧ୍ୟରୁ ନାଗ, ତମ୍ପ, ଚିତି, ରଣା ଏବଂ ଚନ୍ଦନ ବୋଡ଼ା ବ୍ୟତୀତ ଅନ୍ୟ ସାପମାନେ ବିଶେଷ କ୍ଷତିକାରକ ନୁହଁନ୍ତି ।

ପ୍ରକୃତରେ କହିବାକୁ ଗଲେ ସାପକୁ ବଶ କରି ଧରିବା ପାଇଁ ହେଲେ କୌଣସି ଗୁଣି ବା ମନ୍ତ୍ର ନୁହେଁ ଜୀବଟି ପ୍ରତି ଆନ୍ତରିକ ସମ୍ବେଦନା ଆବଶ୍ୟକ,ଦଳର ପ୍ରତ୍ୟେକ ସଦସ୍ୟ ବିଶ୍ୱାସ କରନ୍ତି, ଗତ ଏକ ମାସ ମଧ୍ୟରେ ନିଜର ସହକର୍ମୀଙ୍କ ସହ ପ୍ରାୟ ୩୦୦ରୁ ଅଧିକ ସାପ ଧରି ଥିବା ଶିବ କହନ୍ତି ।

“୧୯୭୨ ମସିହାର ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅଧୀନରେ ସାପ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଅନ୍ୟ ପା୍ରଣୀମାନଙ୍କ ତୁଳନାରେ ସାପମାନଙ୍କ କ୍ଷେତ୍ରରେ ଏହା ସ୍ୱତନ୍ତ୍ରଭାବେ ଲାଗୁ କରାଯାଉନାହିଁ” ସାପମାନଙ୍କ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣି ଜୀବଟିକୁ ବିପଦଶଙ୍କୁଳ ପରିବେଶରୁ ରକ୍ଷା କରିବା ଦଳର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ରାଜ୍ୟର କଟକ, ନିମାପଡ଼ା, ପୁରୀ, ବାଲେଶ୍ୱର ଆଦି ସ୍ଥାନରୁ ଆମେ ନିୟମିତ ବହୁ ଫୋନ୍ କଲ୍ ପାଉଛୁ । ଯେତେବେଳେ ଆମେ ଭୁବନେଶ୍ୱରରୁ ବାହାରକୁ ଯାଉ ସେତେବେଳେ ପ୍ରତିଷେଧକ ବାକ୍ସ ସାଙ୍ଗରେ ନେଇଥାଉ । ସହର ଭିତରେ କୌଣସି ମାମଲା ପାଇଁ କେବଳ କ୍ରିପ୍ ବ୍ୟାଣ୍ଡେଜ୍ ଯଥେଷ୍ଟ ।

ନିକଟରେ କଟକ ଜିଲ୍ଲାର ସାନମଳେଇ ଗ୍ରାମକୁ ଯାଇ ସାପ କାମୁଡ଼ିଥିବା ରୋଗୀକୁ ଗୁଣିଆ ପାଖରୁ ଆଣି ଡ଼ାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଯୋଗାଇଥିଲୁ ।

ପିଲାଟି ବେଳୁ ଏହି କୌଶଳ ଜାଣିଥିଲେ ମଧ୍ୟ ବିଶେଷ କରି ଭୁବନେଶ୍ୱରସ୍ଥିତ ବାଣୀବିହାର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ପଢ଼ିଲା ବେଳେ ୨୦୦୪ ମସିହାରୁ ଏହି ଯୁବକମାନେ ଦଳ ଗଠନ କରିଥିଲେ ।ବର୍ତ୍ତମାନ ଅନ୍ୟ କେତେ ଜଣ ଆଗ୍ରହୀ ଯୁବକ ସେମାନଙ୍କ ଦଳରେ ମିଶୁଛନ୍ତି ।

ପରିବାର ଲୋକମାନେ ସାପ କାମୁଡ଼ିବା ଭୟରେ ପ୍ରଥମେ ବାରଣ କରୁଥିଲେ ମଧ୍ୟ ବର୍ତ୍ତମାନ ପିଲାମାନଙ୍କ ପ୍ରକୃତ ଉଦେ୍ଧଶ୍ୟ ବୁଝିଗଲେଣି । ସାଙ୍ଗମାନେ ସମର୍ଥନ କରିବା ସହ ସାପ ଧରିବାବେଳେ ସାଙ୍ଗରେ ଯାଇ ଉତ୍ସାହିତ କରୁଛନ୍ତି, ସେ କହିଛନ୍ତି ।

ପିଲାବେଳୁ ସଉକିରେ ଛୋଟ ଛୋଟ ସାପ ଧରି ସ୍କୁଲରେ ଅନ୍ୟ ପିଲାମାନଙ୍କୁ ଡ଼ରାଉ ଥିବା ଶୁଭେନ୍ଦୁଙ୍କର, ବଡ଼ ହେବା ପରେ ତାଙ୍କ ଅଜାଣତରେ ଏହି କାମଟି ଯେ ଏକ ନିଶାରେ ପରିଣତ ହୋଇଯାଇଛି । ଡ଼ିସକଭରୀ ଚ୍ୟାନେଲ ଆସିବା ପରେ ସାପମାନଙ୍କ ବିଷୟରେ ତାଙ୍କର ଧାରଣା ଆହୁରି ସ୍ପଷ୍ଟ ହୋଇଯାଇଥିବା ସେ କହିଛନ୍ତି ।

ପିଲାବେଳୁ ଏ ପର୍ଯ୍ୟନ୍ତ ସମସ୍ତେ ମିଶି ନାଗ, ରଣା, ବୋଡ଼ା ଆଦି ବିଷାକ୍ତ ଜାତିକୁ ମିଶାଇ ପ୍ରାୟ ୩୦୦୦ରୁ ବେଶୀ ସାପ ଧରିଲେଣି ।

ଲୋକଙ୍କ ସହାୟତା ପାଇଁ ଅନେକ ସମୟରେ ନିଜ ପକେଟରୁ ଖର୍ଚ୍ଚ ଭରଣା କରୁଥିଲେ ହେଁ ସେଥିପାଇଁ ସେମାନଙ୍କର ନିଘା ନ ଥାଏ । ବରଂ ବେଳ ଅବେଳରେ କେଉଁଠୁ ଡାକରା ଆସିଲେ, ସବୁ କାମକୁ ପଛରେ ପକାଇ ଅବିଳମ୍ବେ ସେଠାକୁ ଧାଇଁ ଯାଇଥାନ୍ତି ।ଆମେ ଧରୁଥିବା ସାପମାନଙ୍କୁ ନ ମାରି କୌଣସି ନିରାପଦ ସ୍ଥାନରେ ଛାଡ଼ି ଥାଉ । ଏହି ଭଳି କାର୍ଯ୍ୟରୁ ଆମକୁ ଐଶ୍ୱରିକ ଆନନ୍ଦ ମିଳୁଛି, ସେ କହିଛନ୍ତିା

ଓଡ଼ିଶାରେ ପୂର୍ବରୁ ପ୍ରାୟ କୋଡ଼ିଏ ହଜାରରୁ ଉଦ୍ଧ୍ୱର୍ ସାପୁଆ କେଳା ଥିବାବେଳେ ୧୯୯୧ରେ କରାଯାଇଥିବା ଏକ ସରକାରୀ ଆକଳନ ଅନୁସାରେ ସେମାନଙ୍କ ସଂଖ୍ୟା ସତର ହଜାର ନଅ ଶହ ଏକୋଇଶିରେ ପହଞ୍ଚôଛି । ଏହି ଯୁବକ ମାନଙ୍କର କାର୍ଯ୍ୟ ଅତ୍ୟନ୍ତ ପ୍ରେରଣା ଦାୟକ, କହନ୍ତି ରାଜ୍ୟର ବିଶିଷ୍ଟ ବନ୍ୟଜନ୍ତୁ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି ।

(ଓଡ଼ିଶା ଡ଼ଟ୍ କମ୍)

Leave a Reply

This site uses Akismet to reduce spam. Learn how your comment data is processed.