ଓଡିଶା ନ୍ୟୁଜ/ Odisha News
ସାକ୍ଷାତକାର

“କାଟି ପିନ୍ଧ, କୁଟି ଖାଅ”ଏକଥା ଆଉ ଏବେ କାହିଁ ? (ସାକ୍ଷାତକାର)

୮୫ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ବିରଞ୍ଚି ନାରାୟଣ ପ୍ରଧାନ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୧୮(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାର କମ ଗାଁ ନିବାସୀ ବିରଞ୍ଚି ନାରାୟଣ ପ୍ରଧାନ ୧୯୩୮ ମସିହାରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ଗାନ୍ଧିଜୀଙ୍କ ଡାକରାରେ ତଥା ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ଅନୁଷ୍ଠିତ ସଭା ମାନଙ୍କରେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର, ପ୍ରହଲ୍ଲାଦ ରାୟ ଲାଠ, ନୀଳକଣ୍ଠ ଦାଶ, ଭାଗୀରଥି ପଟ୍ଟନାୟକ, ଫକିର ବେହେରା ଆଦିଙ୍କ ଭଳି ମହାନ ବ୍ୟକ୍ତି ବିଶେଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ସେବାରେ ନିଜକୁ ବ୍ରତୀ କରିଥିଲେ ।

ଗାଁର ଏକ ସଭା ସ୍ଥଳରୁ ଆଉ ଘରକୁ ନ ଫେରି ସଂଗ୍ରାମୀ ମାନଙ୍କ ସହ ଢ଼େଙ୍କାନାଳ ଗଡଜାତ ରାଜାଙ୍କ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେବାକୁ ଚାଲି ଯାଇଥିଲେ ।

ଖଗେଶ୍ୱର ପ୍ରଧାନ ଓ ଜାନକୀ ଦେବୀଙ୍କ ମଝିଆଁ ପୁଅ ବିରଞ୍ଚି ନାରାୟଣ, ସେ ସମୟରେ ବରଗଡ଼ କଚେରି, ଓ ଜିଲ୍ଲାର କାଦୋବାହାଲ ଓ ଭଟଲିରେ ଗିରଫ ହୋଇ କଟକ ଓ ସମ୍ବଲପୁର ଜେଲରେ ବନ୍ଦୀ ଜୀବନ ବିତାଇ ଥିଲେ ।

ଦେଶ ମାତୃକାର ସେବା ତଥା ଗାନ୍ଧିଜୀଙ୍କ ସେବା ଓ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅବିବାହିତ ହୋଇରହିଥିବା ପ୍ରଧାନ ଏବେ ୮୫ ବର୍ଷର ପରିଣତ ବୟସରେ ରୋଗାକ୍ରାନ୍ତ ହୋଇ ପଡି ରହିଛନ୍ତି । ତାଙ୍କ ସହ ସ୍ୱାଧୀନତା ସ୍ମୃତି ସଂପର୍କରେ ଏକ ଅନ୍ତରଙ୍ଗ ଆଳାପ ।

ସ୍ୱାଧାନତା ସଂଗ୍ରାମ ସମୟର ତଥା ଦୀର୍ଘ ୮୫ ବର୍ଷ ବୟସର ଜୀବନ କାଳ ମଧ୍ୟରେ ଆପଣଙ୍କ ସଂଗ୍ରାମୀ ଜୀବନର ଅଭୁଲା ସ୍ମୃତି ବିଷୟରେ କିଛି କହିବେ କି?

୧୯୪୨ ସାଲର କଥା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସେବିକା ପାର୍ବତୀ ଗିରି ପାଣିମୋରାର ଅଭିମନ୍ୟୁ ସାହୁ ଓ ମୁଁ ଅନ୍ୟ କେତେଜଣ ବରଗଡ଼ କଚେରିରେ ଦାଖଲ କଲୁ, ପାର୍ବତୀ ଗିରି ହେଲେ ଏସ୍.ଡି.ଓ ଏବଂ ଅଭିମନ୍ୟୁ ପେଶକାର ଓ ମୁଁ ହେଲି ଡ଼କନିଆ (ପିଅନ) । ଲୋକଙ୍କ ବିଚାର କରିବାକୁ ପାର୍ବତୀ ଗିରି ଏସ୍.ଡ଼ି.ଓଙ୍କ ଚୋକିରେ ବସିଗଲେ । କିଛି ସମୟ ପରେ ତତ୍କାଳୀନ ମାଜିଷ୍ଟ୍ରେଟ ଆସିଲେ । ଆମେ ସମସ୍ତେ ଗିରଫ ହେଲୁ ।

ସ୍ୱାଧୀନତା ପୂର୍ବରୁ ଭାରତ କିଭଳି ଥିଲା ?

ପରାଧୀନ ଭାରତ ରେ ଦେଶର ଗେଉଁତି (ଗୋନ୍ତିଆ) ପ୍ରଥା ଚାଲୁଥିଲା । ଲାଲ ମୁଣ୍ଡିଆ ଟୋପି ଦେଖିଲେ ସମସ୍ତେ ଥରୁଥିଲେ । ପୋଲିସ ଆସିଲେ ସମସ୍ତେ ଲୁଚୁଥିଲେ, ଖାଇବା ପିନ୍ଧିବାରେ ଘୋର ଅଭାବ ଥିଲା ।

ଝାଡା ବାନ୍ତି ପ୍ରଭୃତି ରୋଗରେ ଲୋକେ ପୋକ ମାଛି ପରି ମରୁଥିଲେ । ପୁଞ୍ଜିବାଦୀ ଶୋଷଣ ଯୋଗୁଁ ଦାରିଦ୍ର୍ୟ ବଳ ବତ୍ତର ରହିଥିଲା । କୃଷକ ଏବଂ ଶ୍ରମିକମାନେ ସମାଜରେ କାମଧନ୍ଦା ପାଉ ନ ଥିଲେ । ସେତେବେଳେ ତମ୍ବା ପଇସା ଚଳୁ ଥିଲା । ମାତ୍ର ପଇସାର ଘୋର ଅଭାବ ରହିଥିଲା ।

ସ୍ୱାଧୀନତା ପରବର୍ତ୍ତୀ ସମାଜକୁ ଆପଣ କିଭଳି ଦେଖୁଛନ୍ତି ?

ନିଜ ନିଜ ସ୍ୱାର୍ଥରେ ବୁଡି ରହିଛନ୍ତି ସଭିଏଁ । ଦାୟିତ୍ୱ କର୍ତ୍ତବ୍ୟ ପ୍ରତି କେହିହେଲେ ନିଷ୍ଠାବାନ ନୁହଁନ୍ତି । ବିଦେଶୀ କମ୍ପାନୀ ପୁଞ୍ଜି ବିନିଯୋଗ ନାଁରେ ଏଠାକୁ ଆସି ଦେଶକୁ ପୁଣି ନିଜ ଅଧିନକୁ ନେବାକୁ ଚକ୍ରାନ୍ତ ଚଳାଇଛନ୍ତି । ସେମାନଙ୍କୁ ଏଠାରେ ପୂର୍ଣ୍ଣ ମାତ୍ରାରେ ସ୍ୱାଧୀନତା ଦିଆଯାଉଥିବାରୁ କାରଖାନା ସ୍ଥାପନ ହେଉଥିବା ଅଞ୍ଚଳର ବାସିନ୍ଦା ସଂପୂର୍ଣ୍ଣ ପରାଧୀନ ହୋଇ ଗଲେଣି ।

ଆପଣଙ୍କର କୋଣସି ସ୍ୱପ୍ନ ଅଧୁରା ରହିଯାଇଛି କି ?

ମୁଁ ଗରିବ ଘରର ପିଲା । ବହୁତ ଅଭାବ ଅନଟନ ମଧ୍ୟରେ ଚଳି ଆସିଛି । ସେଥିପ୍ରତି କେବେ ଚିନ୍ତା ନାହିଁ । ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲି । ଦେଶ ସ୍ୱାଧୀନ ହେବ ରାମ ରାଜ୍ୟ ପ୍ରତିଷ୍ଠା ହେବ । ସମସ୍ତେ ସୁଖ ଶାନ୍ତିରେ ରହିବେ । ଏଭଳି ମୋର ସ୍ୱପ୍ନ ଥିଲା । ସେ ସ୍ୱପ୍ନ ଅଧୁରା ରହିଗଲା । ରାମରାଜ୍ୟଟା କିପରି ଆମେ ଜାଣି ପାରିଲୁ ନହିଁ । ଗାନ୍ଧିଜୀ କହୁଥିଲେ “କାଟି ପିନ୍ଧ, କୁଟି ଖାଅ” ଏକଥା ଆଉ ଏବେ କାହିଁ ?

(ଓଡିଶା ଡଟ୍ କମ୍)

Leave a Reply

This site uses Akismet to reduce spam. Learn how your comment data is processed.