ସାକ୍ଷାତକାର

ଜନତା ହାତରେ ଅଛି ବିକାଶର ଚାବିକାଠି

ସମ୍ବଲପୁର, ସେପ୍ଟେମ୍ବର ୨୬ (ଓଡ଼ିଶା ଡ଼ଟ୍ କମ୍), ଖାଉଟିଙ୍କ ପାଇଁ ପ୍ରାୟ ୨୦୦ଟି ଷ୍ଟେଟ୍ ଫୋରମ୍ ଏବଂ ପ୍ରାୟ ୫୦ଟି ନ୍ୟାସ୍ନାଲ୍ ଫୋରମ୍ ରେ ୫୦୦ରୁ ଅଧିକ ଜନସ୍ୱାର୍ଥ ମାମଲା ଲଢ଼ିଥିବା ସମ୍ବଲପୁରର ଗୋବିନ୍ଦ ନାରାୟଣ ଅଗ୍ରୱାଲ୍ ।

ସତୁରୀ ରୁ ଅଶୀ ଦଶକରେ ସମ୍ବଲପୁର ସହରର ସେ ଜଣେ ଜଣାଶୁଣା ଓକିଲ ଥିଲେ ।

ରେଳ ଷ୍ଟେସନ ପ୍ଲାଟ୍ଫର୍ମରେ ଜିନିଷଗୁଡ଼ିକ ଅଧିକ ଦାମ୍ ରେ ବିକ୍ରି ହେଉଥିବା ନେଇ ସେ ଏକ କେଶ୍ ଲଢ଼ିଥିଲେ । ପରେ ଷ୍ଟଲ୍ ଗୁଡ଼ିକରେ ମିଳୁଥିବା ଅନେକ ଜିନିଷଗୁଡ଼ିକ ଉପରେ ଲିଖିତ ଦାମ୍ ଅନୁସାରେ ମୂଲ୍ୟ ଗ୍ରହଣ କରିବାକୁ ରେଳ ବିଭାଗ ନିର୍ଦ୍ଦେଶ ଦେଇଥିଲେ ।

ଆଗରୁ ଥଣ୍ଡାପାନୀୟ ବୋତଲଗୁଡ଼ିକ ଉପରେ ଦାମ୍ ଲେଖାଯାଉ ନ ଥିଲା । ପ୍ରାୟ ତିନି ବର୍ଷ ତଳେ ସେ ଏକ କେଶ୍ ଲଢ଼ିବା ପରେ ଥଣ୍ଡାପାନୀୟ ବୋତଲଗୁଡ଼ିକ ଉପରେ ଦାମ୍ ଲେଖାଯାଇଥିଲା ।

ସମ୍ବଲପୁର ସହରର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ସେ “ଗୋବିନ୍ଦ ଚାଚା” । ସାଇକେଲଟିଏ ଧରି ବୁଲୁଥାନ୍ତି ସହର ସାରା । ବୋଧ ହୁଏ ନିଃସ୍ୱାର୍ଥପରଭାବେ ସହରର ମଙ୍ଗଳକାମନା କରୁଥିବା ସେ ହେଉଛନ୍ତି ଜଣେ ମାତ୍ର ଲୋକ ।

କୌଣସି ସଭା ହେଉ ଅବା ବିରୋଧ ପ୍ରଦର୍ଶନ ସ୍ଥଳ ତାଙ୍କୁ ସବୁଠାରେ ଦେଖିବାକୁ ମିଳେ ।

ବର୍ତ୍ତମାନ ସବୁକିଛି ତ୍ୟାଗ କରି ସନ୍ୟାସୀଙ୍କ ଭଳି ସେ ଜୀବନଯାପନ କରୁଛନ୍ତି ।

ତାଙ୍କର ନା ଅଛି ପରିବାର, ନା ସାଙ୍ଗସାଥୀ, ନା ଅଛନ୍ତି କେହି ଶତ୍ରୁ । ପାରିବାରିକ ଜୀବନ ତାଙ୍କର ବିପର୍ଯ୍ୟସ୍ତ । ଏ ସବୁ ପାଇଁ ତାଙ୍କ ମନରେ କେବେ ବି ବିଶାଦ ଦେଖିବାକୁ ମିଳେ ନା ।

ଭଗବାନ ତାଙ୍କଠାରୁ ସବୁ କିଛି ନେଇ ଯାଇଥିଲେ ମଧ୍ୟ ବଦଳରେ ଦେଇଛନ୍ତି ପ୍ରଖର ସ୍ମରଣ ଶକ୍ତି । ସମ୍ବଲପୁର ସହରର ତାଙ୍କୁ ଏକ ବିଶ୍ୱକୋଷ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

କୌଣସି ବିଷୟରେ ତାଙ୍କର କହିବା ଆରମ୍ଭ ହେଲେ ଜଣେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବ ନାହିଁ ।

ବୟସ ତାଙ୍କୁ ଷାଠିଏରୁ ଅଧିକ ହେଲାଣି । ତଥାପି ଜଣେ ଯୁବକ ଭଳି ସେ ଚଳଚଞ୍ଚଳ । ପଶ୍ଚିମ ଓଡ଼ିଶାର ଉନ୍ନତି ସଂପର୍କରେ ତାଙ୍କର ମତାମତ ଜାଣିବା ପାଇଁ ଓଡ଼ିଶା ଡଟ୍ କମ୍ ପ୍ରତିନିଧି ଅଜିତ ନାୟକ ଅଗ୍ରୱାଲଙ୍କ ସହ କରିଥିବା ଅନ୍ତରଙ୍ଗ ଆଳାପର କିୟଦଂଶ………………

ଆପଣଙ୍କ ଜୀବନରେ ଏତେ ସବୁ ବାଧା ବିଘ୍ନ ସତ୍ତ୍ୱେ ଆପଣ ସେଗୁଡ଼ିକର ସାମ୍ନା କିପରି କରନ୍ତି ?

ଏହା ଅତ୍ୟନ୍ତ ସ୍ୱାଭାବିକ । ସାଧାରଣ ଚଳଣି, ଉଚ୍ଚ ଚିନ୍ତାଧାରା । ଜଣେ ବ୍ୟକ୍ତିକୁ ତାର ପାରିପାଶ୍ୱିର୍କ ପରିବେଶ ଅନୁସାରେ ଚଳିବାକୁ ହୋଇଥାଏ । ଜୀବନ ଏକ ରଙ୍ଗ ମଞ୍ଚ । ଆମକୁ କେବଳ ଅଭିନୟ କରିବାକୁ ହୁଏ ।

ଆପଣଙ୍କ ଜୀବନରେ ଯାହା ସବୁ ଘଟୁଛି, ସେଥିପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ?

ଦଇବ ଦଉଡ଼ି, ମଣିଷ ଗାଈ । ଏହାର ସତ୍ୟତା ବିଶ୍ୱସନୀୟ । ମଣିଷ ମାତ୍ରେ ହିଁ ଭୁଲ୍ କରିଥାଏ । ସବୁବେଳେ ସଠିକ୍ ନିଷ୍ପତ୍ତି ନେବା ତା ପକ୍ଷରେ ସମ୍ଭବ ହୋଇ ନ ଥାଏ । ଏପରିକି ବେଳେବେଳେ ଗୁରୁଜନମାନେ ମଧ୍ୟ ଉପଯୁକ୍ତ ଦିଗ୍ଦର୍ଶନ ଦେଇପାରି ନଥାନ୍ତି ।

ମୁଁ ଏଥି ପାଇଁ କାହାକୁ ଦାୟୀ କରୁ ନି । ଏହା କେବଳ ମୋ ନିଜର ଭାଗ୍ୟ ଅଟେ । ଭାଗବତରେ କୁହାଯାଇଛି “ଆପଣା କର୍ମ ମାନ, ମଲାରୁ ଥିବ ସାବଧାନ” । ଏହା ସବୁବେଳେ ମୋ ମନରେ ରହିଥାଏ ।

ଆପଣ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି କି ?

ହଁ ମୁଁ ଭାଗ୍ୟରେ ବିଶ୍ୱାସ କରେ । କିନ୍ତୁ ସବୁ କଥା ଭାଗ୍ୟ ଉପରେ ଛାଡ଼ି ଦେବା ଉଚିତ ନୁହେଁ । ତେବେ ବଞ୍ଚିବା ପାଇଁ ଜଣକୁ ବିଶ୍ୱାସ କରିବାକୁ ପଡ଼ିବ ।

ଆପଣଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ କିଛି କହିବେ କି?

ଆପଣ ଜାଣିଥିବେ ଯେ, ମୋର ବର୍ତ୍ତମାନ କୌଣସି ବ୍ୟକ୍ତିଗତ ଜୀବନ ନାହିଁ । ଦିନ ଥିଲା ମୁଁ ବି ଅନ୍ୟମାନଙ୍କଭଳି ସୁଖୀ ପାରିବାରିକ ଜୀବନ ବିତାଉ ଥିଲି । କିନ୍ତୁ କିଛି ବିବାଦ ସୃଷ୍ଟି ହେଲା ଏବଂ ସବୁ ଶେଷ ହୋଇଗଲା । ବର୍ତ୍ତମାନ ସେହି ଅତୀତକୁ ମୁଁ ମନେପକାଇବାକୁ ଚାହୁଁନି ।

ଆପଣଙ୍କର କୌଣସି ସ୍ୱପ୍ନ ଅଛି, ଯାହାକୁ ଆପଣ ପୂରା କରିବାକୁ ଚାହାନ୍ତି ?

ହଁ ଏକ ସ୍ୱଚ୍ଛ, ସୁନ୍ଦର ଭାରତ ହେଉଛି ମୋର ସ୍ୱପ୍ନ । ଯେଉଁଠାରେ କି, ମନରେ ଭାତୃଭାବ, ବନ୍ଧୁତ୍ୱ ନେଇ ସମସ୍ତେ ଶାନ୍ତିରେ ରହୁଥିବେ ।

ସମ୍ବଲପୁର ସହରର ଜନତାଙ୍କ ସହ ବିତାଇଥିବା ଜୀବନର ପଚାଶ ବର୍ଷ ମଧ୍ୟରେ ଆପଣ ଏଠାରେ କ’ଣ ସବୁ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି?

ଆପଣ ଜାଣିଥିବେ ଇତିହାସର ପୁନରାବୃତ୍ତି ହୁଏ । ବିଶେଷ କରି ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶା କ୍ଷେତ୍ରରେ ଏହାର ସତ୍ୟତା ପ୍ରମାଣିତ ହୋଇଛି ।

ପଶ୍ଚିମ ଓଡ଼ିଶା ଏବଂ ଏହାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମହାଭାରତ ସମୟରୁ ଆଜି ଯାଏ ଲୁଣ୍ଠିତ ହେବା ପରିସ୍ଥିତି ସୃଷ୍ଟି ହୋଇ ଆସୁଛି । ପଚାଶ ଶତକରେ ଧାର୍ଯ୍ୟ କରାଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଇନାହିଁ । ଫଳରେ ଲୋକମାନଙ୍କର ଦୁଃଖ ଦୁର୍ଦ୍ଧଶା ବଢ଼ିଯାଇଛି ।

ବିଦ୍ୟୁତ୍ ସଂଯୋଗର ଉଦାହରଣ ନିଆଯାଉ । ସାରା ଦେଶରେ ଯୋଜନାବଦ୍ଧଭାବେ ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ଆମ ପାଖରେ ଆବଶ୍ୟକ ମୁତାବକ ଗ୍ରୀଡ୍ ନାହିଁ ।

ହୀରାକୁଦ ଶକ୍ତି ଯୋଗାଣ ବ୍ୟବସ୍ଥା କିମ୍ବା ବନହରପାଲି ଗ୍ରୀଡ୍ ରେ ଯଦି କୌଣସି ବିଘ୍ନ ସୃଷ୍ଟି ହୁଏ ତେବେ ସାରା ରାଜ୍ୟ ପ୍ରଭାବିତ ହେବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକା ପ୍ରକାର ଅବ୍ୟବସ୍ଥା ଦେଖାଯାଇଛି । ବୁର୍ଲାରେ ଥିବା ବୀର ସୁରେନ୍ଦ୍ରସାଏ ହସ୍ପିଟାଲ୍ ସ୍ୱାଧିନତା ସଂଗ୍ରାମୀଙ୍କ ନାମରେ ନାମିତ ହୋଇଛି । ମେଡିକାଲ କଲେଜରେ ପଢୁଥିବା ଛାତ୍ରମାନଙ୍କ ପିଛା ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ସ୍ୱାସ୍ଥ୍ୟସେବା ଆଜି ଯାଏ ମଧ୍ୟ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ପାରିନି ।

ବିଧାନ ସଭାରେ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ହସ୍ପିଟାଲର ସେବାରେ ଆଖିଦୃଶିଆ ଉନ୍ନତି ଦେଖାଯାଇନାହିଁ ।

ରେଳସେବା ଏବଂ କୋଇଲାଖଣି ଆଦି ଶିଳ୍ପାଞ୍ଚଳରେ ମଧ୍ୟ ଅବ୍ୟବସ୍ଥା ହୋଇଛି । ଶିକ୍ଷା କ୍ଷେତ୍ରରେ କିଛି ନ କହିବା ଭଲ ।

ଏହି ଅଞ୍ଚଳର ଗାଁମାନଙ୍କୁ ପ୍ରାଥମିକ ଶିକ୍ଷା ନ ପହଞ୍ଚିଥିବାବେଳେ ଉଚ୍ଚଶିକ୍ଷାର ପରିସ୍ଥିତି ଅନୁମେୟ । ଯୁବପୀଢ଼ିକୁ ଶିକ୍ଷା ପ୍ରଦାନ ଲାଗି ୧୯୫୭ରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା ।

ଏଠାରେ ଆମ ନିଜ ସମ୍ବଲପୁରୀ ଭାଷାର କୌଣସି ପ୍ରାଧାନ୍ୟତା ନ ଥିବାବେଳେ ରାଜନୈତିକ ନେତାମାନଙ୍କୁ ଖୁସି କରିବା ପାଇଁ ଅନ୍ୟ ଭାଷାରେ ଶିକ୍ଷାଦାନ ହେଉଛି ।

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଉପରେ ଆପଣଙ୍କ ମତ କ’ଣ ?

କୋଶଳ ଅଯୋଧ୍ୟା ବା ଅବଧରୁ ଆସିଥିବା ଏକ ଶବ୍ଦ । ସମଗ୍ର ବର୍ମା, ଶିଲଂ ଏବଂ କୈକେୟ ଅଞ୍ଚଳ(ଗାନ୍ଧାରରୁ ତିବ୍ବତ ପର୍ଯ୍ୟନ୍ତ) ରାମଚନ୍ଦ୍ରଙ୍କ ଭାରତ ଥିଲା । ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ ପଶ୍ଚିମ ଓଡ଼ିଶା ଦକ୍ଷିଣ କୋଶଳର ଏକ ଅଂଶ ।

ଅତୀତରେ ଉତ୍ତମ ଶାସନ ପାଇଁ ଏହି ଅଞ୍ଚଳ ପ୍ରସିଦ୍ଧ ଥିଲା । ବ୍ରିଟିଶ ଶାସନ ସମୟରେ ଏହା ସେଣ୍ଟ୍ରାଲପ୍ରୋଭିନ୍ସ ସହ ମିଶିଥିଲା ଏବଂ ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମିଶିଛି ।

ଯେତେବେଳେ କେନ୍ଦ୍ର ସରକାର ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରାଞ୍ଚଳ ପ୍ରଦେଶ ଗଠନ କଲେ ସେତେବେଳେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ମଞ୍ଜୁର ନ କରିବାର କୌଣସି କାରଣ ନ ଥିଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକ ଏବଂ ଏଠାକାର ଅଧିବାସୀ ବିଭିନ୍ନ ସମୟରେ ସବୁ ଦିଗରୁ ଉପେକ୍ଷିତ ହେଉଛନ୍ତି । କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ବିଚାର କରିବା ଉଚିତ ।

ଯେହେତୁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ପାରିନାହିଁ ସମ୍ବଲପୁର କିମ୍ବା ହୀରାଖଣ୍ଡ ନାମରେ ଏକ ଅଲଗା ରାଜ୍ୟ ଗଠନ ହେବାର ସମୟ ଉପନୀତ ହୋଇଛି । ରାଜ୍ୟର ନାମ କୋଶଳ ରଖାଯିବା ଠିକ୍ ହେବ ନାହିଁ କାରଣ ପୂର୍ବରୁ ଏହା କୋଶଳର ଏକ ଅଂଶ ଥିଲା ।

ପଶ୍ଚିମ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି ପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ?

ନିଶ୍ଚିତଭାବେ ରାଜନୈତିକ ନେତାମାନଙ୍କୁ । ସେମାନଙ୍କର କୌଣସି ଦୂର ଦୃଷ୍ଟି ନାହିଁ । ଅନ୍ୟମାନଙ୍କଠାରୁ କିଛି ଶିଖିବାର ଆଗ୍ରହ ମଧ୍ୟ ନାହିଁ ।

ଦଳ ଟିକେଟ୍ ହରାଇବା ଭୟରେ ସେମାନେ ଅନ୍ୟ ବଡ଼ ନେତାମାନଙ୍କର ଚାମ୍ଚା ହେବାକୁ ପସନ୍ଦ କରନ୍ତି ।

ଯଦିବା କେତେବେଳେ କେହି ସ୍ୱର ଉଠାନ୍ତି ସେମାନେ ଜନସ୍ୱାର୍ଥ ବଦଳରେ ନିଜ ସ୍ୱାର୍ଥ ପାଇଁ ତାହା କରୁଥିବାରୁ ଅଧିକାଂଶ ସମୟରେ ବିଫଳ ହୋଇଥାନ୍ତି ।

ଅବସ୍ଥାର ଉନ୍ନତିର କୌଣସି ସମ୍ଭାବନା ଆପଣ ଦେଖୁଛନ୍ତି କି ?

ଲୋକମାନଙ୍କୁ ସେମାନଙ୍କ ନିଜର ଶକ୍ତି ବିଷୟରେ ସଚେତନ ହେବାକୁ ପଡ଼ିବ । ସେମାନେ ବୋଧେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପରାମର୍ଶକୁ ଭୁଲି ନ ଥିବେ ।

ଲୁଣ୍ଠନ ଏବଂ ବନ୍ଧନରୁ ମୁକ୍ତି ପାଇବା ପାଇଁ ଜନତା ତାର ବ୍ରହ୍ମଶକ୍ତିର ଉପଯୋଗ ନିଶ୍ଚୟ କରିବ । ଧନ୍ୟବାଦ ।

(ଓଡ଼ିଶା ଡ଼ଟ୍ କମ୍)

 

Leave a Reply

This site uses Akismet to reduce spam. Learn how your comment data is processed.