ଓଡିଶା ନ୍ୟୁଜ/ Odisha News
ସାକ୍ଷାତକାର

ନକାରାତ୍ମକ ଭାବନାର ପରିହାର କଲେ ହୋଇପାରିବ ଓଡ଼ିଶାର ବିକାଶ

ଓଡିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ସହ ଓଡିଶା ଡଟ୍ କମ୍ ର ସାକ୍ଷାତକାର

କଟକ, ଅକ୍ଟୋବର ୨(ଓଡିଶା ଡଟ୍ କମ୍), ଭୁବନେଶ୍ୱର ଓ କଟକ ଓଡ଼ିଶାର ଦୁଇଟି ମାତ୍ର ମହାନଗର ନିଗମ । ୨୦୦୩ରେ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବେ ଦାୟିତ୍ୱ ସମ୍ଭାଳିଥିବା ନିବେଦିତାଙ୍କର ୧୯୬୩ ମସିହାରେ କଟକ ସହରର ହରିପୁର ବସ୍ତିରେ ଜନ୍ମ ।

କଟକ ମୁନିସିପାଲିଟି ହାଇସ୍କୁଲରୁ ୧୯୭୮ ମସିହାରେ ମାଟ୍ରିକ୍ୟୁଲେସନ, ୧୯୮୩ରେ କେନ୍ଦ୍ରାପଡ଼ା କଲେଜରୁ ବାଣିଜ୍ୟରେ ସ୍ନାତକ, ପରେ କେନ୍ଦ୍ରାପଡ଼ା ଡ଼ି.ଏସ. ଆଇନ ମହାବିଦ୍ୟାଳୟରୁ ଏଲ.ଏଲ.ବି । ୧୯୯୨ରୁ ହାଇକୋର୍ଟରେ ଓକିଲାତି ।

ବାପା ନୃସିଂହ ଚରଣ ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ, ମା’ ତମାଳିନୀ ପ୍ରଧାନ ଗୃହିଣୀ । ନିବେଦିତାଙ୍କୁ ମିଶାଇ ତିନି ଭଉଣୀ, ଗୋଟିଏ ଭାଇ । ଜଣେ ଭଉଣୀ ସସ୍ମିତା ଇମ୍ଫାରେ କ
କଷ୍ଟିଙ୍ଗ ଆକାଉଣ୍ଟାଣ୍ଟ ଏବଂ ମଧୁସ୍ମିତା ଅର୍ବାନ ବ୍ୟାଙ୍କରେ କାମ କରନ୍ତି । ସବୁଠାରୁ ସାନ, ଭାଇ ସତ୍ୟରଞ୍ଜନ ଇଞ୍ଜିନିୟରିଂ କୋର୍ସ ଚଳିତ ବର୍ଷ ସଂପୂର୍ଣ୍ଣ କରିଛନ୍ତି ।

ଘରର ବଡ଼ ଝିଅ ହିସାବରେ ତାଙ୍କର ଦାୟିତ୍ୱ ତୁଲାଇବାରେ କୌଣସି ଅବହେଳା କରିନଥିବା ୪୨ ବର୍ଷୀୟା ନିବେଦିତା କିଛିଦିନ ଗଭର୍ଣ୍ଣମେଣ୍ଟ ଅର୍ଡ଼ର ସପ୍ଲାୟର ବ୍ୟବସାୟ ମଧ୍ୟ କରିଛନ୍ତି ।

ବାପା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିଲେ । ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୯୧ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଓ ସେହି ଦିନ ଠାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଜୀବନ ।

୧୯୯୭ରେ କଟକ ମହାନଗର ନିଗମର କାଉନସିଲର , ୨୦୦୦ ମସିହା ଫେବୃଆରୀ ୨୬ ତାରିଖରେ ୪୩ ନମ୍ବର କଟକ ସଦର ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ଏହି ଯୁବତୀ ଆଉ ପଛକୁ ଫେରି ନାହାଁନ୍ତି ।

ଓଡ଼ିଶା ଲିଗାଲ ଏଡ୍ କାଉନ୍ସିଲର ଉପଦେଷ୍ଟା, ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚାର ମହାସଚିବ, ତଥା ଏହି ପାର୍ଟିର ଜାତୀୟ ପରିଷଦର ସଦସ୍ୟା, ସରକାରୀ ପ୍ରେସ୍ କର୍ମଚାରୀ ସଂଘର ସଭାପତି ତଥା ଏକଦା ସେ ଜାତୀୟ ଚଳଚ୍ଚିତ୍ର ଉତ୍ସବର ଜୁରୀ ସଦସ୍ୟା ଥିବା ନିବେଦିତା ଏବେ କଟକର ମେୟର ଭାବେ ସହରକୁ ସରସ ସୁନ୍ଦର ଗଢିତୋଳିବା ସଂକଳ୍ପ ନେଇଛନ୍ତି ।

ରେଡ୍ କ୍ରସ୍ କ୍ୟାମ୍ପଗୁଡ଼ିକରେ ୨୨ଥର ରକ୍ତଦାନ କରିଥିବା ଏହି ବହୁମୁଖୀ ପ୍ରତିଭାର ଅଧିକାରୀଣିଙ୍କୁ ନିକଟରେ ମହାନଗର ନିଗମ କାର୍ଯ୍ୟାଳୟରେ ଭେଟିଥିଲେ ଓଡ଼ିଶା ଡ଼ଟ୍ କମ୍ ପ୍ରତିନିଧି ବବିତା ସାହୁ । ସେ ଦେଇଥିବା ସାକ୍ଷାତକାରର ମୁଖ୍ୟାଅଂଶ

ରାଜନୀତିକୁ ଆପଣ କ୍ୟାରିୟରଭାବେ କାହିଁକି ଗ୍ରହଣ କଲେ?

ରାଜନୀତିକୁ ମୁଁ କ୍ୟାରିୟରଭାବେ ଗ୍ରହଣ କରିବାକୁ ଚାହିଁ ନ ଥିଲି । ୮୦ଦଶକର ସମସାମୟିକ ପରିସ୍ଥିତି ମୋତେ ରାଜନୀତିକୁ ଆସିବାକୁ ବାଧ୍ୟ କଲା । ଅତୀତରେ ଅନେକ ସମୟରେ ଆମ ବସ୍ତିର ବିଭିନ୍ନ ସମସ୍ୟା ନେଇ ପ୍ରଶାସନିକ ଦାୟିତ୍ୱରେ ଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ମୁଁ ଯାଇଛି । ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ଅବହେଳା ଯୋଗୁଁ ଆଶାନୁରୂପ ଫଳ ମୁଁ ପାଇନି ।

ସେତେବେଳେ ମୁଁ ଅନୁଭବ କଲି ଯେ ସମାଜ ପାଇଁ ଯଦି କିଛି କରିବାର ଲକ୍ଷ୍ୟ ଥାଏ ତା ହେଲେ କ୍ଷମତା ରାଜନୀତି କରିବାକୁ ହେବ । ନଚେତ୍ ତଥାକଥିତ ଧୋବଧଉଳିଆ ବଡ଼ ବଡ଼ ନେତାମାନଙ୍କଠାରୁ ସାଧାରଣ ଜନତାଙ୍କର ସ୍ୱାର୍ଥ ହାସଲ କରିବା କଷ୍ଟ ସାଧ୍ୟ ।

ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିମାନ ଉଡ଼ାଣ ଗବେଷଣା କେନ୍ଦ୍ର ସମେତ ଅନେକ ସରକାରୀ ଚାକିରୀ ମୁଁ ପାଇଥିଲି ତେବେ ତାହା ମୋତେ ବିଶେଷ ପ୍ରଲୋଭିତ କରିପାରିଲା ନାହିଁ । ମହିଳାମାନଙ୍କର ଶୋଷଣରୁ ମୁକ୍ତି, ସେମାନଙ୍କ ସାମାଜିକ, ଆର୍ଥିକ ବିକାଶ ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ଯୋଗଦାନର ଆବଶ୍ୟକତା ଥିବା ମୋର ଅର୍ନ୍ତଆତ୍ମା ମୋତେ ପ୍ରେରିତ କଲା ଓ ମୁଁ ରାଜନୀତିରେ ପ୍ରବେଶ କଲି ।

ଆପଣ ଜଣେ ମହିଳା ଭାବରେ ସକ୍ରିୟ ରାଜନୀତିରେ କ’ଣ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି?

ଆପଣ ଜାଣିଥିବେ ମହିଳାମାନଙ୍କର ଶାରୀରିକ ଶକ୍ତି କମ୍ ଥିଲେ ମଧ୍ୟ ମାନସିକ ଶକ୍ତି ପୁରୁଷମାନଙ୍କ ତୁଳନାରେ ଖୁବ୍ ବେଶୀ । ସେମାନେ ଦୃଢ଼ମନା। ନାରୀ ଯଦି ନିଜେ ନିଜ ଅନ୍ତର୍ନିହିତ ଶକ୍ତିର ସଠିକ୍ ମୂଲ୍ୟାୟନ କରେ ତେବେ କୌଣସି କାମ ତା ପାଇଁ ଦୁଃସାଧ୍ୟ ନୁହେଁ ।

ମୁଁ ନିଜକୁ କେବେ ଦୁର୍ବଳ ଭାବିନି । ତେଣୁ ଜଣେ ନାରୀ ଭାବରେ ସେମିତି କୌଣସି ଅସୁବିଧାର ସମ୍ମୁଖୀନ ହୋଇନି ।

ମୋ ମତରେ ରାଜନୀତିର ଏକ ସୁସ୍ଥ ସଂଜ୍ଞା ହେଉଛି ପ୍ରଶାସନ ଏବଂ ଜନସାଧାରଣଙ୍କ ମିଳିତ ସହଯୋଗରେ କୌଣସି ସମସ୍ୟାର ସମାଧାନ କରିବା ।

ବର୍ତ୍ତମାନ କ୍ଷମତାସୀନ ରାଜନେତାମାନଙ୍କର ବ୍ୟାପକ ଦୁର୍ନୀତି ରାଜନୀତିର ସଂଜ୍ଞା ବଦଳାଇ ଦେଇଛି । ତେବେ ଜନସାଧାରଣ ରାଜନୀତିର ଭଲ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ ।

ରାଜ୍ୟ ବିଧାନ ସଭା ସଦସ୍ୟା ତଥା ବର୍ତ୍ତମାନ କଟକ ମହାନଗର ନିଗମର ମେୟର ପଦବୀରେ ଥାଇ କ’ଣ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି?

କଟକର ଶତକଡ଼ା ୬୫ ଭାଗ ପିଚୁ ରାସ୍ତାକୁ କଂକ୍ରିଟ ସିମେଣ୍ଟ ରୋଡ଼ରେ ପରିଣତ କରାଯାଇଛି, ଦଶଟି ପାର୍କ ନିର୍ମାଣ କରାଯିବା ସହ ବର୍ଷାଦିନରେ ନାଳଗୁଡ଼ିକରୁ ଜଳ ନିଷ୍କାସନର ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଉନ୍ନତ କରାଯାଇଛି ।

ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ କିଛି କହିବେ କି ?

ଆଗାମୀ ଦିନ ଗୁଡ଼ିକରେ କଟକରେ ତିନୋଟି ପାର୍କ, କେତେକ ସ୍ଥାନରେ ମାର୍କେଟିଂ କଂପ୍ଲେକ୍ସ, ଫ୍ଲାଇ ଓଭର ବ୍ରିଜ୍ ତଥା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ନିଗମ ହାତକୁ ନେଇଛି । ବର୍ଷା ଦିନରେ ଜଳ ନିଷ୍କାସନର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ବର୍ଷା ଦିନରେ ଶ୍ମଶାନଗୁଡ଼ିକରେ ଶବଦାହରେ ଅସୁବିଧା ହେଉଥିବାରୁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ବର୍ତ୍ତମାନ ନିଗମର କେତେକ କର୍ପୋରେଟର କ୍ଷମତା ବଣ୍ଟନ ନେଇ ଆପଣଙ୍କୁ ବିରୋଧ କରୁଛନ୍ତି । ସେମାନଙ୍କ ପକ୍ଷରୁ ଆପଣଙ୍କର ଇସ୍ତଫା ଦାବି ସଂପର୍କରେ କ’ଣ କହିବେ?

ଏ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଦାବିକୁ ସ୍ପଷ୍ଟ କରିନାହାନ୍ତି । ସମସ୍ତ ବିବାଦର ସମ୍ମୁଖୀନ ହେବାକୁ ମୁଁ ସର୍ବଦା ପ୍ରସ୍ତୁତ । ଉଚ୍ଚ ପଦରେ ରହିଲେ ଅନେକ ସମୟରେ ବାଦ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏ ସବୁ ନୂଆ କଥା ନୁହେଁ ।

ମୋ ମତରେ ଏହା ଏକ ସାମୟିକ । ଯେ ପର୍ଯ୍ୟନ୍ତ କଟକ ବାସୀ ମୋତେ ସମର୍ଥନ କରୁଛନ୍ତି ସେତେ ଦିନ ଯାଏ ମୁଁ ପଦବୀରେ ରହି ସେମାନଙ୍କର ସେବା କରିବି ।

ଓଡ଼ିଶା ସବୁ ସମ୍ବଳ ଥାଇ ମଧ୍ୟ ଆଶାନୁରୂପ ସଫଳତା ନ ପାଇବାର କାରଣ ?

ଆମ ରାଜ୍ୟରେ ଉପଲବ୍ଧ ସମସ୍ତ ସମ୍ବଳର ସଠିକ ବିନିଯୋଗ ହୋଇପାରିଲେ ଏହା ଏକ ସମୃଦ୍ଧ ରାଜ୍ୟ ରୂପେ ପରିଗଣିତ ହେବ, ଏହା ନିଃସନ୍ଦେହ । ତେବେ ଧିରେଧିରେ ବଢୁଥିବା ନକାରାତ୍ମକ ଭାବନା ଆମ ବିକାଶର ମୁଖ୍ୟ ପ୍ରତିବନ୍ଧକ । ଉଭୟ ସାଧାରଣ ଜନତା, ରାଜନେତା ତଥା ଅମଲାତନ୍ତ୍ରୀଙ୍କର ସକାରାତ୍ମକ ଭାବନାର ଆବଶ୍ୟକତା ରହିଛି ।

ଏହାର ସମାଧାନ କେମିତି ହେବ ?

କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସେଥିରେ ସାଧାରଣ ଜନତାଙ୍କର ଭାଗିଦାରୀ ଆବଶ୍ୟକ । ସାଧାରଣ ଜନତା ଏବଂ ସରକାରଙ୍କ ମିଳିତ ସହଯୋଗରେ ହିଁ ସମସ୍ତ କାର୍ଯ୍ୟ ସଫଳ ହେବ । ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ପାଇଁ ରାଜ୍ୟବାସୀ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇଦେବା ଆବଶ୍ୟକ ।

ଆପଣଙ୍କ କିଛି ସ୍ମରଣୀୟ ମୁହୂର୍ତ୍ତ ?

ଚଳିତ ବର୍ଷ ପ୍ରବଳ ବର୍ଷା ଲାଗି କାଠଯୋଡ଼ି ଏବଂ ମହାନଦୀର ଜଳସ୍ତର ବଢ଼ି ଯାଇଥିଲା । ସେ ସମୟରେ ଆମର ଇଂଜିନିୟରମାନେ ରାତି ଅନିଦ୍ରା ରହି ପରିସ୍ଥିତିର ଅନୁଧ୍ୟାନ କରୁଥିବା ଦେଖି ମୁଁ ବହୁତ ଖୁସି ହୋଇଥିଲି । କୌଣସି କର୍ମଚାରୀଙ୍କର କର୍ତ୍ତବ୍ୟ ନିଷ୍ଠା ମୋତେ ପ୍ରଭାବିତ କରେ ।

(ଓଡିଶା ଡଟ୍ କମ୍)

 

Leave a Reply

This site uses Akismet to reduce spam. Learn how your comment data is processed.