Site icon Odisha.com

ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ

ଓଡିଶା ଡଟ କମ ସଂବାଦ ଦାତା

ନଭେମ୍ବର ୨୫,(ଓଡିଶା ଡ଼ଟ୍ କମ୍), ମଧ୍ୟପ୍ରାଚ୍ୟରେ ଓଡ଼ିଶୀ ନୃତ୍ୟର ପ୍ରଚାର କରୁଥିବା ପଡ଼ୋଶୀ ପଶ୍ଚିମବଙ୍ଗର ଦୀପକ ରାୟ କୁହନ୍ତି, ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ।

ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର କୃଷ୍ଣପୁରରେ ଜନ୍ମ ଗ୍ରହଣ କରିଥିବା ଦୀପକ ରାୟ ଗତ ଦଶ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରାଚ୍ୟରେ ଓଡ଼ିଶୀର ପ୍ରଚାର କରୁଛନ୍ତି । ଅନ୍ୟ ରାଜ୍ୟରେ ଜନ୍ମ ହୋଇ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସେ ବିଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

୧୯୯୩ରେ ମସ୍କାଟ୍ର ଓମାନରେ ଇଣ୍ଡିଆନ ଏମ୍ବାସି ସ୍କୁଲରେ ଜଣେ କଳା ଶିକ୍ଷକଭାବେ ସେ ଯୋଗ ଦେଇଥିଲେ । ସ୍କୁଲରେ ଗ୍ରାଫିକ ଆର୍ଟସ ପଢ଼ାଇବା ବ୍ୟତୀତ ଅନ୍ୟ ସମୟରେ ଓଡ଼ିଶୀ ନୃତ୍ୟର ପ୍ରଚାର କରନ୍ତି ୪୦ ବର୍ଷ ବୟସ୍କ ଦୀପକ ।

ବ୍ୟକ୍ତିଗତ ଚେଷ୍ଟାରେ “ଦୀପମ୍” ନୃତ୍ୟଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରି ଦୀପକ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେଠାରେ ନୃତ୍ୟ ଶିକ୍ଷା ତାଲିମ ଦେଉଛନ୍ତି । ସେଠାରେ ରହୁଥିବା ଦକ୍ଷିଣ ଭାରତୀୟ ଏବଂ ଭାରତୀୟ ମୁସଲିମ ମାନେ ଓଡ଼ିଶୀ ଶିଖିବାକୁ ଅଧିକାଂଶ ସଂଖ୍ୟାରେ ଆସୁଛନ୍ତି ।

ଭୋର ପାଞ୍ଚଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ନୃତ୍ୟ ଶିକ୍ଷା ଚାଲେ । ସହଜ ନୃତ୍ୟ ଭଙ୍ଗୀ ରଚନା କରିବାରେ ନିଜର ସୃଜନଶୀଳତା ପାଇଁ ଶିଷ୍ୟମାନଙ୍କ ମହଲରେ ସେ ବେଶ୍ ଆଦରଣୀୟ ।

କଲିକତାର ଶାନ୍ତି ନିକେତନରୁ ଗ୍ରାଫିକ ଆର୍ଟ ଶିକ୍ଷା କରିବା ସହ ଦୀପକ ସେଠାରୁ ଶିଖିଛନ୍ତି କଥକଳୀ, ମଣିପୁରୀ ଏବଂ ଓଡ଼ିଶୀ । ସ୍କୁଲ ଜୀବନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଆଦି ବିଷୟ ପଢ଼ିଥିଲେ ମଧ୍ୟ ପରେ ସେ କଳା ଆଡ଼କୁ ଅଧିକ ଆକର୍ଷିତ ହୋଇଥିଲେ ।

ଗୁରୁ କେଳୁ ନାୟାରଙ୍କଠାରୁ କଥକଳି, ଜିତେନ୍ ସିଂଙ୍କଠାରୁ ମଣିପୁରୀ ଶିଖିଥିଲେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅନୁରାଗ ଥିଲା ।

“ଏକା ସମୟରେ ଏକାଧିକ ନୃତ୍ୟ ପ୍ରଦର୍ଶନରେ ଧ୍ୟାନ ଦେଲେ କୌଣସି ଗୋଟିଏ ପ୍ରତି ନ୍ୟାୟ କରିବା ସମ୍ଭବ ହୁଏନା । ତେଣୁ ୧୯୮୯ରେ କେବଳ ଓଡ଼ିଶୀ ନୃତ୍ୟରେ ମନୋନିବେଶ କରିବାକୁ ମଁ ନିଷ୍ପତ୍ତି ନେଇଥିଲି” ।

ଭାରତୀୟ ନୃତ୍ୟଗୁଡ଼ିକ ମଧ୍ୟରେ “ଓଡ଼ିଶୀ” ସର୍ବ ପୁରାତନ ଏବଂ ଏହାର ଭଙ୍ଗୀଗୁଡ଼ିକ ଅନ୍ୟ ନୃତ୍ୟ ତୁଳନାରେ ଅଧିକ ଜଟିଳ ବୋଲି ବିଶ୍ୱାସ କରନ୍ତି କଳାପ୍ରେମୀ ଦୀପକ ।

ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ପଦ୍ମ ଭୂଷଣ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଠାରୁ ସେ ନୃତ୍ୟ ତାଲିମ ନେଇଛନ୍ତି ।

ସେ ଯେତେବେଳେ ଓମାନ ଯାଇଥିଲେ ଓଡ଼ିଶୀ ବିଷୟରେ ସେଠାକାର ଲୋକମାନଙ୍କର କୌଣସି ଧାରଣା ନ ଥିଲା ବୋଲି କୁହନ୍ତି ଦୀପକ । “ନୃତ୍ୟର ପ୍ରଚାର ପାଇଁ ପ୍ରାରମ୍ଭିକ ଅବସ୍ଥାରେ ମୋତେ ବିଭିନ୍ନ ଭଙ୍ଗୀରେ ଅଭିନୟ କରି ଏଠାକାର ଲୋକମାନଙ୍କୁ ଦେଖାଇବାକୁ ପଡୁଥିଲା” ।

ଉକ୍ତ ଅଞ୍ଚଳରେ ପ୍ରାୟ ତିରିଶ ଲକ୍ଷ ଭାରତୀୟ ରୁହନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍କାଟରେ ରହୁଛନ୍ତି ।

ଓଡ଼ିଶାର ଏହି ସମୃଦ୍ଧ ସଂସ୍କୃତିକୁ କଳା ପ୍ରେମୀ ଏସିଆ ମହାଦେଶର ଲୋକମାନଙ୍କ ବ୍ୟତୀତ ବର୍ତ୍ତମାନ ୟୁଏଇ, ବାହାରିନ, ଦୋହା ଆଦି ଦେଶର ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି ବୋଲି ଦୀପକ ଓଡ଼ିଶା ଡଟ୍ କମ୍ କୁ କହିଛନ୍ତି ।

ପ୍ରଳୟଙ୍କରୀ ସୁନାମୀ ପରେ ଗତ ମେ ମାସରେ ମସ୍କାଟର ଆଲ୍ବାସ୍ତାନ ପ୍ୟାଲେସ ହୋଟେଲରେ ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ସଂପୂର୍ଣ୍ଣ ଓଡ଼ିଶୀ ଶୈଳୀରେ ପ୍ରକୃତିର ମହତ୍ୱକୁ ଏହି ନୃତ୍ୟ ମାଧ୍ୟମରେ ଚିତ୍ରିତ କରାଯାଇଥିଲା । ପ୍ରାୟ ୪୦ ଜଣ ଯୁବ କଳାକାର ଏଥିରେ ଭାଗ ନେଇଥିଲେ । ଉପସ୍ଥିତ ଶତାଧିକ ବିଦେଶୀ ଦର୍ଶକ ଏହି କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ ବୋଲି ଦୀପକ କହିଛନ୍ତି ।

ଆଧୁନିକ ଓଡ଼ିଶୀ ଶୈଳୀରେ ତାଙ୍କର ସୃଷ୍ଟି “ଇଟରନାଲ ଜର୍ଣ୍ଣି ଟୁ ସି” ଏବଂ “ଜଙ୍ଗଲ ସିମ୍ଫୋନି” କୁ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଭାରତୀୟ ଦୂତାବାସରେ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ପ୍ରଦର୍ଶନ ପାଇଁ ସେମାନେ ଦୀପକଙ୍କୁ ନିମନ୍ତ୍ରଣ କରିଥାନ୍ତି ।

ଭାରତ, ନେପାଳ, ୟୁଏଇ ଆଦି ଦେଶରେ ପ୍ରଦର୍ଶନ କରିସାରିଥିବା ଦୀପକ “ଷ୍ଟେଜ୍ ଶୋ” ସମୟରେ ନିଜର ସ୍ୱତନ୍ତ୍ର ଶୈଳୀରେ ମଞ୍ଚ ସଜ୍ଜା, ଆଲୋକ ଏବଂ ଶବ୍ଦର ସଂଯୋଜନା କରିଥାନ୍ତି ।

ତେବେ ତାଙ୍କର ଏହି ସଫଳତା ପଛରେ ପତ୍ନୀ ବନଜା କୁମାରୀ ରାୟଙ୍କର ପ୍ରେରଣା ଥିବା ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ଦୀପକ । ବନଜା ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ରାଜ୍ୟ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ଜଣେ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଦୀପକଙ୍କର ବାପା ପଶ୍ଚିମବଙ୍ଗର ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ । ମାଆ ଜଣେ କଳାକାର । ଦୀପକଙ୍କୁ ମିଶାଇ ତାଙ୍କର ଦୁଇ ଭାଇ ଦୁଇ ଭଉଣୀ । ଦୀପକ ସବା ବଡ଼ ।

ତାଙ୍କର ସାନ ଭଉଣୀ ବର୍ତ୍ତମାନ ଉତ୍ତରପ୍ରଦେଶର କାନପୁରରେ କଥକଳି ନୃତ୍ୟର ପ୍ରସାର ପାଇଁ କାମ କରୁଥିବା ଦୀପକ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version