ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଉଜ୍ଜ୍ୱଳ (ସାକ୍ଷାତକାର)

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡଟ୍ କମ୍) “ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଉଜ୍ଜ୍ୱଳ” କହନ୍ତି ଓଡ଼ିଶୀ ନୃତ୍ୟ କଳାକୁ ତାଙ୍କର ଅବଦାନ ଯୋଗୁଁ ନିକଟରେ ପଦ୍ମଶ୍ରୀ ଉପାଧି ପାଇଁ ଓଡ଼ିଶାରୁ ମନୋନୀତ ହୋଇଥିବା ଇଟାଲୀର ଇଲିଆନା ସିତାରିଷ୍ଟି ।

ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ରହି ଆସୁଥିବା ସିତାରିଷ୍ଟି ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ଭୁବନେଶ୍ୱରର ବିନ୍ଦୁ ସାଗର ନିକଟରେ ଖୋଲିଛନ୍ତି “ଆର୍ଟ ଭିଜନ୍” ଡ୍ୟାନ୍ସ ସ୍କୁଲ । ୧୯୯୫ରେ ସେ ପ୍ରତିଷ୍ଠା କରିଥିବା ଏହି ସ୍କୁଲରେ ଦେଶ ବିଦେଶର ଶତାଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ଶିକ୍ଷା ଦେଇ ଆସୁଛନ୍ତି ।

ଉତ୍ତର ଇଟାଲୀର ବରଗାମୋରେ ନିଜ ଘରେ ଅସୁସ୍ଥ ବାପାଙ୍କୁ ଭେଟି ଭୁବନେଶ୍ୱର ଫେରିବା ପରେ ଭାରତର ଏହି ସମ୍ମାନ ସଂପର୍କୀତ ଖବର ଶୁଣି ସେ ଖୁସିରେ ଅଭିଭୂତ ହୋଇ ଯାଇଥିଲେ । ତେବେ ସେ ଅଧିକ ଖୁସି ହୋଇଥିଲେ ତାଙ୍କ ନାଁ ପାଖରେ ଇଟାଲୀ ବଦଳରେ ଓଡ଼ିଶା ଲେଖା ହେବା ନେଇ ।

“ମୁଁ ଏକ ଭିନ୍ନ ସଂସ୍କୃତିରୁ ଆସିଥିଲେ ମଧ୍ୟ ଏହି ସମ୍ମାନ ପ୍ରଦାନ କରି ଭାରତ ସରକାର ମୋତେ ତାଙ୍କ ଦେଶର ଜଣେ ସ୍ୱୀକୃତିପ୍ରାପ୍ତ କଳାକାରଭାବେ ଗ୍ରହଣ କରିଛନ୍ତି” । ଗତ ଗୁରୁବାର ୫୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସମ୍ମାନଜନକ ଉପାଧି ଲାଭ କରିବା ପାଇଁ ମନୋନୀତ ହୋଇଥିବା ଇଲିଆନା ଓଡ଼ିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ।

“ନିଜ ଲକ୍ଷ୍ୟ ପଥରେ ଆଗେଇବା ପାଇଁ ଏହିଭଳି ସମ୍ମାନସବୁ ଜଣକୁ ପ୍ରେରଣା ଯୋଗାଇଥାଏ” । ସମଗ୍ର ବିଶ୍ୱରେ ଓଡ଼ିଶୀ ନୃତ୍ୟର ପ୍ରସାର ହେଉଛି ବିଦେଶରୁ ଆସି ନିଜକୁ ଉତ୍କଳୀୟ ଭାବଧାରାରେ ଉଦ୍ବୁଦ୍ଧ କରିଥିବା ଏହି ଅବିବାହିତା ମହିଳାଙ୍କ ଜୀବନର ଲକ୍ଷ୍ୟ ।

୧୯୬୦ ମସିହାରେ ଚାଲିଥିବା ଫ୍ଲାୱାର ପାୱାର ଆନ୍ଦୋଳନରେ ସେ ଅଂଶ ଗ୍ରହଣ କରିଥିବା ଇଲିଆନା ପୂର୍ବରୁ ଜଣେ ଥିଏଟର କଳାକାର ଥିଲେ ।

ପ୍ରାୟ ୨୭ ବର୍ଷ ତଳେ ନିଜ ଦେଶ ଛାଡି ଭାରତ ଆସିବା ପରେ ସେ କେରଳରେ କଥକଳୀ ଶିକ୍ଷା କରିଥିଲେ । ପରେ ନୃତ୍ୟ ଉପରେ ଅଧିକ ଜିଜ୍ଞାସା ତାଙ୍କୁ ଓଡ଼ିଶା ଆଣିଥିଲା ।

୧୯୭୯ ମସିହାରେ ସେ କଟକରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଭେଟିଥିଲେ ।

“ମାତ୍ର ଗୋଟିଏ ବର୍ଷ ତାଙ୍କଠାରୁ କେତେକ ଅଙ୍ଗଭଙ୍ଗୀ ଶିଖିବା ପରେ ମୁଁ ଫେରିଯିବି ବୋଲି ଭାବିଥିଲି । କିନ୍ତୁ ଏଇଠି ଯେ, ମୋର ଭାଗ୍ୟ ନିର୍ଣ୍ଣୟ ହେବ ବୋଲି ସେତେବେଳ ମୁଁ ଜାଣି ନ ଥିଲି । ଓଡ଼ିଶୀ ବିଷୟରେ ଅଧିକରୁ ଅଧିକ ଶିକ୍ଷା କରିବାରେ ମୋର ଆଗ୍ରହ ମୋତେ ଏଇଠି ବାନ୍ଧି ରଖିଲା” ।

ପିଲାବେଳେ କ୍ଲାସିକାଲ ବାଲେଟ୍ ଡ୍ୟାନ୍ସ ଶିଖୁଥିଲେ ମଧ୍ୟ ବାପା ମାଆଙ୍କ ଋଢିବାଦୀ ଚିନ୍ତାଧାରା ଯୋଗୁଁ ସେ ନୃତ୍ୟ ପାଇଁ ସମୟ ଦେଇ ପାରି ନ ଥିଲେ ।

ତେବେ ୧୬ ବର୍ଷ ବୟସରେ ସେମାନଙ୍କ ବିରୁଦ୍ଧରେ ଇଲିଆନା ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କ ବାପା ଜଣେ ପ୍ରକାଶକ ଏବଂ ରାଜନୈତିକ । ତାଙ୍କର ଗୋଟିଏ ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି ।

ସିତାରିଷ୍ଟି ତାଙ୍କର ଇଟାଲୀୟ ନାଗରିକତ୍ୱ ତ୍ୟାଗ କରି ନାହାନ୍ତି । ତେବେ ସେ ପ୍ରାଞ୍ଜଳଭାବେ ଓଡ଼ିଆ ଭାଷା କହି ପାରୁଛନ୍ତି ଏବଂ ସ୍ଥାନୀୟ ଖାଦ୍ୟରେ ମଧ୍ୟ ରୁଚି ରଖନ୍ତି ।

ଜଣେ ବିଦେଶୀନିଭାବେ ପ୍ରଥମେ ପ୍ରଥମେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଆଜିକାଲି କିନ୍ତୁ ପୃଥିବୀର ଯେ କୌଣସି ସ୍ଥାନରେ ଜଣେ ଭାରତୀୟ କଳାକାରଭାବେ ନୃତ୍ୟ ପ୍ରଦର୍ଶନ କରିବାରେ ନିଜକୁ ଖାପ ଖୁଆଇ ସାରିଲେଣି ବୋଲି ସେ କହିଛନ୍ତି ।

ଆମେରିକା, ଆର୍ଜେଣ୍ଟିନା, ଇଟାଲୀ, ଫ୍ରାନ୍ସ, ଡେନ୍ମାର୍କ, ପୋଲାଣ୍ଡ, ମାଲେସିୟା ଆଦି ଦେଶରେ ସେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ଅନ୍ୟ ବିଦେଶୀ ରାଷ୍ଟ୍ରଗୁଡିକ ଭଳି ଇଟାଲୀରେ ମଧ୍ୟ ଓଡ଼ିଶୀର ଚାହିଦା ରହିଛି । ନୃତ୍ୟର ଭାବକୁ ପୂରାପୂରି ବୁଝି ନ ପାରିଲେ ମଧ୍ୟ ସେଠାକାର ଲୋକମାନେ ଏହାକୁ ଦେଖିବା ପାଇଁ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି ।

ତାଙ୍କ ଦେଶରେ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ୍ ଲାଭ କରିଥିବା ସିତାରିଷ୍ଟ କଟକ ସହରରେ ବାର ବର୍ଷ ରହିବା ପରେ ଭୁବନେଶ୍ୱରରେ ଆସିଥିଲେ ।

ଓଡ଼ିଶୀ ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ଛଉ ନୃତ୍ୟରେ ମଧ୍ୟ ସେ ନିପୂଣା । ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀମାନଙ୍କୁ ଛଉ ମଧ୍ୟ ଶିକ୍ଷା ଦିଅନ୍ତି ।

ଶିକ୍ଷାଦାନ ବ୍ୟତୀତ ସିତାରିଷ୍ଟି ଭାରତର ଆଦିବାସୀ ନୃତ୍ୟ ଉପରେ ଭାରତୀୟ ଏବଂ ବିଦେଶରେ ପ୍ରକାଶିତ ପତ୍ରିକା ଗୁଡିକରେ ଲେଖୁଛନ୍ତି ।

କଟକ ଦୂର ଦର୍ଶନରେ ଜଣେ “ଏ” ଗ୍ରେଡ କଳାକାରର ମାନ୍ୟତା ପାଇଥିବା ସିତାରିଷ୍ଟି ୧୯୯୨ରେ ଇଟାଲୀରେ ସମ୍ମାନଜନକ “ଲିଓନାଡ ମାସିନ ଫର୍ ଦି ଆର୍ଟ ଅଫ୍ଡ୍ୟାନ୍ସ” ପୁରସ୍କାର ପାଇବା ସହ ୧୯୯୪ ମସିହା ଡିସେମ୍ବରରେ ମୁମ୍ବାଇର ସୁର ସିଙ୍ଗର ସଂସଦ ପକ୍ଷରୁ ରାସେଶ୍ୱର ଉପାଧି ଲାଭ କରିଛନ୍ତି ।

ବଙ୍ଗଳା ସିନେମା “ୟୁଗାନ୍ତ” ରେ ନୃତ୍ୟ ନିର୍ଦ୍ଧେଶନା ପାଇଁ ମେ ୧୯୯୬ରେ ସେ ଜାତୀୟ ପୁରସ୍କାର ଲାଭ କରିଥିବା ଏହି କଳାକାର ସେହି ବର୍ଷ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏକ ଫେଲୋଶିପ୍ ପାଇ ସେ “ଦି ମେକିଂ ଅଫ୍ ଏ ଗୁରୁ” ପୁସ୍ତକ ଲେଖିଥିଲେ ।

୧୯୯୧ ମସିହାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଦି ଆର୍ଟସର ତତ୍ତ୍ୱାବଧାନରେ ଓଡ଼ିଶାର ସାମରିକ କଳା(ମାର୍ଶାଲ ଆର୍ଟସ) ଉପରେ ଗବେଷଣା କରିଛନ୍ତି ।

ଅଧାରୁ ନୃତ୍ୟଶିକ୍ଷା ଛାଡୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଦୁଃଖିତ ଥିବା କହିଛନ୍ତି । ତାଙ୍କ ମତରେ ମନରେ ସମର୍ପଣ ଭାବ ନେଇ ନୃତ୍ୟ ପ୍ରଦର୍ଶନ କଲେ ଅଭିନୟ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ ହୋଇଥାଏ ।

ଓଡ଼ିଶା ଡ଼ଟ୍ କମ୍