ସାକ୍ଷାତକାର

ଶିଳ୍ପାୟନ ଏବଂ ପରିବେଶ ଭିତରେ ସନ୍ତୁଳନ ରଖାଯିବ:

ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର,ଫେବୃୟାରୀ ୨ (ଓଡିଶା ଡ଼ଟ୍ କମ୍), ଗତ ମାସ ପୋଲିସ ଗୁଳିରେ ବାର ଜଣ ଆଦିବାସୀଙ୍କ ମୃତ୍ୟୁ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଭିତରେ ଏବଂ ବାହାରେ ବିଭିନ୍ନ ମହଲଠାରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଜାନୁୟାରୀ ଦୁଇ ତାରିଖରେ ଯାଜପୁର ଜିଲ୍ଳାର କଳିଙ୍ଗନଗରଠାରେ ହୋଇଥିବା ଏହି ନାରକୀୟ କାଣ୍ଡ ଉପରେ ବିରୋଧୀ ଦଳଗୁଡିକ ତାଙ୍କର ଇସ୍ତଫା ଦାବି କରିଥିବାବେଳେ ଶାସକ ମେଣ୍ଟର ଅଂଶୀଦାର ବିଜେପି ତାଙ୍କୁ ସହଯୋଗର ହାତ ବଢାଇ ନାହିଁ ।

naveenଏକ ପ୍ରକାର ଏକୁଟିଆ ହୋଇ ପଡିଥିବା ନବୀନ ପରିସ୍ଥିତିର ମୁକାବିଲା କରିବା ପାଇଁ କ’ଣ ସବୁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଇଂରାଜୀ ଦୈନିକ “ଦି ହିନ୍ଦୁ” ର ଓଡ଼ିଶା ସମ୍ବାଦଦାତା ପ୍ରଫୁଲ୍ଲ ଦାସଙ୍କୁ ଏକ ସାକ୍ଷାତକାରରେ କହିଛନ୍ତି ।

ଗୁଳିକାଣ୍ଡ ପରେ ଏହା ହେଉଛି କୌଣସି ଗଣମାଧ୍ୟମର ସହ ତାଙ୍କର ପ୍ରଥମ ସାକ୍ଷାତକାର । ପ୍ରସ୍ତୁତ କରୁଛୁ ଗୁରୁବାର ପ୍ରକାଶିତ ଏହି ସାକ୍ଷାତକାରର ଅନୁବାଦ ।

କଳିଙ୍ଗନଗର ଘଟଣା ଉପରେ ଆପଣଙ୍କ ସରକାର ସବୁ ମହଲରେ ସମଲୋଚନାର ଶିକାର ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କି ପଦକ୍ଷେପ ନେଉଛନ୍ତି ?

କଳିଙ୍ଗନଗରରେ ଯାହା ସବୁ ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ତେବେ ଆମ ସରକାର ଏହି ସମୟରେ ତୁରନ୍ତ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବା ସହ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି । ସରକାର ପ୍ରଭାବିତ ଆଦିବାସୀମାନଙ୍କ ସହ ଆଲୋଚନାର ଦ୍ୱାର ଖୋଲା ରଖିଛନ୍ତି ।

ପୁନର୍ବାସ ଏବଂ ଥଇଥାନ ନୀତିକୁ ଆହୁରି ମାନବୀୟ ଏବଂ ସମବେଦନାମୂଳକ କରିବା ପାଇଁ ଆମେ ଗୁରୁତ୍ୱ ଦେଉଛୁ । ଏହି ନୀତିର ସମୀକ୍ଷା କରି ସେଥିରେ ଉନ୍ନତି ଆଣିବା ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏ ଦିଗରେ ଆଦିବାସୀ ନେତା, ପ୍ରମୁଖ ବେସରକାରୀ ଅନୁଷ୍ଠାନ ଏବଂ ବୁଦ୍ଧିଜୀବିମାନଙ୍କର ପ୍ରସ୍ତାବ ଗ୍ରହଣ କରିବା ପାଇଁ ଆମେ ମନସ୍ଥ କରିଛୁ ।

ଗତ ଜାନୁୟାରୀ ଦୁଇ ତାରିଖରୁ କଳିଙ୍ଗନଗରରେ ଆଦିବାସୀମାନେ ଆନ୍ଦୋଳନ ଜାରୀ ରଖିଛନ୍ତି । ରାଜ୍ୟର ଅନ୍ୟ ସ୍ଥାନର ଆଦିବାସୀମାନଙ୍କୁ ଏହି ଆନ୍ଦୋଳନ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କ’ଣ କରୁଛନ୍ତି?

ଅନ୍ୟ ଅଞ୍ଚଳକୁ ଆଦିବାସୀ ଆନ୍ଦୋଳନ ବ୍ୟାପି ନାହିଁ । କଳିଙ୍ଗନଗରରେ ଆମେ ଶାନ୍ତି ପ୍ରକ୍ରିୟା ଆରମ୍ଭ କରିଛୁ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ବିସ୍ଥାପିତ ଲୋକମାନଙ୍କ ସହ ଲାଗାତାର ଆଲୋଚନା କରି ଶାନ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ମୁଁ ଆଦିବାସୀମାନଙ୍କୁ ଆଲୋଚନା ପ୍ରସ୍ତାବ ମଧ୍ୟ ଦେଇଛି ।

ଏହି ଘଟଣା ପରେ ଶିଳ୍ପାୟନ ପ୍ରକ୍ରିୟାରେ ଏକ ସ୍ଥିତାବସ୍ଥା ଆସିଯାଇଛି । ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ସରକାର
କ’ଣ କରୁଛନ୍ତି?

ଏହା ସତ୍ୟ ନୁହେଁ ଯେ, ଗୁଳିକାଣ୍ଡ ପରେ ରାଜ୍ୟର ଶିଳ୍ପାୟନରେ ସ୍ଥିତାବସ୍ଥା ଆସିଛି । କେବଳ କଳିଙ୍ଗନଗରରେ ଆଦିବାସୀମାନେ ପାରାଦ୍ୱୀପ ବନ୍ଦରକୁ ଯାଉଥିବା ରାସ୍ତା ଅବରୋଧ କରିଥିବାରୁ ବନ୍ଦରର କାରବାର ପ୍ରଭାବିତ ହୋଇଛି ।

ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ମୁଁ ଆଶା କରୁଛି ।

ଓଡ଼ିଶାରେ ପୋସ୍କାର ଇସ୍ପାତ ପ୍ରକଳ୍ପକୁ ମଧ୍ୟ ବିରୋଧ ବଢିବାରେ ଲାଗିଛି । ସେ ସବୁକୁ ଦୃଷ୍ଟିରେ ରଖି ଥଇଥାନ ନୀତିର ଆପଣ ସମୀକ୍ଷା କରୁଛନ୍ତି କି?

ମୁଁ ଆଗରୁ କହି ସାରିଛି ଯେ, ଏକ ମନ୍ତ୍ରୀ ସ୍ତରୀୟ କମିଟି ସେହି ନୀତିର ଅନୁଧ୍ୟାନ କରୁଛି । ପୋସ୍କୋ ପ୍ରକଳ୍ପରେ ବିସ୍ଥାପିତମାନଙ୍କ ପାଇଁ ମଧ୍ୟ ସେହି ନୀତି ଲାଗୁ ହେବ ।

କେବଳ ଇସ୍ପାତ କ୍ଷେତ୍ରରେ ରାଜ୍ୟ ସରକାର ୪୩ଟି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ସେଥି ମଧ୍ୟରୁ କେତୋଟି କାର୍ଯ୍ୟକାରୀ ହୋଇଛି?

ସେଗୁଡିକ ମଧ୍ୟରୁ ସତରଟି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି । ଅନ୍ୟ କେତେକ ଜମି ଅଧିଗ୍ରହଣ କରିସାରିଛନ୍ତି ।

ଆପଣ କ’ଣ ଭାବୁଛନ୍ତି ଏକା ସାଙ୍ଗରେ ଏତେ ସଂଖ୍ୟକ ଶିଳ୍ପାନୁଷ୍ଠାନର ପ୍ରଭାବକୁ ରାଜ୍ୟ ବହନ କରିପାରିବ?

ଶିଳ୍ପାୟନ ସହ ପରିବେଶ ଉପରେ ମଧ୍ୟ ଆମେ ଗୁରୁତ୍ୱ ଆରୋପ କରୁଛୁ । ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ଶିଳ୍ପକୁ ଆମେ ଅନୁମତି ଦେବୁ ନାହିଁ ।

ପ୍ରତ୍ୟେକ ଶିଳ୍ପ ପ୍ରତିଷ୍ଠା ହେବା ପୂର୍ବରୁ ତାହାର ପାଶ୍ୱର୍ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରାଯାଇ ପରିବେଶ ସୁରକ୍ଷା ଦିଗରେ ସଂପୂର୍ଣ୍ଣ ଦୃଷ୍ଟି ଦିଆଯିବ । ଆମେ ଶିଳ୍ପାୟନ ଏବଂ ପରିବେଶ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବୁ ।

ବିଭିନ୍ନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଲୋକମାନଙ୍କୁ ଉପଯୁକ୍ତ ଥଇଥାନ ଯୋଗାଇ ଦେବା ପାଇଁ ରାଜ୍ୟର ସରକାରୀ କଳ ବର୍ତ୍ତମାନ ପ୍ରସ୍ତୁତ ଅଛି କି?

ବିସ୍ଥାପିତମାନଙ୍କ ଉପଯୁକ୍ତ ଥଇଥାନକୁ ପ୍ରାଥମିକତା ଦିଆଯିବ । ପ୍ରତ୍ୟେକ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଥଇଥାନ ପ୍ରକ୍ରିୟାର ତଦାରଖ ଏବଂ ତାହା କାର୍ଯ୍ୟକାରୀ କରିବା ପାଇଁ ଉପଦେଷ୍ଟା କମିଟି ରହିଛି ।

ଅତୀତରେ ବିସ୍ଥାପିତ ହୋଇଥିବା ଅନେକ ଲୋକ ବର୍ତ୍ତମାନ କ୍ଷତିପୂରଣ ଦାବି କରୁଛନ୍ତି । ସେମାନଙ୍କ ପାଇଁ ସରକାର କ’ଣ ଯୋଜନା କରୁଛନ୍ତି?

ବିସ୍ଥାପନ ଏକ ନୂଆ ସମସ୍ୟା ନୁହେଁ । ବହୁ ଦଶନ୍ଧି ଆଗରୁ କେତେକ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ରେଳ ଲାଇନ୍ ନିର୍ମାଣ ସମୟରେ ଅନେକଗୁଡିଏ ପରିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ବିସ୍ଥାପିତ ହୋଇଛନ୍ତି ।

ସେମାନଙ୍କ ସମସ୍ୟା ସଂପର୍କରେ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ଜଣାଇଛି ।

କି ପଦକ୍ଷେପ ନେଲେ ଆଦିବାସୀମାନଙ୍କର ସମସ୍ୟା ସମାଧାନ ହୋଇ ପାରିବ?

ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଏବଂ ବିକ୍ରି ଉପରେ ଆଦିବାସୀମାନଙ୍କ ଉପରୁ କଟକଣା ଉଠାଇବାଠାରୁ ଆରମ୍ଭ କରି ସେମାନଙ୍କ ନାଁରେ ଥିବା ଛୋଟ ଛୋଟ ମାମଲା ପ୍ରତ୍ୟାହାର ପର୍ଯ୍ୟନ୍ତ ଆମ ସରକାର ଗତ ଛଅ ବର୍ଷ ଧରି ଆଦିବାସୀମଙ୍ଗଳ ନୀତି ଗୁଡିକୁ କାର୍ଯ୍ୟକାରୀ କରି ଆସିଛି ।

ଅଣଆଦିବାସୀମାନେ ଆଦିବାସୀମାନଙ୍କର ଜମିଗୁଡିକୁ ବେଆଇନଭାବେ ଦଖଲ କରିଥିଲେ । ସେଗୁଡିକୁ ଫେରାଇ ଆଣି ପ୍ରକୃତ ଜମି ମାଲିକଙ୍କୁ ଦିଆଯାଉଛି । ଆଦିବାସୀମାନଙ୍କୁ ବର୍ତ୍ତମାନ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଉଛି ।

ସରକାରୀ ସ୍ତରରେ ଏହି ସବୁ ଆଦିବାସୀମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସର୍ବନିମ୍ନ ସ୍ତରରେ ହିତାଧିକାରୀମାନଙ୍କ ଅବସ୍ଥା ଅପରିବର୍ତ୍ତିତ ଥିବା ଦେଖାଯାଉଛି କାହିଁକି?

ସର୍ବନିମ୍ନ ସ୍ତରରେ ସେମାନଙ୍କ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । ଆଦିବାସୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନେ ସାଧାରଣ ସ୍କୁଲ ଅପେକ୍ଷା ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି ।

ଆଦିବାସୀ ବହୁଳ ଅଞ୍ଚଳ ଗୁଡିକରେ ଜଳସେଚନ ପ୍ରକଳ୍ପ ଏବଂ ରାସ୍ତାଘାଟ ନିର୍ମାଣ ତ୍ୱରାନ୍ୱିତ ହୋଇଛି ।

ରାଜ୍ୟରେ କାରଖାନା ପ୍ରତିଷ୍ଠା ନ କରି ବହୁ କମ୍ପାନୀ ଲୁହାପଥର ରପ୍ତାନୀ କରୁଛନ୍ତି । ସେମାନଙ୍କ ଏହି କାମକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କ’ଣ କରୁଛନ୍ତି?

ବର୍ତ୍ତମାନ ଯେଉଁ କମ୍ପାନୀଗୁଡିକ ରାଜ୍ୟରେ କାରଖାନା ପ୍ରତିଷ୍ଠା କରିବାରେ ଇଚ୍ଛୁକ, ଆମେ ସେମାନଙ୍କୁ ଖଣି ଲିଜ୍ ଦେଉଛୁ । ମୋ ସରକାର ରାଜ୍ୟ ଭିତରେ ଖଣିଜ ପଦାର୍ଥରେ ଭାଲ୍ୟୁ ଆଡିସନ୍ କରିବା ଆରମ୍ଭ କରିଛି ।

ରାଜ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସମ୍ବଳ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ସାହାଯ୍ୟ କରିବ ।

ତେବେ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ୍ ଆକ୍ଟ, ୧୯୫୭ ଅନୁଯାୟୀ ଚାଲିଥିବା ରପ୍ତାନୀ ଉପରେ କଟକଣା ଜାରୀ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି ।

ବର୍ତ୍ତମାନର ଖଣି ନୀତି ଅନୁଯାୟୀ ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ରପ୍ତାନୀ ପାଇଁ ଆପଣ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛନ୍ତି କି?

ଦେଶ ବ୍ୟାପି ବର୍ତ୍ତମାନ ଖଣି ନୀତି ସମୀକ୍ଷା କରାଯାଉଛି । ତେବେ ମୋ ମତରେ ଦେଶ ଭିତରେ ଖଣିଜ ପଦାର୍ଥରେ ଅଧିକରୁ ଅଧିକ ଭ୍ୟାଲୁ ଆଡିସନ୍ ହେବା ଉଚିତ ।

ଆପଣଙ୍କ ସରକାର କୃଷିକୁ ପ୍ରାଧାନ୍ୟ ଦେଉ ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି । ଏ ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କ’ଣ?

ଆମ ସରକାର ସବୁବେଳେ କୃଷିକୁ ପ୍ରାଥମିକତା ଦେଇ ଆସିଛି । ରାଜ୍ୟର ପ୍ରତି ବ୍ଲକ୍ ରେ ଶତକଡା ୩୫ ଭାଗ ଚାଷଜମିକୁ ସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛୁ ।

କୃଷକମାନେ ସାମୁହିକଭାବେ ସେମାନଙ୍କ ଜମିକୁ ଜଳ ସେଚିତ କରିବା ପାଇଁ ମୋ ସରକାର ପାଣି ପଞ୍ଚାୟତ, ବିଜୁ କୃଷକ ବିକାଶ ଯୋଜନା ଆଦି ଆରମ୍ଭ କରିଛି ।

ରାଜ୍ୟ ଭିତରେ କୃଷି ଭିତ୍ତିକ ପାଣିପାଗର ବିବିଧତାକୁ ଦୃଷ୍ଟିରେ ରଖି ଆମେ ଉଦ୍ୟାନ ମିଶନ ଜରିଆରେ ଫୁଲ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରିବା ପାଇଁ କୃଷକମାନଙ୍କୁ ସାହାଯ୍ୟ କରୁଛୁ ।

କଳିଙ୍ଗନଗରରେ ଆଦିବାସୀ ଆନ୍ଦୋଳନକୁ ଭିତ୍ତିକରି ମାଓବାଦୀମାନେ ସେମାନଙ୍କ କାର୍ଯ୍ୟକଳାପକୁ ଅଧିକ ଦୃଢ କରିବାର ସମ୍ଭାବନା ଅଛି କି? ଆପଣ ସେଭଳି ପରିସ୍ଥିତିର କିଭଳି ମୁକାବିଲା କରିବେ?

ମୁଁ କହି ସାରିଛି ଯେ, ଆଦିବାସୀ ଆନ୍ଦୋଳନ ତୀବ୍ର ହୋଇନାହିଁ । ଯଦି କୌଣସି ମାଓବାଦୀ ସଂଗଠନ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରନ୍ତି, ତେବେ ଜନ ସାଧାରଣ ସେମାନଙ୍କ ଉଦ୍ଦେଶ୍ୟ ଜାଣି ପାରିବେ ବୋଲି ମୋର ଆଶା ।

ଆସନ୍ତା ତିନି ତାରିଖରୁ ବିଧାନ ସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ବିରୋଧୀ ଦଳକୁ ସାମନା କରିବା ପାଇଁ ଆପଣ କି ରଣ ନୀତି ଧାର୍ଯ୍ୟ କରିଛନ୍ତି?

ଏଥରର ଅଧିବେଶନରେ ବିରୋଧୀ ଦଳ ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ନ ଦେଇ ରାଜ୍ୟର ଦୀର୍ଘମିଆଦି ଉନ୍ନତି ସକାଶେ ଗଠନମୂଳକ ପ୍ରସ୍ତାବ ରଖିବେ ବୋଲି ମୋର ବିଶ୍ୱାସ ।

ଓଡ଼ିଶା ଡ଼ଟ୍ କମ୍

Leave a Reply

This site uses Akismet to reduce spam. Learn how your comment data is processed.