ଓଡିଶା ନ୍ୟୁଜ/ Odisha News
ମନୋରଞ୍ଜନ

ମହାବାତ୍ୟା ବିଧବାଙ୍କୁ ନେଇ “କଥାନ୍ତର’

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୯ (ଓଡିଶା ଡଟ କମ) “କଥାନ୍ତର’ । ୧୯୯୯ ମହାବାତ୍ୟାରେ ବିଧବା ହୋଇଥିବା କଳ୍ପନାର ମାନସିକ ଅସ୍ଥିରତା, ନାଚାରତା, ଦୃଢ଼ତା, ଏବଂ ତା’ ଆଗରେ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତିର ଏକ ଚିତ୍ର ମାତ୍ର । କଳ୍ପନାର ଚରିତ୍ର ଚାରିପାଖରେ ଘୁରି ବୁଲିଛି ଏହି ଚଳଚିତ୍ରର କଥା । ତାହାରିମାଧ୍ୟମରେ କାହାଣୀରେ ଫୁଟି ଉଠିଛି ମହାବାତ୍ୟା ପରବର୍ତ୍ତୀ ମଣିଷର ଅଭାବ ବୋଧ ଓ ସଂଘର୍ଷ ।

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର “ଶୂନ୍ୟ ସ୍ୱରୂପ’ର ନିଦେ୍ର୍ଧଶନା ପରେ ଶ୍ରୀ ଖଟୁଆଙ୍କର ଏହା ଆଉ ଏକ ସଫଳ କୃତୀ ।

ଓଡ଼ିଶାର ମହିଳା ପତ୍ରିକା “କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତଙ୍କ ପ୍ରଯୋଜନାରେ ମାତ୍ର ୩୦ ଦିନର ସୁଟିଂରେ ପ୍ରସ୍ତୁତ ହୋଇପାରିଥିବା ବ୍ୟାବସାୟିକ ଦୃଷ୍ଟି କୋଣ ସହ ୧ ଘଣ୍ଟା ୧୬ ମିନିଟର ଏକ କଳାତ୍ମକ ଚଳଚ୍ଚିତ୍ର “କଥାନ୍ତର’ ଖୁବ୍ ଶୀଘ୍ର ଆଞ୍ଚଳିକ ସ୍ତରରେ ମୁକ୍ତିଲାଭ କରୁଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ପାଇଁ ଯୋଜନା ମଧ୍ୟ ଚାଲିଛି ।

୧୯୯୯ର ମହାବାତ୍ୟା ବିଗତ ଶତାବ୍ଦୀରେ ସର୍ବାଧିକ ଭୟଙ୍କର ଦୈବୀ ଦଣ୍ଡ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହା ଖିନଭିନ୍ କରିବା ସହ ସହସ୍ରାଧିକ ଲୋକଙ୍କ ଜୀବନ ନେଇଥିଲା । ହଜାର ହଜାର ଲୋକଙ୍କୁ ଗୃହହୀନ କରି ଏହା ସବୁ ଦିନ ପାଇଁ ଏକ ଆତଙ୍କର ପରିଚିତି ପାଇଥିଲା ।

ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ବାଂଲାଦେଶୀ ଶରଣାର୍ଥୀ । ପ୍ରଭାବିତ ଅଞ୍ଚଳକୁ ସ୍ୱେଛାସେବୀ ସଂସ୍ଥା, ଗଣମାଧ୍ୟମ, ରାଜନେତା ଓ ସ୍ୱାର୍ଥାନ୍ୱେଷୀଙ୍କ ସୁଅ ଛୁଟିଥିଲା ।

ଅତ୍ୟଧିକ ବାହ୍ୟ ହସ୍ତକ୍ଷେପ ସ୍ଥାନୀୟ ଲୋକଙ୍କ ନୈତିକ ମୂଲ୍ୟବୋଧରେ କ୍ରମ ଅବନତି ଆଣି ଖେଲାଇଥିଲା ଦୁର୍ନୀତି ଓ ନୈତିକ ଅଧପତନ । ପ୍ରାରମ୍ଭରେ ଏହି କଥାବସ୍ତୁକୁ ଅତୀତର ପ୍ରତ୍ୟାବର୍ତ୍ତନ ଭାବେ ନିଆଯାଇ ମହାବାତ୍ୟା ବର୍ଷପୂର୍ତ୍ତିରୁ ହିଁ ଅୟମାରମ୍ଭ ହୋଇଛି କାହାଣୀ “କଥାନ୍ତର’ ।

ଏକ ସ୍ୱେଛାସେବୀ ସଂସ୍ଥା ସାହାଯ୍ୟରେ ବାତ୍ୟା ପରବର୍ତ୍ତୀ ଲୋକଙ୍କ ସ୍ଥିତିକୁ ପ୍ରାମାଣିକ ଚତ୍ରରେ ସ୍ଥାନ ଦେବାକୁ ଉଦ୍ୟମ କରିଛନ୍ତି ବଙ୍ଗଳା ଦେଶର ଟିଭି ସାମ୍ବାଦିକ ଦୀପଙ୍କର । ପରିସ୍ଥିତି କ୍ରମରେ ସେ ବାତ୍ୟା ବିଧବା କଳ୍ପନା ସଂସ୍ପର୍ଶରେ ଆସି ତାକୁ ହିଁ ଏକ ସ୍ୱତନ୍ତ୍ର ରିପୋର୍ଟର ମୁଖ୍ୟ କଥାବସ୍ତୁ କରିବାକୁ ଇଛା ପ୍ରକାଶ କରିଛନ୍ତି ।

କଳ୍ପନାର ବାଲ୍ୟାନୁଭୂତି ସମସ୍ତ ବାଂଲାଦେଶୀ ଶରଣାର୍ଥୀଙ୍କ ଭଳି କଷ୍ଟ ଦାୟକ । ଦେଶ ବିଭାଜନ ବେଳେ ବହୁ ଶରଣାର୍ଥୀଙ୍କ ଭଳି କଳ୍ପନାର ପିତା ମଧ୍ୟ ପୂର୍ବ ବଙ୍ଗରୁ ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ । ଆଶ୍ରୟ ନେଇଥିବା ଦେଶର ନାଗରିକ ହୋଇ ମଧ୍ୟ ତାଙ୍କୁ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ପାଇଁ ଲଢ଼େଇ କରିବାକୁ ପଡ଼ୁଥିଲା ।

ଓଡ଼ିଶାରେ ଜନ୍ମିତ କଳ୍ପନା ଅନଟନର ବାଲ୍ୟକାଳ ଛାଡ଼ି ମତ୍ସ୍ୟଜୀବୀ ସ୍ୱାମୀ ସହ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ଦେଖୁଥିବା ବେଳେ ୧୯୯୯ର ମହାବାତ୍ୟା ତାକୁ ଧୂଳିସାତ୍ କରିଥିଲା ।

ମହାବାତ୍ୟାରେ ପରିବାରକୁ ହରାଇ ସୌଭାଗ୍ୟରେ ବଞ୍ଚି ରହିଥିବା କଳ୍ପନାକୁ ବାଲ୍ୟବନ୍ଧୁ ଅକ୍ଷୟଠାରୁ ଦୃଢ଼ ମାନସିକତାର ପ୍ରୋତ୍ସାହନ ମିଳିଥିଲେ ବି ଜନ୍ମଭୂମିରେ ତାକୁ କିପରି ଏକ ଶୂନ୍ୟତା ଗ୍ରାସିଥିଲା ।

“ଏକଲା ଚଲୋ’ ନୀତିରେ ଜୀବନର ଲଢ଼େଇରେ ହାରି ଯାଇଥିବା କଳ୍ପନା କୌଣସି ପ୍ରଚାରର ମାଧ୍ୟମ ନହେବା ପାଇଁ ସାମ୍ବାଦିକ ଦୀପଙ୍କରଙ୍କୁ ସାକ୍ଷାତକାର ଦେବାକୁ ମନା କରିଦେଇଛି । ନିରାଶ ଦୀପଙ୍କର ଅସମ୍ପୂର୍ଣ୍ଣ କାହାଣୀ ସହ ଫେରି ଯାଇଛନ୍ତି ନିଜ କର୍ମଭୂମିକୁ ।

ଅନିଶ୍ଚିତ ଭବିଷ୍ୟତ ଲକ୍ଷ୍ୟରେ ଏକାକୀ ଜୀବନ କାଟୁଥିବା କଳ୍ପନା ସ୍ୱେଛାସେବୀ ସଂସ୍ଥାରେ ଛୋଟ ଚାକିରି କରି ଏହି ଲୋଲୁପ ସମାଜରେ ନିଜର ପରିଚୟ ସୁରକ୍ଷା ଚେଷ୍ଟାରେ ଥିଲା । ପରିବାର ସଦସ୍ୟଙ୍କ ମୃତୁ୍ୟ କ୍ଷତିପୂରଣ ପାଇବାକୁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅବିରାମ ଦୌଡ଼ରେ ତାର ସମୟ ସୀମିତ ଥିଲା ।

କଳ୍ପନାର ଲଢ଼େଇରେ ସାଥ୍ ଦେଇଥିଲା ସମ୍ପର୍କୀୟ ରୂପା । ମହାବାତ୍ୟା ରୂପାଠାରୁ ସ୍ୱାମୀ ଓ ପିଲାଙ୍କୁ ଛଡ଼ାଇ ନେଇଥିଲେ ବି ଆଶାବାଦୀ ଜୀବନ ଲକ୍ଷ୍ୟରେ ସେ ଆଦରିଥିଲା ଜଣେ ନାମକୁ ମାତ୍ର ସ୍ୱାମୀକୁ ।

ସରକାରୀ କ୍ଷତିପୂରଣ ଅନୁଦାନକୁ ଭୋଗ କରିବା ଆଶାରେ ଆଗେଇ ଆସିଥିବା ତଥାକଥିତ ସ୍ୱାମୀକୁ ନେଇ ରୂପାର ସଂସାର ଅସୁଖୀ ଥିଲା । ତଥାପି ମନପସନ୍ଦର କାହାକୁ ବାଛିବା ପାଇଁ ସେ କଳ୍ପନାକୁ ପ୍ରବର୍ତ୍ତାଇବାରେ ଲାଗିଥିଲା ।

କଳ୍ପନାର ନିରୀହତା, ସୌନ୍ଦର୍ଯ୍ୟ ଏବଂ ଦୃଢ଼ତାରେ ବେଶ୍ ପ୍ରଭାବିତ ହୋଇଥିବା ଦୀପଙ୍କର କେବଳ ତାକୁ ସାକ୍ଷାତର ଅଭୀପ୍ସା ନେଇ ବିନା କ୍ୟାମେରା ୟୁନିଟ୍ରେ ପୁଣି ଦୌଡ଼ି ଆସିଛି ବଙ୍ଗଳା ଦେଶରୁ । ଢ଼ାକାର ଜୀବନ, ପରିବେଶକୁ କଳ୍ପନା ଆଗରେ ବର୍ଣ୍ଣନା କରିବା ସହ ଦୀପଙ୍କର ତାର ଦୁଃଖରେ ଅବସାନ ଘଟାଇ ହାତ ଧରିବାକୁ ଇଛା ପ୍ରକାଶ କରିଛି ।

ଜଣେ ଅଜଣା ଲୋକର ହାତ ଧରିବା ଥିଲା କଳ୍ପନା ପକ୍ଷେ ଅତୀବ କଷ୍ଟକର । କିନ୍ତୁ କ୍ଷତିପୂରଣ ଅର୍ଥ ପାଇଁ ଅବିରାମ ଦୌଡ଼, ଗ୍ରାମ୍ୟ ଯୁବକଙ୍କ ଆଖିରେ ତାର ଚରିତ୍ରର ପ୍ରଶ୍ନ ଏବଂ ସମ୍ପର୍କୀୟା ରୂପାର ସ୍ୱାମୀର ତା’ ପ୍ରତି ଲୋଲୁପ ଦୃଷ୍ଟି ଏ ସବୁକୁ ମନେ ପକାଇ କଳ୍ପନା ନିଜକୁ ଅସହାୟ ମଣିବା ସହ ବୀତସ୍ପୃହ ହୋଇ ଉଠୁଥିଲା ।

ବାଲ୍ୟକାଳ କଟିଥିବା ପରିବେଶରେ ଜଣେ ସୁନ୍ଦରୀ ଅସହାୟା ବିଧବା ଏକାକୀ ଦିନ କାଟିବା କେତେ କଷ୍ଟ ତାହା ରୂପା ଅନୁଭବ କରିପାରି ଦୀପଙ୍କର ପୂର୍ବଜଙ୍କ ଦେଶକୁ ପଳାଇବାକୁ ସେ କଳ୍ପନାକୁ ପ୍ରବର୍ତ୍ତାଇଥିଲା ।

କିନ୍ତୁ ବାଂଲାଦେଶକୁ ଯିବା ପୂର୍ବରୁ କୋଲକାତାର ସଂକ୍ଷିପ୍ତ ରହଣିରେ କଳ୍ପନା ଅନୁଭବ କରିପାରିଛି ଢ଼ାକାର ସହର ସଭ୍ୟତାରେ ସେ ଅଧିକ ଅଣ ନିଃଶ୍ୱାସୀ ହୋଇଯିବ । ବାଲ୍ୟକାଳର ଖୁସି ମୁହୁର୍ତ୍ତ ତାକୁ ସାରା ଜୀବନ ଅସ୍ତବ୍ୟସ୍ତ କରିବ ।

ସେ ବୁଝି ପାରିଛି ତାକୁ ବିବାହ କରିବା ପଛରେ ଅଛି ଦୀପଙ୍କରର ଉଚ୍ଚକାଂକ୍ଷା । କ୍ୟାରିଅର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଦୀପଙ୍କର କେବେ ତାର ଦୁଃଖଦ ଅନୁଭୂତିକୁ ଦୂରେଇବାରେ ସଫଳ ହେବନାହିଁ ।

ଏହି ଚିନ୍ତାଧାରାକୁ ପାଥେୟ କରି କଳ୍ପନା ଫେରି ଆସିଛି ଜନ୍ମଭୂମିକୁ । ତେବେ ଆସିବା ପୂର୍ବରୁ ଦୀପଙ୍କରର ସ୍ୱତନ୍ତ୍ର ରିପୋର୍ଟକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜ କାହାଣୀକୁ କଳ୍ପନା ଏକ ରେକର୍ଡ଼ିଂ କରି ରଖି ଆସିଛି ।

କିନ୍ତୁ କଳ୍ପନା ପ୍ରତି ଥିଲା ଭାଗ୍ୟର ବିଦ୍ରୁପ । ଜନ୍ମସ୍ଥାନକୁ ଫେରିବା ବେଳକୁ ସ୍ଥିତିରେ ଓଲଟ ପାଲଟ ହୋଇ ସାରିଥିଲା । ବାଂଲାଦେଶୀ ଶରଣାର୍ଥୀଙ୍କୁ ଅନୁପ୍ରବେଶକାରୀ ଆଖ୍ୟା ଦେଇ ୩୦ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ନୋଟିସ ଦିଆଯାଇଥିଲା । ଅଧିକାର ସାବ୍ୟସ୍ତକରିବାକୁ ଚାଲିଥିଲା ବିକ୍ଷୋଭ ପ୍ରତିବାଦ । ଗ୍ରାମରେ ପହଞ୍ଚିବା ମାତ୍ରେ ତାକୁ ମଧ୍ୟ ନୋଟିସ ମିଳିଥିଲା ।

ତଥାପି କଳ୍ପନା ସମସ୍ତ ପ୍ରତିକୂଳ ସ୍ଥିତିରେ ନିଜ ଅଧିକାର ପାଇଁ ଲଢ଼େଇ କରି ବଞ୍ଚିବାର ଲକ୍ଷ୍ୟରେ ଜନ୍ମଭୂମିକୁ ଆଦରି ନେଇଛି । ଏହିଠାରେ ହିଁ ଶେଷ ହୋଇଛି “କଥାନ୍ତର’ର କଥା….. । ଆରମ୍ଭ ହୋଇଛି ଅନ୍ୟ ଏକ କାହାଣୀ…. ।

ଚଳଚ୍ଚିତ୍ରର ଏକମାତ୍ର ସଙ୍ଗୀତ “ନଦୀରେ ନଦୀରେ…’କୁ ଗାଇଛନ୍ତି ସ୍ୱରୂପ ନାୟକ । ଚଳଚ୍ଚିତ୍ରର ବିତରଣ ଦାୟିତ୍ୱରେ ଅଛନ୍ତି କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ।

ଜଗତସିଂହପୁର ଜିଲ୍ଲାର ଏରସମା ଏବଂ କେନ୍ଦ୍ରାପଡ଼ା ଜିଲ୍ଳାର ମହାକାଳପଡ଼ା ତଥା ନିକଟବର୍ତ୍ତୀ ଗ୍ରାମ, କୋଲକାତା ଏବଂ ଭୁବନେଶ୍ୱରରେ “କଥାନ୍ତର’ର ସୁଟିଂ କରାଯାଇଛି ।

ଏହାର ବିଭିନ୍ନ ଭୂମିକାରେ ଅଛନ୍ତି, ଅନୁ ଚୌଧୁରୀ (କଳ୍ପନା), ଭାସ୍ୱତୀ ବାସୁ (ରୂପା), ରାଶେଷ ମହାନ୍ତି (ଅକ୍ଷୟ), ଦେବପ୍ରସାଦ ଦାଶ (ଦୀପଙ୍କର), ଚୌଧୁରୀ ବିକାଶ ଦାସ (ବିକାଶ ମଣ୍ଡଳ), ମିହିର ସ୍ୱାଇଁ (ମିହିର) ଏବଂ ରଞ୍ଜିତ(ରଞ୍ଜିତ) ।

ଓଡିଶା ଡଟ କମ

Leave a Reply

This site uses Akismet to reduce spam. Learn how your comment data is processed.