Site icon Odisha.com

“କଦଳୀ ମଞ୍ଜା କଟଲେଟ୍”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

କଦଳୀ ମଞ୍ଜା- ଏକ ଖଣ୍ଡ , ଆଳୁ-୨ଟା(ବଡ), ପିଆଜ-୨ଟା(ଛୋଟ), ରସୁଣ କଟା- ୧ ଚାମଚ(ଛୋଟ), ଅଦା କଟା-୧ ଚାମଚ(ଛୋଟ), କଞ୍ଚାଲଙ୍କା କଟା-୧ଚାମଚ(ଛୋଟ), କଟା ଧନିଆ ପତ୍ର-ଅଳ୍ପକିଛି , ଅଟା-୨ ଚାମଚ(ବଡ), ଗରମ ମସଲା ଗୁଣ୍ଡ-୧୧/୨ ଚାମଚ(ଛୋଟ), ରିଫାଇନ୍ ତେଲ- ୪ ଚାମଚ(ବଡ), ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ :

କଦଳୀ ମଞ୍ଜାକୁ ଚୁନା ଚୁନା କରି କାଟି ରଖନ୍ତୁ । ସେଥିରେ ଅଳ୍ପ ଲୁଣ ପକାଇ ଚକଟି ପାଣି ନିଗାଡି ଭଲ ଭାବରେ ଧୋଇ ରଖନ୍ତୁ । ଆଳୁକୁ ସିଝାଇ ଚକଟି ରଖନ୍ତୁ । କଟା ମଞ୍ଜାକୁ ପ୍ରେସର କୁକରରେ ସିଝାଇ ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ ।

କଡାଇରେ ଅଳ୍ପ ତେଲ ଦେଇ ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ । ବର୍ତ୍ତମାନ ସିଝାଇ ରଖିଥିବା ମଞ୍ଜାକୁ ସେଥିରେ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ ।

ଗୋଟିଏ ପ୍ଲେଟ୍ ରେ ମଞ୍ଜାକୁ କାଢନ୍ତୁ । ସେଥିରେ ସିଝା ଆଳୁ, କଟା ଧନିଆପତ୍ର, ଗରମ ମସଲା ଗୁଣ୍ଡ, ଅଟା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ ।

ମଞ୍ଜା ଓ ଆଳୁର ମିଶ୍ରଣକୁ କଟଲେଟ୍ ଆକାରରେ ଗଢି ରଖନ୍ତୁ । ତାୱା ଗରମ କରି ସେଥିରେ କଟଲେଟ୍ ଗୁଡିକୁ ଅଳ୍ପ ତେଲ ଦେଇ ଦୁଇ କଡ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଚଟଣି କିମ୍ବା ସସ୍ ସହିତ ପରିବେଷଣ କରନ୍ତୁ ମଞ୍ଜା କଟଲେଟ୍ ।

ଓଡ଼ିଶା ଡ଼ଟ୍ କମ୍

Exit mobile version