Site icon Odisha.com

“ଫିସ୍ ବିରିୟାନି”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ବଡ଼ ରୋହି ମାଛ-(କଟା)୧/୨ କିଗ୍ରା, ବାସୁମତୀ ଚାଉଳ-୧/୨ କିଗ୍ରା, ପିଆଜ-୪ଟା(ବଡ଼), ଅଦା-୧ ଖଣ୍ଡ, ଗୁଜୁରାତି-୪/୬ ଟା,ଲବଙ୍ଗ-୫/୬ ଟା, ଗୋଟା ଗୋଲମରିଚ-୨ ଚାମଚ(ଛୋଟ), ସାହା ଜିରା-୧ ଚାମଚ(ଛୋଟ), ଜାଇତ୍ରି-୨, ଜାଇଫଳ-ଫାଳେ, ତେଜପତ୍ର-୨ଟା, ଧନିଆପତ୍ର କଟା-ଅଳ୍ପ, ପୋତିନା ପତ୍ର-୧ ଚାମଚ(ଛୋଟ), ରିଫାଇନ୍ ତେଲ-୧ କପ୍, ଘିଅ-୪ ଚାମଚ(ବଡ଼),ଅଣ୍ଡା-୨ ଟା(ସିଝାଇବା ପାଇଁ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ବଡ଼ପାତ୍ର ଚୁଲିରେ ବସାଇ ସେଥିରେ ୫/୬ କପ୍ ପାଣି ଦିଅନ୍ତୁ । ସେଥିରେ ଖଣ୍ଡେ ଅଦା,୧ଟା ପିଆଜ, ସାହାଜିରା, ଜାଲିଫଳ ଓ ତେଜପତ୍ର ପକାଇ ତାକୁ ଘୋଡ଼େଇ ଦିଅନ୍ତୁ । ପାଣି ଭଲଭାବରେ ୧୦/୧୮ ମିନି୍ଟ ଫୁଟିଗଲେ ଚୁଲିରୁ ଓହ୍ଲାଇ ଗୋଟେ ପ୍ଲେଟରେ ଢାଲି ରଖନ୍ତୁ ।

ମାଛକୁ ଧୋଇ ଲୁଣ ହଳଦୀ ଗୋଳାଇ ତେଲରେ ଛାଣି ରଖନ୍ତୁ । ଗୋଟିଏ ପିଆଜକୁ ଲମ୍ବା ଲମ୍ବା କାଟି ତେଲରେ ଲାଲ କରି ଛାଣି ରଖନ୍ତୁ ।

ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ । ସେଥିରେ କଟା ପିଆଜ, କଟା ଅଦା, ସାହାଜିରା, ଗୁଜୁରାତି, ଲବଙ୍ଗ, ଗୋଲମରିଚ ଓ ଡ଼ାଳଚିନି ଛେଚି ପକାନ୍ତୁ । ପିଆଜ ବାଦାମିରଙ୍ଗ ହୋଇ ଆସିଲେ ଚାଉଳକୁ ଧୋଇ ପକାନ୍ତୁ ।

ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚାଉଳକୁ କିଛି ସମୟ ଭାଜନ୍ତୁ । ବର୍ତ୍ତମାନ ଏଥିରେ କଟା ପୋଦିନା ପତ୍ର ପକାଇ ଗୋଳାନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପାଣି ସହିତ ଅଳ୍ପପାଣି ମିଶାଇ ଚାଉଳର ଦୁଇଗୁଣା ପାଣି ଦିଅନ୍ତୁ ।

ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ପୁଣି ଘୋଢାଇ ରାନ୍ଧନ୍ତୁ । ଭାତ ଅଧାହୋଇ ଆସିଲେ ପୁର୍ବରୁ ରାନ୍ଧିରଖିଥିବା ମାଛକୁ ପକାଇ
ଧିରେ ଧିରେ ଗୋଳାନ୍ତୁ ଯେପରିକି ମାଛ ଭାଙ୍ଗି ନଯାଏ ।

ତାକୁ ପୁଣି ଘୋଡ଼ାଇ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ତାକୁପୁଣି କାଢି କଟା ଧନିଆପତ୍ର ପକାନ୍ତୁ । ପ୍ଲେଟରେ କାଢି ସିଝା ଅଣ୍ଡା ଓ ଭଜା ପିଆଜରେ ସଜାଇ ରାଇତା ସହିତ ପରିବେଷଣ କରନ୍ତୁ ଫିସ୍ ବିରିୟାନି ।

ଓଡ଼ିଶା ଡ଼ଟ୍ କମ୍

Exit mobile version