Site icon Odisha.com

ଧର୍ମପଦ ପୁରସ୍କାର ଚୟନ ବିବାଦର ତଦନ୍ତ ନିଷ୍ପତ୍ତି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩ (ଓଡିଶା ଡଟ୍ କମ୍) ରାଜ୍ୟରେ ଶିଳ୍ପୀମାନଙ୍କୁ ଦିଆଯାଇଥିବା ସର୍ବଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ “ଧର୍ମପଦ ପୁରସ୍କାର’ମନୋନୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦର ତଦନ୍ତ କରାଯିବ ।

ଏହି ମନୋନୟନ ପ୍ରକ୍ରିୟା ଅଭିଯୋଗ ସମ୍ପର୍କରେ ତଦନ୍ତ କରିବାକୁ ରାଜ୍ୟ ଶକ୍ତି ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପୂର୍ବତନ ପୋଲିସ୍ ମୁଖ୍ୟ ବିପିନୀବିହାରୀ ମିଶ୍ରଙ୍କୁ ନିର୍ଦେଶ ଦେଇଛନ୍ତି ।

ଧର୍ମପଦ ପୁରସ୍କାର ଲାଗି ଠିକ୍ ଭାବେ ମନୋନୟନ ପ୍ରକ୍ରିୟା ପାଳନ କରାଯାଇଛି କି ନାହିଁ, ରାଜ୍ୟ ସଂସ୍କୃତି ବିଭାଗ ଓ ଲଳିତକଳା ଏକାଡେମୀ ର ଏ ନେଇ ଭୂମିକା, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି କି ନାହିଁ ସେ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ପୁଙ୍ଖାନାପୁଙ୍ଖ ତଦନ୍ତ କରିବେ ।

ଖୁବ୍ ଶୀଘ୍ର ଏହାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।

ଧର୍ମପଦ ମନୋନୟନ ପ୍ରକ୍ରିୟାକୁ ଓଡିଶା ଲଳିତକଳା ଏକାଡେମୀର ସଚିବ ଠିକ ଭାବେ ପାଳନ କରି ନାହାଁନ୍ତି ବୋଲି ବିଭିନ୍ନ ଶିଳ୍ପୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇ ଅଦାଲତର ଆଶ୍ରୟ ନେବାକୁ ଧମକ ଦିଆଯାଇଛି ।

ରାଜ୍ୟର କେତେକ ବିଶିଷ୍ଟ ଶିଳ୍ପୀ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ରାଜ୍ୟର ଏହି ସର୍ବୋଚ୍ଚ ସମ୍ମାନକୁ ଖାମଖିଆଲି ଭାବେ କୌଣସି ନିୟମାବଳୀ କୁ ଅନୁସରଣ କରାନଯାଇ ନିଜ ମନୋନୀତ ବ୍ୟକ୍ତିମାନଙ୍କୁ ଧର୍ମପଦ ପୁରସ୍କାର ପାଇଁ ଚୂଡାନ୍ତ କରାଯିବା ଏହି ସମ୍ମାନରେ ଗଭୀର ଆଞ୍ଚ ଆଣିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ପ୍ରତିବର୍ଷ ଲଳିତକଳା ଏକାଡେମୀ ଧର୍ମପଦ ସମ୍ମାନ ପ୍ରଦାନ କରିଥାଏ । ଏଥିପାଇଁ ପଚାଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ।

ଓଡିଶା ଡଟ୍ କମ୍

Exit mobile version