ଓଡିଶା ନ୍ୟୁଜ/ Odisha News
ମୁଖ୍ୟ ଖବର

ଖଣି ଦୁର୍ନୀତି ତଦନ୍ତ ପ୍ରହସନ: ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଗଣମାଧ୍ୟମ

ପ୍ରଶାନ୍ତ ପଟ୍ଟନାୟକ

ଓଡିଶା ଖଣି ଦୁର୍ନୀତିର ପର୍ଦ୍ଧାଫାଶ ହୋଇ ଆଠ ଜଣ ସରକାରୀ କର୍ମଚାରୀ ଓ ଜନୈକ ଖଣି ବେପାରୀଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିବା ପରେ ବିଭିନ୍ନ ସମ୍ବାଦପତ୍ର ଓ ଗଣ ମାଧ୍ୟମରେ ଚମକପ୍ରଦ ସମ୍ବାଦମାନ ପ୍ରକାଶ ପାଇଲା ।

ଖଣି ଦୁର୍ନୀତି କାରବାରରେ ପଚାଶ ହଜାର କୋଟିରୁ ଉର୍ଦ୍ଧ୍ଵ ପରିମାଣର ଅର୍ଥ ହେରଫେର୍ ହୋଇଛି ବୋଲି କେତେକ ରାଜନୈତିକ ନେତା ଅଭିଯୋଗ କରୁଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ଗଣ ମାଧ୍ୟମକୁ ଜଣାଇଥିଲେ ଯେ ସେମାନେ ଶହେ ଦଶ କୋଟି ଟଙ୍କାର ବେଆଇନ କାରବାର ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ସାରିଲେଣି ।

ଏହି ଖଣି ଦୁର୍ନୀତି ପ୍ରସଙ୍ଗ ସର୍ବତ୍ର ଆଲୋଚିତ ହେଉଥିବା ସମୟରେ ନିଜର ପରିଚୟ ଗୋପନ ରଖି ଜନୈକା ପାଠିକା ଫୋନ୍ କରି ଏହି ଖଣି ଦୁର୍ନୀତି ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକାକୁ ଭୂୟସୀ ପ୍ରଶଂସା କରିବାକୁ ଆରମ୍ଭ କଲେ ।

ତାଙ୍କର ପ୍ରଶଂସା ଶୁଣି ଏହି ସାମ୍ବାଦିକର ଛାତି କୁଣ୍ଢେମୋଟ ହୋଇଯିବା ସ୍ୱଭାବିକ୍ । ଜନୈକା ପାଠିକା ଗଣମାଧ୍ୟମର ଗୁରୁତ୍ୱ ଉପଲବ୍ଧି କରି ବଧେଇ ଜଣାଇବା ଲାଗି ଫୋନ୍ କରିଥିବାରୁ ଏହି ସାମ୍ବାଦିକ ତାଙ୍କୁ ଧନ୍ୟବାଦ ଜଣାଇବା ଲାଗି ଉଦ୍ୟତ ହେବା ସମୟରେ ପାଠିକା କହିଲେ, “ମୋର”ଯେତେଦୂର ମନେହୁଏ ସାମ୍ବାଦିକମାନେ ମଧ୍ୟ ଏଭଳି ଦୁର୍ନୀତି ବ୍ୟାପାରରୁ ଆଦୌ ମୁକ୍ତ ନୁହଁନ୍ତି ।”

ପାଠିକାଙ୍କର ଏଭଳି ଆକସ୍ମିକ କଠୋର ମନ୍ତବ୍ୟ ଶୁଣି ମୁଁ ପ୍ରଶ୍ନକଲି,”ସାମ୍ବାଦିକମାନେ ଯେ ଏହି ଖଣି ଦୁର୍ନୀତିରେ ଲିପ୍ତ ଆପଣ ଏଭଳି ଅଭିଯୋଗ କରୁଛନ୍ତି କିପରି?”

ସେ କହିଲେ, “ନାଁ ଆଜ୍ଞା, ମୁଁ କରୁନି, “ସମ୍ବାଦ” ଭଳି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ଏଭଳି ଅଭିଯୋଗ କରିଛି । ଆପଣ ପଢ଼ିଥିବେ, ଚାରି ନମ୍ବର ୟୁନିଟ୍ ରେ ରହୁଥିବା ଜନୈକ ପ୍ରଭାବଶାଳୀ ସାମ୍ବାଦିକ, ଯାହାଙ୍କର ଶହୀଦନଗର ସହ ଘନିଷ୍ଠ ସମ୍ପର୍କ, ସେ ଖଣି ବେପାରୀ ଶକ୍ତିରଞ୍ଜନ ଦାସଙ୍କ ସହ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କର ପରିଚୟ କରାଇ ଥିଲେ ।

ଏହି ବ୍ୟକ୍ତିଙ୍କର କୃପା ଲାଭ କରି ଅଶୋକନଗର ସ୍ଥିତ ୧୩୭ଜି , ପ୍ରଥମ ମହଲାରେ ବାସ୍ତୁ ଓ ଫେଙ୍ଗସଦୁଇ ପରାମର୍ଶଦାତା ଭାବରେ ବ୍ୟବସାୟରତ ଶ୍ରୀ ଦାସ ଅଚାନକ ଭାବରେ କୋଟିପତି ହୋଇଯାଇଥିଲେ ବୋଲି ସମ୍ବାଦରେ ପ୍ରକାଶ ପାଇଥିଲା ।

ତାଙ୍କରି ପରାମର୍ଶକ୍ରମେ ଶହୀଦନଗରର ଏହି କ୍ଷମତାଶାଳୀ ବ୍ୟକ୍ତି ନିଜ କାର୍ର ରଙ୍ଗ ମଧ୍ୟ ବଦଳାଇ ଦେଇଥିଲେ ବୋଲି ସମ୍ବାଦରେ ଉଲ୍ଲେଖ କରାଯାଇଥିଲା ।

ପୁନଶ୍ଚ ଦୁର୍ନୀତି ଘଟୁଥିବା ସ୍ଥାନର ଠିକଣା ଶହୀଦନଗରରୁ ଖଣ୍ଡଗିରିସ୍ଥିତ ଏକ ମଠକୁ ସ୍ଥାନାନ୍ତରିତ ହୋଇଥିଲା । ଏବଂ ଏଥର ଚାରି ନମ୍ବର ୟୁନିଟ୍ ରେ ରହି ହଟଚମଟ ସୃଷ୍ଟି କରୁଥିବା ପ୍ରଭାବଶାଳୀ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଥିଲା ।

ଏତିକି କହି ପାଠିକା ଟିକିଏ ରହିଲେ, ତା’ପରେ କହିଲେ, ଗଣମାଧ୍ୟମରେ ଯଦି ଦୁର୍ନୀତି ଅଭିଯୁକ୍ତ ସରକାରୀ କର୍ମଚାରୀ ଓ ଖଣି ବେପାରୀ ମାନଙ୍କ ନାମ ଉଲ୍ଲେଖ କରାଯାଇପାରିଲା, ତେବେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସାମ୍ବାଦିକ ମାନଙ୍କ ପରିଚୟ ପ୍ରକାଶ କରିବା ଲାଗି ଗଣମାଧ୍ୟମ କୁଣ୍ଠିତ ହେବା କେତେଦୂର ଯଥାର୍ଥ?

ଯଦି ସଂପୃକ୍ତ ସାମ୍ବାଦିକ ମାନଙ୍କ ପରିଚୟ ଉପରୋକ୍ତ ସମ୍ବାଦପତ୍ରକୁ ଅଜଣା ଥିଲା । ତେବେ ସେମାନଙ୍କର କଳାକାରବାର ସମ୍ପର୍କରେ ଏତେ ତଥ୍ୟ ପ୍ରକାଶ କଲେ କିପରି ? କ’ଣ ଏହା ଥିଲା ମନଗଢ଼ା ?….ତଥ୍ୟ ଅଭାବରୁ ବା ସତ୍ସାହସ ଅଭାବରୁ ଗଣମାଧ୍ୟମ ଏଭଳି ରହସ୍ୟଜନକ ପଦକ୍ଷେପ ନେବାକୁ ଶ୍ରେୟସ୍କର ମନେକଲେ?

ନିଜକୁ ଓଡିଶାର ଏକ ନମ୍ବର ସମ୍ବାଦପତ୍ର ବୋଲି ଦାବି କରୁଥିବା ଖବରକାଗଜର ଅବସ୍ଥା ଯଦି ଏଭଳି ହୁଏ, ତେବେ ରାଜ୍ୟବାସୀ ଗଣମାଧ୍ୟମ ଠାରୁ କ’ଣ ବା ଆଶା କରିବେ?”

ଏହା କହିବାବେଳେ, ସଂପୃକ୍ତ ପାଠିକାଙ୍କ କଣ୍ଠସ୍ୱର ଭାବାବେଗରେ କନ୍ଦିତ ହୋଇ ଉଠୁଥିଲା ।

ମୁଁ କିଛି କହିବା ପୂର୍ବରୁ ସେ କହିଲେ, “ଶହୀଦନଗରର ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ଅଥବା ନାଲିବତୀ ଲାଗିଥିବା ଧଳା କାରରେ ଧଳା ଫୁଲ୍ ପ୍ୟାଣ୍ଟ ଓ ହାଫ୍ ସାର୍ଟ ପିନ୍ଧି ଯାଇଥିବା ଯେଉଁ ରାଜନେତା ସମ୍ପର୍କରେ ସମ୍ବାଦପତ୍ରରେ ଉଲ୍ଲେଖ କରାଯାଇଛି ।

ସେମାନଙ୍କ ପରିଚୟ କ’ଣ ସଂପୃକ୍ତ ସମ୍ବାଦପତ୍ରକୁ ଅଜଣା ଥିଲା ? ସଂପୃକ୍ତ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ
ସମ୍ପର୍କରେ ବିବରଣୀ ପ୍ରକାଶ କରୁଥିବା ଗଣମାଧ୍ୟମ ସେମାନଙ୍କ ପରିଚୟ ପ୍ରକାଶ କରିବା ଲାଗି କୁଣ୍ଠିତ ହେବା ଅତ୍ୟନ୍ତ ରହସ୍ୟମୟ ନୁହେଁ କି?

ଏହାପଛରେ ଲୁଚି ରହିଥିବା ତଥ୍ୟ ଓ ସତ୍ୟ ପ୍ରକାଶ କରିବା ଗଣମାଧ୍ୟମର ନୈତିକ ଦାୟିତ୍ୱ ନୁହେଁକି ? “ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ଅଥବା ନିଜକୁ ନିର୍ଭୀକ, ନିରପେକ୍ଷ କିମ୍ବା ଲୋକାଭିମୁଖି ସମ୍ବାଦପତ୍ର ବୋଲି ଦାବି କରୁଥିବା କୌଣସି ଖବରକାଗଜ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ନିରବ କାହିଁକି?

କୌଣସି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ସ୍ୱାର୍ଥ ସୁରକ୍ଷା ପାଇଁ ଅଥବା ନିଜର ନିରାପତ୍ତା ପାଇଁ ?”

ପାଠିକାଙ୍କ ଏତାଦୃଶ ତୀକ୍ଷ୍ମ ପ୍ରଶ୍ନ ଗୁଡିକର ଉତ୍ତର ଦେବା ପୂର୍ବରୁ ସେ କହିଲେ,””ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ପଦକ୍ଷେପ ନନେଇ, ରାଜ୍ୟ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବା ଆଦୌ ଯଥାର୍ଥ ନୁହେଁ । ସମସ୍ତ ଖଣିଜ ପଦାର୍ଥ କେନ୍ଦ୍ର ସରକାରଙ୍କ ସମ୍ପତି, ରାଜ୍ୟ ସରକାର ତା’ର ଜଗୁଆଳୀ ମାତ୍ର । ତେଣୁ ଏହି ଦୁର୍ନୀତିରେ କେନ୍ଦ୍ରୀୟ ନେତା ମାନଙ୍କର ସଂପୃକ୍ତି ରହିଛି କି?

ଆପଣତ ଜାଣିଥିବେ ବିଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ଯେତେଗୁଡିଏ ବଡ ଧରଣର ସ୍କାମ ବା ଅପରାଧ ହୋଇଛି ସେ ସବୁର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଏବଂ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ଦେଇଛନ୍ତି ।

ମାତ୍ର ତା’ର ଫଳାଫଳ କ’ଣ ହୋଇଛି ? କେତେଗୋଟି ଦୁର୍ନୀତି ବା ଅପରାଧ ଘଟଣାରେ କିଏ ଦଣ୍ଡ ପାଇଛି ? ଗ୍ରାମାଂଚଳ ଗୃହ ନିର୍ମାଣ କର୍ପୋରେସନ ଦୁର୍ନୀତି ଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ଋଣରେ କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟ ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି କରି ପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ ହୋଇଥିବା ବ୍ୟକ୍ତିମାନେ ଏକ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ।

ସେମାନେ ଠୁଳ କରିଥିବା ଶହ ଶହ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ଗୋଟିଏ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ବିଭାଗ ବ୍ୟାଜାପ୍ତି କରିପାରିବନି । ଖାଲି କୋଟିପତି କିରାଣି, ପୋଲିସ୍, ଯନ୍ତ୍ରୀ, ଓ.ଏ.ଏସ୍ ଅଧିକାରୀ ମାନଙ୍କୁ ଠାବ କରିବାର ଆଳ ଦେଖାଇ ଗଣମାଧ୍ୟମରେ ବାହାବାଃ ନେଉଛନ୍ତି ।

ତେଣୁ ଭିଜିଲାନ୍ସ ବିଭାଗ ଯେ ଦୁର୍ନୀତି ଓ ପ୍ରିୟାପ୍ରୀତି ପୋଷଣ ଏବଂ ରାଜନୈତିକ ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ଏକଥା ଜନସାଧାରଣ ଆଉ ବିଶ୍ୱାସ କରୁନାହାଁନ୍ତି ।

ଏତିକି କହି ପାଠିକା ଟିକିଏ ଦମ୍ ନେଲେ, ଏହାର ସୁଯୋଗରେ ମୁଁ କହିଲି, ହଁ… ଆପଣ ଯାହା କହୁଛନ୍ତି ମୁଁ ସେଥିରେ ଅନେକାଂଶରେ ଏକମତ । ମାତ୍ର….” ମୋ ବକ୍ତବ୍ୟ ପୁରା ହେବା ପୂର୍ବରୁ ପାଠିକା ଟିକିଏ ବିରକ୍ତି ସୂଚକ ସ୍ୱରରେ କହିଲେ,”ଆପଣ ବା ମୁଁ ଏଥିରେ ସହମତ ହେଲେ କ’ଣ ସାଂପ୍ରତିକ ସ୍ଥିତିର ପରିବର୍ତ୍ତନ ଘଟିବ?

ଅନେକଙ୍କ ଭଳି ମୁଁ ମଧ୍ୟ ଚାହେଁ ଯେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ହେଉ । ସରକାରୀ ଅଫିସର, ଖଣି ବେପାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସାମ୍ବାଦିକମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ ।

ସେମାନଙ୍କର ଅସଲରୂପ ଲୋକ ଲୋଚନକୁ ଆସୁ । ଏବଂ ଯେଉଁମାନେ ଏହି ଜାତୀୟ ସମ୍ପତି ଲୁଣ୍ଠନ, ଅପରାଧ ବା ଷଡଯନ୍ତ୍ରରେ ସଂପୃକ୍ତ ସେମାନେ କଠୋର ଦଣ୍ଡ ପାଆନ୍ତୁ ।

ତା’ହେଲେ ହୁଏତ ଭବିଷ୍ୟତରେ ଆଉ କୌଣସି ସରକାରୀ ପାଧିକାରୀ, ଖଣି ମାଲିକ, ଖଣି ଚୋରା
ବେପାରୀ, ରାଜନେତା ବା ସାମ୍ବାଦିକ ଏଭଳି ଅପରାଧ କରିବା ଲାଗି ସାହସ କରିବେ ନାହିଁ ।

ମୁଁ କୌଣସି ଉତ୍ତର ଦେବା ପୂର୍ବରୁ ପାଠିକା ଫୋନ୍ କାଟିଦେଲେ । ସେ କାଳେ ଆଉ ଫୋନ୍ କରିବେ ବୋଲି କିଛି ସମୟ ଅପେକ୍ଷା କଲି କିନ୍ତୁ ସେ ଆଉ ଫୋନ୍ କଲେନି ।

ତାଙ୍କର ଉକ୍ତି ସମ୍ପର୍କରେ ମୋ ମତାମତ ଜଣାଇବା ଲାଗି ମୋ ତରଫରୁ ମୁଁ ଫୋନ୍ କଲିନି । କରିଥିଲେ କ’ଣ ବା କହିଥାଆନ୍ତି ? ସେ ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମୁଁ ତ ସେମାନଙ୍କର ଅଭିଭାବକ ନୁହେଁ ଅଥବା ସିବିଆଇ ତଦନ୍ତ ଲାଗି ନିଦେ୍ର୍ଧଶ ଦେବାର କ୍ଷମତା ମୋର ନାହିଁ ।

ତେଣୁ କେବଳ ଏହି ସ୍ତମ୍ଭ ଜରୀଆରେ ତାଙ୍କ ଭାବାବେଗକୁ ଲିପିବଦ୍ଧ କରି ମୋର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଉଦ୍ୟମ କଲି ।

ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାବାଡ଼୍ କରିବା ପାଇଁ ସ୍ପେସାଲ କୋର୍ଟ ଆକ୍ଟ ପ୍ରଣୟନ କରିଥିଲେ । ଦୁର୍ନୀତି ମୂଳକ ଉପାୟରେ ଅର୍ଜିତ ସଂପତ୍ତିକୁ ବ୍ୟାଜ୍ୟାପ୍ତି କରିବା ଲାଗି ଏହି ଆକ୍ଟରେ ବ୍ୟବସ୍ଥା ଥିଲା । ମାତ୍ର ପରବର୍ତ୍ତୀ କାଳରେ ଜାନକୀ ସରକାର ଶାସନ କ୍ଷମତାକୁ ଆସିବା ପରେ ଏଭଳି ଏକ ଆଦର୍ଶ ଆଇନକୁ ରଦ୍ଧ କରାଯାଇଥିଲା ।

ଓଡିଶା ଡଟ୍ କମ୍