Site icon Odisha.com

ଓଡ଼ିଆ ସମାଜ ପକ୍ଷରୁ ନାଇଜେରିଆରେ ରଥଯାତ୍ରା

ଶରତ କୁମାର ସାହୁଙ୍କ ଠାରୁ
ଲାଗୋସ, ଜୁଲାଇ ୧୫(ଓଡ଼ିଶା ଡ଼ଟ୍ କମ୍) ନାଇଜେରିଆର ଲାଗୋସ ମହାନଗରୀରେ ଓଡ଼ିଆ ସମାଜ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଛି ।

ସେଠାରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସହିତ ବିଭିନ୍ନ ଭାରତୀୟ ଗୋଷ୍ଠୀ ଓ ସ୍ଥାନୀୟ ଇସ୍କନ ମନ୍ଦିରର ଶ୍ରଦ୍ଧାଳୁ ତଥା ନାଇଜେରିଆ ଅଧିବାସୀ ଏହି ଉତ୍ସବରେ ଯୋଗେଇଥିବା ବେଳେ ସ୍ଥାନୀୟ ଗୌଡ଼ିୟ ମଠର ନାଇଜେରିୟ ଭକ୍ତମାନେ ଭଜନ ସଂକୀର୍ତ୍ତନ ପରିବେଶଣ କରିଥିଲେ ।

ତିନି ଠାକୁର ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ପୂଜାର୍ଚ୍ଚନା ପରେ ଭକ୍ତମାନେ ଗଭୀର ଶ୍ରଦ୍ଧା, ଭଜନ, କୀର୍ତ୍ତନ, ହରିବୋଲ, ହୁଳୁହୁଳି ଓ ଶଙ୍ଖନାଦ ମଧ୍ୟରେ ପହଣ୍ଡି ବିଜେ କରି ଶ୍ରୀଜିଉଙ୍କୁ ରଥ ଉପରକୁ ଆଣିଥିଲେ ।

ଜୟଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିବା ବେଳେ ନାଇଜେରିଆରେ ଅବସ୍ଥାପିତ ବିଶିଷ୍ଟ ଉଦ୍ୟୋଗପତି ଏନ୍.ଜି ପଟେଲ ପୌରହିତ୍ୟ କରି ଶ୍ରୀଜିଉଙ୍କ ଆରତି ଓ ଛେରାପହଁରା କରିଥିଲେ ।

ସେଠାରେ ଥିବା ଓଡ଼ିଆ ଓ ନାଇଜେରିଆ ଅଧିବାସୀମାନେ ପ୍ରବଳ ଉତ୍ସାହ ଓ ଉଦ୍ଧିପନା ସହ ରଥ ଟାଣିଥିଲେ । ସେଠାରେ ଅବସ୍ଥାପିତ ଓଡ଼ିଆ ମାନଙ୍କ ଦ୍ଵାରା ଗଠିତ “ଓଡ଼ିଆ ସମାଜ ନାଇଜେରିଆ” ଓଡ଼ିଶା ତଥା ଭାରତର ପରମ୍ପରା ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ କରିଆସୁଛି ।

ଓଡ଼ିଆ ସମାଜ ଗତ ପାଞ୍ଚ ବର୍ଷ ଧରି ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ବାର୍ତ୍ତା ରଥଯାତ୍ରା ମାଧ୍ୟମରେ ପ୍ରଚାରିତ କରିଆସୁଥିବା ବେଳେ ଓଡ଼ିଶାର ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣି ନାଇଜେରିଆରେ ପାଳନ କରାଯାଉଛି ।

ଓଡିଶା ଡଟ୍ କମ୍

Exit mobile version