Site icon Odisha.com

ବାଙ୍ଗାଲୋରରେ ଦର୍ଶକଙ୍କୁ ସମ୍ମୋହିତ କଲା ଗୋଟିପୁଅ ନୃତ୍ୟ

ରେଣୁକା ଫାଡ଼ନିସଙ୍କ ଠାରୁ

ବାଙ୍ଗାଲୋର, (ଓଡ଼ିଶା ଡ଼ଟ୍ କମ୍) ହାଇଟେକ୍ ସିଟି ବାଙ୍ଗାଲୋରରେ ଏବେ ଓଡ଼ିଶାର ‘ଗୋଟିପୁଅ’ ନୃତ୍ୟ ବେଶ ଲୋକପ୍ରିୟ ହୋଇପାରିଛି ।

କିଛି ଦିନ ତଳେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଇଥିବା ଭିଡ଼ରୁ ଏ ସମ୍ପର୍କରେ ଅଜ୍ଞ ଥିବା ଯୁବ ପିଢ଼ିଙ୍କର ଏହି ନୃତ୍ୟ ପ୍ରତି କେତେ ଆକର୍ଷଣ ତାହା ପ୍ରତିପାଦିତ ହୋଇଛି ।

ନିକଟରେ କ୍ଲାସିକାଲ ମ୍ୟୁଜିକ ଆଣ୍ଡ କଲଚର ଏମଙ୍ଗଷ୍ଟ ୟୁଥ୍ (ଏସପିଆଇସିମାକେ)ର ବାଙ୍ଗାଲୋର ଚାପ୍ଟର ପକ୍ଷରୁ ବାଙ୍ଗାଲୋରସ୍ଥ ପିପୁଲ୍ସ ଏଜୁକେସନ ସୋସାଇଟି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ପେସିଟ) ଇଞ୍ଜିନିୟରିଂ କଲେଜରେ ‘ଗୋଟିପୁଅ’ ନୃତ୍ୟ ପ୍ରଦର୍ଶନର ଆୟୋଜିତ ହୋଇଥିଲା ।

ଏହି ଅବସରରେ ଉତ୍ସାହୀ ଯୁବପିଢ଼ିଙ୍କ ମଧ୍ୟରେ ‘ଲକି ଡ଼୍ର’ ପ୍ରତିଯୋଗିତା ମଧ୍ୟ ହୋଇଥିଲା, ଯେଉଁଥିରେ ପୁରସ୍କାର ସ୍ୱରୂପ ‘ପେନ ଡ଼୍ରାଇଭ’ ବଣ୍ଟନ କରାଯାଇଥିଲା । ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଉତ୍ସବ ‘ବୀରାସତ୍-୨୦୧୦’ର ଏହା ଏକ ଅଂଶ ବିଶେଷ ଥିଲା ।

ପ୍ରାରମ୍ଭରେ ଗୋଟିପୁଅ ନୃତ୍ୟ ବାବଦରେ ଧାରଣା ରଖିନଥିବା ଛାତ୍ରଛାତ୍ରୀମାନେ ନୃତ୍ୟୋତ୍ସବ ପରେ ଏ ସମ୍ପର୍କରେ ବେଶ ଧାରଣା ପାଇପାରିଥିଲେ । ଓଡ଼ିଶୀ ନୃତ୍ୟ ଶୈଳୀର ଏକ ଅଂଶ ବିଶେଷ ଭାବେ ପରିଚିତ ଏହି ନୃତ୍ୟରେ ବାଳକମାନେ ମହିଳାଙ୍କ ବେଶଭୂଷାରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ।

ନୃତ୍ୟୋତ୍ସବରେ ଭାଗ ନେଇଥିବା କଳାକାରମାନେ ଓଡ଼ିଶାର କୋଣାର୍କରେ ଥିବା ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ଥିଲେ । ନୃତ୍ୟୋତ୍ସବରେ ଜନସାଧାରଣ ହ୍ୱିସିଲ, କରତାଳି ସହ ଛିଡ଼ା ହୋଇ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଭୁଲି ନଥିଲେ ।

୧୦ ବର୍ଷରୁ କମ୍ ବୟସର ୮ ଜଣ ବାଳକ ବାଳିକାଙ୍କ ବେଶରେ ଏହି ନୃତ୍ୟରେ ଭାଗ ନେଇଥିଲେ । ନୃତ୍ୟକୁ ଉପଭୋଗ କରିବା ପରେ ଇଞ୍ଜିନିୟରିଂ ଛାତ୍ରୀ ମେଧିନୀ କହିଥିଲେ, ନୃତ୍ୟଶିଳ୍ପୀମାନେ ଏଭଳି ଦେଖାଯାଉଥିଲେ ଯେପରିକି ସେମାନଙ୍କ ଦେହରେ କୌଣସି ଅସ୍ଥି ନାହିଁ’ ।

ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ମତ ଥିଲା, ‘ଆମେ କେବେ ଜାଣି ନଥିଲୁ ଛୋଟ ଛୋଟ ପିଲାମାନଙ୍କ ଭାବଭଙ୍ଗୀ ଏତେ ସୁନ୍ଦର ହୋଇପାରେ’ । ତେବେ ନୃତ୍ୟରେ ଅଂଶ ଗ୍ରହଣ କରିଥିବା ଛୋଟ ଛୋଟ ପିଲାମାନେ ଦିନ ମଜୁରିଆ କିମ୍ବା କୃଷକ ପରିବାରରୁ ଆସିଥିଲେ ।

ଶିଳ୍ପୀ ତାପସ କୁମାର ନାୟକ ୪ ବର୍ଷ ବୟସରୁ ଗୁରୁ ସ୍ୱାଇଁଙ୍କ ନିକଟରେ ନୃତ୍ୟ ଶିଖୁଥିବା ପ୍ରକାଶ କରିଥିଲେ । ନୃତ୍ୟଦଳର ଭାଓଲିନ୍ ବାକ ବାନାମ୍ବର ସ୍ୱାଇଁ କହିଥିଲେ, ସେ ହିଁ ତାପସର ବାପା ଓ ମା’ । ତାପସ ମଧ୍ୟ ଭବିଷ୍ୟତରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପ୍ରତିଷ୍ଠିତ ହେବା ସକାଶେ ନିଜ ଇଚ୍ଛା ଜାହିର କରିଥିଲେ ।

ନୃତ୍ୟ ପ୍ରଦର୍ଶନ ସମୟରେ ଶିଳ୍ପୀମାନଙ୍କ ଗୁରୁ ମଧ୍ୟ ‘ନମସ୍କାର’ ଭଙ୍ଗୀରେ ଦର୍ଶକଙ୍କୁ ସମ୍ଭାଷଣ ଜଣାଇ ନୃତ୍ୟରେ ଶିଷ୍ୟମାନଙ୍କ ସହ ସାମିଲ ହୋଇଥିଲେ । ନୃତ୍ୟୋତ୍ସବ ପରେ ଏହି ଛୋଟ ଛୋଟ ପିଲାମାନେ ଶିଶୁ ସୁଲଭ ଢ଼ଙ୍ଗରେ ଖାଇବା ପାଇଁ ଟେବୁଲ ଚେୟାର ଚତୁଃପାଶ୍ୱର୍ରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା ।

ନୃତ୍ୟ ଦଳରେ ଥିବା ଭୁବନେଶ୍ୱରର ୧୧ ବର୍ଷର ବାଳକ ସୌମେନ୍ଦ୍ର କୋଣାର୍କ ନାଟ୍ୟ ମଣ୍ଡପରେ ଗୁରୁ ଚିନ୍ତାମଣି ରାଉତଙ୍କ ନିକଟରେ ନୃତ୍ୟ ଶିକ୍ଷା କରୁଛନ୍ତି । ବାଙ୍ଗାଲୋର ଗସ୍ତ ଅବସରରେ ତାଙ୍କୁ ସହର ବାହାରେ ଥିବା ‘ନୃତ୍ୟଗ୍ରାମ’ ଅତି ଭଲ ଲାଗିଥିଲା ବୋଲି ପ୍ରକାଶ କରିଥିଲେ ।

ଏହାସହ ବିମାନରେ ବାଙ୍ଗାଲୋର ପର୍ଯ୍ୟନ୍ତ ଉଡ଼ି ଉଡ଼ି ଆସିବା ଅନୁଭୂତିକୁ ମଧ୍ୟ ସେ ଭୁଲିବେ ନାହିଁ ବୋଲି ଆନନ୍ଦର ସହ କହିଥିଲେ । ଏହା ପୂର୍ବରୁ ସେ ବିମାନ ଦେଖିଥିଲେ ମଧ୍ୟ କେବେ ବସି ନଥିଲେ ବୋଲି କହିଥିଲେ ।

ବାଙ୍ଗାଲୋର ଗସ୍ତ ଅବସରରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଏହି ନୃତ୍ୟଶିଳ୍ପୀମାନେ ସେପ୍ଟେମ୍ବର ୧୦ରୁ ୧୮ ତାରିଖ ମଧ୍ୟରେ ୧୨ଟି ସ୍କୁଲ ଓ କଲେଜରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହା ପରେ ମାନପାଲ୍ଲେର ରିସି ଭେଲି ସ୍କୁଲ ଏବଂ ଚ୍ୟୁରାଲ ଏଜୁକେସନ ସେଣ୍ଟରରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ତେବେ ଏହା ସତ୍ୟ, ପରବର୍ତ୍ତୀ ଦିନରେ ‘ଗୋଟିପୁଅ’ ନୃତ୍ୟ ଉତ୍ସବରେ ଭିଡ଼ ଜମାଇବା ଲାଗି ଆଉ ର୍ଶକଙ୍କ ସକାଶେ ‘ଲକି ଡ଼୍ର’ ପ୍ରତିଯୋଗିତାର ଆୟୋଜନ କରିବାକୁ ପଡ଼ିବ ନାହିଁ ।

ଓଡିଶା ଡଟ୍ କମ୍

Exit mobile version