ମୁଖ୍ୟ ଖବର

“ମୋ ଶବ୍ଦର ଦୁନିଆ”: ଏକ ପ୍ରେମର ସ୍ୱର(ପୁସ୍ତକ ସମୀକ୍ଷା)

ନିଜ ପ୍ରଥମ କବିତା ସଂକଳନରେ “ହ୍ୱେୟାର ସାଲ ଆଇ ଗୋ”(ମୁଁ କେଉଁଠିକି ଯିବି) ବୋଲି ନିଜକୁ ପଚାରୁଥିବା କବି ବିଷ୍ଣୁପଦ ସେଠୀ, ଏବେ ତାଙ୍କ ଶବ୍ଦ ଦୂନିଆ(ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍)ରେ ପହଞ୍ଚି ଯାଇଛନ୍ତି ।

ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍ (ମୋ ଶବ୍ଦର ଦୁନିଆ)ର କବିତା ସଂକଳନରେ ଥିବା କବିତା ମାନଙ୍କ ଭିତରକୁ ପ୍ରବେଶ କଲେ ପାଠକକୁ ହିଁ ହଜି ଯିବାକୁ ପଡ଼ିଥାଏ । ବିଷ୍ଣୁପଦଙ୍କ କବିତା ଭିତରେ ଜଣେ ପାଠକ ଏଇଥିପାଇଁ ସହଜରେ ନିଜକୁ ହଜେଇ ଦେଇ ପାରିବ ବୋଧହୁଏ ଯେ ତାଙ୍କ କବିତା ଖୁବ୍ ସରଳ ଭାବାର୍ଥରେ ଓ ବୋଧଗମ୍ୟ ଭାଷାରେ ଲିପିବଦ୍ଧ ହୋଇଥାଏ ।

ଅନ୍ୟ ପକ୍ଷରେ ଏତେ ଭୟଙ୍କର ଦାର୍ଶନିକତା ନ ଥାଏ ଯେ ପାଠକ, କବିତା ପଢୁପଢୁ ଦର୍ଶନ ଭିତରେ ପୋତି ହୋଇଯିବ । ନିତି ଦିନିଆ ଛୋଟ ଛୋଟ ଘଟଣା, ସମ୍ବେଦନା, ସହାନୁଭୂତି, ପ୍ରେମ, ଅନୁଭବ, କରୁଣା ଇତ୍ୟାଦିକୁ ନେଇ ବିଷ୍ଣୁପଦ ଗଢନ୍ତି ତାଙ୍କ ଶବ୍ଦର ଦୁନିଆ ।

ଏମିତି ବି କବିତା ମାନ ବିଷୟବସ୍ତୁ ସର୍ବସ୍ୱ ନୁହେଁ ଯେଉଁଠି ପାଠକକୁ କବିତାଟି ଗ୍ୟମୟତାରେ ଅଣନିଃସ୍ୱାସୀ ଲାଗିବ । ବିଷୟବସ୍ତୁ ଚୟନ ଓ କବିତାର ବୋଧଗମ୍ୟତାକୁ ନିରୀକ୍ଷଣ କଲେ ଲାଗେ, ଯେମିତି କେହି ଜଣେ ଏକ ଝଙ୍କାଳିଆ ଆମ୍ବଗଛର ବଣ ଭିତରେ ଏକା ଏକା ଯାଉଛି ଏବଂ ତାକୁ କୋଇଲିର ଟାଇଁଟାଇଁ ଶବ୍ଦ ଚମକେଇ ଦେଉଛି ।

ଲୋକଟି ନିକଟରେ ଡ଼ାକ ପାରୁଥିବା କୋଇଲିକୁ ଦେଖିବାକୁ ଚେଷ୍ଟା କରୁଛି ହେଲେ ଦେଖିସିନା ପାରୁନି କିନ୍ତୁ ତା’ ଡ଼ାକରେ ଶିହରି ଉଠୁଛି । ବିଷ୍ଣୁପଦଙ୍କ କବିତାର ବିଷୟବସ୍ତୁ କୋଇଲି ସଦୃଶ୍ୟ ହେଲେ କବିତା ଭିତରର ଅର୍ନ୍ତିିହିତ ଭାବ ଓ ବୋଧଗମ୍ୟତା ହେଉଛି କୋଇଲିର ଡ଼ାକ ।

ପୃଥିବୀରେ ଭଲ ପାଇବା ଛଡ଼ା ବୋଧହୁଏ କିଛି ନାହିଁ ଯାହାକି ଏକ ମଣିଷକୁ ସଂପୂର୍ଣ୍ଣ ମଣିଷ ପଣିଆର ଦର୍ଜା ଦେଇ ସମାଜରେ ଠିଆ କରେଇ ପାରିବ ।

ଏହି କଥାର ସତ୍ୟତାକୁ ପ୍ରତିପାିତ କରିବାକୁ ଯାଇ କବି ବିଷ୍ଣୁପଦ କହନ୍ତି ..କେହି ନା କେହି କାହାକୁ ନା କାହାକୁ ନିଶ୍ଚୟ ଭଲ ପାଉଥିବ କାରଣ ମଣିଷ ମାତ୍ରକେ ହିଁ ପ୍ରେମରେ ବନ୍ଧା……. ……………………. ଏ ବିଶ୍ୱ ପ୍ରେମରେ ଗଢା, ପ୍ରେମର କଥା କହୁଥିବା ବିଷ୍ଣୁପଦ କେବଳ ନିଜ ପ୍ରେମରେ କବିତାକୁ ସୀମିତ କରି ରଖିନାହାନ୍ତି ବରଂ ବିଶ୍ୱପ୍ରେମ ସହ, ଆଧ୍ୟାତ୍ମିକ ପ୍ରେମର କଥା ମଧ୍ୟ କହୁଛନ୍ତି ।

ପ୍ରେମକୁ ବଞ୍ଚେଇ ରଖିବା ପାଇଁ ପ୍ରେମିକାର ଶାରୀରୀକ ଉପସ୍ଥିତି ଯେତେ ଗୁରୁତ୍ୱ ନୁହେଁ ବରଂ ତାର ସ୍ମୃତି ହିଁ ପ୍ରେମିକକୁ ଜୀବିତ କରି ରଖିଥାଏ । ସିଏ କହନ୍ତି ପ୍ରେମିକାର ଉପଲବଧରେ ହିଁ ପ୍ରେମ ଘନିଭୂତ ହୋଇଥାଏ ଯାହାକି ମେଘର ବାଟକୁ ବି ଓଗାଳିବାକୁ ସମର୍ଥ ହୋଇଥାଏ ।

ଏଠାରେ ମୁଖ୍ୟ କଥା ଯେ “ପ୍ରେମରେ କିନ୍ତୁ ନିପୁଣତା” ରହିବା ଉଚିତ । ତାଙ୍କ ଭାଷାରେ “ତୁ କିଏ? କାହିଁକି ମୋ ସହ ରହିଥାଉ ! ” ପ୍ରେମିକାର ଉପସ୍ଥିତିକୁ କବିତାରେ ଏଭଳି ମାର୍ମିକ ଆବେଦନରେ ପ୍ରଶ୍ନ କରୁଥିବା କବି ବି ଖୋଜନ୍ତି ଇଶ୍ୱରଙ୍କ ଉପସ୍ଥିତି ଓ ବିଶ୍ୱାସକୁ , ସ୍କୁଲ ବେଳେ ଗଛ ଲଗାଇଥିବା ସ୍ମୃତିକୁ ଏବଂ ଖାସ୍ କରି କୌଣସି ଏକ ମହିମା ଧର୍ମର ସାଧୁଙ୍କୁ ଯାହାଙ୍କ ଅବର୍ତ୍ତମାନ ଘାରିଥାଏ ତାଙ୍କୁ ବେଶୀ ବେଶୀ ।

ମହିମା ଧର୍ମର ଏହି ସାଧୁ ଜଣକ ଇତିହାସ ପାଲଟିଲେ କି ନାହିଁ, ତା ତ ଆକଳନ କରିବା ସହଜ ନୁହେଁ । ତେବେ ଏହି ଇତିହାସକୁ ପ୍ରତିଷ୍ଠା ଦେଇଛନ୍ତି ଶ୍ରୀ ବିଷ୍ଣୁପଦ ସେଠୀ, କେବଳ ତାଙ୍କ ବହିକୁ ” ମହିମା ଅଲେଖ’କୁ ଉତ୍ସର୍ଗ କରି ନୁହେଁ ବରଂ ନିଜ କନ୍ୟା ଓ ପୁତ୍ର ସନ୍ତାନ ଦ୍ଵୟଙ୍କୁ “ମହିମା” ଓ “ଅଲେଖ” ଭାବରେ ନାମ କରଣ କରି ।

ସେହିଭଳି ଅନ୍ୟ ଏକ ଐତିହାସିକ ଘଟଣାକୁ ଦୋହୋରେଇ ବିଷ୍ଣୁପଦ ଲେଖନ୍ତି କଳିଙ୍ଗ ଯୁଦ୍ଧର କଥା । ସିଏ ୟା ନୀ କଡ଼ରେ ଠିଆ ହୋଇ ଇତିହାସକୁ ଯେମିତି ଉ୍ଜୀବିତ କରନ୍ତି ଏବଂ ନିଜକୁ ଏକ ସ୍ୱଭାବିକ ପ୍ରଶ୍ନ କରନ୍ତି ଯେ “କଳିଙ୍ଗ ଯୁଦ୍ଧ ସମୟରେ ହୁଏତ ମୋର ପୂର୍ବ ପୁରୁଷ ନିଶ୍ଚିୟ ଥିଲେ ? ସେମାନେ ହାରିବା ଦଳରେ ଥିଲେ ନା ଜିତିବା ଦଳରେ ?

ଏଇ ପ୍ରଶ୍ନ ଟିକକ କବିତାରୁ ବାହାରି ଆସି ଇତିହାସ ପୃଷ୍ଠାକୁ ଯେତେବେଳେ ବାଟ କଢାଏ ତ’ ଲାଗେ ଏଇ ଧାଡ଼ିକ କବିତା ପାଇଁ ହିଁ କବି ବଞ୍ଚିରହିବ ଅନେକ କାଳ !

ଇତିହାସରେ ସ୍ଥାନ ପାଇବା ପାଇଁ ସାମାନ୍ୟତମ ବି ଆସ୍ଫର୍ଦ୍ଧା ରଖିନଥିବା “ମୋ ଶବ୍ଦର ଦୂନିଆ” କବିତା ସଙ୍କଳନର ପ୍ରଥମ କବିତାରେ ଜଣେ ସାଧାରଣ ଆଦିବାସୀ ନିର୍ବିକାର ଭାବରେ ଘୋଷଣା କରିଛି । ” ମୁଁ ସାମାନ୍ୟତମ ବି ବ୍ୟସ୍ତ ନୁହେଁ କାରଣ ଏଥି ପୂର୍ବରୁ ଏଠାରେ ମୁଁ କେବେ ବି ନଥିଲି ଏବଂ ନିଶ୍ଚିତ ଯେ ଭବିଷ୍ୟତରେ ବି ରହିବି ନାହିଁ ଏପରିକି କାହାରିବି ଆବଶ୍ୟକତା ନାହିଁ ମନେ ରଖିବାକୁ ଯେ ମୁଁ ଏଇଠି କିଛି ସମୟ ରହିଥିଲି” ।

ଏଭଳି ଦାମ୍ଭିକତା ଭରପୁର, ନିର୍ବିକାର ଓ ନିର୍ଲିପ୍ତ ଜିଉରେ ଆଦିବାସୀର ଭାବ କହୁଥିବା ବିଷ୍ଣୁପଦ ସେଠୀ ବାସ୍ତବରେ ନିଜର କଥା କହୁଛନ୍ତି ନା ଆଦିବାସୀର କଥା କହୁଛନ୍ତି, ପାଠକେ ତାଙ୍କ “ମୋ ଶବ୍ଦର ଦୁନିଆ”(ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍) କବିତା ବହିକୁ ପ୍ରବେଶ କଲେ ହିଁ ବିଚାର କରିପାରିବେ ।

ବାସୁଦେବ ସୁନାନୀ

ଓଡ଼ିଶା ଡ଼ଟ୍ କମ୍

Leave a Reply

This site uses Akismet to reduce spam. Learn how your comment data is processed.