ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଚଳିତ ମାସର ପ୍ରଥମ ସପ୍ତାହରେ ସମଗ୍ର ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ବିପର୍ଯ୍ୟୟର କ୍ଷୟକ୍ଷତି ଭରଣା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।
ପ୍ୟାକେଜ ଅନୁଯାୟୀ ପଚାର ପ୍ରତିଶତ କ୍ଷତିଗ୍ରସ୍ତଙ୍କୁ ହେକ୍ଟର ପିଛା ଦୁଇ ହଜାର ଟଙ୍କା ନଗଦ ପ୍ରଦାନ, ସର୍ବନିମ୍ନ ସହାୟତା ଏକ ହଜାର ଟଙ୍କା, ସ୍ୱଳ୍ପ ମିଆଦି କୃଷି ଋଣକୁ ମଧ୍ୟମ ମିଆଦିରେ ପରିବର୍ତ୍ତନ, ସୁଧହାର ନଅ ପ୍ରତିଶତରୁ ପାଞ୍ଚ ପ୍ରତିଶତକୁ ହ୍ରାସ, ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଦରମା ଓ ପରୀକ୍ଷା ଫିସ୍ ଛାଡ଼, ଜଳକର ଓ ଭୂରାଜସ୍ୱର ପଚାଶ ପ୍ରତିଶତ ଛାଡ଼ ଆଦି ବ୍ୟବସ୍ଥା କରାଯାଇଛି ।
ଆଖି ଦେଖା ଆକଳନ ଅନୁସାରେ ରାଜ୍ୟରେ ୧୨ ହଜାର ହେକ୍ଟର ଜମିରେ ପଚାଶ ପ୍ରତିଶତ ଫସଲ ହାନୀ ହୋଇଛି । ଧାନ ସହିତ ଡ଼ାଲି ଜାତୀୟ ଫସଲ ମକା ଓ ପନିପରିବା ଚାଷ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ ବିଧାନସଭାରେଏକ ସ୍ୱତନ୍ତ୍ର ବିବୃତ୍ତି ଦେଇ କହିଛନ୍ତି ।
ଏହି ପ୍ୟାକେଜ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ସର୍ତ୍ତାବଳୀ ଏବଂ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ରିଲିଫ ପାଣ୍ଠି ସର୍ତ୍ତାବଳୀ ଅନୁସାରେ ହେକ୍ଟର ପିଛା ଦୁଇ ହଜାର ଟଙ୍କା ନଗ ପ୍ରଦାନ କରାଯିବ । ଖରିଫ ଚାଷ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥିପାଇଁ ସାର, ବିହନ ଓ ପୋକ ମରା ଔଷଧ ନିମନ୍ତେ ସବ୍ସିଡ଼ି ପ୍ରଦାନ କରାଯିବ ।
ବୃଷ୍ଟିଛାୟା ଅଞ୍ଚଳରେ ହେକ୍ଟର ପିଛା ଦୁଇ ହଜାର ଟଙ୍କା, ଜଳସେଚିତ ଅଞ୍ଚଳରେ ଚାରି ହଜାର ଟଙ୍କା ଏବଂ ବାରମାସୀ ଫସଲ କ୍ଷେତ୍ରରେ ଛଅ ହଜାର ଟଙ୍କା ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ଚାଷୀମାନେ ନେଇଥିବା ସ୍ୱଳ୍ପ ମିହାନଦୀ କୃଷି ଋଣକୁ ଏକ ବର୍ଷ ବଳରେ ତିନି ବର୍ଷରେ ପରିଶୋଧ କରିପାରିବେ ।
ଡ଼ାଲି ଜାତୀୟ ଚାଷ ପାଇଁ ତିନି ଲକ୍ଷ ମାଗଣା କିଟ୍ ଏବଂ ପରିବା ଚାଷୀଙ୍କ ପାଇଁ ଦୁଇ ଲକ୍ଷ ମିନିକିଟ୍ ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
କ୍ଷତିଗ୍ରସ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ତେବେ ଯେଉଁମାନେ ଚାଷ ସହିତ ସଂପୃକ୍ତ ସେମାନେ କେବଳ ଏହି ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
୯୦୦ କୋଟି ଟଙ୍କାର ପ୍ୟାକେଜ ମଧ୍ୟରେ କ୍ଷତିପୂରଣ ବାବ ୨୪୦ କୋଟି ଟଙ୍କା, ସ୍ୱଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦୀ ଋଣରେ ପରିବର୍ତ୍ତନ ନିମନ୍ତେ ୧୫୦ କୋଟି ଟଙ୍କା, ସୁଧ ଛାଡ଼ ବାବଦରେ ୮୫ କୋଟି ଟଙ୍କା ।
ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦ କୋଟି ଟଙ୍କା, ଜଳକର ବାବଦରେ ୧୫ କୋଟି ଟଙ୍କା, କୃଷି ସବ୍ସିଡ଼ି ବାବଦରେ ୧୮୦ କୋଟି ଟଙ୍କା ଓ କେନ୍ଦ୍ର ସରକାରଙ୍କ ୩୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
ଓଡ଼ିଶା ଡ଼ଟ୍ କମ୍
Leave a Reply