Site icon Odisha.com

ପ୍ରଶାସନର ବିରୋଧ ସତ୍ତ୍ୱେ ଶୁଳିଆରେ ପଶୁ ବଳି

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ବଲାଙ୍ଗୀର, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ବଲାଙ୍ଗିର ଜିଲ୍ଲା ଖଇରଗୁଡ଼ା ଠାରେ ମଙ୍ଗଳବାର ପାରମ୍ପରିକ ପ୍ରଥାରେ ଆରମ୍ଭ ହୋଇଥିବା ଶୁଲିଆ ଯାତ୍ରାରେ ବଳି ଦିଆଯାଇଛି ।

ସକାଳୁ ଯାତ୍ରାପୀଠ ବଡ଼ଖଳାଠାରେ କୌଣସି ବଳି ଦିଆଯାଇ ନଥିଲେ ବି ସେଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏକ ନୂଅାଁ ଖଳାରେ ଆଦିବାସୀମାନେ ପୂଜାର୍ଚ୍ଚନା କରି ଶତାଧିକ ପଶୁ ପକ୍ଷୀ ବଳି ଦେଇଛନ୍ତି ।

ପ୍ରଥା ଅନୁଯାୟୀ ପ୍ରତିବର୍ଷ ତୁଷୁରା ଥାନା ଅନ୍ତର୍ଗତ ଖଇରଗୁଡ଼ାର ବଡ଼ଖଳା ଶୂଲିଆ ପୀଠ, ନୂଅାଁଖଳା ଏବଂ ସାନଖଳାରେ   ପଶୁ ପଳି ଦିଆଯାଇଥାଏ । ଶୁଲିଆ ଯାତ୍ରାରେ ବଳିକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବପ୍ରସ୍ତୁତି କରାଯାଇଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବଳି ଦିଆଯାଇଥିବା ବେଳେ ସେଠାରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ   କରାଯାଇଛି ।

ତେବେ ଏହା ଶତାଧିକ ବର୍ଷର ପ୍ରାଚୀନ ପରମ୍ପରା ହୋଇଥିବାରୁ ଆଦିବାସୀଙ୍କୁ ବଳି ବନ୍ଦ କରିବାକୁ ବାଧ୍ୟ  କରାଯାଇପାରିବ ନାହିଁ ବୋଲି ବଳି ସପକ୍ଷବାଦୀମାନେ କହିଛନ୍ତି । ୨୦୦୫ରେ ବଳି ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରାଯିବା ପରେ ସେହି ଦିନ ଠାରୁ ୨୦୦୮ ପର୍ଯ୍ୟନ୍ତ   ବଡ଼ ଖଳାରେ ବଳି ବନ୍ଦ କରାଯାଇଥିଲା ଓ ୨୦୦୯ରେ ପୁଣି ବଡ଼ ଖଳାରେ ବଳି ଦିଆଯାଇଥିଲା ।

ଏହାପରେ ପ୍ରଶାସନ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ବଳିକୁ ସଂପୂର୍ଣ୍ଣ ବନ୍ଦ କରିବା ସହ ପ୍ରାଣୀ ସୁରକ୍ଷା ଆଇନକୁ ପାଳନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version