Site icon Odisha.com

ସାମ୍ବାଦିକଙ୍କୁ ଆକ୍ରମଣ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଏକ ଦୈନିକ ସମ୍ବାଦପତ୍ରର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି ।

ମିଡ଼ିଆ ୟୁନିଟି ଫର୍ ଫ୍ରିଡ଼ମ ଅଫ୍ ପ୍ରେସ(ଏମ୍ୟୁଏଫ୍ପି) ପକ୍ଷରୁ ସୋମବାର ସାମ୍ବାଦିକମାନେ ଜୟଦେବ ଭବନ ସମ୍ମୁଖସ୍ଥ ଫ୍ରିଡ଼ମ ଟି୍ର ତଳେ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି ।

ଘଟଣା ସଂପର୍କରେ ଏତଲା ଦିଆଯାଇଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଗିରଫ କରି ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ପୁରୀ ଜିଲ୍ଲାପାଳଙ୍କ ଠାରୁ ସେମାନେ ବିବୃତି ଦାବି କରିଛନ୍ତି ।

ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶିତ ଏକ ରିପୋର୍ଟକୁ ନେଇ ଦୈନିକ “ସମ୍ବାଦ”ର ପିପିଲି ପ୍ରତିନିଧି ରଜତ ରତନ ଦାସଙ୍କୁ ଗତ ଶୁକ୍ରବାର ସ୍ଥାନୀୟ ଏନ୍ଏସି ଅଧ୍ୟକ୍ଷ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଆକ୍ରମଣରେ ଦାସ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଧାରଣାରେ ବିଭିନ୍ନ ଖବରକାଗଜ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମର ପ୍ରତିନିଧି ଏବଂ ଫଟୋଗ୍ରାଫରମାନେ ଯୋଗ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version