ଓଡ଼ିଶା ଡ଼ଟ୍ କମ୍ : ରତ୍ନାକର ଦାଶ
ମାଲକାନଗିରି, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାପାଳ ଆର୍.ଭିନିଲ କ୍ରୀଷ୍ଣାଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ପୋଲିସ ଗୁରୁବାର କହିଛି ।
ଜିଲ୍ଲା ସଦରମହକୁମା ସ୍ଥିତ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ଠାରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଜନସଂପର୍କ ଶିବିରରେ ଯୋଗ ଦେବା ପାଇଁ ଜିଲ୍ଲାପାଳ ଅନ୍ୟ ଅଧିକାରୀଙ୍କ ସହ ସେଠାକୁ ଯାଇଥିଲେ ।
ପରେ ସେ ରାଜୀବ ଗାନ୍ଧୀ ଗ୍ରାମିଣ ବିଦ୍ୟୁତ ଯୋଜନାର ଅଗ୍ରଗତି ସଂପର୍କରେ ଜାଣିବା ପାଇଁ ଆଇଟିଡ଼ିଏ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ତିନି ଜଣଙ୍କ ସହ ମଟର ସାଇକେଲରେ ବଡ଼ପଡ଼ାରୁ ପେପରମେଟଲା ଅଞ୍ଚଳକୁ ଯାଉଥିଲେ ।
ତେବେ ସେଠାରେ ପହଞ୍ଚିବା ପୂର୍ବରୁ ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଏମାନଙ୍କୁ ଅଟକାଇ ଜିଲ୍ଲାପାଳଙ୍କୁ ଅପହରଣ କରିନେଇଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଅପହରଣ କରିନେଇଛନ୍ତି ।
ଜିଲ୍ଲାପାଳଙ୍କ ସହ ଅନ୍ୟ ଜଣେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ସେମାନେ ଅପହରଣ କରିନେଇଥିବା ରାଜ୍ୟ ଗୋଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି ।
ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନ ବନ୍ଦ କରିବା ସହ ଗିରଫ ହୋଇଥିବା ସମସ୍ତ ମାଓବାଦୀଙ୍କୁ ଛାଡ଼ି ଦେବାକୁ ସେମାନେ ସର୍ତ୍ତ ରଖିଛନ୍ତି ।
୩୦ ବର୍ଷ ବୟସ୍କ କ୍ରୀଷ୍ଣା ଆନ୍ଧ୍ରପ୍ରଦେଶର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ୨୦୦୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୧୬ ମାସ ତଳେ ମାଲକାନଗିରି ଜିଲ୍ଲାପାଳ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଓଡିଶା ଡଟ୍ କମ୍
Leave a Reply