ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ରବିବାର ୩୮ ବର୍ଷ ବୟସରେ ପଦାର୍ପଣ କରୁଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଶନିବାର ବାଲୁକା କଳାକୃତି କରିଛନ୍ତି ।
ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ପ୍ରସଂଶକମାନେ ଅପେକ୍ଷା କରି ରହିଥିବା ବେଳେ ସୁଦର୍ଶନ କଳାକୃତି ଜରିଆରେ ଭିନ୍ନ ପ୍ରକାରରେ ଶୁଭେଚ୍ଛା ଜଣାଇଛନ୍ତି । ସେ ବାଲିରେ ରଙ୍ଗବିରଙ୍ଗର ବହୁତ କେକ୍ ସହ ୩୮ଟି ବାଲୁକା ବ୍ୟାଟ୍ ତିଆରି କରିଛନ୍ତି ।
“”୨୦ ଟନ୍ ବାଲିରେ ତିଆରି ହୋଇଥିବା କଳାକୃତିକୁ ମୁଁ ସଚିନଙ୍କ ନାମରେ ଉତ୍ସର୍ଗ କରିବାକୁ ଚାହେଁ । ଏହାର ଫଟୋ ମୁଁ ସଚିନଙ୍କ ପାଖକୁ ପଠାଇବି” ସୁଦର୍ଶନ କହିଛନ୍ତି । ଏହା ତିଆରି କରିବାକୁ ତାଙ୍କୁ ଓ ତାଙ୍କର ଗୋଲ୍ଡ଼େନ ସ୍ୟାଣ୍ଡ ଆର୍ଟ ଇନ୍ଷ୍ଟିଚ୍ୟୁଟର ଛାତ୍ର ମାନଙ୍କୁ ୨୦ ଘଣ୍ଟା ସମୟ ଲାଗିଥିଲା ।
୧୯୯୯ ବିଶ୍ୱକପ୍ ସମୟରେ ଇଂଲଣ୍ଡରେ ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ଏକ ନୈଶ ଭୋଜିରେ ସଚିନଙ୍କ ସହ ମୋର ସାକ୍ଷାତ ହୋଇଥିଲା, ସେ କହିଛନ୍ତି ।
ସୁଦର୍ଶନ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରି ବହୁ ପୁରସ୍କାର ହାସଲ କରିଛନ୍ତି । ଆସନ୍ତା ମଇ ୩ରେ ମସ୍କୋରେ ହେବାକୁ ଥିବା ବିଶ୍ୱ ବାଲୁକା କଳା ଚମ୍ପିୟାନ ପାଇଁ ସେ ମନୋନୀତ ହୋଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply