ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ଅଞ୍ଚଳକୁ ଗୁରୁବାର ଯାଇଥିବା ଇଡ଼୍କୋ ଏବଂ ପୋସ୍କୋ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ସ୍ଥାନୀୟ ଲୋକମାନେ ଚାରି ଘଣ୍ଟା ଅଟକ ରଖିବା ପରେ ମୁକ୍ତ କରିଦେଇଛନ୍ତି ।
ଏହି କର୍ମଚାରୀ ଦ୍ୱୟ ପ୍ରଶାସନର ଅଜାଣତରେ ସଂପୃକ୍ତ ଅଞ୍ଚଳକୁ ଯାଇ ଗଛ କାଟିବାକୁ ଚେଷ୍ଟାକରୁଥିବା ବେଳେ ନୋଳିଆସାହି ଗ୍ରାମବସୀମାନେ ସେମାନଙ୍କୁ ଅଟକ ରଖିଥିଲେ ।
ପ୍ରଶାସନର ବିନା ଅନୁମତି ତଥା ପୋଲିସ ଅଧିକାରୀଙ୍କୁ ନନେଇ ଏମାନେ ସଂପୃକ୍ତ ଅଞ୍ଚଳକୁ ଯାଇଥିଲେ । ପୁରୁଷ ଓ ମହିଳାମାନେ ଗଛ କାଟିବା ବନ୍ଦ କରାଇଥିଲେ । ତେବେ ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ ବୋଲି ଗଡ଼କୁଜଙ୍ଗ ସରପଞ୍ଚ ନକୁଳ ସାହୁ କହିଛନ୍ତି ।
ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଲାଗିରହିଥିଲା କିନ୍ତୁ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା, ସେ କହିଛନ୍ତି ।
ତହସିଲଦାର ସେଠାରେ ପଂହଁଚି ଲୋକଙ୍କ ସହ ଆଲୋଚନା କରିବା ପରେ ଲୋକମାନେ କର୍ମଚାରୀ ଦ୍ୱୟ ଙ୍କୁ ମୁକ୍ତ କରିଥିଲେ ।
ଛଅ ଦଫା ଦାବି ପୂରଣ ନେଇ ଗତକାଲି ଠାରୁ ହଜାର ହଜାର ମହିଳା ଓ ପୁରୁଷ ଗଡ଼କୁଜଙ୍ଗ ରାସ୍ତା ଅବରୋଧ କରିଛନ୍ତି । ଆଜି ମଧ୍ୟ ସଂପୃକ୍ତ ଅଞ୍ଚଳରେ ଗଛକଟା ଏବଂ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply