Site icon Odisha.com

ଜୀଅନ୍ତା ଭୂତକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୦(ଓଡ଼ିଶା ଡ଼ଟ୍ କମ୍) ୨୦୦୮-୦୯ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜୀଅନ୍ତା ଭୂତ ଏବଂ ସାତସୁରେ ବନ୍ଧା ଏ ଜୀବନକୁ ପୁରସ୍କୃତ କରାଯାଇଛି ।

ମଙ୍ଗଳବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ପୁରସ୍କାର ପ୍ରଦାନ କରିଛନ୍ତି ।

ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ପ୍ରଯୋଜକ ଆଦି ୨୨ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ତଥା ଜୀବନ ବ୍ୟାପୀ ସାଧନା ନିମନ୍ତେ ୨୦୦୮ ପାଇଁ ବିଶିଷ୍ଟ ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ଏବଂ ୨୦୦୯ ପାଇଁ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ଜୟବେ ସମ୍ମାନ ପ୍ରଦାନ କରାଯାଇଛି ।

୨୦୦୮ ପାଇଁ ପୁରସ୍କାର ପାଇବା ନିମନ୍ତେ ୧୩ଟି ଚଳଚ୍ଚିତ୍ର ଆସିଥିବା ବେଳେ ୨୦୦୯ ପାଇଁ ୬ଟି ଚଳଚ୍ଚିତ୍ର ଆସିଥିଲା । ସେଥିରୁ ପୁରସ୍କାର ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା ।

୨୦୦୮ ପାଇଁ ଆକାଶ ଦାସନାୟକଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ରାଲି ନନ୍ଦଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଥିବା ବେଳେ ୨୦୦୯ ପାଇଁ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତାଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଛି ।

ଏଣିକି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ପାଇଁ ନିର୍ଦ୍ଦିଷ୍ଟଦିନ ଧାର୍ଯ୍ୟ କରାଯିବ ଏବଂ ଆସନ୍ତା ବର୍ଷ ଠାରୁ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ବସନ୍ତ ନାୟକ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଉତ୍ସବରେ ଯୋଗ ଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ମଙ୍ଗଳବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବ

Exit mobile version