Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ପରିବହନ ସଚିବଙ୍କ ଆଲୋଚନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ସଚିବ ଏ.କେ.ଉପାଧ୍ୟାୟ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।

ବୈଠକରେ ଓଡ଼ିଶାର ସଡ଼କ ପରିବହନ ବ୍ୟବସ୍ଥା ଓ ରାଜପଥର ଉନ୍ନତି ସଂପର୍କିତ ବିଭିନ୍ନ ସମସ୍ୟା ଓ ଦାବୀ ସଂପର୍କରେ ଆଲୋଚନା କରାଯାଇଛି ।

ଜାତୀୟ ରାଜପଥ ୬୦ରେ ଭେଣ୍ଟ ସଂଖ୍ୟା ବୃଦ୍ଧି କରି ପାଣି ଯିବା ଆସିବାର ସୁବିଧା ଏବଂ ଏହି ଜଳପଥର ସମୁଦାୟ ଦୈର୍ଘ୍ୟପୂର୍ବ ଅପେକ୍ଷା ୧୫୦୦ ମିଟର ଅଧିକ କରିବା ପାଇଁ ଥିବା ଦାବି ସଂପର୍କରେ ଆଲୋଚନା କରାଯାଇଛି ।

ଏହା ସହିତ ରାଜପଥ ଗୁଡ଼ିକର ମରାମତି ପାଇଁ ଅଧିକ ଅର୍ଥ ବ୍ୟବସ୍ଥା,ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁର୍ନଗଠନ ଅର୍ଥ ବ୍ୟବସ୍ଥା,ସହରାଞ୍ଚଳରେ ୭ଟି ବାଇପାସର ନିର୍ମାଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜପଥ କଡ଼ରେ ଜନସାଧାରଣଙ୍କ ସୁବିଧା ପାଇଁ ବିଶ୍ରାମସ୍ଥଳ, ଟଏଲେଟ୍, ରେଷ୍ଟୁରାଣ୍ଟ ଇତ୍ୟାଦି ନିର୍ମାଣ ବିଷୟରେ ଆଲୋଚନା କରାଯାଇଛି ।

ରାଜ୍ୟରେ ଆଧୁନିକ ଟ୍ରମା କେୟାର କେନ୍ଦ୍ର ନିର୍ମାଣ ଏବଂ ତିନୋଟି ଅଧିକ ଡ଼୍ରାଇଭିଂ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟରେ ବର୍ଦ୍ଧିଷ୍ଣୁ ଯାନବାହାନ ଚଳପ୍ରଚଳ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ବୈଠକରେ ଆଲୋଚିତ ଅନ୍ୟାନ୍ୟ ବିଷୟ ମଧ୍ୟରେ ରାଜ୍ୟକୁ ଅଧିକ ସୁରକ୍ଷା ସମ୍ବନ୍ଧୀୟ ଉପକରଣ ଯୋଗାଇ ଦେବା ପ୍ରସଙ୍ଗ ସ୍ଥାନ ପାଇଥିଲା । ରାଜ୍ୟରେ ନିର୍ମାଣାଧୀନ ବିଭିନ୍ନ ରାଜପଥର କାମକୁ ତ୍ୱରାନ୍ୱିତ କରିବା ପାଇଁ ଅର୍ଥ ବ୍ୟବସ୍ଥା କରିବା ବିଷୟରେ ଆଲୋଚନା ହୋଇଛି ।

ରାଜ୍ୟ ଦ୍ୱାରା ପ୍ରସ୍ତାବିତ ପ୍ରସଙ୍ଗ ଗୁଡ଼ିକୁ କେନ୍ଦ୍ର ସରକାର ଉଚିତ ଧ୍ୟାନ ଦେବେ ବୋଲି ଉପାଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version