Site icon Odisha.com

କେବଳ ନେତା ନୁହନ୍ତି ଅଫିସର ବି ନେଇଛନ୍ତି ଘର: ରିପୋର୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)ଇଚ୍ଛାଧିନ କୋଟାରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ଘର ଓ ଜମି ନେଇଥିବା ନେଇ ବିବାଦ ଦେଖାଦଇଥିବା ବେଳେ ରାଜ୍ୟର ବରିଷ୍ଠ ଅଫିସର ମାନେ ମଧ୍ୟ ଏଥିରେ ହିତାଧିକାରୀ ଥିବା ଏକ ପ୍ରମୁଖ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଦୈନିକ ସମ୍ବାଦପତ୍ର ଧରିତ୍ରୀ ସୋମବାର ତାର ପ୍ରଥମ ପୃଷ୍ଠାରେ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡ଼ିଏ), କଟକ ଉନ୍ନୟନ କର୍ତୃପକ୍ଷ (ସିଡ଼ିଏ) ଏବଂ ହାଉସିଂବୋର୍ଡ଼ରୁ ଘର ଓ ଜମି ନେଇଥିବା ପ୍ରକାଶ କରିଛି ।

ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ପୈତୃକ ସଂପତି ଭୁବନେଶ୍ୱରରେ ଥାଇ ମଧ୍ୟ ସେ
ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ଜମି ନେଇଥିବା ବେଳେ ଧର୍ମବିହାର ଘର ବିକ୍ରି କରିଥିବା ସେ ସଂପତି ତାଲିକାରେ ଉଲ୍ଲେଖ କରିଥିବା ଉକ୍ତ ସମ୍ବାଦପତ୍ର ଦର୍ଶାଇଛି ।

ତେବେ ସଂପୃକ୍ତ ଅଂଚଳରେ କେଉଁ ସୂତ୍ରରୁ ଘର ପାଇଥିଲେ ତାହା ସେ ସ୍ପଷ୍ଟ କରିନାହାନ୍ତି ଓ ସରକାରୀ
ସଂପତି ବିକ୍ରି ମଧ୍ୟ ଆଇନସିଦ୍ଧ ନୁହେଁ ବୋଲି ରିପୋର୍ଟ ପ୍ରକାଶ କରିଛି ।

ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ ଏସ୍.ଏନ୍.ତ୍ରିପାଠୀ ତାଙ୍କ ନାମରେ ଓ ପତ୍ନୀଙ୍କ ନାମରେ ପ୍ଲଟ ନେଇଥିବା ବେଳେ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ସିଡ଼ିଏରେ ଘର ନେଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଠିକ୍ ସେହିପରି ପୋଲିସ କମିଶନର ବିଜୟ କୁମାର ଶର୍ମା ସାଧାରଣ ପ୍ରଶାସନ ବିଭାଗରୁ ୧୯୯୨ରେ
ଘାଟିକିଆ ଠାରେ ବାସୋପଯୋଗୀ ଜମି, ୨୦୦୯ରେ ବିଡ଼ିଏରୁ ପୋଖରୀପୁଟ ଠାରେ ଘର ଏବଂ ୨୦୦୭ରେ ସିଡ଼ିଏରୁ ମଧ୍ୟ ଜମି ନେଇଥିବା ସମ୍ବାଦପତ୍ର ପ୍ରକାଶ କରିଛି ।

ତେବେ ଏ ସଂପର୍କରେ ସଂପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version