ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାର ଅଢେଇ ଲକ୍ଷ ମହିଳା ମମତା କାର୍ଯ୍ୟକ୍ରମରେ ନାମ ପଂଜୀକୃତ କରିଥିବା ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି ।
ଏହି କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଥିବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବା ପରେ ଜଣାପଡ଼ିଛି ।
ସଂପୃକ୍ତ ମହିଳାମାନେ ବ୍ୟାଙ୍କରେ ଆକାଉନ୍ଣ୍ଟ ଖୋଲି ସାରିଥିବା ବେଳେ ଆସନ୍ତା ମାର୍ଚ୍ଚ ୨୦୧୨ ସୁଦ୍ଧା ସାଢେ ତିନି ଲକ୍ଷ ମହିଳାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ସରକାର ଯୋଜନା ରଖିଛନ୍ତି ।
ଚଳିତ ମାସ ଏକ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯିବ । ଗତ ଅକ୍ଟୋବର ୧୯ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ୬୮, ୬୨୬ ଜଣ ମହିଳାଙ୍କୁ ୧୦.୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତାରେ ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦୁଝର ଭଳି ପଛୁଆ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି ।
ଓଡ଼ିଶା ଡ଼ଟ୍ କମ୍