Site icon Odisha.com

ଦ୍ରୁତ ଗାଡ଼ି ଚାଳନା ଉପରେ କଟକଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ବେପରୁଆ ତଥା ଦ୍ରୁତ ଗାଡ଼ି ଚାଳନା ଉପରେ ନିୟନ୍ତ୍ରଣ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ସମସ୍ତ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଗାଡ଼ିରେ ସ୍ପିଡ଼ ଗଭର୍ଣ୍ଣର ଲଗାଯିବ । ନିଷ୍ପତି ଅନୁଯାୟୀ କୌଣସି ଗାଡ଼ି ନିର୍ଦ୍ଧାରିତ ଗତି ଠାରୁ ଅଧିକ ବେଗରେ ଯାଇପାରିବେ ନାହିଁ ।

ପ୍ରତ୍ୟେକ ଗାଡ଼ି ପାଇଁ ଗତିକୁ ଏକ ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ରଖିବାକୁ ନିଷ୍ପତି ନିଆଯାଇଛି । ଦୁଇ ଚକିଆ ଯାନ ପାଇଁ ଘଣ୍ଟା ପ୍ରତି ୫୦ କିମି ରଖାଯାଇଥିବା ବେଳେ ଅଟୋ ରିକ୍ସା ପାଇଁ ୩୦ କିମି ଏବଂ ଚାରି ଚକିଆ ଯାନ ପାଇଁ ସର୍ବାଧିକ ବେଗ ୬୫ରୁ ୭୦ କିମି ପର୍ଯ୍ୟନ୍ତ ରଖାଯାଇଛି ।

ଗାଡ଼ିରେ ସ୍ପିଡ଼ ଗଭର୍ଣ୍ଣର ଲଗାଇନଥିବା ବ୍ୟକ୍ତିଙ୍କ ଠାରୁ ଅତିକମ୍ ରେ ୧୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ରାଜ୍ୟରେ ପାଞ୍ଜିକୃତ ହୋଇଥିବା ୩୯ ଲକ୍ଷ ଗାଡ଼ିରେ ସ୍ପିଡ଼ ଗଭର୍ଣ୍ଣର ଲଗାଇବା ବାଧ୍ୟତାମୂଳକ କରାଯାଇଛି ।

ନୂଆ ଗାଡ଼ିରେ ପଞ୍ଜିକରଣ ସମୟରେ ସ୍ପିଡ଼ ଗଭର୍ଣ୍ଣର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଟୋ ଓ ଅନ୍ୟାନ୍ୟ ଗାଡ଼ିରେ ଏକ ମାସ ମଧ୍ୟରେ ଲଗାଇବାକୁ କୁହାଯାଇଛି ।

ଦ୍ରୁତ ଗତି ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବାରୁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବେଗ ନିୟନ୍ତ୍ରଣ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଆଧାର କରି ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version