Site icon Odisha.com

ପାରାଦ୍ଵୀପ: ଗିରଫ ବାଂଲାଦେଶୀ ଅସ୍ତ୍ରଶସ୍ତ୍ର ଚାଲାଣରେ ସଂପୃକ୍ତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ଵୀପ, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ ଜଳପଥରେ ବେଆଇନ ଭାବେ ଯାତାୟାତ କରିବା ଅଭିଯୋଗରେ ନିକଟରେ ଗିରଫ ହୋଇଥିବା ବାଂଲାଦେଶୀ ନାବିକଙ୍କ ମଧ୍ୟରୁ ଦୁଇଜଣ ଅସ୍ତ୍ରଶସ୍ତ୍ର ଚାଲାଣରେ ସଂପୃକ୍ତ ଥିବା ପୋଲିସ କହିଛି ।

ରାଜ୍ୟ ତଥା ଜାତୀୟ ସୁରକ୍ଷା ସଂସ୍ଥା, ସାମୁଦ୍ରିକ ପୋଲିସ, ତଟରକ୍ଷୀ ବାହୀନୀ ସହାୟତାରେ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ ପୋଲିସ ତଥ୍ୟ ସଂଗ୍ରହ କରିଛି ।

ଗତ ଅକ୍ଟୋବର ୨୩ ତାରିଖରେ ବଙ୍ଗୋପସାଗରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ତଟରକ୍ଷୀ ସୁରକ୍ଷା ବାହୀନୀ ୧୬ ଜଣ ବାଂଲାଦେଶୀଙ୍କୁ ଗିରଫ କରିଥିଲା ।

ତଟରକ୍ଷୀବାହୀନୀ ସେମାନଙ୍କ ଠାରୁ ଏଫ୍ ବି ମହାଲକ୍ଷ୍ମୀ ନାମକ ଯନ୍ତ୍ରଚାଳିତ ଡ଼ଙ୍ଗା ଜବତ କରିବା ସହ ପାରାଦ୍ଵୀପ ସାମୁଦ୍ରିକ ପୋଲିସକୁ ହସ୍ତାନ୍ତର କରିଥିଲେ ଏବଂ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଯାଞ୍ଚ ସମୟରେ ପୋଲିସ ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରୁ ଉଭୟ ଭାରତ ଏବଂ ବାଂଲାଦେଶର ପାସପୋର୍ଟ ଜବତ କରିଥିଲା । ଏମାନେ ସେମାନଙ୍କର ନାଁ ବଦଳାଇଦୁଇଟି ଦେଶର ପାସପୋର୍ଟ ହାସଲ କରିଥିବା ପୋଲିସ କହିଛି ।

ଏହି ବ୍ୟକ୍ତି ଦ୍ଵୟ ଭାରତୀୟ ଉପକୂଳରେ ରହି ଦେଶର ସୁରକ୍ଷା ସଂପର୍କୀତ ତଥ୍ୟ ଏବଂ ଭାରତୀୟ
ସମୁଦ୍ରରେ କିପରି ଯାତାୟାତ କରି ହେବ ସେ ସଂପର୍କରେ ସୂଚନା ଦେଉଥିଲେ ।

“ସେମାନେ ଭାରତୀୟ ହୋଇଥିବାରୁ ଭାରତର ପାସପୋର୍ଟ ରଖିଥିବା ଗିରଫ ବ୍ୟକ୍ତି ଦ୍ଵୟ କହିଛନ୍ତି” ପାରାଦ୍ଵୀପ ଏସ୍ଡ଼ିପିଓ ଶାନ୍ତନୁ ଦାସ କହିଛନ୍ତି । ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଯୁଗ୍ମ ତଦନ୍ତ ଚାଲିଛି, ସେ କହିଛନ୍ତି ।

ଏହି ବାଂଲାଦେଶୀମାନେ ଜଳ ପଥରେ ଅସ୍ତ୍ରଶସ୍ତ୍ର ତଥା ମାଦକ ଦ୍ରବ୍ୟ କାରବାର କରୁଥିବାରୁ ପୋଲିସ ଠିକ୍ ଭାବେ ତଦନ୍ତ ଆରମ୍ଭ କରିଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version