Site icon Odisha.com

ଅଙ୍ଗନୱାଡ଼ି ସହାୟକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଅଙ୍ଗନୱାଡ଼ି ସହାୟକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ନୂଆଗାଁ ବ୍ଲକ ଅର୍ନ୍ତଗତ ରୋହିଆ ଗ୍ରାମରେ ସହାୟକ ନିଯୁକ୍ତି ନେଇ ହୋଇଥିବା ଅନିୟମିତତା ବିରୋଧରେ ଏହି ପଦ ପାଇଁ ଆଶାୟୀ ଥିବା ଜଣେ ମହିଳା ଶିଶୁ ବିକାଶ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଠାରେ ଗୁରୁବାର ଠାରୁ ଆମରଣ ଅନଶନରେ ବସିଛନ୍ତି ।

ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଖାଲିଥିବା ସହାୟକ ପଦବୀ ପୂରଣ ପାଇଁ ଜଣେ ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଥିଲା ।

ଗ୍ରାମବାସୀଙ୍କ ସହାୟତାରେ ମହିଳାସଭା ଏବଂ ପଲ୍ଲୀସଭା ଜରିଆରେ ଏହି ପଦବୀ ପାଇଁ ଚୟନ ହେବା ନିୟମ ରହିଛି ।

ତେବେ ପ୍ରକଳ୍ପ ନିର୍ଦ୍ଦେଶିକା ମହିଳା ସଭାର ଆୟୋଜନ କରି ଗ୍ରାମାବସୀମାନେ ସମର୍ଥନ କରୁଥିବା ମାନସୀ ଦାସ ନାମକ ମହିଳାଙ୍କୁ ସହାୟକ ଭାବେ ଚୟନ କରିଥିବା ବେଳେ ଶାସକ ଦଳର ନେତାମାନେ ଅନ୍ୟ ଜଣେ ମହିଳା ବିନୋଦିନୀ ମହାନ୍ତିଙ୍କୁ ନିଯୁକ୍ତ କରିବାକୁ ଦାବି କରିଥିଲେ ।

ଫଳରେ ଏହି ଚୟନ ବୈଠକକୁ ବାତିଲ କରାଯାଇ ଗତ ସପ୍ତାହରେ ପୋଲିସ ଉପସ୍ଥିତିରେ ପୁଣି ପଲ୍ଲୀ ସଭାର ଆୟୋଜନ କରାଯାଇଥିଲା ଏବଂ ଏଥିରେ ପୁଣି ମାନସୀ ଦାସଙ୍କୁ ଚୟନ କରାଯାଇଥିଲା ।

ଏଥିରେ ଶାସକ ଦଳର ସମର୍ଥକମାନେ ସହମତ ନହେବା ସହ ବିଶୃଂଖଳା କରିବାରୁ ଆୟୋଜିତ ବୈଠକକୁ ପୁଣି ବାତିଲ କରିଦିଆଯାଇଥିଲା । ପରେ ଗ୍ରାମାସୀଙ୍କ ସହ ଯୋଗାଯୋଗ ନକରି ପ୍ରକଳ୍ପ ନିର୍ଦ୍ଦେଶିକା କମିଟି ଗଠନ କରି ମହାନ୍ତିଙ୍କୁ ଏହି ପଦବୀ ପାଇଁ ଚୟନ କରିଥିଲେ ।

ଏହି ଘଟଣାର ତଦନ୍ତ ପାଇଁ ଦାସଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦିଆଯାଇଛି । ତେବେ ଘଟଣା ସଂପର୍କରେ କିଛି କହିବାକୁ ପ୍ରକଳ୍ପ ନିର୍ଦ୍ଦେଶିକା ମନା କରିଦେଇଛନ୍ତି ।

ସହାୟିକା ନିଯୁକ୍ତିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି ଏବଂ ବିଭାଗ ଦୁଇ ତିନିଦିନ ମଧ୍ୟରେ ଏହାଉପରେ ତଦନ୍ତ କରିବ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁମୁଦିନୀ ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version