ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଉମରକୋଟ, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପନିର୍ବାଚନ ପାଇଁ ବୁଧବାର ସକାଳୁ କଡ଼ାସୁରକ୍ଷା ମଧ୍ୟରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।
ମୋଟ୍ ୧୬୨ଟି ଭୋଟଗ୍ରହଣ କେନ୍ଦ୍ରରେ ସକାଳ ଆଠଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଉମରକୋଟରେ ୫୨ ଓ ରାଇଘର ୧୧୦ ବୁଥ୍ ରହିଛି । ୬୭ଟି ବୁଥ୍ ହିଂସାପ୍ରବଣ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମୁଦାୟ ୧ଲକ୍ଷ ୬୫ ହଜାର ୩୭ ଭୋଟର୍ ତିନି ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟର୍ଙ୍କ ମଧ୍ୟରୁ ୮୩ ହଜାର ୮୩୦ ଜଣ ପୁରୁଷ ଥିବାବେଳେ ୮୧ ହଜାର ୨୦୭ ଜଣ ମହିଳା ଅଛନ୍ତି ।
ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ କରିିଆଯାଇଥିବା ବେଳେ ଉମରକୋଟ ଝରିଗାଁ-ନବରଙ୍ଗପୁର-ରାୟପୁର ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକ ଯାଂଚ କରାଯାଉଛି ।
ବିଜେପି ପକ୍ଷରୁ ଧର୍ମୁ ଗଣ୍ଡ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ି ପକ୍ଷରୁ ସୁବାଷ ଏବଂ କଂଗ୍ରେସ ପକ୍ଷରୁ ଜୀତେନ୍ଦ୍ର ଗଣ୍ଡ ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ଡ଼ିସେମ୍ବର ୪ ତାରିଖରେ ଭୋଟ୍ ଗଣତି ହେବ ।
ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟା ପରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।
ଓଡ଼ିଶା ଡ଼ଟ୍ କମ୍