Site icon Odisha.com

କୁଜଙ୍ଗ ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ନିକଟରେ ହୋଇଥିବା ବାଣ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି ।

ବିସ୍ଫୋରଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ଘୋମରା ଗ୍ରାମର ୪୦ ବର୍ଷ ବୟସ୍କ ବିଜନ ଜେନାଙ୍କ ବୁଧବାର କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଛି ।

ଗତ ୧୬ ତାରିଖରେ ହୋଇଥିବା ବିସ୍ଫୋରଣରେ ଜେନାଙ୍କର ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା । ପୂର୍ବରୁ ଆହତ ହୋଇ ଚିକିତ୍ସିତ ହେଉଥିବା ପିତୁନା ଜେନା ଏବଂ ଫକୀର ପାତ୍ରଙ୍କ ମୃତ୍ୟୁ ହୋଇଥିଲା ।

ମୃତକଙ୍କ ପରିବାର ବର୍ତମାନ ପର୍ଯ୍ୟନ୍ତ ଦାବି କରାଯାଇଥିବା କ୍ଷତିପୂରଣ ରାଶି ୫୦ ଲକ୍ଷ ଟଙ୍କା ଲେଖାଏଁ ପାଇ ନାହାନ୍ତି ବୋଲି ଗାଁ ମୁଖିଆ ମନୋଜ ପାତ୍ର ଅଭିଯୋଗ କରିଛନ୍ତି ।

“ବାଣ ବିସ୍ଫୋରଣରେ ମୋର ଏକମାତ୍ର ପୁତ୍ର ମୃତ୍ୟୁବରଣ କରିବାର ଏକ ସପ୍ତାହ ହୋଇଥିଲେ ମଧ୍ୟ କୌଣସି ପ୍ରକାର ସହାୟତା ମିଳି ନାହିଁ, ତେଣୁ ମୁଁ ବର୍ତମାନ ବଞ୍ଚିବା ପାଇଁ ଭିକ ମାଗୁଛି” ମୃତ ଫକୀର ପାତ୍ରଙ୍କ ବାପା ଧୀରେନ୍ଦ୍ର ପାତ୍ର କହିଛନ୍ତି ।

ବାଣ ବିସ୍ଫୋରଣରେ ସଂପୃକ୍ତ ବ୍ୟକ୍ତି ତଥା ଶାସକ ଦଳ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇପାରି ନାହିଁ ବୋଲି କୁଜଙ୍ଗ ଆଇଆଇସି ଗୁପ୍ତେଶ୍ୱର ଭୋଇ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଗତ ୧୬ ତାରିଖରେ ବିଜୁ ଶ୍ରମିକ ସଂଠନ ଦ୍ୱାରା ପାରାଦ୍ଵୀପରେ ଆୟୋଜିତ ସଭାକୁ ଲୋକମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଏକ ଗାଡ଼ିରେ ଥିବା ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version