Site icon Odisha.com

ପୋସ୍କୋ ସଂଘର୍ଷ: ବାପି ସର୍ଖେଲଙ୍କ ଘର ଉପରେ ଚଢାଉ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ସଂଘର୍ଷ ଘଟଣାରେ ପୋଲିସ ରବିବାର ଠିକାଦାର ବାପି ସର୍ଖେଲଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଛି ।

ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ରାସ୍ତା କାମ କରୁଥିବା ପାରାଦ୍ଵୀପ ପରିବହନ ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀର ମାଲିକ ବାପି ସର୍ଖେଲ ।

ପାରାଦ୍ଵୀପ ସହରର ବଡ଼ପଡ଼ିଆ ସ୍ଥିତ ତାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ପୋଲିସ ଦୀର୍ଘ ଏକ ଘଣ୍ଟାଧରି ଚଢାଉ କରିଥିଲା ବୋଲି ପାରାଦ୍ଵୀପ ଥାନା ଅଧିକାରୀ ଅନିଲ ମିଶ୍ର କହିଛନ୍ତି । ଚଢାଉ ସମୟରେ କୌଣସି ଜିନିଷ ହସ୍ତଗତ ହୋଇନଥିବା ସେ କହିଛନ୍ତି ।

ଗତ ବୁଧବାର ରାସ୍ତା କାମକୁ ନେଇ ପୋସ୍କୋ ବିରୋଧି ଏବଂ ଉକ୍ତ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଥିଲେ ।

ଏହି ଘଟଣାରେ ମୃତକ ଦିଜୱର ସ୍ୱାଇଁଙ୍କ ଭାଇ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳ, ସିପିଆଇ ନେତା ନାରାୟଣ ରେଡ୍ଡି, ପୋସ୍କୋ ବିରୋଧୀ ନେତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଜୟନ୍ତଙ୍କୁ କଟକରୁ ଗିରଫ କରିଥିଲା ।

ପରେ ଏହି ଘଟଣା ନେଇ ବଳରାମ ମୁୁଲି ଏବଂ ପ୍ରିୟବ୍ରତ ସାମଲ ନାମକ ଦୁଇ ଜଣ ବ୍ୟକ୍ତି ସର୍ଖେଲଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ଏବଂ ପୋଲିସ ତାଙ୍କ ବିରୁଦ୍ଧରେ ହିଂସାକାଣ୍ଡ ମାମଲା ରୁଜୁ କରିଥିଲା ।

ସର୍ଖେଲଙ୍କ ଗିରଫ ଦାବିରେ ଗତ ଶୁକ୍ରବାର କୁଜଙ୍ଗ ପାରାଦ୍ଵୀପ ନାଗରିକ ମଞ୍ଚ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version