Site icon Odisha.com

କନ୍ଧମାଳ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଘଟାଇଥିବା ବିସ୍ଫୋରଣ ଏବଂ ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଶହୀଦ ହେବା ଘଟଣାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ ମାଓ ପ୍ରଭାବିତ ଅଂଚଳରେ ଅପରେଶନରେ ଯିବା ବେଳେ ଯେଉଁ ନିୟମ ରହିଛି ତାହା ପାଳନ କରାଯାଇଛି କି ନାହିଁ ସେ ସଂପର୍କରେ ରିପୋର୍ଟ ବୋକୁ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସର ଅସାବଧାନତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗକୁ ଆଧାର କରି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶୁକ୍ରବାର ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ କହିଛନ୍ତି । ସଂପୃକ୍ତ ଅଂଚଳରେ ନିୟମ ଉଲଂଘନ ହୋଇଛି କି ନାହିଁ ତା’ର ସମୀକ୍ଷା କରାଯିବ, ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିସ୍ଫୋରଣ ହୋଇଥିବା ଏକ ସ୍ଥାନକୁ ଗୁରୁବାର ଛଅଜଣ ପୋଲିସ ଗୋଟିଏଗାଡ଼ିରେ ଯାଉଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ ତିନି ଜଣ ଶହୀଦ ହୋଇଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ ।

ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ ପିଟାଲରେ ଭର୍ତି କରାଯାଇଛି । ବିସ୍ଫୋରଣ ପରେ ପୋଲିସ ପକ୍ଷରୁ ସଂପୃକ୍ତ ଅଂଚଳରେ ବ୍ୟାପକ କୁମ୍ବିଂ ଅପରେଶନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍ ।

 

Exit mobile version