ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ,ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ମକର ମେଳା ଅବସରରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଭଳି ଭଦ୍ରକ ଜିଲ୍ଲାର ମା’ କ୍ଷେତ୍ରବାସିନୀ ଓ ମା’ ବରୁଣେଇ ଶକ୍ତିପୀଠ ଉତ୍ସବମୁଖର ହୋଇଛି ।
ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଏହି ଦୁଇ ଶକ୍ତିପୀଠରେ ହୋମଯଜ୍ଞ ହେବା ସହ ୩ଦିନ ଧରି ଯେଉଁ ମକର ମେଳା ଅନୁଷ୍ଠିତ ହୋଇଥାଏ ।
କଲେଇ ପଂଚାୟତର ଚୁନିଦା-ବଳଭଦ୍ର ନିକଟରେ ମା’ କ୍ଷେତ୍ରବାସିନୀଙ୍କ ଆସ୍ଥାନ । ପୂଣ୍ୟତୋୟା କପାଳୀ ନଦୀ କୂଳରେ ପ୍ରତିଷ୍ଠିତ ମା’ଙ୍କ ଏହି ପୀଠ ପ୍ରାୟ ଷୋଡଶ ଶତାବ୍ଦୀର ।
ଓଡିଶାର ଶେଷ ସ୍ୱାଧିନ ରାଜା ମୁକୁନ୍ଦବେ ଏହି ରାସ୍ତା ଦେଇ ଯିବା ସମୟରେ ମା’ଙ୍କୁ ପ୍ରତିଷ୍ଠା କରିଥିଲେ । ସେହିିନରୁ ଏଠାରେ ମା’ ପୂଜା ପାଇଆସୁଛନ୍ତି ।
ମକର ସଂକ୍ରାନ୍ତିଦିନ ମା’ଙ୍କ ପାଖରେ ଯିଏ ମାଟିଘୋଡା ମାନସିକ କରିବ, ଦେବୀ ତାର ମନସ୍କାମନା ନିଶ୍ଚୟ ପୂରଣ କରିବେ ।ଦ୍ୱିତୀୟରେ ସଂକ୍ରାନ୍ତିଦିନ ଭକ୍ତମାନେ ଶୁଦ୍ଧପୁତ ମନରେ ମା’ଙ୍କୁ ପୂଜା କରିବା ସମୟରେ ସ୍ଥାନୀୟ କେତେକ ପୂଜକଙ୍କୁ ମା’ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
ପ୍ରତିବର୍ଷ ଏହି ମେଳା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଥିବା ବେଳେ ଏଥିରେ ସବୁ ରାଜନୈତିକ ଦଳ ବ୍ୟକ୍ତି ବିଶେଷଙ୍କ ସହଯୋଗ ପରିଲକ୍ଷିତ ହୋଇଥାଏ ।
ସେହିଭଳି ଭଦ୍ରକ ଆଖଣ୍ଡଳମଣୀ ମାର୍ଗରେ କପାଳୀ ନଦୀ ତଟରେ ଆରାଧ୍ୟ ଦେବୀ ମା’ବରୁଣାଇଙ୍କ ଶାନ୍ତି ପୀଠ । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିର ପୂଣ୍ୟ ତିଥିରେ ଏଠାରେ ମା’ ବରୁଣାଇ ଯଜ୍ଞ ଓ ମକର ମେଳା ଅନୁଷ୍ଠିତ ହୁଏ ।
ଏହି ପୀଠ ଭଦ୍ରକ ଜିଲାର ଧାମନଗର ବ୍ଲକ ଅସୁରାଳୀ ପଂଚାୟତ ମଧ୍ୟରେ ଯାଉଥିବା ବେଳେ ସ୍ଥାନୀୟ ପାଂଚ ଛଅଟି ପଂଚାୟତର ଲୋକେ ବରୁଣାଇ ଉନ୍ନୟନ ପରିଷଦ ଗଠନ କରି ଏବେ ଏକ ମନ୍ଦିର ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିଦିନ ଏଠାରେ ମଧ୍ୟ ଭକ୍ତଙ୍କ ଭିଡ ଲାଗିରହିଥାଏ ।
ଓଡ଼ିଶା ଡ଼ଟ୍ କମ୍
Leave a Reply