ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଜାନୁୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଅଧିକରୁ ଅଧିକ ସାବାଳକଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ସଚେତନା ସୃଷ୍ଟି କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।
ଆସନ୍ତା ୨୫ରେଦ୍ୱିତୀୟ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଏଥିପାଇଁ ଗଣ ଦୌଡ କରାଯିବା ସହ ଗଣତନ୍ତ୍ରକୁ ସୁୃଢ କରିବା ବିଷୟ ବସ୍ତୁ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଏହି ଆୟୋଜନ କରାଯିବ ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍. ଶ୍ରୀ ନିବାସନ୍ କହିଛନ୍ତି ।
ଏହି ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମାରାଥନ ଦୌଡ କଳିଙ୍ଗ ଷ୍ଟାଡିୟମରୁ ବାହାରିବ ଏବଂ ଆୟୋଜିତ ସଭାରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ମାନବାଧିକାର କମିଶନ ଯୋଗଦେବେ ।
୨୦୧୧ରେ ରାଜ୍ୟରେ ୨ କୋଟି ୮୦ ଲକ୍ଷ ୯୩ ହଜାର ୯୩୦ ଭୋଟର ଥିବା ବେଳେ ୨୦୧୨ରେ ଭୋଟରଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୪୫ ହଜାର ୩୫କୁ ବୃଦ୍ଧି ପାଇଛି ।
ସେମାନଙ୍କ ମଧ୍ୟରେ ୧ କୋଟି ୫୦ ଲକ୍ଷ ୮୫ ହଜାର ୮୦୭ ପୁରୁଷ ଭୋଟର ହୋଇଥିବା ବେଳେ ୧ କୋଟି ୪୦ ଲକ୍ଷ ୭୮ ହଜାର ୬୭୨ ମହିଳା ଭୋଟର, ସେ କହିଛନ୍ତି ।
ପୂର୍ବରୁ ଥିବା ତାଲିକାରୁ ୨ ଲକ୍ଷ ୫୬ ହଜାର ୫୫୮ ଜଣ ଭୋଟରଙ୍କୁ ବିଭିନ୍ନ କାରଣରୁ ବାଦ ଦିଆଯାଇଛି । ତେବେ ନୂତନ ତାଲିକାରେ ୧୩ ଲକ୍ଷ ୨୬ ହଜାର ୮୬୪ ଜଣ ଭୋଟର ସାମିଲ ହୋଇଛନ୍ତି ।
୨୦୧୧ ସୁଦ୍ଧା ରାଜ୍ୟରେ ୮୮.୮୫ ପ୍ରତିଶତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ଦିଆଯାଇଥିବା ବେଳେ ୨୦୧୨ରେ ଏହା ୯୦.୯୧ ପ୍ରତିଶତକୁ ବୃଦ୍ଧି ପାଇଛି ।
୨୦୧୨ ସୁଦ୍ଧା ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୪୫ ହଜାର ୩୫ରେ ପହଂଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦.୯୧ ପ୍ରତିଶତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ଦିଆଯାଇଛି, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply