Site icon Odisha.com

ଗଣବଳାତ୍କାର: ପୁଣି ତଦନ୍ତ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାର ପୁଣି ଥରେ ତଦନ୍ତ କରିବାକୁ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ରାଜ୍ୟ ମହିଳା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ମହିଳା କମିଶନ ଅଧ୍ୟକ୍ଷା ସରକାରଙ୍କୁ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଥିରେ ହସ୍ତକ୍ଷେପ କରିବାକୁ ପାଂଚଟି ରାଜନୈତିକ ଦଳ ଏବଂ ଗଣସମାଜ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା ।

ଘଟଣାରେ ଗଣବଳାତ୍କାର ହୋଇନଥିବା ନେଇ କମିଶନ ଅଧ୍ୟକ୍ଷା ରିପୋର୍ଟ ଦେଇଥିଲେ । ଉକ୍ତ
ରିପୋର୍ଟରେ ଦୋଷୀ ପୋଲିସ ବିରୁଦ୍ଧରେ ମଧ୍ୟ କୌଣସି ବିଷୟ ଉଲ୍ଲେଖ କରାଯାଇନଥିଲା ଏବଂ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

ଏସଂପର୍କରେ ଜାଣିବା ପରେ ରାଜ୍ୟପାଳ ନିଜର ସାମ୍ବିଧାନିକ କ୍ଷମତା ବଳରେ କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀଙ୍କୁ ଗତ ଶନିବାର ରାଜଭବନକୁ ଡ଼ାକି ଆଲୋଚନା କରିଥିଲେ ।

ତେବେ ରାଜ୍ୟପାଳ ତାଙ୍କୁ ଡ଼କାଇ ଆଲୋଚନା କରିବା ସହ କିଛି ପରାମର୍ଶ ଦେଇଛନ୍ତି ବୋଲି ଅଧ୍ୟକ୍ଷା ଗଣମାଧ୍ୟମକୁ କହିଛନ୍ତି । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଚାଲୁଥିଲେ ମଧ୍ୟ ମହିଳା କମିଶନ ଏହାର ତଦନ୍ତ କରିଥିଲେ ଏବଂ ତଦନ୍ତ ସଂପୂର୍ଣ୍ଣ ହୋଇନଥିବାରୁ ଆଉ ଥରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version