ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ମାର୍ଚ୍ଚ ୧୯ରୁ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ୧୩୭ଟି ସ୍କ୍ୱାଡ଼ ଗଠନ କରାଯାଇଛି ।
ପରୀକ୍ଷା ଶୃଙ୍ଖଳିତ ତଥା ସ୍ୱଚ୍ଛ କରିବା ପାଇଁ ଗଠନ କରାଯାଇଥିବା ଏହି ସ୍କ୍ୱାଡ଼ରେ କେତେକ ସ୍ୱତନ୍ତ୍ର ଅଧିକାରୀଙ୍କୁ ସାମିଲ କରାଯାଇଛି ।
ସେମାନେ ହଠାତ୍ କପି ହେଉଥିବା କେନ୍ଦ୍ରକୁ ପରିଦର୍ଶନ କରିବେ ଏବଂ ସେଠାରେ ଦ।ୟିତ୍ୱରେ ଥିବା ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ପରିଷଦ ପକ୍ଷରୁ କୁହାଯାଇଛି ।
ଚଳିତ ବର୍ଷ ମୋଟ୍ ୨୩୬୨ଟି କେନ୍ଦ୍ରରେ ୫ ଲକ୍ଷ ୮ ହଜାର ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୫୩ ହଜାର ୫୫୮ ଜଣ ରେଗୁଲାର ହୋଇଥିବା ବେଳେ ୫୪ ହଜାର ୨୬୦ ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ।
ସମସ୍ତ ପରୀକ୍ଷା କେନ୍ଦ୍ର ମଧ୍ୟରେ ତିରିଶ ପ୍ରତିଶତ କପି ପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ଆବଶ୍ୟକ ହେଲେ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ଲଗାଯିବ ଏବଂ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି ।
୧୯ ତାରିଖରୁ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ୨୦ରୁ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଓ ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷା ସକାଳ ୭ଟା୩୦ରୁ ୧୦ଟା ପର୍ଯ୍ୟନ୍ତ ଚାଲିବ । ପ୍ରଶ୍ନପତ୍ର ଭଲଭାବରେ ପଢିବା ପାଇଁ ପରୀକ୍ଷା ଆରମ୍ଭର ଶ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ ।
ଓଡ଼ିଶା ଡ଼ଟ୍ କମ୍