Site icon Odisha.com

ଏସ୍ଏମ୍ଏସ୍ ମାଧ୍ୟମରେ ପୋଲିଓ ନିରାକରଣ ସଚେତନତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ପୋଲିଓ ନିରାକରଣ ପାଇଁ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଟିକାଦାନ କେନ୍ଦ୍ରକୁ ଆଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ସଚେତନ କରାଇବା କାର୍ଯ୍ୟକ୍ରମ ଶୁକ୍ରବାର ଆରମ୍ଭ ହୋଇଛି ।

ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ୨୦ ଲକ୍ଷ ବିଏସ୍ଏନ୍ ମୋବାଇଲ ଉପଭୋକ୍ତାଙ୍କ ନିକଟରେ ସଚେତନତା ବାର୍ତା ପହଞ୍ଚି ପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ଆସନ୍ତା ୨୬ରେ ରାଜ୍ୟରେ ପଲ୍ସପୋଲିଓ ଟିକାଦାନ ଅଭିଯାନ ଅନୁଷ୍ଠିତ ହେବ । ସମସ୍ତ ଜିଲ୍ଲାରେ ୧୮୬୮୪ ଟିକାଦାନ କେନ୍ଦ୍ରରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ୪୬ ଲକ୍ଷ ୫୬ ହଜାର ୨୫୪ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏଥିପାଇଁ ୫୮ ଟି ଅତ୍ୟଧିକ ସମ୍ବେଦନଶୀଳ ସମେତ ୯୮ ଟି ମଧ୍ୟମ ଓ ୧୫୮ ଟି ସ୍ୱଳ୍ପ ସମ୍ବେଦନଶୀଳ ମୋଟ ୩୧୪ ଟି ବ୍ଲକ୍ ରେ ୭୪୭୩୬ ଜଣ କର୍ମୀ ଓ ୩୭୩୬ ଜଣ ସୁପରଭାଇଜରଙ୍କୁ ମୁତୟନ କରାଯାଇଛି ।

ଗତ ୨୦୧୧ ମସିହାରେ ରାଜ୍ୟର ୪୬ ଲକ୍ଷ ୫୬୭୦ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ୪୬ ଲକ୍ଷ ୫୬ ହଜାର ୨୫୪ ଶିଶୁଙ୍କୁ ପ୍ରଦାନ କରାଯିବ ।

ଚଳିତ ମାସ ୧୯ ତାରିଖଦିନ ଓଡିଶା ବ୍ୟତିତ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଏହି ଅଭିଯାନ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଆମ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜନିତ ଆଚରଣବିଧି ଯୋଗୁ ଆସନ୍ତା ୨୬ ତାରିଖ ରବିବାର ଅନୁଷ୍ଠିତ ହେଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version